Unknown

 

 

 

 

 

 

 

 

 

 

 

ଆୟା ମାର୍ଗାରେଟ୍‌

ଶଶିଭୂଷଣ ମହାପାତ୍ର

 

‘‘ଆମେ ସବୁ ପର୍ବତର ଝରଣା–ପଥରର ଶୁଖିଲା ବୁକୁ ଚିରି ବହିଆସିଛୁ ।’’

 

‘‘ଆମେ ସବୁ ବନାନୀର ଫୁଲ–ମଲ୍ଲୀ, କୁବେର, ମାଳତୀ ଆଉ ଚମ୍ପା । ସବୁଜ ବନାନୀର ହସ–ଦ୍ୟାବା ଧରିତ୍ରୀର ସୁରଭି । ଚଇତାଳୀ ମହୁଆ ଫୁଲର ମନମତାଣିଆ ମହକ ।’’

 

‘‘ଆମେ କୋଇଲିର ଧାରା.....ତା’ର କୁଳୁନାଦ......ତା’ର କଳକଲ୍ଲୋଳ.......କାକଳୀ ।’’

 

‘‘ତେବେ ଆମେ ଶଙ୍ଖର ଧ୍ୱନି...ଯେଉଁ ଧ୍ୱନି ଶ୍ୟାମଳ ବନାନୀକୁ କରେ ଗମ୍ଭୀର ।’’

 

ନା, ନା, ତୁମେ ତ ପୁରୁଣା କଥା କହୁଛ । ସେ ତ ଅତି ପୁରୁଣା, ହଜିଲା ଦିନର ରୂପେଲି ସ୍ୱପ୍ନ । ସେଦିନ ଗଲାଣି । ଆମେ ମରି ଯାଇଛେ । ଆମେ ଆଜି କୋଇଲିର ଚଳଚଞ୍ଚଳ ଧାରାରେ ଭସାଫୁଲ । ବୃନ୍ତଚ୍ୟୁତ ବନଫୁଲ–ବାସହରା ।’’

 

‘‘ତଥାପି ଆମେ ବନଫୁଲ । କୋଇଲିର ଚଞ୍ଚଳ ଧାରାରେ ଭାସି ଭାସିବି ତା’ର ଶୀତଳ ସ୍ପର୍ଶରେ ଜୀବନ-ଅମ୍ଳାନ । ଏଇ ଭସାଫୁଲର ଓଠରେ ରହିଛି ବନାନୀର ହସ । କଣ୍ଠରେ ଅଛି କୋଇଲିର ମୂର୍ଚ୍ଛନା–ଶଙ୍ଖର ଗମ୍ଭୀରତା । ପାହାଡ଼ ପରି ଟାଣୁଆ ବୁକୁରେ ଅଛି ବନାନୀର ସବୁଜିମା-।’’

 

ତା’ପରେ ଖିଲିଖିଲିଆ ହସ । ରୁଦ୍ଧିମନ୍ତ ଶିଳ୍ପନଗରୀର ନିସ୍ତରଙ୍ଗ ବାୟୁମଣ୍ଡଳରେ ହସର ଗୋଟାଏ ମୃଦୁ ଲହରୀ ।

 

‘‘ଆଉ କାହିଁ ସେ ବନ-ପାହାଡ଼ ? କାହିଁ ସେ ଅସରନ୍ତି ଶ୍ୟାମଳିମା ! କାହିଁ କୋଇଲିର କଳକଲ୍ଲୋଳ ଆଉ ଶଙ୍ଖର ଗମ୍ଭୀର ଧ୍ୱନି ! ସବୁ ମରିଯାଇଛି । କାରଖାନାର ବିକଟ ରବ ଭିତରେ ସବୁର ସତ୍ତା ଲୋପ ପାଇଯାଇଛି । ଗଢ଼ିଉଠୁଛି ଏଇଠି ବିରାଟ ନଗରୀ । ନୂଆ ନୂଆ ମଣିଷ...ନୂଆ ଧାରା...ନୂଆ ଜୀବନ । ଆମେ ଏଇ ନୂଆ ଧାରାରେ ମିଶାଇଦେବା ନିଜକୁ...ଭାସିଯିବା ନୂଆ ଜୀବନର ନୂଆ ଧାରାରେ ।’’ ‘‘ମିଶି ପାରିବା ଆମେ ? ଭାସି ପାରିବା ଆମେ ଏଇ ସୁଅରେ ? ଆମେ ଗଢ଼ିଦେବା ଏଇ ସହର । ଆମରି ହାତର ପରଶରେ ଗଢ଼ାହେବ କୋଠାବାଡ଼ି । ପ୍ରତି ଇଟାଖଣ୍ଡରେ ଲେସି ହୋଇ ରହିବ ଆମର ଝାଳ । ଆମେ କିନ୍ତୁ ଏଇଠି ଛୋଟ...ହୀନ । ମିଶି ପାରିବା ?’’

 

କୃଷ୍ଣଚୂଡ଼ାର ଛାଇ ଆଉ ବିଳୁଳିର ତୋଫା ଆଲୁଅର ଲୁଚକାଳି ଭିତରେ ଇସ୍ପାତ୍‌ନଗରୀର ପ୍ରଶସ୍ତ ରାଜପଥର ଦୁଇ ଧାରରେ ଦୁଇ ଦଳ ତରୁଣୀ । ସତେ ଯେମିତି କେଉଁ ଦକ୍ଷ କୋଣାର୍କ ବିନ୍ଧାଣୀର ନିପୁଣ ହାତର ପ୍ରତିମା–କଳାମୁଗୁନି ପଥରର ଚଳନ୍ତି-ପ୍ରତିମା । ସଙ୍ଗୀତମୟୀ...ସ୍ୱରମୂର୍ଚ୍ଛନାର ରୂପବତୀ କନ୍ୟା...ସ୍ୱଭାବକବି । ଜୀବନର ସମସ୍ତ ଅନୁଭୂତିକୁ ଏମାନେ ସଙ୍ଗେ ସଙ୍ଗେ ପ୍ରକାଶ କରିପାରନ୍ତି ସଙ୍ଗୀତରେ ।

 

ଇସ୍ପାତ୍‌ନଗରୀରେ ଗଢ଼ି ଉଠୁଥିବା ବଡ଼ ଡାକ୍ତରଖାନାର ଇଟା, ସିମେଣ୍ଟ, ଚୂନ ଆଉ ବାଲିବୁହାକାମ ଶେଷ କରି ଫେରୁଛନ୍ତି ଘରକୁ । ନୀଡ଼ବାହୁଡ଼ା ପକ୍ଷୀର କଳରବରେ ସଞ୍ଜ-ଆକାଶ ନିନାଦିତ ହେଲା ପରି, ଘରବାହୁଡ଼ା ତନ୍ୱୀ ତରୁଣୀଙ୍କର ମିଳିତକଣ୍ଠର ମୂର୍ଚ୍ଛନାରେ ଇସ୍ପାତନଗରୀର ରାଜପଥ ମୁଖର ।

 

କ୍ଳାନ୍ତି ନାହିଁ–ନାହିଁ ଅବସାଦ । ଅଭାବର ଚିନ୍ତା ଗହଳ ଭୂଲତାକୁ କୁଞ୍ଚିତ କରି ନାହିଁ । ଖିଲିଖିଲିଆ ହସ ଆଉ ଗୀତ । ସରସ...ଜୀବନ୍ତ । ଗୀତରେ ଗୀତରେ ପ୍ରଶ୍ନ ଉତ୍ତର, ଉକ୍ତିପ୍ରତ୍ୟୁକ୍ତି, ଆଲୋଚନା-ସମାଲୋଚନା–ମନ୍ତବ୍ୟ । ମନର ଦରଦବି ଅଭିବ୍ୟକ୍ତ ହୁଏ ସଦ୍ୟରଚିତ ସଙ୍ଗୀତରେ । ଦରଦର ପରିସମାପ୍ତି ହସରେ...ମନଖୋଲା ହସ ।

 

ଦିନକର ରୋଜଗାର ପରେ ଚାଲିଛନ୍ତି ତରୁଣୀଦଳ ଘରକୁ । ଦଳେ ଯିବେ ହମିରପୁର, ଆଉ ଦଳେ ଯିବେ ଦୁଇ ନମ୍ୱର ସେକ୍ଟରର ମଜ୍‌ଦୁର ବସ୍ତିକୁ । ଆରମ୍ଭ ହେଲା ବିଦାୟ ସମ୍ଭାଷଣ–‘‘ହଉ ଆଜି ଯାଉଛୁ । ବଞ୍ଚିଥିଲେ ପୁଣି କାଲି ମୁହଁ ଚାହାଁଚାହିଁ ।’’

 

‘‘ହଉ ହଉ, ଅନ୍ଧାର ଆସିଲାଣି । ଭଲ ଭାବରେ ଘରକୁ ଯିବ । ଏଇ ସହରର ରାସ୍ତାକଡ଼ରେ ଭୋଖିଲା ଶିକାରୀ ବାଘ ଜଗିଥାଏ ।’’

 

‘‘ଶିକାରୀ ବାଘ ? ଏଇ ଆଧୁନିକ ନଗରୀରେ ?’’ ପୁଣିଥରେ ହସ ।

 

‘‘ହଁ ହଁ, ସାବଧାନରେ ଯିବ । ଏ ବାଘ ଆମ ଜଙ୍ଗଲୀ ବାଘ ନୁହ । ସହରୀବାଘ । ଏ ଖାଲି ଯୌବନର ଶିକାର କରେ ।’’

 

ଯେ ଯେଝା ବାଟରେ ଚାଲିଲେ । ମାର୍ଗାରେଟ୍‌ ଚାଲିଛି ଦୁଇ ନମ୍ୱର ସେକ୍ଟରର ମଜ୍‌ଦୁର ବସ୍ତିକୁ । ଇସ୍ପାତ୍‌ନଗରୀଟାସାରା ତ ଗୋଟାଏ ମଜ୍‍ଦୁର ବସ୍ତି । ଇସ୍ପାତକାରଖାନାର ତିରିଶ ହଜାର ଶ୍ରମିକଙ୍କୁ ନେଇ ଗଢ଼ାହେଉଛି ଏଇ ଇସ୍ପାତନଗରୀ । ଅତି ଆଧୁନିକ ଛାଞ୍ଚ ଓ ସମାଜବାଦୀ ଢାଞ୍ଚାରେ ନିର୍ମିତ ହେଉଛି ଏକ ସୁଦୃଶ୍ୟ ଶ୍ରମିକନଗରୀ । ଏଇ ପ୍ରଶସ୍ତ ଓ ସୁଦୃଶ୍ୟ ଶ୍ରମିକନଗରୀରେ ଦିନକର ପରିଶ୍ରମ ପରେ ମାର୍ଗାରେଟ୍‌ ଫେରୁଥିଲା ତା’ର ମଜ୍‌ଦୁର ବସ୍ତିକୁ । ଏ ମଜ୍‌ଦୁରମାନେ ଶିଳ୍ପଶ୍ରମିକ ନୁହଁନ୍ତି । ବଡ଼ ବଡ଼ ଶିଳ୍ପଶ୍ରମିକଙ୍କୁ ସେବା-ସାହାଯ୍ୟ କରି ପେଟ ପୋଷିବା ପାଇଁ ଭିଟାମାଟି ଛାଡ଼ି ପଲା ମାରି ରହିଥିବା କେତେଗୁଡ଼ିଏ ପରିବାରଙ୍କୁ ନେଇ ଗଢ଼ିଉଠିଛି ଏଇ ମଜ୍‌ଦୁର ବସ୍ତି ।

 

ଏଠି ତ ସମସ୍ତ ବାହାରର । କାରଖାନାର ଶ୍ରମିକ, ଫିଟର, ଅପ୍‌ରେଟର, ଇଞ୍ଜିନିଅର, କିରାଣୀ, ଅଫିସର, କଣ୍ଟ୍ରାକ୍ଟର–ସମସ୍ତେ ଆସିଛନ୍ତି ଭିଟାମାଟି ଛାଡ଼ି ପେଟପୋଷିବା ପାଇଁ–ବିଞ୍ଛାଡ଼ି ହୋଇ ପଡ଼ିଥିବା ଟଙ୍କା ଗୋଟେଇବା ପାଇଁ । ଶ୍ରମିକମାନଙ୍କର ସବୁପ୍ରକାର ସୁଖସୁବିଧା ପାଇଁ ଚାଲିଛି ଜାତୀୟ ଆୟୋଜନ । ସାରା ପୃଥିବୀର ଦୃଷ୍ଟି ଆକର୍ଷଣ କରିବ ଏଇ ଇସ୍ପାତକାରଖାନା ! ନୂଆକଳେବର ପାଇଥିବା ଜାତିର ଦ୍ରୁତ ପ୍ରଗତିର ଗୋଟିଏ ମାଇଲଖୁଣ୍ଟ । ଖାଲି ଉତ୍ପାଦନରେ ନୁହେଁ, ଏ ଦେଶର ମାଟିରେ ଏକ ଅଭିନବ ଜୀବନଧାରାର ରୂପାୟନ ହେବ ଏଇଠି । ପୃଥିବୀ ଦରବାରରେ ନୂଆହୋଇ ମୁଣ୍ଡ ଟେକୁଥିବା ଜାତିର ନୀତି ଆଉ ଆଦର୍ଶର ଦର୍ପଣ ହେବ ଏଇ ଶିଳ୍ପନଗରୀ ।

 

ମାର୍ଗାରେଟ୍‌ର ମଜ୍‌ଦୁର ବସ୍ତି ଏହାର ଏକ ବିକୃତ ଛାୟା । ଏଇଠିବି ସାରା ଦେଶର ଗୁଡ଼ିଏ ଦୁସ୍ଥ ପରିବାରର ବିଚିତ୍ର ସମାବେଶ ଘଟିଛି । ସମାଜ ଗଢ଼ିଉଠିନି ।

 

ବଡ଼ିଭୋରରୁ ମାଇକିନିଆ ପଞ୍ଝାକ ବାହାରିପଡ଼ନ୍ତି କାମରେ । ବାସନ ମାଜିବେ, ଘର ଓଳେଇବେ, ମଇଳା ଲୁଗା ଧୋଇବେ, ଏମିତିଆ ଯାବତୀୟ ଘରକାମ, ଦି’ ଘର, ତିନି ଘର, ଚାରି ଘର ଯେ ଯେତେ ମେହେନତ୍‌ କରିପାରିଲା । ଯା ଦେହରେ ଯେତୁଟା ଗଲା । ଗୁଡ଼ାଏ ମରଦ ଚାଲିଯାଆନ୍ତି କାରଖାନାରେ ଦିନମଜୁରିଆ ଭାବରେ ଖଟିବା ପାଇଁ, କେତେକ ଚାଲିଯାଆନ୍ତି ଜାଳେଣୀ କାଠ ବିକିବା ପାଇଁ । ଜଣେ ଅଧେ ବଡ଼ ବଡ଼ ଶିଳ୍ପଶ୍ରମିକଙ୍କର ଗାଈ ଆଉ କୁକୁରର ଯତ୍ନ ନେବା ପାଇଁ ବାହାରିପଡ଼ନ୍ତି ଭୋଗରୁ । ସକାଳୁ ଦିନ ବାରଟା ଆଉ ଦିପହର ଦି’ଟାରୁ ସଞ୍ଜ ଅନ୍ଧାର ଆସିବା ଯାଏ ବସ୍ତିରେ ଥାଆନ୍ତି ଦି’ ଚାରିଟା ଅଖଞ୍ଜିଆ ମାଇକିନିଆ, ଅପାରଗ ବୁଢ଼ା ଆଉ କଅଁଳା ଛୁଆଙ୍କୁ ଜଗିବା ପାଇଁ ଦଶ ବାରଟା ଝିଅ–ଚାରିବର୍ଷରୁ ଆରମ୍ଭ କରି ଆଠବର୍ଷ ଯାଏ । ନଅ ଦଶବର୍ଷର ହେଇଗଲେ ତ ରୋଜଗାର ମିଳିଯିବ । ଅନ୍ତତଃ କୋଉ ବଡ଼ ଶିଳ୍ପଶ୍ରମିକଙ୍କର ପିଲା ଖେଳେଇ ପାରିବ ତ !

 

ଏମାନେ ଏକାଠି କେବେ ହୋଇପାରନ୍ତି ନାହିଁ । ପର୍ବପର୍ବାଣୀ, ବ୍ରତ-ଉପବାସ, ସବୁ କିଛି ଏମାନଙ୍କର ବଡ଼ ବଡ଼ ଶିଳ୍ପଶ୍ରମିକଙ୍କର ମଉଛବ ସଙ୍ଗରେ ବନ୍ଧା । ମଜଦୁର ବସ୍ତିର ଯେଉଁ ପଲା ବା କୁଡ଼ିଆଗୁଡ଼ିକ ରହିଛି, ତାକୁ ଏଇଠି କହନ୍ତି ଝୁମ୍ପୁଡ଼ି । ଯେ ଯେତେବେଳେ ଆସିଲା, ଏମିତିଆ ମଜଦୁର ହୋଇ ପେଟପୋଷିବା ପାଇଁ, ପନ୍ଦର କୋଡ଼ିଏ ଦିନ କାମ କଲା ପରେ ଠିଆ କରେଇ ଦିଏ ଖଣ୍ଡେ ଝୁମ୍ପୁଡ଼ି । ଏମିତି କେତେ ଉଠେ...ପୁଣି ପଡ଼େ । ବେଳେବେଳେ କଂପାନୀର ତକମାପିନ୍ଧା କର୍ମଚାରୀ ଆସି ଧମକ୍‌ ଦେଇଯାଆନ୍ତି, ଉଠି ଚାଲିଯିବା ପାଇଁ । ଏମିତି ଧମକ୍‌ ପାଇଲେ ଦିନେ ଦି’ ଦିନ ପାଇଁ ଏକଜୁଟ୍‌ ହୁଅନ୍ତି ଏମାନେ, ପ୍ରତିବାଦ କରିବା ପାଇଁ । ସେମାନଙ୍କରବି ରହିବାର ଅଧିକାରଟାକୁ ସାବୁତ୍‌ କରିବା ପାଇଁ ଅଣ୍ଟାଭିଡ଼ି ବାହାରିବାକୁ ସେତେବେଳେ ସମସ୍ତଙ୍କୁ ଆହ୍ୱାନ ମିଳେ । ସମୂହସ୍ୱାର୍ଥ ପାଇଁ ଏକତ୍ର ଲଢ଼େଇର ପ୍ରସ୍ତୁତିରେହିଁ ମଜଦୁର ବସ୍ତିର ସାମାଜିକତା ଫୁଟେ ।

 

ମାର୍ଗାରେଟ୍‌ ଫେରୁଛି ତା’ର ଝୁମ୍ପୁଡ଼ିକୁ । ଝୁମ୍ପୁଡ଼ିରେ ଅଛି ତା’ର ବାପ ଜୋହାନ୍‌ସ୍‌ ଟପୋ-। ସେ କାମକୁ ଯାଏନା । ସତୁରୀ ଟପିଗଲାଣି । ଘରେ ରହି ଦଉଡ଼ିଆ ଖଟ ବୁଣେ । ସେଇ ତା’ର ଏକମାତ୍ର ରୋଜଗାର । ମାର୍ଗାରେଟ୍‌ ଠିକାଦାରର ରେଜା ।

 

ସେଦିନ ଜୋହାନ୍‌ସ୍‌ ମନା କରୁଥିଲା ମାର୍ଗାରେଟକୁ କାମକୁ ଯିବା ପାଇଁ । ଭଲ ଲାଗୁ ନଥିଲା ତାକୁ । ବୁଢ଼ାମଣିଷ ! କେତେବେଳେ କ’ଣ ହେଇଯିବ, କିଏ ଜାଣେ ? ମାର୍ଗାରେଟ ମଙ୍ଗିଗଲା । ଠିକାଦାରର ମେଣ୍ଟବାବୁ ଜଗି ବସିଲା ଛାତ ଢଳେଇ ହେବ । ବହୁତ ରେଜା କୁଲି ଦରକାର, ବାବୁ ନିଜେ କହିଛନ୍ତି, ଯିବାକୁ ହେବ । ମାର୍ଗାରେଟ ଗଲା । ଜୋହାନ୍‌ସ୍‌ବି ଆଉ ମନାକରିନି ।

 

ମାର୍ଗାରେଟ୍‌ର ଛାତିଟା ଦକ ଦକ ହେଉଛି । କ’ଣ ହେଲା କି ? ନା, ନା, ସେମିତି କିଛି ଅସୁଖ ତ ନଥିଲା ବୁଢ଼ାର । ବୁଢ଼ା ତ ବେଶ୍‌ ସତେଜ ଥିଲା ।

 

ଚମକି ପଡ଼ିଲା ମାର୍ଗାରେଟ୍‌ । ମଜଦୁର ବସ୍ତିକୁ ଘେରଉ କରିଛି ପୋଲିସ । ବନ୍ଧୁକଧାରୀ ଆଉ ଲାଠିବାଲା ପୁଲିସ୍‌ । କଥା କ’ଣ ? ‘‘ଏଇ ଆଜ୍ଞା ଜୋହାନ୍‌ସ୍‌ର ଝିଅ’’–ଥାନାବାବୁ ଥରେ ଖାଲି ଚାହିଁଲେ ମାର୍ଗାରେଟ୍‌ ଆଡ଼କୁ, ମୁହଁରୁ ପାଦଯାଏ । କି ତୀକ୍ଷ୍‍ଣ ସେ ଦୃଷ୍ଟି ! ଥରିଉଠିଲା ମାର୍ଗାରେଟ୍‌ର ଦେହ । ‘‘ଆଚ୍ଛା ୟାକୁବି ନେଇଚାଲ ସାଙ୍ଗରେ । ବୁଢ଼ାକୁ ଉଠାଅ ଗାଡ଼ିକୁ ।’’ ମାର୍ଗାରେଟ୍‌ ଥରୁଥିଲା । ପାଟି ତା’ର ଖନି ମାରିଗଲା । କାହାକୁ କିଛି ପଚାରି ପାରିଲା ନାହିଁ । ଚାରିଆଡ଼କୁ ଖାଲି ଚାହିଁଲା ଜଳଜଳ ହୋଇ । ସତେ ଯେମିତି ଜଣେ କାହାକୁ ଥରେ ଆଖିରେ ଦେଖିଦେଲେ ସବୁ ବୁଝିଯିବ ସେ ଆପେ ଆପେ ।

 

ଜୋହାନ୍‌ସ୍‌କୁ ଉଠେଇଲେ ଗାଡ଼ି ଉପରକୁ । ମୁଣ୍ଡ ଫାଟି ଅଚେତ ହୋଇପଡ଼ିଛି ସେ । କାହାରି ଆଦେଶ ବା ଇଙ୍ଗିତକୁ ଅପେକ୍ଷା ନ କରି ଧାଇଁଗଲା ମାର୍ଗାରେଟ୍‌ । ବୁଢ଼ାର ଦେହଟାସାରା ରକ୍ତାକ୍ତ । କପାଳ ଆଉ ଆଖିପତା ଉପରେ ରକ୍ତାକ୍ତ ଗୋଟାଏ ବହଳ ବୋଳା । ମାର୍ଗାରେଟ୍‌ ହଲାଇଲା ବୁଢ଼ାକୁ । ପିଚିକିନା ବାହାରି ଆସିଲା ରକ୍ତ । ଶିହରି ଉଠିଲା ମାର୍ଗାରେଟ୍‌ । ଆଉଥରେ ହଲେଇବାକୁ ସାହସ କଲାନି । ପାପ ଆଶଙ୍କାରେ ଶୀତଳ ହୋଇ ଆସିଲା ତା’ର ଧମନୀର ଉଷ୍ଣପ୍ରବାହ । ବୁଢ଼ା ଆଖି ଖୋଲିବାକୁ ଚେଷ୍ଟାକଲା । ରକ୍ତର ବହଳ ବୋଳକୁ ଫିଟେଇ ପାରିଲା ନାହିଁ ତା’ର ଦୁର୍ବଳ ଆଖିପତା । ‘‘କିଏ ? ମାରଗା ?’’ –ହାତ ଉଠେଇବାକୁ ଚେଷ୍ଟାକଲା । ପାରିଲାନି, ଡାହାଣ ହାତର ମଝିଆଙ୍ଗୁଳିଟା ଥରେ ଟେକିଲା । ମାର୍ଗାରେଟ୍‌ ବୁଝେ ତା’ର ଇଙ୍ଗିତ । ବୁଢ଼ା କହିବାକୁ ଚାହୁଁଥିଲା, ‘ଇଏ କିଛି ନୁହ, ଚିନ୍ତାର କାରଣ ନାହିଁ ।’ ଦୀର୍ଘନିଶ୍ୱାସ ମାରିଲା ମାର୍ଗାରେଟ୍‌ ।

 

ଦିଅ, ସବୁ ଭାଙ୍ଗିଦିଅ । ଶଳାଏ ଏଇଠି ଜମାହୋଇ ସବୁତକ ଚୋରିଚମାରୀ ଚଳେଇଛନ୍ତି । ଆଖିବୁଜି ଭାଙ୍ଗିଯାଅ ସବୁ । ପୁଲିସ ଅଫିସରଙ୍କର ନିର୍ମମ ଆଦେଶ ।

 

ଶିଳ୍ପନଗରୀର ପ୍ରଶସ୍ତ ରାଜପଥରେ ଚାଲିଥିବା ଏକ ବିରାଟ ପଟୁଆର । ହଜାର ହଜାର ଶିଳ୍ପଶ୍ରମିକଙ୍କର ଶୋଭାଯାତ୍ରା । ଦରମା ବଢ଼ାଅ, ବଢ଼ାଅ ମହଙ୍ଗାଭତ୍ତା । ଘର ଦିଅ–ଦିଅ ନୂଆଧରଣର ଚିକିତ୍ସା । ଏମିତି କେତେ କ’ଣ । ଦାବୀପୂରଣ ପାଇଁ ଶ୍ରମିକଆନ୍ଦୋଳନର ପୂର୍ବାଭାସ-। ଉତ୍ତେଜନାର ଉଦ୍ଦାମ ପ୍ରବାହ ଛୁଟିଚାଲିଥିଲା ଶିଳ୍ପଶ୍ରମିକଙ୍କର ବିରାଟ ଶୋଭାଯାତ୍ରାରେ-। ପଟୁଆର ଚାଲିଗଲା ମଜଦୁର ବସ୍ତିର ଖୁବ୍‌ ନିକଟରେ । ପୁଲିସର ଘେରାଉ ଭିତରୁ ମଜଦୁରମାନେ ଚାହିଁଥିଲେ ଏଇ ଉଦ୍ଦାମ ପଟୁଆରକୁ ।

 

ଶୁକୁରା ଥିଲା ଏକ ମସ୍ତ ଜବାନ୍‌ । ଦେହରେ ଥିଲା ତା’ର ଅସୁରର ବଳ । ଆଖିରେ ଥିଲା ବଳିଷ୍ଠ ନେତୃତ୍ୱର ଚାହାଣୀ । ଜୋରଦେଇ କଥା କହିଲେ ଶୁକୁରାକୁ ଜବାବ ଦେବାକୁ କେହି ସାହସ କରୁ ନଥିଲେ । ତା’ର ନିଷ୍ପତ୍ତି ଥିଲା ଅତି ବଳିଷ୍ଠ । ଶହ ଶହ ସାଙ୍ଗଭାଇଙ୍କର ସେ ନିଷ୍ପତ୍ତିରେ ଥିଲା ଅଟଳ ବିଶ୍ୱାସ । ଏମିତି ଏକ ବ୍ୟକ୍ତିତ୍ୱ ନେଇ ଶୁକୁରା ଗାଙ୍ଗପୁର ରାଜ୍ୟର ସବୁ ଆଦିବାସୀଙ୍କୁ ଠୁଳ କରିପାରିଥିଲା । ‘ଖଜଣା ଛାଡ଼ି’ ଆନ୍ଦୋଳନର ସେ ଥିଲା ଅନ୍ୟତମ ପୁରୋଧା । ଗାଙ୍ଗପୁର ଦେଶୀୟ ରାଜ୍ୟର ଘନବନାନୀ ଥିଲା ସେମାନଙ୍କର କର୍ମପୀଠ । ମାଟି ତ ପ୍ରକୃତିର ଦାନ ! ଯେ ମୁଣ୍ଡଝାଳ ତୁଣ୍ଡରେ ମାରି ମାଟିର ବୁକୁ ବିଦାରି ପାରିଲା, ସେ ପାଇଲା ସୁନାର ଫସଲ । ଭୂମି ଉପରେ ନିଜର ଅଧିକାର ସାବୁତ୍‌ କରିବା ପାଇଁ କିଏ କାହିଁକି ଖଜଣା ଦେବ ? ଖଜଣା ନେବାର ଅଧିକାର ଦେଲା କିଏ ରାଜାଙ୍କୁ ? ତାହେଲେ ଝରଣାର ପାଣି ପାଇଁ ବି ତ ସେ ଖଜଣା ଦାବୀ କରିବ । ତା’ ରାଜ୍ୟର ପବନ ପାଇଁ ତ ନେବ ଖଜଣା । ନା, ନା, ମାଟିର ମୂଲର ଅଧିକାରୀ ନୁହେଁ ରାଜା । ଆମେ ହେଲୁ ଏଇ ମାଟିର ସନ୍ତାନ । ପଢ଼ୁଆ ପୁଅ । ଆମେ ଖଜଣା ଦେବୁ ନାହିଁ । ଏଇ ଦାବୀ ନେଇ ଗାଙ୍ଗପୁର ରାଜ୍ୟର ଆଦିବାସୀ ମେଳିର ସୂତ୍ରପାତ । ଆମ୍‌କୋ ଆଉ ସିମ୍‌କୋ ପାହାଡ଼ର ମଧ୍ୟସ୍ଥଳରେ ଥିଲା ସେମାନଙ୍କର କାର୍ଯ୍ୟାଳୟ । ସାରା ରାଜ୍ୟରେ ଏକ ବିପ୍ଳବ ସୃଷ୍ଟି ପାଇଁ ଚାଲିଥିଲା ବିରାଟ ଆୟୋଜନ । ବିନା ଖଜଣାରେ ଚଷିବେ ଜମି । ଅସରନ୍ତି ବଣପାହାଡ଼ ଭିତରେ ଇଚ୍ଛା ଅନୁସାରେ ଜାଗା ମାଡ଼ି ମାଡ଼ି ବସିବେ ସେମାନେ । ତୋଳି ନେବେ ପ୍ରକୃତିର ଦାନ । କମ୍‌ ବେଶି ପାଇଁ ଲଢ଼େଇ ହେବ ନାହିଁ । ଯେ ଯେତେ ପାରିଲା । ଶକ୍ତି ଅନୁସାରେ ଆଉ ଦରକାର ମୁତାବକ । ଯେ ବାଧାଦେବ, ନିଶ୍ଚିହ୍ନ କରିଦେବେ ତାକୁ । ଯେ ବିରୋଧ କରିବ, ଆପତ୍ତି କରିବ, ତା’ର ବୁକୁର ରକ୍ତରେ ଶୀତଳ କରିଦେବେ ଧରିତ୍ରୀର ବୁକୁ । କାର୍ଯ୍ୟାନୁଷ୍ଠାନ ପାଇଁ ଶେଷ ନିଷ୍ପତ୍ତି ନେବେ ଆଜି । ହଜାର ହଜାର ଆଦିବାସୀ ରୁଣ୍ଡ ହୋଇଛନ୍ତି ଆମ୍‌କୋ ଆଉ ସିମ୍‌କୋ ପାହାଡ଼ର ଉପତ୍ୟକାରେ ।

 

ଗାଙ୍ଗପୁର ରାଜାଙ୍କର ସମସ୍ତ ଶକ୍ତି ପ୍ରତିହତ ହୋଇଛି । ତାଙ୍କର ପୁଲିସଫୌଜ ବାରମ୍ୱାର ଅତି ଶୋଚନୀୟ ଭାବରେ ପରାଜିତ ହୋଇ ଫେରି ଆସିଛନ୍ତି । ଶେଷରେ ସେ ହେଇଛନ୍ତି ରେସିଡ଼େଣ୍ଟଙ୍କର ଶରଣାପନ୍ନ ।

 

ସେଦିନ ହଠାତ୍‌ ସୁନ୍ଦରଗଡ଼ ସହରରେ ପହଞ୍ଚିଲେ ପାଞ୍ଚ ଶହ ଗୋରା ଫଉଜ । ଆସିଛନ୍ତି ନିଜେ ରେସିଡ଼େଣ୍ଟ୍‌ ସାହେବ । ଗାଙ୍ଗପୁର ରାଜାଙ୍କର ରିଜର୍ଭ ପୁଲିସ୍‌ଫୌଜର ବଛା ବଛା କେତେଜଣଙ୍କ ସହ ବାହାରିଲେ ନିଜେ ରେସିଡ଼େଣ୍ଟ୍‌ ସାହେବ । ପକେଟରୁ ଗୋଟିଏ ମାନଚିତ୍ର ବାହାର କରିଥିଲେ ଦେଖିନେଲେ ଭଲଭାବରେ । ଫଉଜ କମାଣ୍ଡରଙ୍କୁ ଡାକି ଚୁପ୍‌ ଚୁପ୍‌ କ’ଣ କହିଲେ । ତା’ପରେ ଛୁଟିଲା ମିଲିଟାରି ଭ୍ୟାନ୍‌ । ଗୋଟିକ ପରେ ଗୋଟିଏ । ପୂର୍ବ ନିର୍ଦ୍ଦେଶ ଅନୁସାରେ ଘନ ଅରଣ୍ୟର ମଧ୍ୟସ୍ଥିତ ଏକ ବିସ୍ତୃତ ପ୍ରାନ୍ତରରେ ଅଟକିଗଲା ଗାଡ଼ି । ବଡ଼ ସନ୍ତର୍ପଣରେ ଓହ୍ଲାଇ ପଡ଼ିଲେ ସିପାହୀମାନେ । ନିଃଶବ୍ଦରେ ଲୁଚିଗଲେ ଘନ ବନାନୀର ନିବିଡ଼ ଶ୍ୟାମଳିମା ଭିତରେ । ସେତେବେଳେ ସିନ୍ଦୂରା ଫାଟିବାକୁ ବାକିଥିଲା ଦୁଇ ପ୍ରହର । ଆଦେଶ ଅପେକ୍ଷାରେ ଛପିରହିଲେ ଗୋରା ସିପାହୀମାନେ । ଗୋଟାଏ ଇଙ୍ଗିତରେ କମ୍ପି ଉଠିବ ଘନ ବନାନୀ ରାଇଫଲର ଗମ୍ଭୀର ଧ୍ୱନିରେ । ଥରି ଉଠିବ ବନଲକ୍ଷ୍ମୀର କୋମଳ ବୁକୁ । ଏକ ସଙ୍ଗରେ ପାଞ୍ଚ ଶହ ବନ୍ଧୁକର ଗୁଳିବର୍ଷଣରେ ବିଦୀର୍ଣ୍ଣ ହେବ ଆମ୍‌କୋ-ସିମ୍‌କୋର ଉପତ୍ୟକା ।

 

ରାତି ପାହିଲା । ଉଇଁ ଆସିଲେ ନାଲି ଟହ ଟହ ସୂର୍ଯ୍ୟ । କଅଁଳ କିରଣରେ ହସିଉଠିଲା ବଣପାହାଡ଼ । ବର୍ତ୍ତମାନ ବାଜି ଉଠିବ ଆମ୍‌କୋ-ସିମ୍‌କୋ ଉପତ୍ୟକାରେ ବିପ୍ଳବର ମହାଶଙ୍ଖ । ନେତାର ଇଙ୍ଗିତକୁ ଅପେକ୍ଷା କରି ରହିଛନ୍ତି ଶହ ଶହ ଆଦିବାସୀ ।

 

ବାଜିଲା ତୁରୀ । ଆରମ୍ଭ ହେଲା ଯାତ୍ରୀ । ରାଜ୍ୟସାରା ଜାଳିଦେବେ ବିପ୍ଳବର ଅଲିଭା ନିଆଁ ।

 

ପଥରୋଧ କରି ଛିଡ଼ାହେଲେ ରେସିଡ଼େଣ୍ଟ ସାହେବ । ଆରମ୍ଭ କଲେ ତାଙ୍କର ଭାଷଣ–ସାଦରୀ ଭାଷାରେ । କୋହ୍ଲ, ଓରାମ, ମୁଣ୍ଡା, କିଷାନ ଆଉ ଖଡ଼ିଆଙ୍କର ସାଧାରଣ ଭାଷା ଲିଙ୍କ ଲାଙ୍ଗୁଏଜ୍‌ । ଆରମ୍ଭ ହେଲା ଆଲୋଚନା–ଯୁକ୍ତି–ତର୍କ । ଉଭୟ ପକ୍ଷରେ ଦେଖାଦେଲା ଉତ୍ତେଜନା । ରେସିଡ଼େଣ୍ଟ ସାହେବ ସଭ୍ୟ, ଶିକ୍ଷିତ, ପ୍ରବୀଣ ଶାସକ, ନିପୁଣ ରାଜନୀତିଜ୍ଞ । ସମ୍ଭାଳିନେଲେ ଉତ୍ତେଜନାକୁ । ଓଠରେ ଜଟିଳ ହସ । ଆଖିରେ କୁଟିଳ ଚାହାଣୀ ।

 

ରେସିଡ଼େଣ୍ଟ ସଙ୍ଗରେ ଯେଉଁ ପାଞ୍ଚଜଣ ନେତା ଆଲୋଚନା କରୁଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଥିଲା ଶୁକୁରା । ସେ ବୁଝିପାରିଲା, ରେସିଡ଼େଣ୍ଟର ମନୋଭାବ । ରୋକିପାରିଲା ନାହିଁ ତା’ର ଉତ୍ତେଜନା । ହଠାତ୍‌ ଆରମ୍ଭ କଲା ଆକ୍ରମଣ । ଉଞ୍ଚେଇଲା ତା’ର ଶିଶୁକାଠର ଠେଙ୍ଗା । ଦେହରକ୍ଷୀଙ୍କର ତତ୍‌ପରତା ଯୋଗୁଁ ଅଳ୍ପକେ ରହିଗଲା ରେସିଡ଼େଣ୍ଟ ସାହେବଙ୍କର ମୁଣ୍ଡଟା । ପର ମୁହୂର୍ତ୍ତରେ ଗର୍ଜିଉଠିଲା ରେସିଡ଼େଣ୍ଟଙ୍କର ରିଭଲଭର । ଗର୍ଜିଉଠିଲା ଏକ ସଙ୍ଗରେ ପାଞ୍ଚ ଶହ ରାଇଫଲ ।

 

ଗୁଳିବର୍ଷଣ ଶେଷବେଳକୁ ଖାଲି ଶୁଭୁଥିଲା କେତୋଟି ମୁମୂର୍ଷର ଆର୍ତ୍ତ ଚିତ୍‌କାର । କିଏ ମଲା, କିଏ ଗଲା, ଆଉ ହଜିଲା, ତା’ର ଖବର କେହି ରଖିନି । ତା’ର ହିସାବ କେହି ଜାଣେନା । ଆମ୍‌କୋ-ସିମ୍‌କୋ ଉପତ୍ୟକାରେ ରକ୍ତର ବନ୍ୟା ଛୁଟାଇ ଫେରି ଆସିଲେ ରେସିଡ଼େଣ୍ଟ ସାହେବ । ରକ୍ତର ତାଣ୍ଡବରେ ଅବସାନ ହେଲା ଗୋଟାଏ ବିପ୍ଳବର ।

 

ଶୁକୁରାର ବାଁ ହାତରେ ଲାଗିଥିବା ଗୁଳି । ସେ ଜାଣେ, ଗୁଳି ପରେ ପରେ ଏ ପଟୁ ଛୁଟିଆସିବ ସହସ୍ର ତୀକ୍ଷ୍‍ଣ ଶର । ସେ ଲୋଟିପଡ଼ିଲା ଭୂମି ଉପରେ । ତା’ପରେ କ’ଣ ହେଲା, ସେ ଜାଣେନା । ଚେତା ଆସିଲା ବେଳକୁ ଦେଖେ, ଆମ୍‌କୋ-ସିମ୍‌କୋ ଉପତ୍ୟକାର କୋମଳଶଯ୍ୟା କର୍ଦ୍ଦମାକ୍ତ–ଖାଲି ରକ୍ତ । ଚାଲିବାକୁ ଚେଷ୍ଟାକଲା । ପ୍ରତିଥର ପାଦ ପଡ଼ିଲା କାହାର ରକ୍ତାକ୍ତ ଛାତି, ପିଠି ଅଥବା ମୁଣ୍ଡରେ । ବସି ପଡ଼ିଲା । ଭୂଇଁରେ ନୁହେଁ–କେଉଁ ଏକ ଅଜ୍ଞାତ ଶହୀଦ୍‌ର ପିଠିରେ । ଭୟ, କ୍ରୋଧ, ଆଶଙ୍କା, ହତାଶା ଆଉ କାରୁଣ୍ୟର ଗୋଳିଆଘଣ୍ଟାରେ ମନଟା ତା’ର କିମିତି କିମିତି ହୋଇଗଲା ।

 

ତଥାପି ତାକୁ ବଞ୍ଚିବାକୁ ହେବ । ପୁଣିଥରେ ଉଠିଲା । ହାତର କ୍ଷତକୁ ଚିପିଧରିଲା, ବଳ ସଂଗ୍ରହ କରିବା ପାଇଁ । ଚାଲିଲା । ଦୁର୍ବଳ ତା’ର ସ୍ନାୟୁ । ଚାରିଆଡ଼େ ଅନ୍ଧକାର । ସୂଚିଭେଦ୍ୟ ଅନ୍ଧକାର । କିଏ ଜାଣେ କେତେବେଳେ ପାହିବ ଏ କାଳରାତ୍ରି । ଖେଙ୍କାରି ଉଠିଲା ବୁଢ଼ା ଶିଆଳ । ନିଶବ୍ଦ ବନାନୀର ସ୍ତବ୍‌ଧତାକୁ ଝଙ୍କୃତକରି ଗର୍ଜିଉଠିଲା ଗୋଟାଏ ଅଦ୍ଭୁତ ବନପକ୍ଷୀ । ଶୁକୁରା ଠଉରେଇ ନେଲା–ରାତି ଆଉ ଅଳ୍ପ ।

 

ଆଉ ତିନି ଚାରି ମାଇଲ ଚାଲିଗଲେ ପଡ଼ିବ ଭାଲୁଲତା ଗାଁ । ଶୁକୁରାକୁ କିଏ ନ ଜାଣେ-? କିନ୍ତୁ ଏମିତି ରକ୍ତାକ୍ତ ହୋଇ ଗାଁରେ ପହଞ୍ଚିଲେ, ତାକୁ ଚିହ୍ନିବ କିଏ ? ଏମିତି ଅବସ୍ଥାରେ ହୁଏତ ତାକୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିବ ।

 

ଜଙ୍ଗଲ ମଝିରେ ଥିବା ଶଗଡ଼ ରାସ୍ତାରେ କିଏ ଜଣେ ଆସୁଛି ସାଇକେଲ୍‌ରେ । ଧଳା ପୋଷାକ । ବୁଦା ଉହାଡ଼ରେ ଛପି ଲକ୍ଷ୍ୟ କଲା ଶୁକୁରା । ଦାଢ଼ିଥିଲା ପରି ଜଣାପଡ଼ୁଛି । ରେସିଡ଼େଣ୍ଟ ସାହେବର ପୋଷାକ ପରି ଦିଶୁଛି ତ ! ଧେତ୍‌ ରେସିଡ଼େଣ୍ଟ ସାହେବ ସାଇକେଲରେ ଆସିବ କାହିଁକି ? ସେ ବା ଏମିତି ଲମ୍ୱା ଧଳାକୁରୁତା ପିନ୍ଧିବ କାହିଁକି ? ସେ, ଯେ ହେଉନା କାହିଁକି, ଶୁକୁରାକୁ ଦେଖିଲେ ସନ୍ଦେହ କରିବ ନିଶ୍ଚୟ । ହୁଏତ ପୁଲିସ୍‌ ହାତରେ ଦେବ । ପୁଲିସ୍‌ ହାତକୁ ଗଲେ ଜୀବନସାରା ଜେଲ୍‌–ନ ହେଲେ କଳାପାଣି । ଓଃ, ଶିହରି ଉଠିଲା ଶୁକୁରାର ଦୁର୍ବଳ ଦେହ । ତା’ ଅପେକ୍ଷା ବରଂ ମରିଯିବା ଭଲ । ଆରେ ! ଲୋକଟା ପାଖେଇ ଆସିଲାଣି ଯେ ! ଉଠିଲା ଶୁକୁରା–ତା’ର ସମସ୍ତ ବଳ ସଂଗ୍ରହ କରି ଧାଇଁଯାଇ ଲୁଚିଯିବାକୁ ଗହଳିଆ ବାଉଁଶ ବଣ ଭିତରେ । ଓଃ, ଧାଇଁବାକୁ ଶକ୍ତି ନାହିଁ ଯେ ! ତଥାପି ବଞ୍ଚିବାକୁ ତ ହେବ ନିଶ୍ଚୟ । ପ୍ରାଣପଣେ ଧାଇଁଛି ଶୁକୁରା-। ଆତ୍ମଗୋପନ କରିବ ବାଉଁଶ ବଣ ଭିତରେ । ସାଇଁ କିନା ବାହାରି ଆସିଲା ବଡ଼ ସାପଟାଏ ବାଉଁଶ ବଣ ଭିତରୁ । ଆକ୍ରମଣର ଆଶଙ୍କାରେ ବାହାରି ଆସିଲା ବୋଧହୁଏ । ଥମକି ଗଲା ଶୁକୁରା-। ଦେହଟାସାରା ଝାଳ । ନିଗିଡ଼ି ଆସୁଥିବା ଝାଳରେ ଓଦା ହୋଇଗଲା ତା’ର ସର୍ବାଙ୍ଗ-। ପୁଣିଥରେ ଜକେଇ ଆସିଲା ଶୁଖିଲା ରକ୍ତ । ଧଡ଼ପଡ଼ ହେଉଛି ତା’ର ଛାତି । ଆରେ, ଶୁକୁରାର ଗୋଡ଼ ଦି’ଟା ଯେ ଥରୁଛି । ସେ କ’ଣ ଆଉ ଛିଡ଼ା ହୋଇପାରିବ ନାହିଁ ?

 

ତଳେ କଚାଡ଼ି ହୋଇ ପଡ଼ୁଥିଲା ଶୁକୁରା । ସେ ଠିକ୍‌ ବୁଝିପାରୁଛି–ସେ ତଳେ ପଡ଼ିଯାଇଛି; କିନ୍ତୁ ସମ୍ଭାଳି ପାରୁନାହିଁ ନିଜକୁ । ଶୁକୁରା ଅସହାୟ ।

 

କିଏ ଜଣେ ତୋଳିଧରିଲା ତାକୁ । ଶୁକୁରା ଚାହିଁଲା ତା’ ମୁହଁକୁ; ‘କିଏ ? ପାଦ୍ରୀସାହେବ-?’’

 

‘‘ହଁ’’, ତୋର ଏମିତି କ’ଣ ହେଲାରେ ଶୁକୁରା ?’’ ସାଦରୀ ଭାଷାରେ ପଚାରିଲେ ଫାଦାର ଡେଭିଡ଼୍‌ । ଆଖିବୁଜି ହୋଇ ଆସିଲା ଶୁକୁରାର । କିଛି କହିପାରିଲା ନାହିଁ ।

 

ଆଖିଖୋଲି ଚାରିଆଡ଼କୁ ଚାହିଁଲା ଶୁକୁରା । ସେ ଥିଲା ପାଦ୍ରୀବଙ୍ଗଳାର ଡାକ୍ତରଖାନାରେ । ଅଳ୍ପ କେଇଟା ଦିନରେ ବେଶ୍‌ ସୁସ୍ଥ ହୋଇ ପଡ଼ିଲା ସେ । କି ସେବା ଯତ୍ନ ଏମାନଙ୍କର । ଟିକିଏବି ହେଳା ନାହିଁ । ପ୍ରତିଟି କାମ ଆଉ କଥା ସ୍ନେହ, ସହାନୁଭୂତିରେ ମଧୁର ଆଉ କୋମଳ । ଶୁକୁରାର ମନ ଭିତରେ ଗୋଟାଏ ବିରାଟ ପ୍ରଶ୍ନବାଚୀ । କାହିଁକି ? କାହିଁକି ଏମାନଙ୍କର ବିରାଟ ତ୍ୟାଗ ! କାହିଁ କେତେଦୂରରେ ଏମାନଙ୍କର ଭିଟାମାଟି । କୁଆଡ଼େ ଭାରି ସୁନ୍ଦର ତାଙ୍କର ଦେଶ । ଅଭାବ ନାହିଁ–ନାହିଁ ଅନଟନ । ସ୍ୱାଧୀନ, ସ୍ୱଚ୍ଛନ୍ଦ ଜୀବନ । ସେ ସବୁ ଛାଡ଼ି ଏ ବଣଜଙ୍ଗଲ ଭିତରେ କାହିଁକି ? ଈଶ୍ୱରଙ୍କର ଯେଉଁ ସନ୍ତାନଗଣ ମଣିଷଗଢ଼ା ସମାଜର ନିମ୍ନଶ୍ରେଣୀରେ ସଢ଼ୁଛନ୍ତି–ମଣିଷ ହୋଇ ମଣିଷର ଅଧିକାରରୁ ବଞ୍ଚିତ ହୋଇଛନ୍ତି–ମଣିଷର ରାଜନୀତି ଆଉ ସମାଜନୀତିର ରଥଚକ୍ରତଳେ ପେଶି ହୋଇ ଯେଉଁମାନେ ରାଜାଧିରାଜଙ୍କର ସାମ୍ରାଜ୍ୟରେ ହେୟ ଆଉ ନଗଣ୍ୟ ବୋଲି ବିବେଚିତ ହେଉଛନ୍ତି–ଯେଉଁମାନଙ୍କ ପାଖକୁ ମଣିଷଗଢ଼ା ଭେଦର ପାଚେରୀ ଡେଇଁ ପ୍ରଭୁଙ୍କ ବାର୍ତ୍ତା ପ୍ରବେଶ କରିପାରୁ ନାହିଁ–ସେଇମାନଙ୍କୁ ଉଦ୍ଧାର କରିବା ପାଇଁ–ସେଇମାନଙ୍କ ପାଖରେ ପ୍ରଭୁଙ୍କର ବାର୍ତ୍ତା ପହଞ୍ଚାଇଦେବା ପାଇଁ ଆସିଛନ୍ତି ଏମାନେ । ଧର୍ମର ପ୍ରସାର ପାଇଁ ଏମାନେ ଦେଶତ୍ୟାଗୀ, ଗୃହତ୍ୟାଗୀ, ସନ୍ନ୍ୟାସୀ ।

 

ଫାଦାର ଡେଭିଡ଼୍‌ ସେଦିନ ଶୁକୁରାକୁ କହିଗଲେ,–ତା’ର ସ୍ୱାସ୍ଥ୍ୟ ଲାଭ ପାଇଁ ସମସ୍ତେ ମିଶି ପ୍ରାର୍ଥନା କରିଛନ୍ତି । କୃତଜ୍ଞତାରେ ନରମ ହୋଇଗଲା ଶୁକୁରାର ବିପ୍ଳବୀ ମନ ।

 

ଫାଦାର ଡେଭିଡ଼୍‌ ଛାଡ଼ିଲେ ନାହିଁ ଶୁକୁରାକୁ । କାହିଁକି ବା ଯିବ ଶୁକୁରା ? କୁଆଡ଼େ ଯିବ-? କିଏ ଅଛି ତା’ର ଏ ସଂସାରରେ ? ବାପା-ମା’ ତ ଯାଇଛନ୍ତି ବହୁତ ଦିନରୁ । ବାହାସାହା ତ ହେଇନି । ତେବେ ଯିବ କାହିଁକି ? ଫାଦାର କହୁଛନ୍ତି, ତାକୁ ପୂରାପୂରି ବଦଳାଇ ଦେବେ ବୋଲି । ନୂଆ ଜନ୍ମଲାଭ କରିବ ସେ । ତେଣୁ ତାହାହିଁ ହେଉ । ଦୀକ୍ଷା ଗ୍ରହଣ କଲା ଶୁକୁରା ।

 

ଶୁକୁରା ବର୍ତ୍ତମାନ ଖ୍ରୀଷ୍ଟିଆନ । ନାଁଟାବି ବଦଳିଗଲା ତା’ର । ସେ ବର୍ତ୍ତମାନ ଜୋହାନ୍‌ସ୍‌-। ପାଦ୍ରୀ ବଂଗଳାରେ ସମସ୍ତେ ତାକୁ ଡାକନ୍ତି ଜୋହାନ । ନାଁଟା ବଦଳିଗଲା । ବଦଳିଲା ତା’ର ଧର୍ମ; କିନ୍ତୁ ତା’ର କ’ଣ ଗୋଟାଏ ଧର୍ମ ଥିଲା ? ଥାଇପାରେ । ଧର୍ମ ବିନା ମଣିଷଟାଏ ତିଷ୍ଠିବ କିମିତି ? ଗୋଟାଏ ଜାତିର ବା ଅସ୍ତିତ୍ୱ ରହିବ କେମିତି ? ଧର୍ମ ତା’ର ଥାଉ ବା ନଥାଉ, ଧର୍ମ ବିଷୟରେ କିନ୍ତୁ ଜୀବନରେ କେବେ ଚିନ୍ତା କରି ନଥିଲା ସେ । ଏ ଧର୍ମଟା ତା’ପାଇଁ ନୂଆ । ନୂଆ ଜୀବନ ତା’ର । ତେବେ ତା’ ନାଁ ପଛରେ ଲାଗି ରହିଛି ତା’ର ଆଦିମ ଗୋତ୍ର–ତା’ର ମୂଳ–ଟପ୍‌ପୋ-। ଏଇ ଗୋତ୍ରଟାହିଁ ତାକୁ ସଚେତ କରାଇଦିଏ ଯେ ସେ ଆଦିବାସୀ-। ଏଇ ମାଟିର ପୁଅ-। ଏଇ ମାଟିର ପାଣିପବନରେ ମିଶିରହିବ ତା’ର ନୂଆଧର୍ମର ନୂଆ ଆଚାର ।

 

ପାଦ୍ରୀ ବଙ୍ଗଳାରେ ରହେ ଜୋହାନ୍‌ସ୍‌ । ଜୀବନଟା ତା’ର ପଡ଼ିଯାଇଛି ଗୋଟାଏ ଧରାବନ୍ଧା ରୀତିରେ । ବଡ଼ିସକାଳୁ ଯାଏ ସେ ଗୀର୍ଜାକୁ ମାସ୍‌ ପାଇଁ । ଆଣ୍ଠୁମାଡ଼ି ବସି ପ୍ରାର୍ଥନା କରେ-। ମନଦେଇ ଶୁଣେ ପ୍ରଭୁବାଣୀ । ତା’ପରେ କେବେ ବଗିଚାକାମ ଆଉ କେବେ କୁକୁଡ଼ା ଅଥବା ବତକ ପାଳନ...କେବେ କେମିତି ପାଦ୍ରୀ-ବଙ୍ଗଳାର ପନିପରିବା ବିକ୍ରିପାଇଁ ବଜାରକୁ ଯିବାକୁ ପଡ଼େ-। ପର୍ବପର୍ବାଣୀରେ ଦୂରରୁ ଆସିଥିବା ପେରିସନର୍‌ମାନଙ୍କର ଚର୍ଚ୍ଚା...ଏମିତି ନାନାପ୍ରକାର କାମ । ପୁଣି ସନ୍ଧ୍ୟାରେ ମାସ୍‌...ପ୍ରଭୁବାଣୀ ଶ୍ରବଣ । ତା’ପରେ ଆରମ୍ଭ ହୁଏ ପାଠପଢ଼ା । ନିୟମିତ ଭାବରେ ତିନି ଘଣ୍ଟା । ଲିଖନ...ପଠନ...ଗଣିତ...ହିନ୍ଦୀ ଆଉ ଓଡ଼ିଆ । ଏଇ ତିନିଘଣ୍ଟିଆ କାର୍ଯ୍ୟକ୍ରମ ଭିତରେ ଧର୍ମଚର୍ଚ୍ଚା–ବିଭିନ୍ନ ଧର୍ମର ତୁଳନାତ୍ମକ ବିଚାର ଆଉ ରାଜନୀତି । ଆଦିବାସୀ–ଧରିତ୍ରୀମାତାର ପଢ଼ୁଆଁ ପୁଅ–ଧର୍ମଜସନ୍ତାନ । ଓଡ଼ିଶା, ବିହାର ଆଉ ମଧ୍ୟପ୍ରଦେଶରେ ସଂଖ୍ୟାଧିକ । ଅଥଚ ପ୍ରତିକ୍ଷେତ୍ରରେ ଅବହେଳିତ; ସମାଜରେ ଉପେକ୍ଷିତ ଆଉ ଶୋଷିତ । ସରକାରୀ ସ୍ତରରେବି ସମଦଶା । ଯେଉଁ ଦେଶ ଓ ଜାତି ମାଟିର ପ୍ରଥମ ସନ୍ତାନକୁ ଅବହେଳା କରିଛି, ନିଜର ସ୍ୱାର୍ଥପାଇଁ ଗୋଟାଏ ବଳିଷ୍ଠ, ସ୍ୱାଧୀନଚେତା, ଅତିଥିପରାୟଣ ସରଳ ଓ ନିର୍ମଳ ଗୋଷ୍ଠୀକୁ ଆବହମାନ କାଳରୁ ଚାପି ଧରିଛି, ସେ ଦେଶ ଓ ଜାତି ଯାହାହେଉନା କାହିଁକି, ସେ ଶତ୍ରୁ, ପରମ ଶତ୍ରୁ । ତାକୁ ଉପଯୁକ୍ତ ଶିକ୍ଷା ଦେବା ଦରକାର । ଯିଏ ଯେଉଁଠି ଅଛି–କୋହ୍ଲ, କନ୍ଧ, କିଷାନ, ଖଡ଼ିଆ ଓରାମ, ସାନ୍ତାଳ, ଆଉ ଗଦବା–ସମସ୍ତେ ଏକଜୁଟ ହୁଅ । ନିଜ ନିଜ ଭିତରେ କୋଷ୍ଠୀଗତଭାବ ପଛକୁ ଠେଲିଦିଅ । ନିଜକୁ ଗଢ଼...ଶିକ୍ଷାଦୀକ୍ଷାରେ ସେମାନଙ୍କର ସମକକ୍ଷ ହୁଅ । ସେମାନେ ତୁମର ଅଶିକ୍ଷା...ଅଜ୍ଞାନତାର ସୁଯୋଗ ନେଉଛନ୍ତି । ତୁମେ ଜାଗିଉଠିଲେ, ନଇଁ ପଡ଼ିବେ ସେମାନେ । ଜାଗରଣ ପାଇଁ ଦରକାର ଶିକ୍ଷା...ଦରକାର ପ୍ରଭୁଙ୍କର କୃପା । ଏଇ ଅବହେଳିତ ସମାଜରେ ଜ୍ଞାନଦୀପ ଜାଳିବା ପାଇଁ ପ୍ରଭୁ ଯୀଶୁ ଆଦେଶ ଦେଇଛନ୍ତି ପାଦ୍ରୀମାନଙ୍କୁ । ପ୍ରଭୁଙ୍କର ଆଦେଶ ଯୋଗୁଁ ବାର ସମୁଦ୍ର ତେରନଈ ଡେଇଁ, ଭିଟାମାଟି ଛାଡ଼ି ସୁନାର ଦେଶର ନନ୍ଦନକାନନ ଛାଡ଼ି ଆସିଛନ୍ତି ବଣପାହାଡ଼ ଘେରା ଅନ୍ଧାରୀ ମୁଲକକୁ । ପ୍ରଭୁଙ୍କର ଆଦେଶ । ଆଦେଶ ନୁହେଁ, ପ୍ରଭୁ ଯୀଶୁଙ୍କର ଆହ୍ୱାନ । ରାଜାଧିରାଜଙ୍କର ସାମ୍ରାଜ୍ୟରେ ଦୁଷ୍ଟ ଅତ୍ୟାଚାରୀ ସନ୍ତାନର ଦମନର ରଥଚକ୍ରତଳେ ଯେଉଁ ସନ୍ତାନଗଣ ନୀରବରେ ପେଷିହୋଇ ଯାଉଛନ୍ତି...ସେମାନଙ୍କ ପ୍ରତି ପ୍ରଭୁ ଯୀଶୁଙ୍କର ଆହ୍ୱାନ । ଅବହେଳିତ, ଶୋଷିତ ସନ୍ତାନଙ୍କର ଦୁଃଖରେ ରାଜରାଜେଶ୍ୱରଙ୍କ ସିଂହାସନ ଟଳିଛି । ଏମାନଙ୍କ ପାଇଁ ରାଜରାଜେଶ୍ୱରଙ୍କର ଅଛି ସ୍ୱତନ୍ତ୍ର ବାର୍ତ୍ତା । ସେଇ ବାର୍ତ୍ତା ଧରି ଆସିଛନ୍ତି ବିଦେଶରୁ ପାଦ୍ରୀମାନେ...ଈଶ୍ୱରଙ୍କର ଦୂତ...ବାର୍ତ୍ତାବହ । ସବୁ ଅବହେଳିତଙ୍କ ପାଖରେ ଏ ବାର୍ତ୍ତା ପହଞ୍ଚିବା ଦରକାର । କିନ୍ତୁ ଏତେ ବଡ଼ କାମ କ’ଣ ଚାରି ପାଞ୍ଚ ଜଣ ପାଦ୍ରୀ କରିପାରିବେ ? ଦରକାର ଅନ୍ୟର ସହଯୋଗ । ଈଶ୍ୱରଙ୍କ ବାଣୀ କିପରି ବଣ ପାହାଡ଼ ଭିତରେ ଲୁଚି ରହିଥିବା ଅସଂଖ୍ୟ ଗ୍ରାମର ଅଗଣିତ ସନ୍ତାନଙ୍କ ପାଖରେ ପହଞ୍ଚାଇବାକୁ ହେବ, ସେ ତାଲିମବି ଦିଆଯାଏ ଏଇ ତିନିଘଣ୍ଟିଆ କାର୍ଯ୍ୟକ୍ରମ ଭିତରେ । ତା’ପରେ ରାତ୍ରିଭୋଜନ । ରାତ୍ରିଭୋଜନ ପରେ ସଙ୍ଗୀତଚର୍ଚ୍ଚା । ପ୍ରାର୍ଥନା ସଙ୍ଗୀତଗୁଡ଼ିକର ରିଆଜ...ଅର୍କେଷ୍ଟ୍ରାସଙ୍ଗତ । ୟାରି ଭିତରେ ଗଢ଼ି ହେଉଥିଲା ଜୋହାନ୍‌ସର ନୂତନ ଜୀବନର ପ୍ରାରମ୍ଭ-

 

ଜୋହାନ୍‌ସ୍‌ ଜଣେ ପ୍ରଚାରକ । ପାଦ୍ରୀ ନୁହେଁ–ଧର୍ମପ୍ରଚାରକ । ସାଇକେଲରେ ବୁଲେ ସେ ଗାଁରୁ ଗାଁକୁ । ସବୁ ଜାଗାକୁ କ’ଣ ସାଇକେଲ୍‌ ଯାଇପାରେ ଏଇ ବଣପାହାଡ଼ ଘେରା ମୁଲକରେ-? ଚାଲି ଚାଲିବି ଯିବାକୁ ହୁଏ । ପର୍ବତବି ଚଢ଼ିବାକୁ ପଡ଼େ । ଏ ଅଞ୍ଚଳରେ ତାକୁ ସମସ୍ତେ କହନ୍ତି ପରଚାର୍‌ ବୋଲି । ଜୋହାନ୍‌ସ୍‌ର ବଳିଷ୍ଠ ଦେହ...ତେଜୀୟାନ ଆଖି, ଅତିଶୀଘ୍ର ଅନ୍ୟର ବିଶ୍ୱାସଭାଜନ ହେବା ଭଳି ବ୍ୟବହାର–ଗମ୍ଭୀରକଣ୍ଠ ଆକୃଷ୍ଠ କରେ ବହୁ ବ୍ୟକ୍ତିଙ୍କୁ । ବଡ଼ ଲୋକପ୍ରିୟ ସେ । ଜୋହାନ୍‌ସ୍‌ ପରଚାର ବିଶେଷ ପ୍ରଭାବଶାଳୀ ସେ ଅଞ୍ଚଳରେ । ଜୋହାନ୍‌ସ୍‌ର ଅକ୍ଳାନ୍ତ ପରିଶ୍ରମ ଫଳରେ ଅଗଣିତ ଅବହେଳିତଙ୍କ ପାଖରେ ପହଞ୍ଚିଗଲା ପ୍ରଭୁଙ୍କର ବାର୍ତ୍ତା ।

 

ସମ୍ୱାଦପତ୍ରରେ ପ୍ରକାଶିତ ଏକ ସମ୍ୱାଦ ନେଇ ଗୋଟାଏ ଝଞ୍ଜା ବହିଗଲା ପାଦ୍ରୀ ବଙ୍ଗଳାରେ । ‘ପଦ୍ରୀମାନେ ନାନା ପ୍ରଲୋଭନ ଓ ଭୟ ଦେଖାଇ ଧର୍ମାନ୍ତରିତ କରୁଛନ୍ତି ସରଳ ଆଦିବାସୀଙ୍କୁ । ଧର୍ମାନ୍ତରିତ ଆଦିବାସୀଗଣ ପାଦ୍ରୀମାନଙ୍କର ପ୍ରରୋଚନା ଓ ସେମାନଙ୍କ ମାଧ୍ୟମରେ ବୈଦେଶିକ ସାହାଯ୍ୟ ପାଇ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଆରମ୍ଭ କରିଛନ୍ତି ଉଦ୍ୟମ’ । ଏହି ମର୍ମରେ ସ୍ୱତନ୍ତ୍ର ସମ୍ୱାଦଦାତାଙ୍କ ପାଖରୁ ଏକ ସମ୍ୱାଦ । ତା’ ଉପରକୁ ଏକ ସଂପାଦକୀୟ ଟିପ୍‌ପଣୀ-। ସରକାରଙ୍କର ଦୃଷ୍ଟିଆକର୍ଷଣ କରାଯାଇଛି ।

 

ପାଦ୍ରୀମାନଙ୍କର ଗୁପ୍ତ ବୈଠକକୁ ନିମନ୍ତ୍ରିତ ହୋଇଥିଲା ଜୋହାନ୍‌ସ୍‌ । ଜୋହାନ୍‌ସ୍‌ ତ ପ୍ରଧାନ ପ୍ରଚାରକ–ବିଶେଷ ପ୍ରଭାବଶାଳୀ । ପାଦ୍ରୀମାନଙ୍କ ଅପେକ୍ଷା ଜୋହାନ୍‌ସ୍ ପରଚାର୍‌ହିଁ ବିଶେଷ ପରିଚିତ । ପାଦ୍ରୀ...ସେ ତ ପୁରୋହିତ । ବହୁ ଉଚ୍ଚରେ । ଦେବତାଙ୍କ ପ୍ରତିନିଧି...ପ୍ରଭୁଙ୍କର ବାର୍ତ୍ତାବହ । ପାଦ୍ରୀଙ୍କ ସହିତ ଅଗଣିତ ଆଦିବାସୀମାନଙ୍କର ସଂପର୍କ ପ୍ରତିଷ୍ଠିତ ହୋଇଛି ଜୋହାନ୍‌ସ୍‌ ପାଇଁ । ଜୋହାନ୍‌ସ୍‌କୁ ଭୟ କରନ୍ତି ପାଦ୍ରୀମାନେ । ଏପରି କି ବିଶପ୍‌ ମଧ୍ୟ । ଜୋହାନ୍‌ସ୍‌ ଇଚ୍ଛା କଲେ ଭାଙ୍ଗି ଚୂରମାର କରିଦେବ ପାଦ୍ରୀମାନଙ୍କର ବିରାଟ ଅନୁଷ୍ଠାନ ।

 

ଜୋହାନ୍‌ସ୍‌ ଧର୍ମପ୍ରଚାର କରିଛି । ଧର୍ମ ଆଡ଼କୁ ଟାଣିବା ପାଇଁ ଧର୍ମ ସାଙ୍ଗରେ ଯୋଡ଼ିଛି ରାଜନୀତି । ସମାଜରେ ମୁଣ୍ଡ ଟେକିବାକୁ ହେବ । ଏଥିପାଇଁ ଦରକାର ସଂଘର୍ଷ । ଯେଉଁମାନେ ଆଗେଇ ଯାଇଛନ୍ତି ସେମାନଙ୍କ ସଙ୍ଗରେ ସମକକ୍ଷ ହେବାକୁ, ତାଙ୍କରି ସହଯୋଗରେ ଉଦ୍ୟମ କରିବା ଏକ ବିଡ଼ମ୍ୱନା । ସେମାନେ ଯାହା କିଛି କରୁଛନ୍ତି–ନିଜକୁ ବଞ୍ଚାଇବା ପାଇଁ କରୁଛନ୍ତି । ସାହାଯ୍ୟ, ସହାନୁଭୂତି, ଆଇନ୍‌ କାନୁନ୍‌ ସବୁ କିଛି ଆତ୍ମରକ୍ଷାର ଚତୁର ଓ ପ୍ରଗତିଶୀଳ ପଦ୍ଧତି । ଚୋରଧରିବା ପାଇଁ ଯେତିକି ନୂଆ ନୂଆ ଉପାୟ ଉଦ୍ଭାବିତ ହେଉଛି, ଚୋରବି ସେତିକି ନୂଆ ନୂଆ ପଦ୍ଧତି ଉଦ୍ଭାବନ କରୁଛି ଦୁନିଆ ଆଖିରେ ଧୂଳି ଦେବା ପାଇଁ; ଚତୁର ଧରାଳିକୁ ଫାଙ୍କିଦେବା ପାଇଁ-। ଲଙ୍ଗଳାକୁ ଯୁଗୋପଯୋଗୀ ପୋଷାକ ପିନ୍ଧାଇ, ମୂକର ପାଟିର ଭାଷା ଦେଇ, ସରଳ ମନରେ ରାଜନୀତିର ଆବିଳତା ଦେଇ ଆଉ ସ୍ୱଚ୍ଛନ୍ଦ ଓ ମୁକ୍ତ ଏକ ଜୀବନକୁ ନିର୍ଦ୍ଦିଷ୍ଟ ଏକ ଧରାବନ୍ଧା ଗତିର ଗଡ଼୍‌ଡ଼ଳିକାର ସୁଅମୁହଁକୁ ଟାଣି ଆଣି; ତାରି ଉପରେ ପାଦଦେଇ ଛିଡ଼ା ହେବାପାଇଁ, ଆଗେଇ ଯାଇଥିବା ଗୋଷ୍ଠୀର ନୂତନ ଓ ଆଧୁନିକ ଫନ୍ଦିରେ ଭୁଲିଗଲେ ଚଳିବ ନାହିଁ । ଯେ ତଳେ ପଡ଼ିଯାଇଥିବା ଲୋକଙ୍କୁ ଉଠାଇବାକୁ ଚାହେଁ, ତାକୁ ନଇଁବାକୁ ପଡ଼ିବ । ନଇଁଯିବାକୁ ଖାଲି ନୀତି ବୋଲି ଘୋଷଣା କଲେ ଚଳିବ ନାହିଁ । ପଛରେ ପଡ଼ିଯାଇଥିବା ବ୍ୟକ୍ତକୁ ଆଗରେ ଥିବା ଲୋକ ନିଜ ପାଖକୁ ନେବାକୁ ଚାହିଁଲେ, ତାକୁ ହୁଏତ ପଛବାଲା ଆଗେଇ ଯିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ, ଅଥବା ତାକୁବି ପାହୁଣ୍ଡେ ପଛେଇ ଆସିବାକୁ ହେବ । ନିଜେ ଦଉଡ଼ି ଦଉଡ଼ି ପଛଆଡ଼କୁ ଖାଲି ସୁନା, ରୂପା, ଅସରପି, ଭାତ, ପଲାଉ, ରୁଟିମାଂସ ଫୋପାଡ଼ି ଯାଉଥିଲେ, ପଛବାଲା ଯେ କିଛି ନ ଆଗେଇବ ତା’ ନୁହେଁ; ତେବେ ଆଗବାଲା ସାଙ୍ଗରେ କାନ୍ଧକୁ କାନ୍ଧ ମିଳେଇ ପାରିବ ନାହିଁ । ଆଗେଇବାକୁ ହେଲେ, ମଣିଷ ସମାଜରେ ନିଜର ସ୍ଥିତିକୁ ଗୌରବାନ୍ୱିତ କରିବାକୁ ହେଲେ, ଅନ୍ୟର ସହାୟତା, ଦୟା-ଦାକ୍ଷିଣ୍ୟ ଅଥବା ଆଗରେ ଥିବା ଗୋଷ୍ଠୀର ଗଢ଼ା ନୀତିନିୟମ ଉପରେ ଭରସା କଲେ ଚଳିବ ନାହିଁ । ଏ ଆଶ୍ୱସ୍ତି ଏକ ଆତ୍ମପ୍ରବଞ୍ଚନା । ଦରକାର ଆତ୍ମଚେଷ୍ଟା, ଆତ୍ମଜାଗୃତି, ନିଜର ଆଇନ ଓ ନୀତି । ଏ ସବୁର ପରିପୂର୍ତ୍ତି ସମ୍ଭବପର କେବଳ ସ୍ୱତନ୍ତ୍ର ରାଜ୍ୟଗଠନରେ । ବସୁମାତାର ଆଦିସନ୍ତାନର ଏକ ସ୍ୱତନ୍ତ୍ର ରାଜ୍ୟ–ଆତ୍ମନିୟନ୍ତ୍ରଣର ଜନ୍ମଗତ ଅଧିକାର । ରାଜାଧିରାଜ ତାଙ୍କ ଧର୍ମ-ରାଜ୍ୟରେ ଏମିତି ଏକ ରାଜ୍ୟର ଗଠନ ଇଚ୍ଛାକରନ୍ତି । ରାଜାଧିରାଜଙ୍କର ସାମ୍ରାଜ୍ୟରେ, ପ୍ରକୃତି କୋଳରେ ଲାଳିତ ଅମୃତ-ସନ୍ତାନର ଏକ ସ୍ୱତନ୍ତ୍ରରାଜ୍ୟ । ସେଇ ବାର୍ତ୍ତା–ସେଇ ସନ୍ଦେଶ ଧରି ଆସିଛନ୍ତି ପାଦ୍ରୀମାନେ ପ୍ରଭୁଙ୍କର ଦୂତ-ବାର୍ତ୍ତାବହ । ଈଶ୍ୱରଙ୍କ ରାଜ୍ୟରେ ମିଣିଷଦ୍ୱାରା ଅବହେଳିତ, ନିର୍ଯ୍ୟାତିତ, ଦଳିତର କାନରେ କହିବାକୁ ପ୍ରଭୁଙ୍କର ସ୍ୱର୍ଗୀୟବାଣୀ ଆସିଛନ୍ତି ସେମାନେ । ଏଇ ହେଲା ଜୋହାନ୍‌ସ୍‌ର ପ୍ରଚାର । ଧର୍ମ ଓ ରାଜନୀତିର ଏକ ସମୀକରଣ ।

 

ଜୋହାନ୍‌ସ୍‌ ବୁଝିପାରିଲା ନାହିଁ ତା’ର ଭୁଲ । ମଣିଷ ମନର ଛପିଲା କଥା ପ୍ରକାଶ କରିବାରେ ଏତେ ଆପତ୍ତି ଅଭିଯୋଗ କାହିଁକି ? କାହିଁକି ଏତେ କଟକଣା ? ଗୋଟାଏ ଦଳିତ ଜାତିର ଏକ ହେବାର ଇଚ୍ଛାକୁ ସନ୍ଦେହ କରିବାର କାରଣ କ’ଣ ? ଭୟ ? ହଁ, ନିଶ୍ଚୟ କଥା । ଗୋଟାଏ ଅହେତୁକୀ ଭୟ ଆଗେଇ ଯାଇଥିବା ଗୋଷ୍ଠୀକୁ ଆତଙ୍କିତ କରୁଛି । ଆଜି ହୁଏତ ଏମାନେ ବିଦେଶୀ ପାଦ୍ରୀମାନଙ୍କର ସଂପର୍କକୁ ନାନା ଭାବରେ ଜଟିଳ କରି ଦେଇଛନ୍ତି । ଜନସମାଜରେ ଶାସକଗୋଷ୍ଠୀ ଏହାକୁ ଭିନ୍ନ ଆକାରରେ ପ୍ରକାଶ କରି ଜନମତକୁ ବିଭ୍ରାନ୍ତ କରୁଛନ୍ତି-। ବେଶ୍‌, କରନ୍ତୁ । କିନ୍ତୁ କ’ଣ ହେବ ଫଳ ? ହୁଏତ ଆଇନ୍‌ ଗଢ଼ି ବିଦେଶୀ ପାଦ୍ରୀମାନଙ୍କୁ ତଡ଼ିଦେବେ ଏ ମାଟିରୁ । ଧର୍ମପ୍ରଚାର ପାଇଁ ହୁଏତ ଆଉ କାହାରିକୁ ଅନୁମତି ଦେବେ ନାହିଁ ଏ ଦେଶକୁ ଆସିବା ପାଇଁ; କିନ୍ତୁ ମାଟିର ସନ୍ତାନ ଯିବ କୁଆଡ଼େ ? ଆଇନ ଗଢ଼ି ଏହାକୁ ତ ନିଶ୍ଚିହ୍ନ କରି ଦେଇପାରିବେ ନାହିଁ ! ଯେଉଁମାନଙ୍କର ଭବିଷ୍ୟତ ଚିନ୍ତା ନାହିଁ; ଯେଉଁମାନେ କୌଣସି କାର୍ଯ୍ୟର ପରିଣାମ ବୁଝିପାରନ୍ତି ନାହିଁ, ଚିନ୍ତା କରିପାରନ୍ତି ନାହିଁ, ସେଇମାନେହିଁ କରନ୍ତି ଏମିତି କାମ । ପାଦ୍ରୀମାନଙ୍କର ଗୁପ୍ତ ବୈଠକରେ ନିର୍ଭୟରେ କହିଗଲା ଜୋହାନ୍‌ସ୍‌ ତା’ର ବକ୍ତବ୍ୟ । ପାଦ୍ରୀମାନେ ବୁଝାଇପାରିଲେ ନାହିଁ ଜୋହାନ୍‌ସ୍‌କୁ । ନିଜର ଦାବୀ ହାସଲ କରିବାକୁ ଯେ ସଭ୍ୟଜାତି ବିରୁଦ୍ଧରେ ସଂଗ୍ରାମ କରିବାକୁ ଯାଇ ଆଘାତ ଖାଇ ଫେରିଛି; ଆଘାତ ଦେଇପାରିନି ତାକୁ ବୁଝେଇବ କିଏ ? ଗୁପ୍ତ ବୈଠକରେ ତା’ର ମନୋଭାବ ପ୍ରକାଶ କରୁକରୁ ଆଖିରେ ତା’ର ଜଳି ଉଠିଲା ନିଆଁ । କଣ୍ଠରେ ତା’ର ବାଜି ଉଠିଲା ବିପ୍ଳବର ମହାଶଙ୍ଖ । ଜଟିଳତା ସେ ଜାଣେନା । ସିଧାସଳଖ କଥାକୁ ହଁ ଆଉ ନାହିଁର ଗୋଲକଧନ୍ଦାରେ ଭର୍ତ୍ତିକରି ରାଜନୀତି କରି ଜାଣେନା ସେ । ତାକୁ ଭୁଲେଇବା ଦୁଃସାଧ୍ୟ । ପାଦ୍ରୀମାନେ ବିରୋଧ କରିପାରିଲେ ନାହିଁ ଜୋହାନ୍‌ସ୍‌କୁ । ବରଂ ସମର୍ଥନ କଲେ ତାକୁ-। ଜୋହାନ୍‌ସ୍‌ର ବ୍ୟକ୍ତିତ୍ୱ ନିକଟରେ ଆପାତତଃ ନତମସ୍ତକ ହେବାକୁ ପଡ଼ିଲା ସେମାନଙ୍କୁ । ଶେଷ ହେଲା ସେ ଦିନର ବୈଠକ ।

 

ସରକାର ସତର୍କ କରି ଦେଇଛନ୍ତି ଧର୍ମପ୍ରଚାରକ ପାଦ୍ରୀମାନଙ୍କୁ । ବିଶେଷ ସତର୍କତାର ସହିତ ସରକାର ପରୀକ୍ଷା କରି ଦେଖିବେ ପାଦ୍ରୀମାନଙ୍କର ଗତିବିଧି ଓ କାର୍ଯ୍ୟକଳାପ । ଚାଞ୍ଚଲ୍ୟ ଖେଳିଯାଇଛି ବିଦେଶୀ ପାଦ୍ରୀଙ୍କ ଭିତରେ ।

 

ସେ ଦିନ ଜୋହାନ୍‌ସ୍‌ ପାଇଲା ମାହାମାନ୍ୟ ବିଶପ୍‌ଙ୍କ ପାଖରୁ ଏକ ପ୍ରଶଂସାପତ୍ର । ସମ୍ମାନର ନିଦର୍ଶନ । ଧର୍ମ ପାଇଁ ଜୋହାନ୍‌ସ୍‌ର କାର୍ଯ୍ୟ ସ୍ୱୟଂ ପୋପ୍‌ ମଧ୍ୟ ପ୍ରଶଂସା କରିଛନ୍ତି । ସେଥିପାଇଁ ସେ ଲାଭ କରିଛି ପୋପଙ୍କ ପାଖରୁ ଏକ ସ୍ୱର୍ଣ୍ଣପଦକ । ତା’ ସାଙ୍ଗକୁ ରହିଛି ଜୋହାନ୍‌ସ୍‌ର ନୂତନ ନିଯୁକ୍ତିପତ୍ର । ତା’ର ପଦୋନ୍ନତିର ଆଦେଶ ।

 

ଜୋହାନ୍‌ସ୍‌ର ପଦୋନ୍ନତି ! ତାକୁ ଆଉ ଧର୍ମପ୍ରଚାର ପାଇଁ ଏଣେତେଣେ ବୁଲିବାକୁ ହେବ ନାହିଁ; ଆଉ କଷ୍ଟ ସ୍ୱୀକାର କରିବାକୁ ହେବ ନାହିଁ । ସେ ରହିବ ପାରିସ ପ୍ରିଷ୍ଟଙ୍କ କାର୍ଯ୍ୟାଳୟରେ । ଦରମା ମାସକୁ ଦେଢ଼ଶହ । ଖାଇବ ମିସନ୍‌ର ଭାରତୀୟ ପାଦ୍ରୀମେସ୍‌ରେ । ପାଦ୍ରୀ ନୁହେଁ ଜୋହାନ୍‌ସ୍‌; କିନ୍ତୁ ପାଦ୍ରୀର ସମ୍ମାନ ଦିଆଗଲା ତାକୁ । ଏ ସମ୍ମାନ କିନ୍ତୁ ଭଲ ଲାଗି ନଥିଲା । ଏ ବାଛବିଚାର କାହିଁକି ? ଦେଶୀ-ପାଦ୍ରୀ ଆଉ ବିଦେଶୀ-ପାଦ୍ରୀଙ୍କ ପାଇଁ ସ୍ୱତନ୍ତ୍ର ମେସ୍‌ କାହିଁକି ? ଯେଉଁମାନେ ଏଡ଼େ ଉଦାର ଓ ମହାନ୍‌, ଯେଉଁମାନେ ଦଳିତ ସମାଜ ପାଇଁ ଧରି ଆସିଛନ୍ତି ଈଶ୍ୱରଙ୍କ ବାର୍ତ୍ତା, ସେମାନଙ୍କ ଭିତରେ ଏ ଜାତିଆଣଭାବ କାହିଁକି ? ତେବେ କ’ଣ ଏମାନଙ୍କ ଭିତରେବି ରହିଛି ସଂକୀର୍ଣ୍ଣତା ? ତେବେ କ’ଣ ଏମାନେବି ଏଇ ମାଟିର ସନ୍ତାନଙ୍କୁ ଘୃଣା କରନ୍ତି ? କିନ୍ତୁ ସେ ତ ପାଦ୍ରୀ ନୁହେଁ । ସେ କାହିଁକି ଏ ବିଷୟରେ ଚିନ୍ତାକରିବ ? ନା, ନା, ଏ ତା’ର ଅନଧିକାର ଚର୍ଚ୍ଚା । ଦେଶୀ ପାଦ୍ରୀମାନେ ବୁଝିବେ ସେ କଥା । ତଥାପି ନିଶ୍ଚିନ୍ତ ହୋଇପାରିଲା ନାହିଁ ସେ । ପ୍ରଶମିତ ହେଲା ନାହିଁ ତା’ର ବିପ୍ଳବୀ ମନର ଜିଜ୍ଞାସା । ପଚାରିଲା ଏଇ କଥା ସେ ଫାଦର କେର୍କେଟାଙ୍କୁ । ହସିଲେ ଫାଦର କେର୍କେଟା । ଚାହିଁ ରହିଲେ ଜୋହାନ୍‌ସ୍‌ର ମୁହଁକୁ । ଜୋହାନ୍‌ସ୍‌ର ଜିଜ୍ଞାସୁ ଆଖି ପଡ଼ିଲା ଫାଦର କେର୍କେଟାଙ୍କର ହସିଲା ହସିଲା ମୁହଁରେ । ସେ ହସରେ ଥିଲା ଆକସ୍ମିକ ଭାବରେ ଜାଗ୍ରତ ଏକ ପୁରୁଷକାର । ସତେ ଯେମିତି ଫାଦର କେର୍କେଟାଙ୍କ ଭିତରେ ଏକ ସୁପ୍ତ ବ୍ୟକ୍ତିତ୍ୱ ଚେଇଁ ଉଠିଲା ଜୋହାନ୍‌ସ୍‌ର କର୍କଶ ସ୍ପର୍ଶରେ । ଫାଦର କେର୍କେଟା ହାତପକେଇଲେ ଜୋହାନ୍‌ସ୍‌ର ପିଠିରେ । ‘ଖାଦ୍ୟର ରୁଚି ସମାନ ନୁହେଁରେ ଜୋହାନ୍‌ !’ ବେଶ୍‌ ସେତିକି । ଆଉ ସେ ବିଷୟରେ ଚିନ୍ତା କରିନି ଜୋହାନ୍‌ସ୍‌ । ଅନେକ ଦିନ ପରେ ଶୁଣିଲା, ଏଇ ବାଛବିଚାର ପାଇଁ ଦେଶୀ ଓ ବିଦେଶୀ-ପାଦ୍ରୀଙ୍କ ଭିତରେ ଗୋଟାଏ ବଡ଼ ଧରଣର ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଫାଦର କେର୍କେଟାଙ୍କୁ ଏଥିପାଇଁ କୁଆଡ଼େ ଅନଶନବି କରିବାକୁ ପଡ଼ିଥିଲା । ତା’ପରେ ଅବଶ୍ୟ ସମସ୍ତଙ୍କ ପାଇଁ ଗୋଟାଏ ମେସ୍‌ର ବ୍ୟବସ୍ଥା ହେଲା । ସେତେବେଳେ ଜୋହାନ୍‌ସ୍‌ର କୌଣସି ସଂପର୍କ ନଥିଲା ମେସ୍‌ ସହିତ ।

 

ପଦୋନ୍ନତି ଜୋହାନ୍‌ସ୍‍ର ଜୀବନକୁ କରି ଦେଇଥିଲା ବଡ଼ ନୀରସ ଓ ନିଷ୍କ୍ରିୟ । ଜୀବନରେ ଯେ ଝଡ଼ ଚାହେଁ, ତା’ପାଇଁ ମଧ୍ୟରାତ୍ରିର ସ୍ତବ୍‌ଧତା ବିରକ୍ତିକର ବୋଧହେବ ନିଶ୍ଚୟ । ପାରିସ୍‌ ପ୍ରିଷ୍ଟଙ୍କର କାର୍ଯ୍ୟାଳୟରେ ତା’ର କାମ । ସାମାନ୍ୟ କେତୋଟି ଫାଇଲ ଆଉ ରେଜିଷ୍ଟର ରଖେ ସେ । ପାରିସନରମାନଙ୍କର ବାର୍ଷିକ ଚାନ୍ଦାର ହିସାବ, ବିବାହ ରେଜିଷ୍ଟର୍‌, ଆଉ ପାରିସ୍‌ ପ୍ରିଷ୍ଟ୍‍ଙ୍କର ଚିଠିପତ୍ରଗୁଡ଼ିକର ରକ୍ଷଣାବେକ୍ଷଣା । କାହିଁ ଜୀବନର ସ୍ପନ୍ଦନ ଏ କାମରେ ? କାହିଁ ଉତ୍ତେଜନାର ଖେଳ ? ମାତ୍ର ଦୁଇ ଘଣ୍ଟାର କାମ । ତା’ପରେ ବସିରହ କୁସନ ଚୌକିରେ । କେହି ପାଦ୍ରୀଙ୍କ ସହିତ ସାକ୍ଷାତ କରିବାକୁ ଆସିଲେ ଦିଅ ଖବର । ମୋଟେ ଭଲ ଲାଗେନି ଜୋହାନ୍‌ସ୍‌କୁ ଏସବୁ ଏକବାଗିଆ କାମ । ହୁଏତ ଜୋହାନ୍‌ସ୍‌ ସବୁ ଛାଡ଼ି ଫେରି ଯାଇଥାଆନ୍ତା । ପୁଣିଥରେ ଝଡ଼ ସୃଷ୍ଟି କରିବା ପାଇଁ, ଯଦି ତା’ର ନିସ୍ତରଙ୍ଗ ଜୀବନର ବେଳାଭୂମିରେ ମେରୀର ଆବିର୍ଭାବ ହୋଇ ନଥାନ୍ତା ।

 

ମେରୀ ଆସିଥିଲା ରାଞ୍ଚିରୁ, ତା’ର ବଡ଼ ଭଉଣୀ ଘରକୁ । ସେଦିନ ସେ କାମ କରିବାକୁ ଯାଇଥିଲା ତା’ର ବଡ଼ ଭଉଣୀ ସାଙ୍ଗରେ ପାରିସ ପ୍ରିଷ୍ଟଙ୍କର ବଗିଚାକୁ । ତା’ର ନିଟୋଳ ସ୍ୱାସ୍ଥ୍ୟ, କାମରେ ଆନ୍ତରିକିତା, ଯୌବନର ଗମ୍ଭୀରତା ଦୃଷ୍ଟି ଆକର୍ଷଣ କରିଥିଲା ଜୋହାନ୍‌ସ୍‌ର । ତା’ର ବଡ଼ ଭଉଣୀ ପାଖରୁ ଜୋହାନ୍‌ସ୍‌ ପରିଚୟ ପାଇଲା ମେରୀର । ଖୋଳିତାଡ଼ି ଅନେକ କଥା ପଚାରିଲା ଜୋହାନ୍‌ସ୍‌ । କେଜାଣି କାହିଁକି ମେରୀକୁ ଭାରି ଲାଜ ଲାଗିଲା । ଗୋଟାଏ ଆମୋଦଜନକ ଲାଜ । ସେ ଥରେ ଚାହିଁଲା ଜୋହାନ୍‌ସ୍‌କୁ । ତା’ର ଇଚ୍ଛା ହେଲା, ଜୋହାନ୍‌ସ୍‌ର ପର୍ବତ ପରି ଛାତି ଆଉ ଶାଳଗଜା ପରି ବାହୁ ଭିତରେ ହଜାଇ ଦେବା ପାଇଁ ନିଜକୁ । ଗମ୍ଭୀର ମୁହଁରେ ତା’ର ଫୁଟିଲା ଛୋଟ ହସଟିଏ । ବଡ଼ ଦୁର୍ବଳ ହୋଇପଡ଼ିଲା ଜୋହାନ୍‌ସ୍‌ । ତା’ର ଟାଣୁଆ ଛାତିତଳେ ଏତେ ଶୀଘ୍ର ଗୋଟାଏ ଧାଂଡ଼ି ଆସ୍ଥାନ ଜମେଇ ପାରିଲା କେମିତି ? ଧର୍ମପ୍ରଚାର ପାଇଁ ସେ ଏ ଅଞ୍ଚଳର କନ୍ଦି-ବିକନ୍ଦି ବୁଲିଛି । କେତେ କ’ଣ ନ ଦେଖିଛି ! କେତେ ଇସାରା ନ ପାଇଛି । କିନ୍ତୁ କାହିଁ ? ଜୀବନରେ ଏ ଦୁର୍ବଳତା ତ କେବେ ଅନୁଭବ କରି ନାହିଁ ସେ । ସେ ଚାହେଁ କର୍ମ । ସେ ଠିକ୍‌ ଭାବରେ ବୁଝିଥିଲା–ଧର୍ମ ଆଉ ବିପ୍ଳବ ପାଇଁ କିଛି କରିବାକୁ ହେଲେ ପ୍ରେମର ଦୂରରେ ରହିବା ଦରକାର । ତରୁଣୀର ପାଲରେ ପଡ଼ିଲେ ଅଟକି ଯିବ କର୍ମର ସୁଅ । ସେ ଆଗେଇଥିଲା, ଦୃଢ଼ତାର ସହିତ । ସେ ଯେତିକି ଟାଣୁଆ ହୋଇ ଆଗେଇଥିଲା, ସେତିକି ଲୋଭନୀୟ ହୋଇଥିଲା ସହସ୍ର ପାହାଡ଼ୀ ତନ୍ୱୀ ତରୁଣୀଙ୍କର ଚଳଚଞ୍ଚଳତା, ସେମାନେ ସେତିକି କଳକୌଶଳ ପ୍ରୟୋଗ କରୁଥିଲେ ଜୋହାନ୍‌ସ୍‌କୁ ଜୟ କରିବା ପାଇଁ । ଆଜି ପର୍ଯ୍ୟନ୍ତ ଆଗେଇ ଆସିଥିଲା ଜୋହାନ୍‌ସ୍‌ ବିଜୟୀ ଭାବରେ । ଆଜି ଚୂର୍ଣ୍ଣହେଲା ତା’ର ଦର୍ପ । ଆଜି ସେ ଅନୁଭବ କଲା, ସତେ ଯେମିତି ପ୍ରଭୁଙ୍କର ଅଜ୍ଞାତ ଇଙ୍ଗିତ ସୁଦୂର ବିହାରର ନିଭୃତ ଅରଣ୍ୟରୁ ଟାଣି ଆଣିଛି ମେରୀକୁ ।

 

ଦାମ୍ପତ୍ୟଜୀବନ । ଜୋହାନ୍‌ସ୍‌ର ଜୀବନରେ ଏକ ନୂତନ ପରିଚ୍ଛେଦ । ଦାମ୍ପତ୍ୟଜୀବନର ଦୁଇଟି ପାରିଜାତ ଆଞ୍ଜଲୁସ୍‌ ଆଉ ମାର୍ଗାରେଟ୍‌ ।

 

ମିସନ୍‌ ଚାକିରୀ । କି ସ୍ଥିରତା ଅଛି ଏଥିରେ ? ବଞ୍ଚିଥିବା ଯାଏ କ’ଣ ଚାକିରୀ କରି ହେବ-? ଶେଷ ଜୀବନଟା କଟିବ କେମିତି ? ମିସନ୍‌ର ଘର ଖଣ୍ଡିକ ଛାଡ଼ିଦେଲେ, ମୁଣ୍ଡ ଗୁଞ୍ଜିବାକୁ ରାହା ନାହିଁ ଯେ ! ପୁଣି ପିଲାପିଲିଙ୍କର ଭବିଷ୍ୟତ ଅଛି ତ ! ଗୋଟାଏ କିଛି ସ୍ଥାୟୀ ବ୍ୟବସ୍ଥା ଦରକାର । ମେରୀର ଖାଲି ଏଇ ଚିନ୍ତା ! ଖାଲି ଚିନ୍ତା ନୁହେଁ, ଏଇଥିପାଇଁ ପ୍ରସ୍ତୁତ ହେଉଥିଲା ସେ । ଜୋହାନ୍‌ସ୍‌ର ସବୁ ଦରମା ପଡ଼େ ତା’ ହାତରେ । ମେରୀ ନିଜେବି କାମ କରେ ମିସନ୍‌ରେ । ବାହାରକୁ ଯାଏନା । ମିସନ୍‌ରେ ବହୁତ କାମ । ବାହାରୁବି ଆସନ୍ତି ରେଜା କୁଲି । ମେରୀବି ରୋଜଗାର କରେ ପଚାଶ ଷାଠିଏ ଟଙ୍କା ମାସକୁ ।

 

ସେଦିନ ଥିଲା ଖ୍ରୀଷ୍ଟରାଜ ପର୍ବ । ହମିରପୁର ମିସନ୍‌ ଜନକୋଳାହଳରେ ମୁଖର । ବିରାଟ ମେଳା । ଏ ଅଞ୍ଚଳର ସବୁ କାଥଲିକ୍‌ ରୁଣ୍ଡ ହୁଅନ୍ତି ହମିରପୁର ଗୀର୍ଜାରେ । ବର୍ଷକରେ ଗୋଟାଏ ଧର୍ମମେଳା । ଆଜିକାଲି ଆଖପାଖରେ ବହୁତଗୁଡ଼ିଏ ଗୀର୍ଜା ହୋଇଗଲାଣି । ତେବେ ହମିରପୁର ହେଲା ମୂଳ...ପ୍ରଧାନପୀଠ । ଏଇଠି ଯେମିତି ଜାକଜମକ ହୁଏ, ଆଉ କୌଣସିଠି ଏମିତି ହୁଏନା । ହଜାର ହଜାର କାଥଲିକ୍‌ଙ୍କର ଖାଇବା ପିଇବାର ବ୍ୟବସ୍ଥା ହୁଏ ମିସନ୍‌ ତରଫରୁ । ଭାତ, ରୁଟି, ଘୁଷୁରୀମାଂସ, ଆମେରିକାନ୍‌ ମଇଦାର ଲୁଚି, ବୁଲ୍‌ଗୁରୁର ଖିରି । ଏମିତି କେତେ କ’ଣ-। ସେ ଦିନ ମେରୀର ପରିଚୟ ହେଲା ପୁରୁଣାପାଣିର ଖ୍ରୀଷ୍ଟିଆନା ସଙ୍ଗରେ । ଖ୍ରୀଷ୍ଟିଆନବି ରାଞ୍ଚି ଆଡ଼ର ଝିଅ । ବାହା ହେଇଛି ପୁରୁଣା ପାଣିରେ । ତା’ର ଗିରସ୍ତ ଥିଲା ଡ୍ରାଇଭର । ଏବେ ଜମିବାଡ଼ି କିଣି ଚାଷ କରୁଛି । ଖାଲି ତରଭୁଜ ବିକେ ବର୍ଷକୁ ହଜାରେ ଦି’ ହଜାର । ପନିପରିବା, ଫଳମୂଳ, ଷ୍ଟେସନ୍‌ରେ ବେଶ୍‌ ବିକ୍ରି ହୁଏ । ଦାମବି ଟିକିଏ ଚଢ଼ା । ରାଜଗାଙ୍ଗପୁର ବା କାଲୁଙ୍ଗାକୁ ଯାଇପାରିଲେ ତ ଦେଢ଼ା ଲାଭ । ବହୁତ ଜମି ଏବେବି ପଡ଼ିଆ ପଡ଼ିଛି ପୁରୁଣାପାଣିରେ । ଭଲ ଜମି-। ଧୋଇମରୁଡ଼ି ନାହିଁ । ଗୋଟାଏ ବୁଡ଼ାପାଣି ପଡ଼ିଗଲେ ପାଣି ଲାଗିଯାଏ ଜମିରେ । କିଣୁନୁ କିଛି ଜମି ପୁରୁଣାପାଣିରେ ? ରହିବା ଏକ ସଙ୍ଗରେ । ଏଇଠି ତ ରେଜାକାମ କରୁଛୁ ଦି’ ପଇସା ଅଧିକ ରୋଜଗାର କରିବା ପାଇଁ । ସେଠିବି ଖଟିକୁ ମାଟିସାଙ୍ଗରେ ଦୁଇ ତିନିଟା ମୁଲିଆଙ୍କୁ ନେଇ । ମାଟିରେ ଯେଉଁ ଜୀବନ ଅଛି, ସେ ଜୀବନ କ’ଣ ପାଇପାରିବୁ ଇଟା ସିମେଣ୍ଟ୍‌ ଆଉ ଚୂନ ସୁରକୀ ବୋହିବାରେ ? –କହିଲା ଖ୍ରୀଷ୍ଟିଆନା । ଆଲୋ ମୁଁ ତ ଅଛି ! ଜଣେ ପରିଚିତ ଲୋକ ଥିଲେ ଆଉ ଅଚିହ୍ନା ଲାଗେ ନାଇଁ ଜାଗା । ଆଲୋ ମେରୀ, ଜୋହାନ୍‌ସ୍‌ ପର୍‌ଚାର୍‌କୁ ନ ଜାଣେ କିଏ ? ତା’ର ପୁଣି ଚିହ୍ନାଅଚିହ୍ନା କ’ଣ ? ନିଜ ଗିରସ୍ତର ପ୍ରଶଂସାରେ ଫୁଲିଉଠିଲା ମେରୀର ଛାତି । ଆଲୋ ଖ୍ରୀଷ୍ଟିଆନା, ମୁଁ ବି ବହୁଦିନରୁ ଭାବୁଥିଲି ସେ କଥା । ତେବେ କ’ଣ କି, ଆଞ୍ଜଲୁସ୍‌ଟା ପଢ଼ୁଛି ଷଷ୍ଠ ଶ୍ରେଣୀରେ । ମାର୍ଗାରେଟ୍‌ବି ଅଛି ତା’ର ତଳ ଶ୍ରେଣୀରେ । ଏ ଜାଗା ଛାଡ଼ି ଚାଲିଗଲେ ଏଗୁଡ଼ାକ ପଢ଼ିପାରିବେ ନାହିଁ ଯେ ! ଖ୍ରୀଷ୍ଟିଆନା ହସିଲା । ଆଲୋ, ଆମର ଲୁଇସ୍‌ ପରା ପଢ଼ୁଛି ଏଇ ସ୍କୁଲରେ । ମାଇନର ପାସ୍‌ କରି ଏ ବର୍ଷ ଆରମ୍ଭ କରିଛି ମେଟ୍ରିକ୍‌ ପାଠ । ମୋର ଦୁଇ ଝିଅ ସାବିନା ଆଉ ସାବେସ୍ତିନାବି ପଢ଼ିଛନ୍ତି ପରା । ଆଲୋ ! ଖ୍ରୀଷ୍ଟିଆନା ଘରର ପିଲା କ’ଣ ଅପଢ଼ା ରହିବେ ? ତୁ ଯେଉଁଠି ଇଚ୍ଛା ସେଇଠି ରହ । ପିଲା ଅପାଠୁଆ ରହିବେ ନାହିଁ । ଆଉ ଆମର ପୁରୁଣା ପାଣି ତ, ଏଇ ପାଖରେ । ଡାକଦେଲେ ଶୁଭିବ ।

 

ମେରୀ ଆଉ ଜୋହାନ୍‌ସ୍‌ ଆସିଲେ ପୁରୁଣାପାଣି ଗାଁକୁ । ସାମୁଏଲ୍‌ ଟପ୍‌ପୋ ବିକ୍ରି କରୁଥିଲା ତା’ର ଜମିବାଡ଼ି ଘରଡ଼ିହ । ସେ ଚାଲିଯିବ ସିମ୍‌ଡ଼େଗା ତା’ର ଶଶୁରଘର ଗାଁକୁ ।

 

ଚାରିପାଞ୍ଚ ବଖରା ଘର । ପନିପରିବା ପାଇଁ ଖଣ୍ଡେ ଭଲ ବାଡ଼ି । ଚାରିପଟେ କଞ୍ଚାମାଟିର ପାଚେରୀ । ଖପରଲି ଛାଆଣି । ଚାଷଜମି ହେବ ପନ୍ଦର-ଷୋହଳ ଏକର । ଆଠ ଦଶ ଏକର ବାହାଳ । ତିନି ଚାରି ଏକର ଗୋଡ଼ା–ବିରି, କୋଳଥ ଆଉ ରାଶି ଚାଷହୁଏ । ବର୍ଷା ଭଲ ହେଲେ ଭାଙ୍ଗି ପଡ଼େ ଷାଠିଆଧାନ । ସେମିତି ପଡ଼ିଆ ପଡ଼ିଥିଲେବି କେନ୍ଦୁପତ୍ରରୁ କିଛି ରୋଜଗାର ହୁଏ । ବାଡ଼ି ଆଉ ଚାଷଜମିରେ ତିରିଶ ଚାଳିଶ ମହୁଆଗଛ । ପିଠାପଣା, ଟୋଲତେଲ ବାଦ ଗୋରୁଗାଈଙ୍କର ବର୍ଷକର ଦାନା ଚଳି ଠିକାଦାରକୁବି ଯୋଗେଇ ହୁଏ ପଚାଶ ଷାଠିଏ ଟଙ୍କାର ମହୁଲ । ଦୁଇ ତିନି ଏକର ଜମି ଅଛି କୋଇଲି ନଦୀକୂଳରେ । ଟିକିଏ ଦୂର । ତେବେ ତରଭୁଜ; ଜଡ଼ା ଆଉ ଚିନା ବାଦାମ ପାଇଁ ଏ ଅଞ୍ଚଳର ସବୁଠୁ ସରସ ଜମି । ଦୂରକୁ ଯାଇ ଚାଷ କରି ନ ପାରିଲେବି ପଡ଼ିଆ ପଡ଼େନି ସେ ଜମି ଖଣ୍ଡକ । ତୁମ୍ୱକଳା, ମହୁଲପାଲିର ଗଂଝୁ ନ ହେଲେ ମଦ ଠିକାଦାରମାନେ ଠିକାରେ ନେଇଯାଆନ୍ତି ସେ ଖଣ୍ଡକ । ବର୍ଷିକିଆ ଠିକା ପାଇଁ ଆଗରୁ ନାନା ଲାଞ୍ଚ ଦେଇ ଚେଷ୍ଟା କରନ୍ତି ମନପାଇବା ପାଇଁ । ଜମିବାଡ଼ି ଘରଡ଼ିହ ସମେତ ମୋଟାମୋଟି ସାଢ଼େ ତିନିହଜାର । ମାଲିକାନା ସତ୍ତ୍ୱ ପରିବର୍ତ୍ତନ ପାଇଁ ଅଲଗା ଖର୍ଚ୍ଚ ସେତକ କିଣିଲାବାଲାର ।

 

ଏତେଗୁଡ଼ାଏ ଟଙ୍କା ! ଜୋହାନ୍‌ସ୍‌ କିଛି ଜବାବ ଦେଇପାରିଲା ନାହିଁ । ସାମୁଏଲ୍‌ ସାଢ଼େ ତିନି ହଜାରରୁ ମୋଟେ ଖସିବ ନାହିଁ ତଳକୁ । ଟିକିଏ ସବୁର କଲେ ତ ଭାଟିବାଲା କଲୁଆର ନେଇଯିବ । ପାଞ୍ଚଶହ ହଜାରେ ଉପୁରିବି ମିଳିପାରେ । ପଠାଣ ଠିକାଦାର ତ ଚାହିଁ ବସିଛନ୍ତି । ଟିକିଏ ସୁବିଧା ପାଇଲେ ନେଇଯିବେ ଜମି । ତେବେ ଆଦିବାସୀ ଜମି । ହଠାତ୍‌ ହସ୍ତାନ୍ତର ପାଇଁ ଟିକିଏ ଅସୁବିଧା । ତା’ପରେ ପାଦ୍ରୀବଙ୍ଗଳାକୁ ନିହାତି ପାଖ । ଏତେ ତରତର କାହିଁକି ? ପଡ଼ିଥିବ ସେମିତି । ଗ୍ରାହକ ଜୁଟିଗଲେ ସିମ୍‌ଡ଼େଗାରୁ ଆସି ବିକ୍ରି କରିଦେବ । ଶସ୍ତାରେ କାହିଁକି ବିକିବ ଜମି । ସାହସ ହେଲା ନାହିଁ ଜୋହାନ୍‌ସ୍‌ର । ମେରୀ ଜବାବଦେଲା ଜମି କିଣିନେବାକୁ । ରବିବାର ମାସ୍‌କୁ ତ ନିଶ୍ଚୟ ଯିବେ ଏମାନେ ଗୀର୍ଜାକୁ । ମେରୀ ନିମନ୍ତ୍ରଣ କଲା ସାମୁଏଲ ଆଉ ତା’ର ସ୍ତ୍ରୀକୁ ।

 

ଆଞ୍ଜଲୁସ ଜନ୍ମହେଲା ବର୍ଷରୁ ମେରୀ ପ୍ରସ୍ତୁତ ହେଉଥିଲା ଖଣ୍ଡେ ସ୍ଥାୟୀ ବାସ ଓ କିଛି ସ୍ଥାବର ସଂପତ୍ତି ପାଇଁ । ବାହା ହେଲା ପରଠୁ, ଜୋହାନ୍‌ସ୍‌ ବୁଝେନି ଘର ଖବର । ଦରମାତକ ଦିଏ ମେରୀକୁ । ମେରୀ ଚଳାଏ ଘର ।

 

ପୁରୁଣାପାଣିରୁ ଫେରି ମେରୀ ଖୋଲିଲା ତା’ର ଲମ୍ୱା ଗାଞ୍ଜିଆ । ମାତ୍ର କୋଡ଼ିଏ ସାତ ଶହ ଟଙ୍କା । ଆଉ ଆଠ ଶହ । ପୁଣି କାଗଜପତ୍ର ପାଇଁ ଲୋଡ଼ା ହେବ କିଛି । ଚାଷଟା ଆରମ୍ଭ କରିବା ପାଇଁ ଦୁଇଟା ହଳ । ଆଉ ବାଆର ଚଉଦଶହ ଟଙ୍କା ।

 

ଜୋହାନ୍‌ସ୍‌ ସେଇ ରାତିରେ ଗଲା ପାରିସ୍‌ ପ୍ରିଷ୍ଟ୍‍ଙ୍କ ପାଖକୁ । କହିଲା ସବୁ କଥା । ଖୁସିହେଲେ ଫାଦାର । ଆଦିବାସୀର ଜମି ଆଦିବାସୀ ହାତରେ ରହୁ । ୟା ଭିତରକୁ ଜଣେ କେହି ବାହାରିଆ ଟଙ୍କାବାଲା ଲୋକ ପଶିଲେ ପାଞ୍ଚ ଦଶଟାବର୍ଷରେ ସବୁ ଜମି ଏପଟ ସେପଟ ହୋଇଯିବ-। ସବୁ ପ୍ରକାର ସାହାଯ୍ୟ ଦିଆଯିବ ଜମିବାଡ଼ିର ଉନ୍ନତି ପାଇଁ । ହିସାବ ଖାତା କାଢ଼ି ଦେଖିଲେ ଯେ, ଜୋହାନ୍‌ସ୍‌ର ପ୍ରଭିଡ଼େଣ୍ଡଫଣ୍ଡରେ ଜମା ଅଛି ସତର ଶହ । ମିସନ୍‌ର ଦାନ ଓ ସୁଧ ମିଶେଇଲେ ତିନି ହଜାର ଉପରେ । ସଙ୍ଗେ ସଙ୍ଗେ ଖଣ୍ଡେ ଦରଖାସ୍ତ ଲେଖିବାକୁ କହିଲେ ଜୋହାନ୍‌ସ୍‌କୁ, ପ୍ରଭିଡ଼େଣ୍ଟ୍‌ ଫଣ୍ଡରୁ ଚଉଦଶହ ଟଙ୍କା ଋଣ ପାଇଁ ।

 

ଜୋହାନ୍‌ସ୍‌ ଟପ୍‌ପୋ, ପୁରୁଣାପାଣିର ଜଣେ ବିଶିଷ୍ଟ ପ୍ରଜା । ଏଇ ହେଲା ତା’ର ଭିଟାମାଟି । ତା’ର ବାରବୁଲା ଜୀବନର ପରିସମାପ୍ତି ପରେ ଆରମ୍ଭ ହେଲା ତା’ର ସ୍ଥାୟୀଜୀବନ । ବେଶ ଚଳେ ତା’ର ସଂସାର । ଗାଁରେ ରହେ । ପ୍ରତିଦିନ ଯିବାଆସିବା କରେ ମିସନ୍‌କୁ । କର୍ମମୟ ଜୀବନ । ଫୁରୁସତ ନାହିଁ । ତେବେ ପୂରାପୂରି ବ୍ୟକ୍ତିକୈନ୍ଦ୍ରିକ । ଆଉ ରାଜନୀତି ନାହିଁ । ନାହିଁ ଜାତୀୟଚିନ୍ତା । ମାଟିର ମୋହ, ବ୍ୟକ୍ତିଗତ ମାଲିକାନାର ନିଶା ପଙ୍ଗୁ, ଅଥର୍ବ କରେ ମଣିଷକୁ । କରି ପକାଏ ସ୍ୱାର୍ଥପର । ଏ ବି ଏକ ଝଡ଼ହୀନ ନିସ୍ତରଙ୍ଗ ଜୀବନ । ଉତ୍ତେଜନା ନାହିଁ । ଜୋହାନ୍‌ସ୍‌ କିନ୍ତୁ ଚାହେଁ ଉତ୍ତେଜନା । ଉତ୍ତେଜନା ପାଇଁ ସେ ବେଳେ ବେଳେ ହାଣ୍ଡିଆ ପିଏ । ପିଇବାକୁ ଇଚ୍ଛା ! ହେଲେ ସେ ଆଗରୁ ବରାଦ କରେ ମେରୀକୁ । ମେରୀ ନିଜେ ତିଆରି କରେ ରାନୁ । ହାଣ୍ଡିଆ ପିଇ ଜୋହାନ୍‌ସ୍‌ ଶୋଇରହେ ତା’ର ଖଟିଆରେ । ଆଁ ଫାରି ଚାହେଁ ନୀଳ ଆକାଶକୁ । ବିପ୍ଳବର ଚିନ୍ତାରେ ରହେ ମସ୍‌ଗୁଲ । କେତେ କ’ଣ କହେ ମେରୀକୁ । ଅନର୍ଗଳ କହିଯାଏ ତା’ର ବିପ୍ଳବୀ ଜୀବନର କଥା ଆଞ୍ଜଲୁସ୍‌ ଆଉ ମାର୍ଗାରେଟ୍‌କୁ । ଆମ୍‍କୋ-ସିମକୋ ବିପ୍ଳବର କାହାଣୀ ଶୁଣି ଶୁଣି ଶିହରି ଉଠେ ଆଞ୍ଜଲୁସ୍‌ ଆଉ ମାର୍ଗାରେଟ୍‍ର ତରୁଣ ମନ । ନିଶା ଛାଡ଼ିଗଲେ ପୁଣି ଫେରିଆସେ ଜୋହାନ୍‌ସ୍‌ ତା’ର ମାଟିର ସଂସାରକୁ । ବୁଡ଼ିରହେ ସେ ବିରି, କୋଳଥ, ଧାନ, ମହୁଲ, ଜଡ଼ା ଆଉ ତରଭୁଜର ସଂସାର ଭିତରେ । ହାଣ୍ଡିଆ ପିଏ ଜୋହାନ୍‌ସ୍‌ । ତେବେ ନିଶା ଅଭ୍ୟାସ କରି ନାହିଁ ସେ-

 

ପୁଣିଥରେ ଝଡ଼ ବହିଲା ତା’ର ଜୀବନରେ । କେବଳ ଜୋହାନ୍‌ସ୍‌ର ନୁହେଁ–ତା’ର ସଂପ୍ରଦାୟର । ସାମାଜିକ ଜୀବନରେ ବିରାଟ ବିପର୍ଯ୍ୟୟ । ଅପ୍ରତ୍ୟାଶିତ । ହଠାତ୍‌ ଶୁଣାଗଲା ରାଉରକେଲାରେ ହେବ ଏକ ବିରାଟ କାରଖାନା । ଜମିବାଡ଼ି, ଗାଁଗଣ୍ଡ; ହମିରପୁରଠୁ ଆରମ୍ଭ କରି ରାଉରକେଲା ଷ୍ଟେସନ୍‌ ପର୍ଯ୍ୟନ୍ତ । ସବୁ ନେଇଯିବ ସରକାର । ଟାଟା ପରି ଏକ କାରଖାନା–ସେମିତି ଏକ ବିରାଟ ସହର–କୋଠା ବାଡ଼ି, ଅଫିସ ଆଉ କ୍ୱାଟର୍‌ସ୍‌ । ତିଆରି ହେବ ଆଦିବାସୀର ଭିଟାମାଟି ଉପରେ । କ୍ଷତିପୂରଣ ଅବଶ୍ୟ ମିଳିବ । କିନ୍ତୁ ଅମୃତର ସନ୍ତାନର ସରସ ସାମାଜିକତାର କ୍ଷତିପୂରଣ ଦେବ କିଏ ? ଏଇ ରସାଳ ଉପଭୋଗ୍ୟ ସ୍ୱଚ୍ଛନ୍ଦ ସମସ୍ୟାହୀନ ଜୀବନର କ୍ଷତିପୂରଣ କ’ଣ ସମ୍ଭବ ?

 

ଆନ୍ଦୋଳନ ହେଲା । ସଭାସମିତି... ଦାବୀର ପ୍ରସ୍ତାବ... ବକ୍ତୃତା... ଆସ୍ଫାଳନ... ଶୋଭାଯାତ୍ରା–ସ୍ଳୋଗାନ । ଏଥିପାଇଁ ସଂଗ୍ରାମବି ହେଲା । ଲୁହବୁହା ଗ୍ୟାସ୍‌ ଭିତରୁ ତୀକ୍ଷ୍‌ଣ ଧନୁଶର ଆଉ ରାଇଫଲ୍‌ର ଲଢ଼େଇ । ତା’ପରେ ଆଗେଇ ଆସିଲା ବୁଲ୍‌ଡ଼ୋଜର–ଲୌହଦାନବ । ଆଦିବାସୀର ଘର ଜମିବାଡ଼ିକୁ ଭାଙ୍ଗିରୁଜି ମାଟିରେ ଲୋପ କରିଦେଲା ସେ ସବୁର ସତ୍ତା । ସବୁ ଗଲା । ମାଟିର ସନ୍ତାନବି ଦୂରେଇଗଲା । ଖାଲି ଏଇ ବାୟୁମଣ୍ଡଳରେ ରହିଗଲା ତା’ର ଦୀର୍ଘଶ୍ୱାସ ଆଉ ରହିଗଲା ତା’ର ତତଲା ଲୁହାର ଜଳୀୟ କଣା ଏଇ ଆକାଶର ମେଘରେ ।

 

ସବୁ ଯାଇଛି ଜୋହାନ୍‌ସ୍‌ର । ହାତକୁ ଆସିଛି କ୍ଷତିପୂରଣ ବାବଦକୁ ମାତ୍ର ଆଠ ହଜାର ଟଙ୍କା । ଏଇତକ ଟଙ୍କା ତା’ର ପଡ଼ିରହିଥିବା ଜୀବନର ପାଥେୟ–ସମ୍ୱଳ । ଘର, ଜମିବାଡ଼ି ପାଇଁ ନୂଆ ଜାଗା ମିଳିଛି ଆମ୍ୱ ଗାଁରେ । ଷାଠିଏ ମାଇଲ ଦୂର । ଜଙ୍ଗଲ କାଟି ତିଆରି କରିବାକୁ ହେବ ଜମି । ପୁଣିଥରେ ଫେରିଯିବାକୁ ହେବ ସେଇ ଆଦିମ ସ୍ତରକୁ । ଅଗ୍ନାଅଗ୍ନି ବନସ୍ତରେ ମାଟି ତଡ଼ି ଜମି ତିଆରି ।

 

ପୁଅବୋହୂ, ଝିଅଜ୍ୱାଇଁଙ୍କୁ ନେଇ ଯାଇ ହେବ ଆମ୍ୱ ଗାଁ ? ଜମି ତିଆରି କରି ଚାଷ ଆରମ୍ଭ କରିବାକୁ ଲାଗିଯିବ ଦୁଇ ତିନିବର୍ଷ । ଆଞ୍ଜଲୁସ୍‌ ଡ୍ରାଇଭର ଆଉ ମେକାନିକ୍‌ । ବୋହୂ ଅବଶ୍ୟ କିଛି କରେନା । ମାର୍ଗାରେଟ୍‌ର ସ୍ୱାମୀବି ରହେ ଜୋହାନ୍‌ସ୍‌ ପାଖରେ । ବାସ୍ତୁହରା ଜୋହାନ୍‌ସ୍‌ ଫେରିଆସିଲା ପୁଣି ମିସନ୍‌କୁ । ଚାକିରୀ କରୁଛି ଯେତେବେଳେ ଘର ଖଣ୍ଡିଏ ଅବଶ୍ୟ ଦେବେ । ବର୍ତ୍ତମାନ ପରିସ୍ଥିତିଟାବି ସ୍ୱତନ୍ତ୍ର । ସେଇ ପୁରୁଣା ଘର ଖଣ୍ଡିକ ମିଳିଲା ଜୋହାନ୍‌ସ୍‌କୁ । ଜୋହାନ୍‌ସ୍‌ ପୁରୁଣାପାଣିକୁ ଆସିଲା ପରେ, ସେ ଖଣ୍ଡିକ ହୋଇଥିଲା ଗୋଦାମଘର । ଗୁଣ୍ଡଦୁଧ, ମଇଦା, ବୁଳ୍‌ଗୁର୍‌, ସୋୟାବିନ ତେଲ ଆଉ ଆମେରିକାନ୍‌ ବଟର୍‌ ଅଏଲ୍‌ ରହୁଥିଲା ସେଇଠି । ସଙ୍ଗେ ସଙ୍ଗେ ସେ ସବୁକୁ ସ୍ଥାନାନ୍ତରିତ କରି ଜୋହାନ୍‌ସ୍‌କୁ ଦିଆଗଲା କ୍ୱାଟର୍‌ସ୍‌ ।

 

ମାର୍ଗାରେଟ୍‌ର ସ୍ୱାମୀ ଜେକବ୍‌ । ରାଞ୍ଚିର ଏକ ବୈଷୟିକ ବିଦ୍ୟାଳୟରୁ ପାଶ୍‌ କରି ଆସିଥିଲା ରାଉରକେଲାରେ ଧନ୍ଦା ଖୋଜିବା ପାଇଁ । ଇଲେକ୍‌ଟ୍ରିସିଆନ୍‌ । କାରଖାନାର ପ୍ରାଥମିକ ଅବସ୍ଥା । ବହୁ ଲୋକଙ୍କୁ ଦିଆହେଉଥିଲା ନିଯୁକ୍ତି । ପୁରୁଣାପାଣି ଥିଲା ଜେକ୍‌ବ୍‌ର ଭିଟାମାଟି । ତା’ର ବାପର ଆକସ୍ମିକ ମୃତ୍ୟୁ ପରେ ସେମାନେ ଚାଲି ଯାଇଥିଲେ ରାଞ୍ଚି । ସେଇଠି ତା’ର ମାମୁଁଘର । ପାଠ ଶେଷ କରି ପୁଣି ସେ ଚାଲିଆସିଥିଲା ତା’ର ଜନ୍ମମାଟିକୁ । ବହୁ କଷ୍ଟରେ ଅବଶ୍ୟ ତାକୁ ମିଳିଲା କ୍ଷତିପୂରଣ ଟଙ୍କା; କିନ୍ତୁ ମିଳିଲା ନାହିଁ ଚାକିରୀ ଖଣ୍ଡେ । ବହୁ ଦିନ ଅପେକ୍ଷା କଲା । ଉଦ୍ୟମ କଲା । ବ୍ୟର୍ଥ ହେଲା ସବୁ । ଯୋଗ୍ୟତା ନଥାଇ ଲୋକ ଭର୍ତ୍ତିହେଲେ, ଅଭିଜ୍ଞତା ଥିଲା ବୋଲି । ଜେକବ୍‌ ପାଇଲା ନାହିଁ । ଶେଷକୁ ଜୁଟିଲା ସିମନ୍‌ସ୍‌ କମ୍ପାନୀ ଅଧୀନରେ ଖଣ୍ଡିଏ ଇଲେକଟ୍ରିସିଆନ ଚାକିରୀ । ଦରମା ମାସକୁ ଶହେ ଷାଠିଏ । ବେଶ୍‌ ଚଳୁଥିଲା ସଂସାର ।

 

ଜେକବ୍‌ ଖାଲି ଚାକିରୀ କରେନି; କରେ ରାଜନୀତି । ସେ ଗଢ଼ୁଥିଲା ଏକ କ୍ଷୁଦ୍ର ସଂଘ । ଏଇ ମାଟିର ସନ୍ତାନର ସ୍ୱାର୍ଥରକ୍ଷା କରିବା, ନୂଆ ହୋଇ ଗଢ଼ି ଉଠୁଥିବା ଶିଳ୍ପପ୍ରତିଷ୍ଠାନର ଫାଇଦା ଉଠେଇବା ଥିଲା ଏଇ ସଂଘର ପ୍ରଧାନ ଲକ୍ଷ୍ୟ । ବଡ଼ ଟାଣୁଆଁ ଟାଣୁଆଁ କଥା ଜେକବର । ସୁବିଧା ପାଉ ବା ନ ପାଉ, ସେମାନଙ୍କର ଶିକ୍ଷାଦୀକ୍ଷାର ଅଭାବ ଓ ଆର୍ଥିକ ଦୂରବସ୍ଥାର ସୁଯୋଗ ନେଇ ସେମାନଙ୍କ ଆଖିଆଗରେ ଏଇ ମାଟିରେ ବାହାରର ଲୋକ ଉଠି ଯାଉଥିଲେବି, ଜେକବ୍‌ର ମନରେ ବଡ଼ ଗର୍ବ । ତାରି ଭିଟାମାଟିରେ ଗଢ଼ିଉଠିଛି ବିରାଟ ଏକ ଶିଳ୍ପାନୁଷ୍ଠାନ । ତାଙ୍କରି ତ୍ୟାଗ ଉପରେ ଛିଡ଼ା ହୋଇଛି ଏଇ ଶିଳ୍ପାୟତନ । ଆଜି ନ ହେଲା, ଦିନ ଆସିବ, ଯେତେବେଳେ ଏଇ ମାଟିର ଆଦିସନ୍ତାନ–ତା’ର ବଂଶଧର, ସବୁକିଛିର ହେବ ମାଲିକ ।

 

ତାଙ୍କର କାର୍ଯ୍ୟାଳୟରେବି ଅନେକ ସମୟରେ ଯୁକ୍ତିତର୍କ ହୁଏ । ବିହାର, ଉତ୍ତରପ୍ରଦେଶ, ବଙ୍ଗଳା, ଆନ୍ଧ୍ର ତାମିଲନାଡ଼ୁ, ମହୀଶୁର, କେରଳ–ସବୁ ରାଜ୍ୟର କର୍ମଚାରୀ ଅଛନ୍ତି ସିମନ୍‌ସ୍‌ କମ୍ପାନୀରେ । ଜେକବ୍‌ର ଗୋଷ୍ଠୀ ସଂଖ୍ୟାନ୍ୟୂନ । ତଥାପି ଜେକବ୍‌ ଧପେଇ ଦିଏ ସମସ୍ତଙ୍କୁ । ସେମାନେ କହନ୍ତି, ଖାଲି ସ୍ଥାନୀୟ ଲୋକଙ୍କୁ ସୁବିଧା ଦେବା ପାଇଁ ଏ କାରଖାନା ହେଉ ନାହିଁ । ଏ କାରଖାନା ଭାରତ ସରକାରଙ୍କର । ସ୍ଥାନୀୟ ମନୋଭାବ ସଂକୀର୍ଣ୍ଣତା । ଜେକବ୍‌ ଠୋ ଠୋ ହସେ । ଉଦ୍ଦାମ ହସରେ ଉଡ଼େଇ ଦେବାକୁ ସେ ଚାହେଁ ଏ ପ୍ରକାର ଯୁକ୍ତି, ଏ ପ୍ରକାର ବାଚାଳତା । ବଙ୍ଗ, ବିହାର, ଉତ୍ତରପ୍ରଦେଶ ପ୍ରଭୃତି ରାଜ୍ୟର ଲୋକମାନଙ୍କର ଏ ଦାବୀ ସଂକୀର୍ଣ୍ଣତା ନୁହେଁ । ଖାଲି ଓଡ଼ିଶାରେ ସମସ୍ତେ ପ୍ରଚାର କରିବେ ଉଦାରତା–ମହାଭାରତୀୟ ଭାବ । ଏ ଭାବ ପ୍ରକୃତରେ ଏକ ଆଦର୍ଶ ଭାବରେ ପ୍ରଚାରିତ ହୁଏନା ଏ ମାଟିରେ । ଅନ୍ୟକୁ ଶୋଷଣ କରି, ମାଟିର ସନ୍ତାନକୁ ତା’ର ପ୍ରାପ୍ୟ-ଦାବୀରୁ ବଞ୍ଚିତ କରି ନିଜକୁ ବଞ୍ଚାଇ ରଖିବାକୁ ଏହା ଏକ ପନ୍ଥା । ଶୋଷଣର ଏକ ପ୍ରଗତିଶୀଳ ଦର୍ଶନ । ସମସ୍ତେ ତୁନି ପଡ଼ି ଯାଆନ୍ତି, ମଉଳି ଯାଏ ମୁହଁ । ତେବେ ଆଖିରେ ଉକୁଟି ଉଠେ ଏକ ଅହେତୁକୀ କ୍ରୋଧ ଆଉ ଘୃଣାଭାବ ।

 

ସେଦିନ ଏମିତି ଏକ ଆଲୋଚନା ହେଉ ହେଉ ଜେକବ୍‌ର ଜଣେ ସହକର୍ମୀ ଏକ ତିକ୍ତ ମନ୍ତବ୍ୟ ଦେଲେ ଆଦିବାସୀ ତରୁଣୀଙ୍କର ଚରିତ୍ର ଉପରେ । ସେଦିନ ଯୁକ୍ତି କରିନି ଜେକବ୍‌ । ଉଦ୍ଦାମ ହସରେ ଉଡ଼େଇ ଦେବାକୁ ଉଦ୍ୟତ ହୋଇନି । ବଡ଼ ଗମ୍ଭୀର । ମନ୍ତବ୍ୟ ଶେଷ ନ ହେଉଣୁ ଉଠିଲା ଏକ ହାସ୍ୟରୋଳ । ସମର୍ଥନସୂଚକ ବ୍ୟାଙ୍ଗାତ୍ମକ ହସ । ହସ ଶେଷ ହେଲା ବେଳକୁ ବସି ଯାଇଥିଲା ଗୋଟାଏ ଘୁସି । ସମ୍ଭାଳି ପାରିଲା ନାହିଁ ଜେକବ୍‌ । ମନର ସମସ୍ତ ଘୃଣା ଆଉ ଦେହର ସମସ୍ତ ବଳ ପ୍ରୟୋଗ କରି ମାରିଲା ଜେକବ୍‌ । ତଳେ କଚାଡ଼ି ହୋଇ ପଡ଼ିଲା ଲୋକଟା । ପିଚ୍‌ ପିଚ୍‌ ରକ୍ତ । ଖସି ପଡ଼ିଥିଲା ଜାମୁଦାନ୍ତ ଦି’ଟା । ନାକରେ ଭୀଷଣ ଆଘାତ । ଛୁଟିଛି ରକ୍ତର ଧାର । ସେମିତି ଗମ୍ଭୀର ହୋଇ ଛିଡ଼ା ହୋଇଥିଲା ଜେକବ୍‌ । ଆଉ ଭାବୁଥିଲା, ସ୍ୱାଧୀନ, ସ୍ୱଚ୍ଛନ୍ଦ ଜୀବନକୁ ଯେଉଁମାନେ ସନ୍ଦେହ କରନ୍ତି–କଳନାଦିନୀ ନିର୍ଝରିଣୀର ବାଧାହୀନ ପ୍ରବାହକୁ ଯେଉଁମାନେ ଆବିଳ ବୋଲି ପ୍ରଚାର କରନ୍ତି, ସେମାନଙ୍କର ରକ୍ତରେ ପ୍ଳାବିତ ହେବା ଉଚିତ୍‌ ଏଇ ମାଟି ।

 

ଗଡ଼ିଗଲା ଦିନ । କାର୍ଯ୍ୟାଳୟରେ ଏକ ଗମ୍ଭୀର ବାତାବରଣ । ଆପତ୍ତି ଅଭିଯୋଗ କିଛି ହୋଇନି । ଝଡ଼ର ପୂର୍ବାଭାସ ନୁହେଁତ !

 

ଜେକବ୍‌ ଚଢ଼ିଥିଲା ଉପରକୁ । ମୁଣ୍ଡ ଉପରେ ତା’ର ବିଳୁଜି ତାର । ଠିକ୍‌ ପାଦତଳକୁବି ତାର । ସେ କାମ କରୁଛି ମଝିରେ । କରେଣ୍ଟ୍‌ ବନ୍ଦ କରାହୋଇଛି । ହଠାତ୍‌ ଝଡ଼ିପଡ଼ିଲାତଳେ । ଡାକ୍ତରଖାନାକୁ ପହଞ୍ଚିଲା ବେଳକୁ ଜୀବନ ନଥିଲା ତା’ର । ଜେକବ୍‌ କାମ ଆରମ୍ଭ କଲା ପରେ କିଏ ଜଣେ ଟିପି ଦେଇଛି ସୁଇଚ୍‌ । ଗୋଟାଏ ମୁହୂର୍ତ୍ତ । ସବୁ ଶେଷ । ଗୋଟାଏ ବହ୍ନିମାନ ଜୀବନର ପରିସମାପ୍ତି ହେଲା ପ୍ରତିଶୋଧର ଏକ ହୀନ ଚକ୍ରାନ୍ତରେ ।

 

ମିସନ୍‌ରେ ତିଆରି ଚାଲିଥିଲା ଗୋଟାଏ ବିରାଟ ଡାଇନିଂ ହଲ । ବାଉଁଶ ସିଡ଼ିରେ ଛିଡ଼ା ହୋଇ ମେରୀ ମିସ୍ତ୍ରୀକୁ ଯୋଗାଉଥିଲା ଇଟା ଜୋଡ଼େଇ ପାଇଁ ମସଲା । ହଠାତ୍‌ କିଏ ଜଣେ ଏ ଦୁଃସମ୍ୱାଦ ଦେଲା ମେରୀକୁ । ହାତରୁ ଖସିପଡ଼ିଲା ତା’ର ପଲମ । ମିସ୍ତ୍ରୀ ତାକୁ ଧରିବାକୁ ହାତ ବଢ଼ାଉ ବଢ଼ାଉ ଖସିପଡ଼ିଲା ମେରୀ । ତଳେ ଥିଲା ଇଟା ଆଉ ପଥର ଗଦା ।

 

ମେରୁଦଣ୍ଡରେ ଭୀଷଣ ଆଘାତ । ମିସନ୍‌ ଡାକ୍ତରଖାନାରେ ଭର୍ତ୍ତି ହେଲା ମେରୀ । ସୁଚିକିତ୍ସା ସମ୍ଭବପର ହେଲା ନାହିଁ । କଲୁଙ୍ଗାରେ ମିସନ୍‌ର ବଡ଼ ଡାକ୍ତରଖାନା । ମେରୀକୁ ନେଇଗଲେ ସେଠାକୁ । ଜୋହାନ୍‌ସ୍‌ ଆଉ ମାର୍ଗାରେଟ ଗଲେ ତା’ ସଙ୍ଗରେ । ଭାଙ୍ଗିପଡ଼ିଥିଲା ମାର୍ଗାରେଟ । ମେରୀ ଚାହିଁଲା ମାର୍ଗାରେଟ୍‌କୁ ନେବାକୁ ସାଙ୍ଗରେ । ମାର୍ଗାରେଟ୍‌ ଗଲା–ମା’ର ସେବାରେ ହଜାଇ ଦେବାକୁ ତା’ର ବିଚ୍ଛେଦ କାତର ମନକୁ ।

 

ତିନି ଚାରି ମାସ ଚିକିତ୍ସା ହେଲା । କୌଣସି ପ୍ରକାର ଉନ୍ନତି ଲକ୍ଷ୍ୟ କରାଯାଇ ପାରିଲା ନାହିଁ ! ହତାଶ ହୋଇ ପଡ଼ିଲେ ଡାକ୍ତର । ତାଙ୍କ ମନରେ ଯେଉଁ ସନ୍ଦେହ ଉଙ୍କିମାରିଲା, ତା’ର ପରୀକ୍ଷା ପାଇଁ ନଥିଲା ତାଙ୍କର ଯନ୍ତ୍ର–ନଥିଲା ଚିକିତ୍ସା ପାଇଁ ଆବଶ୍ୟକ ଔଷଧ । ସେ ଔଷଧ ତିଆରି ହୁଏନି ଭାରତରେ । ବାହାରୁ ଆଣିପାରିବେ କେବଳ ସରକାର ।

 

ମେରୀକୁ ଜୋହାନ୍‌ସ୍‌ ନେଇ ଆସିଲା ଇସ୍ପାତ ଜେନେରାଲ ହସ୍‍ପିଟାଲ୍‍କୁ । ନୂତନ ଅନୁଷ୍ଠାନ । ଶେଷ ହୋଇନି ତିଆରି । ତେବେ ଆରମ୍ଭ ହେଲାଣି ଚିକିତ୍ସା । ତିଆରି କ’ଣ ଶେଷ ହେବ ବର୍ତ୍ତମାନ ? ସହସ୍ରାଧିକ ରୋଗୀଙ୍କ ପାଇଁ ରହିବ ଶଯ୍ୟା । ଚାଲିଥିବ ନିର୍ମାଣ–ପରିବର୍ଦ୍ଧନ ଆଉ ପରିବର୍ତ୍ତନ । ଆସିଛି ନୂଆ ନୂଆ ଯନ୍ତ୍ରପାତି–ଅତି ଆଧୁନିକ । ଉଚ୍ଚଯୋଗ୍ୟତା ଓ ଅଭିଜ୍ଞତାସଂପନ୍ନ ଚିକିତ୍ସକଙ୍କର ନିଯୁକ୍ତି ହୋଇଯାଇଛି । ଦେହର ପ୍ରତିଟି ଅଙ୍ଗ, ପ୍ରତିଟି ରୋଗ ପାଇଁ ଆସିଛନ୍ତି ବିଶେଷଜ୍ଞ । ଦେଶୀ ଗନ୍ଧ ନାହିଁ କାହାରି ପାଖରେ । ବିଲାତି ମୋହର ବାଜିଛି ପିଠିରେ । ଛାତିରେ ପିଟାହୋଇଛି ମାର୍କିନ୍‌ ତମ୍ୱାପଟା ।

 

ସବୁକିଛି ସୁବିଧା ସୁଯୋଗ କେବଳ କର୍ମଚାରୀଙ୍କ ପାଇଁ । ଅନ୍ୟମାନଙ୍କର ଚିକିତ୍ସା ହୁଏ-। ବ୍ୟୟସାପେକ୍ଷ ଓ ଦୁଇ ଶହ ଟଙ୍କା ଜମା ଦେଇ ଜୋହାନ୍‌ସ୍‌ ଭର୍ତ୍ତିକଲା ମେରୀକୁ ଇସ୍ପାତ ଜେନେରାଲ ହସ୍‌ପିଟାଲ୍‌ରେ ।

 

ନାନା ରକମର ପରୀକ୍ଷା । ଦରକାରୀ-ଅଦରକାରୀ । ପ୍ରତିଦିନ ଚାରିଥର ରକ୍ତପରୀକ୍ଷା–ପାଞ୍ଚ ଥର ପରିସ୍ରା ପରୀକ୍ଷା–ରଞ୍ଜନରଶ୍ମି–କେତେ କ’ଣ ପରୀକ୍ଷା–ନୂଆ ନୂଆ ଯନ୍ତ୍ରପାତିର ପ୍ରୟୋଗ-। ବିଭିନ୍ନ ବିଶେଷଜ୍ଞଙ୍କର ଦୈନିକ ପରିଦର୍ଶନ । ସବୁକିଛିର ଅଲଗା ଅଲଗା ରେଟ୍‌ । ପଥ୍ୟ, ଔଷଧ, ଶଯ୍ୟାର ଭଡ଼ା ଛାଡ଼ି କେବଳ ପରୀକ୍ଷା ଓ ପରିଦର୍ଶନ ବାବଦକୁ ଦୈନିକ ଷାଠିଏ–ସତୁରୀ ଟଙ୍କା ଖର୍ଚ୍ଚ । ଚାଲିଛି ଚିକିତ୍ସା । ଅତି ଆଧୁନିକ ଧରଣର । ଯମର ଆଁ ଭିତରୁବି ସତେ ଯେମିତି ଟାଣି ଆଣିବାର ଏକ ଆଡ଼ମ୍ୱରପୂର୍ଣ୍ଣ ଆସ୍ଫାଳନ । ଦେଖିଲେ ଆଖି ଖୋସି ହୋଇଯାଏ । ସତେ ମ ! ଚିକିତ୍ସା ବିଜ୍ଞାନଟା କେତେ ଆଗେଇ ଗଲାଣି ! ଏଠିକାର ବିଦେଶୀ ଯୋଗ୍ୟତାସଂପନ୍ନ ବିଶେଷଜ୍ଞମାନଙ୍କର ଚିକିତ୍ସାର ଢଙ୍ଗ ଦେଖିଲେ ମନେହୁଏ, ସରକାରୀ ଡାକ୍ତରଖାନାର ସିଭିଲ୍‌ ସର୍ଜନବି ନିହାତି ଅନାଡ଼ି–ଅଜ୍ଞ–ପୁରୁଣାକାଳିଆ ।

 

ମେରୀ କିନ୍ତୁ ଭଲହେଉନି । ଜୋହାନ୍‌ସ୍‌ର ପୁରୁଣାକାଳିଆ ମନ କହୁଛି, ଏ ପରୀକ୍ଷାହିଁ ମେରୀକୁ କ୍ରମେ ଦୁର୍ବଳ କରୁଛି–ଧୀରେ ଧୀରେ ଟାଣିନେଉଛି ମରଣ ଆଡ଼କୁ । ତା’ର ମନେହେଉଛି, ସତେ ଯେମିତି ବିରାଟ ଯୋଗ୍ୟତାସଂପନ୍ନ ଚିକିତ୍ସକମାନେ ଗବେଷଣା ମନୋବୃତ୍ତି ନେଇ ଜିରାରୁ ସିରା କାଢ଼ୁଛନ୍ତି । ବିଶେଷଜ୍ଞ ତ ! ଅତି ଦରକାରୀ ଛୋଟ ଛୋଟ ଜିନିଷଗୁଡ଼ିକ ଉପେକ୍ଷା କରୁଛନ୍ତି ! ବିଦେଶୀ ଯୋଗ୍ୟତାର ଛାପତଳେ ରୋଗ ଚିହ୍ନିପାରିବାର ମୌଳିକ ଦକ୍ଷତା ଆଉ ଆତ୍ମ-ବିଶ୍ୱାସର ଅଭାବଟିକୁ ଲୁଚାଇ ରଖିବା ପାଇଁ ସତେ ଯେମିତି ଏମାନେ ଯନ୍ତ୍ରପାତି ଓ ନାନାପ୍ରକାର ଜଟିଳ ପରୀକ୍ଷାର ଆଶ୍ରୟ ନେଉଛନ୍ତି । ସେ ଯାହାହେଉନା କାହିଁକି, ସେମାନେ ଡାକ୍ତର–ବିଶେଷଜ୍ଞ । କିଛି ମନ୍ତବ୍ୟ ଦେବା ବିପଜ୍ଜନକ । ଏମିତି ଗବେଷଣାର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା କରୁ କରୁ ହୁଏତ କେଉଁ ଏକ ଶୁଭକ୍ଷଣରେ ଖୋଜି ପାଇବେ ରୋଗର ନିଦାନ । ମଣିଷର ଆଶା ତ-! ଚାଲିଛି ଚିକିତ୍ସା, କ୍ଷତିପୂରଣ ଆଠ ହଜାରରୁ ଗଲାଣି ତିନି ହଜାର ।

 

ଆଞ୍ଜଲୁସ୍‌ ପଶି ଯାଇଥିଲା ଡ୍ରାଇଭର ଭାବରେ ଓଡ଼ିଶା ସରକାରଙ୍କର ପରିବହନ ବିଭାଗରେ । ଉପଯୁକ୍ତ ତାଲିମପ୍ରାପ୍ତ ଯୋଗ୍ୟତା ସଂପନ୍ନ ମେକାନିକ ସେ । ସ୍ଥାନ ଖାଲି ନଥିଲା । ସେଥିପାଇଁ ଅସ୍ଥାୟୀ ଭାବରେ ରହିଯାଇଥିଲା ଡ୍ରାଇଭର ଭାବରେ । ରାଉରକେଲାରେ ସରକାରୀ ପରିବହନ ବିଭାଗରେ ଏକ ସ୍ୱତନ୍ତ୍ର ଅଞ୍ଚଳ ଖୋଲା ହେଲା ପରେ ସେ ମେକାନିକ୍‌ ଭାବରେ ନିଯୁକ୍ତି ପାଇଛି । ଠିକ୍‌ ନିଯୁକ୍ତି ନୁହେଁ–ପଦୋନ୍ନତି । ହିନ୍ଦୁସ୍ଥାନ ଷ୍ଟିଲ୍‌ କମ୍ପାନୀର କର୍ମଚାରୀ ଆଉ ସରକାରୀ କର୍ମଚାରୀ ଭିତରେ ବହୁତ ତଫାତ୍‌ । ଏଠି କମ୍‌ କାମ କରି ବେଶି ପଇସା ପାଇବାର ବ୍ୟାପକ ପ୍ରଚେଷ୍ଟା । ଆଠ ଘଣ୍ଟା କାମ କରିଦେଲେ ମୁକ୍ତି । ଅଧିକା ମିନିଟିଏ ପରିଶ୍ରମ ପାଇଁ ଦରକାର ଓଭରଟାଇମ୍‌ । ଦଶ ମିନିଟ, ପନ୍ଦର ମିନିଟ ଡେରିରେ ଯାଇପାର । ଆଠ ଘଣ୍ଟା ଭିତରୁ ଚାରି ଘଣ୍ଟା ଫୂର୍ତ୍ତି କରିପାର, କିଛି ଯାଏ ଆସେନା । ପାଟି ଫିଟେଇଲେ ତ ସର୍ବନାଶ ! ଅନ୍ଧାରିଆ ପିଠି ଫଟେଇବାର ହେବ ତୁରନ୍ତ ବ୍ୟବସ୍ଥା । ନ ହେଲେ ଟ୍ରେଡ଼ୟୁନିୟନ ନେତାଙ୍କର ଶରଣାପନ୍ନ ହେଲେ ବିଚ୍‌ ବଜାରରେ ମାଇକ୍‌ଫଟା ଗଳାରେ ଭର୍ତ୍ସନା । ଆଉ ଅଧିକା ପରିଶ୍ରମ ପାଇଁ ଦରକାର ଅଧିକା ପଇସା । ତା’ ନ ହେଲେ ପାଦମେଙ୍କ ନ ଗଚ୍ଛାମି ! ଜଳିପୋଡ଼ି ଯାଉ ସବୁ । ସେଥିରେ କିଛି ଯାଏ ଆସେନା । ଦରକାର ଅଧିକା ପଇସା । ଆଞ୍ଜଲୁସ୍‌ର ଠିକ୍‌ ଓଲଟା । ମଣିଷ ମରୁ ଜଳିପୋଡ଼ି ଯାଉ ତା’ର ସଂସାର, କାମ କରିବାକୁ ହେବ । ଦେଶର କାମ ଜାତିର କାମ । ଚବିଶ ଘଣ୍ଟାର ଚାକର, ଯେ କୌଣସି ମୁହୂର୍ତ୍ତରେ ଡାକରା ଆସିପାରେ । ନ ଗଲେ ମହାବିଡ଼ମ୍ୱନା । ପାଟି ଫିଟେଇଲେ ରହିବ ନାହିଁ ଚାକିରୀ–ଉଠିଯିବ ପେଟର ଦାନା । ନ ହେଲେ କୋଉ ବିପଦସଙ୍କୁଳ ଅପନ୍ତରାକୁ ବଦଳି । ଇସ୍ପାତ କାରଖାନାରେ ଶ୍ରମିକମଙ୍ଗଳ, ଶ୍ରମିକର ହକ ଦାବୀ ନାଁରେ ଜାତୀୟ ସଂପତ୍ତି ଲୁଣ୍ଠନର ଏକ ସଫଳ ପ୍ରୟାସ ଆଉ ସରକାରୀ ପରିବହନ ବିଭାଗରେ ଲାଭ ଉଦ୍ଦେଶ୍ୟରେ କର୍ମଚାରୀଙ୍କୁ ଶୋଷଣ କରିବାର ଏକ ଯୁକ୍ତିହୀନ ନିର୍ମମ ପ୍ରଯତ୍ନ । ଆଞ୍ଜଲୁସ୍‌ କୌଣସିଟିକୁ ପସନ୍ଦ କରିପାରେନା । ସେ ଇଚ୍ଛା କରିନି ଷ୍ଟିଲ କମ୍ପାନୀରେ ଭର୍ତ୍ତି ନ ହେବା ପାଇଁ । ଏଠି ଇଜ୍ଜତ ନାହିଁ କିଛି । ଶିଳ୍ପଶ୍ରମିକ–ମଜଦୁର । ଧୁଆଅଧୁଆ ସବୁ ସମାନ । ବଡ଼ ବିରକ୍ତ ହୁଏ ସେ ଶିଳ୍ପ-ଶ୍ରମିକଙ୍କର ଔଦ୍ଧତ୍ୟ ପାଇଁ । କଥା କଥାକେ ହାତ ଉଠାଉଠି । କଥା କଥାକେ ହରତାଳ–ଧର୍ମଘଟ । ଶାନ୍ତିପୂର୍ଣ୍ଣ ଉପାୟରେ ଜାତୀୟ କ୍ଷତିସାଧନ ।

 

ସେ ଚାହୁଁଥିଲା ଗୋଟାଏ କିଛି ସ୍ୱାଧୀନ ବ୍ୟବସାୟ । କ୍ଷତିପୂରଣ ଟଙ୍କାରୁ କିଛି ଖଟେଇ, ସେ ଚାହୁଁଥିଲା ଗୋଟାଏ ମୋଟର, ମୋଟର ସାଇକେଲ ଆଉ ସ୍କୁଟର ପାର୍ଟର ଦୋକାନ–ତା’ ସାଙ୍ଗକୁ ମରାମତି । ଚାରି ପାଞ୍ଚ ହଜାର ପୁଞ୍ଜି ଖଟେଇଲେ ହୁଏତ ବର୍ଷେ ଦି’ବର୍ଷକୁ ଟେକି ଯାଆନ୍ତା-। ଖୁବ୍‌ ଭଲ ମେକାନିକ୍‌ ଆଞ୍ଜଲୁସ୍‌ । ବେଶ୍‌ ସୁନାମ ଅଛି । ଅପାଠୁଆ ମେକାନିକ୍‌ ନୁହେଁ ତ ! ମ୍ୟାଟ୍ରିକ୍‌ ପାଶ ପରେ ବମ୍ୱେରୁ ପାଶ୍‌ କରିଛି ମେକାନିକାଲ ଟ୍ରେନିଂ । ନୂଆ ବଜାରରେ ଖଣ୍ଡେ ଦୋକାନ ପାଇଁ ଦରଖାସ୍ତ କରିଛି । ଆଜି ଅଛି ତାରିଖ । ଛୁଟି ନେଇ ଆଞ୍ଜଲୁସ୍‌ ଯାଇଛି ନୂତନ ସହରାଞ୍ଚଳର ଶାସକଙ୍କର କାର୍ଯ୍ୟାଳୟକୁ । ସେଠିକାର କାମ ଶେଷକରି କିଛି ଫଳ, ଆଉ କେତେକ ଦରକାରୀ ଜିନିଷ ଆଣିବ ସେ ତା’ ମା’ ପାଇଁ ।

 

ନୂତନ ସହରାଞ୍ଚଳ–ହିନ୍ଦୁସ୍ଥାନ ଷ୍ଟିଲ୍‌ କମ୍ପାନୀର କର୍ମଚାରୀମାନଙ୍କର ଆବାସସ୍ଥଳୀ । ପ୍ରତ୍ୟେକ ସେକ୍ଟରରେ ତୋଳାହୋଇଛି ଡେଲି ମାର୍କେଟ । ସୁଦୃଶ୍ୟ କୋଠା–ସୁଦୀର୍ଘ–ଦ୍ୱିତଳ । ସମଗ୍ର ସହରାଞ୍ଚଳ ପାଇଁ ବିରାଟ ସେଣ୍ଟ୍ରାଲ୍‌ ମାର୍କେଟ । ଖଣ୍ଡିଏ ଦୋକାନଘର ପାଇବା ପାଇଁ ତୀବ୍ର ପ୍ରତିଯୋଗିତା । ଏଇଠିବି ଏଇ ମାଟିର ସନ୍ତାନ ଓ ବାହାରିଆ ବ୍ୟବସାୟୀଙ୍କ ଭିତରେ ତିକ୍ତତାର ଏକ ଅନାକାଙ୍‌କ୍ଷିତ ବାତାବରଣ । ଏ ସବୁ ସୃଷ୍ଟି କରନ୍ତି ନାହିଁ ବାହାରର ବ୍ୟବସାୟୀ ବା ମାଟିର ସନ୍ତାନ । ମଝିରେ ଥାଇ ସୁରୁଖୁରୁରେ କିଛି ଫାଇଦା ଉଠେଇବା ପାଇଁ ଶାସନକଳ ଆଉ ରାଜନୀତିଜ୍ଞମାନଙ୍କର ଏ ସବୁ ଭେଦଭାବର ସୃଷ୍ଟି । ସେଇମାନେହିଁ ବୁଣିଦିଅନ୍ତି ବିଷ ବୀଜ–ଯେଉଁ ବିଷବୀଜ ବିଶାଳକାୟ ବୃକ୍ଷ ହୋଇ ସାମାଜିକ ଜୀବନକୁ କରେ ରୁଦ୍ଧିମନ୍ତ । ତାରି ଅଙ୍ଗାରକାମ୍ଳରେ ସାମାଜିକ ବାୟୁମଣ୍ଡଳ ହୁଏ ବିଷାକ୍ତ ।

 

ଆଞ୍ଜଲୁସ୍‌ ଫେରୁଥିଲା ସହରାଞ୍ଚଳର ଶାସକଙ୍କ କାର୍ଯ୍ୟାଳୟରୁ । ମୁଣ୍ଡରେ ତା’ର ବ୍ୟର୍ଥତାର ଭୂତ ମାଡ଼ିବସିଥିଲା, ଆଉ ତା’ ସାଙ୍ଗକୁ ତା’ ଭିତରେ ଭର୍ତ୍ତିକରି ଦିଆଯାଇଥିଲା ଦେଶୀ-ବିଦେଶୀ, ମାଟିର ସନ୍ତାନ ଆଉ ଆଗନ୍ତୁକର ଭେଦଭାବର ତିକ୍ତତା । ଖଣ୍ଡେ ଦୋକାନ ପାଇଁ ତାକୁ ରାଜନୀତିର ଆଶ୍ରୟ ନେବାକୁ ହେବ । ତା’ର ବ୍ୟକ୍ତିଗତ ଲକ୍ଷ୍ୟ ହାସଲ ପାଇଁ ଏକ ସାମୂହିକ କାରଣ ଅଥବା ଏକ ଗୋଷ୍ଠୀଗତ ସୁବିଧାର ଆଳ କରି ସଂଗ୍ରାମ କରିବାକୁ ହେବ । ଦୀର୍ଘ ସଂଗ୍ରାମ ପରେ ତା’ର ଜୟଲାଭ କଲାବେଳକୁ ବଜାରରେ ଦୋକାନ ଘର ଆଉ ନଥିବ । ଓଃ ! ବଞ୍ଚିରହିବା ପାଇଁ କି ଚତୁର ସଂଗ୍ରାମ ଚାଲିଛି ଏଇଠି । ବଡ଼ ଭାରାକ୍ରାନ୍ତ ଆଞ୍ଜଲୁସ୍‌ର ମନ ।

 

ସହସ୍ର ସହସ୍ର ଶିଳ୍ପ-ଶ୍ରମିକଙ୍କର ଆକାଶଫଟା ଉଦ୍ଦାମ ସ୍ଳୋଗାନ । ବିରାଟ ଏକ ପଟୁଆର–ଦେଢ଼ମାଇଲ ଦୀର୍ଘ । ମନଯୋଗ ଆକର୍ଷଣ କଲା ଆଞ୍ଜଲୁସ୍‌ର । ସେ ନୁହେଁ ଇସ୍ପାତ କାରଖାନାର ଶିଳ୍ପଶ୍ରମିକ । ତଥାପି ଆପେ ଆପେ ମିଶିଗଲା ସେ ଏଇ ପଟୁଆର ସାଙ୍ଗରେ । ଯନ୍ତ୍ରଚାଳିତ ପରି ତା’ ପାଟିରୁବି ବାହାରି ଆସିଲା–ଜିନ୍ଦାବାଦ ! ‘ଇନ୍‌-କ୍ୱେ-ଲାବ’.....ଜିନ୍ଦାବାଦ !

 

ଶ୍ରମିକର ବିଭିନ୍ନ ଦାବୀର ଉଦ୍ଦାମ ସ୍ଳୋଗାନରେ ଶିଳ୍ପନଗରୀର ବାୟୁମଣ୍ଡଳକୁ ସରଗରମ କରି ରୁଣ୍ଡ ହେଲେ ସମସ୍ତେ ସାରଙ୍ଗଧର ମଇଦାନରେ ବିରାଟ ସଭା । ଉତ୍ତେଜନାର ଆଗ୍ନେୟଗିରି ।

 

ଆରମ୍ଭ ହେଲା ବକ୍ତୃତା । ବକ୍ତୃତାର ଅର୍ଥ ଗାଳି । ସଭ୍ୟତାର ବୋଳ ଦେଇ, ଭାଷାର କୁହେଳି ଭିତରେ କୁତ୍ସିତ ଭର୍ତ୍ସନା । ନାନାପ୍ରକାର ଆର୍ଥିକ ଓ ବୈଷୟିକ ଦାବୀର ପ୍ରସ୍ତାବ ତ ମଜଦୁର ସଭାର ସାଧାରଣ ବିଷୟବସ୍ତୁ । ତେବେ ଏଥିରେ ଥିଲା ଏକ ନୂତନ ଆକର୍ଷଣ । ନୂଆ ପ୍ରସ୍ତାବ–ନୂଆ ଦାବୀ ।

 

ସେକ୍ଟରଗୁଡ଼ିକ ନାମକରଣ ଅର୍ଥହୀନ ଗାଣିତିକ ସଂଖ୍ୟାରେ ନ ହୋଇ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କ ନାମାନୁସାରେ ନାମିତ ହେବା ପାଇଁ ଦାବୀ । ଇତିହାସର ପୃଷ୍ଠା ଘାଣ୍ଟି ବିଭିନ୍ନ କବି, ସାହିତ୍ୟିକ, ରାଜନୀତିଜ୍ଞ, ଶହୀଦ୍‌ ବିପ୍ଳବୀଙ୍କର ନାମ ସଂଗୃହୀତ ହୋଇଛି । ପ୍ରତିଟି ସେକ୍ଟର, ପ୍ରତିଟି ମାର୍ଗ, ବଜାର ଆଉ ଶିକ୍ଷାନୁଷ୍ଠାନଗୁଡ଼ିକର ନୂତନ ନାମକରଣ । ଉତ୍ତେଜନାପୂର୍ଣ୍ଣ ହର୍ଷଧ୍ୱନି ଓ ଉଦ୍ଦାମ କରତାଳିରେ ସମର୍ଥିତ ହେଉଥିଲା ପ୍ରତିଟି ନାମକରଣର ପ୍ରସ୍ତାବ ।

 

ବିଶେଷ ମନଯୋଗ ସହକାରେ ଶୁଣୁଥିଲା ଆଞ୍ଜଲୁସ୍‌ ତାରି ଭିଟାମାଟିରେ ଗଢ଼ିଉଠିଥିବା ଶିଳ୍ପନଗରୀର ବିଭିନ୍ନ ପ୍ରାନ୍ତର ନାମକରଣ । ଅବାନ୍ତର ନୁହେଁ । ତେବେ ଏହାର ମୂଳରେ ଅଛି ଏକ ଉଗ୍ର ଜାତୀୟତା । ସବୁ ନାମକରଣ ଶୁଣିସାରିଲା ପରେ ଏକ ଦୀର୍ଘ ନିଶ୍ୱାସ ପକାଇଲା ସେ । ନୂତନ ସହରାଞ୍ଚଳର ଶାସକଙ୍କ କାର୍ଯ୍ୟାଳୟରୁ ବୋହି ଆଣିଥିବା ବ୍ୟର୍ଥତା ଭରି ଦେଇଥିଲା ତା’ର ମନ ଭିତରେ ବିଷାକ୍ତ ଆଞ୍ଚଳିକତା । ନୂତନ ନାମକରଣରେ ଜାତୀୟତା ବୋଧ ଥାଇପାରେ; କିନ୍ତୁ ଐତିହାସିକତା ନାହିଁ । ଏଇ ମାଟିର ପୁରୁଣା ନାମଗୁଡ଼ିକୁ ଉପେକ୍ଷା କରିଛନ୍ତି ଏମାନେ । ଖାଲି ସେତିକି ନୁହେଁ, ଯେଉଁ ବିଶିଷ୍ଟ ବ୍ୟକ୍ତିଙ୍କର ନାମାନୁସାରେ ସେକ୍ଟରଗୁଡ଼ିକର ନାମକରଣ ହେଲା, ସେ ତାଲିକାରେ ଏଇ ମାଟିର କୌଣସି ବରପୁତ୍ରଙ୍କର ନାମ ନାହିଁ ।

 

ସଭା ସାଙ୍ଗହେଲା । ଶ୍ରମିକପଟୁଆର ବାହୁଡ଼ାଯାତ୍ରା । ଆଞ୍ଜଲୁସ୍‌ବି ଫେରିଛି ସେଇ ସାଙ୍ଗରେ । ଫେରିବା ପଥରେ ଚାଲିଛି ଆଲୋଚନା...ପ୍ରସ୍ତାବଗୁଡ଼ିକର ଉପାଦେୟତା ସମ୍ୱନ୍ଧରେ । ଆଞ୍ଜଲୁସ୍‌ ଭଲଭାବରେ ଲକ୍ଷ୍ୟ କରିଛି, ପ୍ରସ୍ତାବକାରୀ ବା ସମର୍ଥକଙ୍କ ଭିତରେ କେହି ଜଣେ ହେଲେ ନାହାନ୍ତି ଏ ଅଞ୍ଚଳର ପ୍ରତିନିଧି । ସମ୍ଭାଳି ପାରିଲା ନାହିଁ ସେ । ଯୋଗଦେଲା ଆଲୋଚନାରେ । ଏ ନାମକରଣର କୌଣସି ଯଥାର୍ଥତା ନାହିଁ । ଯେଉଁମାନେ କରିଛନ୍ତି ଏ ନାମକରଣର ପ୍ରସ୍ତାବ, ସେମାନେ ଅନ୍ୟମାନଙ୍କୁ ଯେଉଁ ଦୋଷ ଦେଉଛନ୍ତି, ଜ୍ଞାତସାରରେ ହେଉ ବା ଅଜ୍ଞାତସାରରେ ହେଉ, ସେମାନେ ନିଜେ ସେହି ଦୋଷରେ କଳଙ୍କିତ । ‘‘ମାନେ ?’’ ଏକସଙ୍ଗରେ ମିଳିତକଣ୍ଠର ଉତ୍ତେଜନାପୂର୍ଣ୍ଣ ପ୍ରଶ୍ନ ।

 

‘‘ମାନେ, ଅତି ସରଳ । ଏମାନେ କହୁଛନ୍ତି, ବାହାରୁ ଆସିଥିବା ଲୋକ ଭୁଲି ଯାଉଛନ୍ତି ଯେ ରାଉରକେଲାଟା ଓଡ଼ିଶାର । ଆଉ ଏ କଥା ପ୍ରତି ମୁହୂର୍ତ୍ତରେ ସ୍ମରଣ କରାଇଦେବା ପାଇଁ ଏକ ନୂତନ ନାମକରଣ । ଠିକ୍‌ ସେହିପରି ଯେଉଁମାନେ ନୂତନ ନାମକରଣର ପ୍ରସ୍ତାବ ଦେଇଛନ୍ତି ସେମାନେବି ଭୁଲି ଯାଉଛନ୍ତି ଯେ ରାଉରକେଲାଟା ଆବହମାନ କାଳରୁ ଅବସ୍ଥିତ ଗାଙ୍ଗପୁର ବା ବର୍ତ୍ତମାନର ସୁନ୍ଦରଗଡ଼ ଜିଲ୍ଲାରେ ।’’

 

ସୁନ୍ଦରଗଡ଼ କ’ଣ ଓଡ଼ିଶା ଭିତରେ ନୁହେଁ ? ଉତ୍ତର ମିଳିଲା ଆଞ୍ଜଲୁସ୍‌କୁ । ‘‘ତେବେ କ’ଣ ଓଡ଼ିଶାଟା ଭାରତରେ ନୁହେଁ ?’’ ସଙ୍ଗେ ସଙ୍ଗେ ପ୍ରତ୍ୟୁତ୍ତର ଦେଲା ଆଞ୍ଜଲୁସ୍‌ ।

 

‘‘କ’ଣ, କ’ଣ କହିଲା ଆଦିବାସୀଟା ?’’ ଘେରିଗଲେ ତାକୁ ପନ୍ଦର କୋଡ଼ିଏ ଜଣ । ‘‘ତୁମେ ଭାବୁଛ ଗୁଣ୍ଡାମି କରି ଚାପିଦେବ ଏଇ ମାଟିର ସନ୍ତାନକୁ ? ମୋତେ ଏକୁଟିଆ ଦେଖି ତୁମେମାନେ ଆଜି ଆକ୍ରମଣ ପାଇଁ ଉଦ୍ୟତ । ତେବେ ମନେରଖ, ଏହି ଦେହରେ ଥରେ ଆଘାତ ଲାଗିଲେ, କାଲି ଦେଖିବ ସହସ୍ର ସହସ୍ର ମାଟିର ସନ୍ତାନ–ଯାହାକୁ ତୁମେ ଆଦିବାସୀ ବୋଲି ବ୍ୟଙ୍ଗ କରୁଛ । ଧିକ୍‌ ତୁମର ଜାତୀୟତା ! ରାଜନୈତିକ ଫାଇଦା ଉଠେଇବା ପାଇଁ ଖେଳ ଖେଳୁଛି ଜଣେ ନେତା । ଆଉ ତୁମେ ସବୁ ହେଇଛ ତା’ର ଶିକାର । ମୂର୍ଖ ନିର୍ବୋଧର ଦଳ !’’

 

ହଠାତ୍‌ ପୁଲିସର ହସ୍ତକ୍ଷେପ ଫଳରେ ଶାନ୍ତି ହେଲା ଅବସ୍ଥା । ଆଞ୍ଜଲୁସ୍‌ ଗଲା ବଜାରକୁ-। କିଛି ଫଳନେବ ତା’ ମା’ ପାଇଁ । ଓଃ ! ଡେରି ହେଲାଣି ବହୁତ ।

 

ସୁଦୃଶ୍ୟ ଆଧୁନିକ ଧରଣର ମାର୍କେଟ । ବିଭିନ୍ନ ଧରଣର ଦୋକାନ ପାଇଁ ଅଲଗା ଅଲଗା ବ୍ୟବସ୍ଥା । ଯେଉଁମାନଙ୍କର ଦୋକାନ ନାହିଁ ବା ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ, ସେମାନେ ବିକନ୍ତିତଳେ...ଭୂମିଆସନ । ଆଖପାଖ ଅଞ୍ଚଳରୁ ଯେଉଁମାନେ ପନିପରିବା ଆଣନ୍ତି ବିକ୍ରି କରିବା ପାଇଁ ଶିଳ୍ପନଗରୀର ବଡ଼ବଜାରରେ, ସେମାନଙ୍କର ଆସ୍ଥାନତଳେ...ଧୂଳି ଉପରେ ।

 

ଆଞ୍ଜଲୁସ୍‌ ଫଳ କିଣୁ କିଣୁ ଶୁଣିଲା ତଳେ ଗୋଟାଏ ହଇଚଇ । ତଳେ ଦଶ ବାର ଜଣ ଆଦିବାସୀ ମେଲିଛନ୍ତି ସେମାନଙ୍କର ବାଇଗଣ ପସରା । ସେମାନଙ୍କୁ ଘେରି ଛିଡ଼ା ହୋଇଛନ୍ତି ପଚିଶ ତିରିଶ ଜଣ କିଣାଳୀ...ଶିଳ୍ପ-ଶ୍ରମିକ । ଜଣେ ସାଜିଛି ନେତା । ମୁଣ୍ଡ ହଲେଇ, ଅଙ୍ଗୁଳି ଦେଖାଇ ବକି ଚାଲିଛି । ବାଇଗଣ କିଲୋ ଟଙ୍କାଏ ଚାରିଅଣା ନେବ କାହିଁକି ? ଉପରେ ତ ସବୁ ଦୋକାନରେ ଟଙ୍କାଏ; ଏମାନେ ଚାରିଅଣା ଅଧିକ ନେବେ କାହିଁକି ? ଡାକ ପୁଲିସକୁ । କାହିଁ କମ୍ପାନୀର ସିକ୍ୟୁରିଟି ଗାର୍ଡ଼ସବୁ । ଶଳେ ସବୁ ଲାଞ୍ଚୁଆ । ସମସ୍ତେ ଢିଲମ୍‌ଢ଼ିଲା । ଏମାନଙ୍କୁ ଏଠି ବସେଇଲା କିଏ ? ଏ ଜାଗା ତ ବିକ୍ରିପାଇଁ ହେଇ ନାହିଁ । ଏମାନେ ତ ଭଡ଼ା ଦିଅନ୍ତି ନାହିଁ । ଶଳାଏ ଲୁଟିକରି ଖାଇଯିବେ ଖଟିଖିଆ ମଜଦୁରର ଲହୁବୁହା ଧନ । ଜବତ୍‌ କର ଏମାନଙ୍କର ବାଇଗଣ । ଆସ, ନିଲାମ କରିଦେବା ସବୁ ।’’

 

ଦଶବାର ଜଣ ଆଦିବାସୀଙ୍କ ଭିତରୁ ଥିଲେ ଦି’ ଚାରି ଜଣ ସ୍ତ୍ରୀଲୋକ । ଜଣେ ଦି’ଜଣ ଧାଂଡ଼ି । ଜଣେ କିଏ ବଳାତ୍‌କାର ହାତ ପୂରେଇ ଜଣେ ଧାଂଡ଼ିର ପସରାରେ । ‘‘ସାବଧାନ ! ତିରଲାର ପସରାର ସେମିତି ଭାବରେ ହାତମାର ନାହିଁ ।’’–କହିଲା ପାଖରେ ବସିଥିବା ଜଣେ ବିକାଳୀ ।

 

‘‘ଓଃ, ଶଳା କହିଲା ତିର୍‌ଲା ! ଆମେ ହେଖୁନୁ ତୁମର ତିର୍‌ଲାମାନଙ୍କୁ । ଜର୍ମାନ୍‌ମାନଙ୍କ ପାଖରେ ବିକୁଛ ମହତ । ଶହ ଶହ ବୁଲୁଛ ରେଜା ହୋଇ । ପାନଖଣ୍ଡକୁ ବିକୁଛ ଦେହ । କହିଲା ତିର୍‌ଲା !’’

 

ତେଜି ଉଠିଲା ରକ୍ତ । ଝଡ଼ବେଗରେ ଧାଇଁଆସିଲା ଆଞ୍ଜଲୁସ୍‌ । ‘‘ଏ ଶାଲା, ମୁହଁ ସମ୍ଭାଳି କଥା କହ । କାହାକୁ କ’ଣ ପାଇଲୁ କିବେ ? ଶଳା ତୁମକୁ ଏଇ କଥା କିଏ କହିଲେ, ଦେଶଟାକୁ ଜାଳିଦେବା ପାଇଁ ବାହାରି ପଡ଼ୁଛ । ଆଉ ତୁମେ ସେଇ କଥା କହୁଛ ତୁମରି ଭାଇଭଉଣୀକୁ–ଏଇମାଟିର ପୁଅଙ୍କୁ ।’’ ସେତେବେଳେ ବାଇଗଣ ପସରା ଛାଡ଼ି ଛିଡ଼ାହୋଇ ପଡ଼ିଲେଣି ଦଶ ବାର ଜଣ ଆଦିବାସୀ ବିକାଳୀ । ଶଳାକୁ ଟଙ୍କାଏ ଚାରିଅଣା ଭାଉଟା ଏତେ ବାଧିଗଲା । ଶଳା ତୁମେ ଠକାମି କରି ନେବ ଓଭର୍‌ଟାଇମ, ନେବ ବୋନସ୍‌, ଦାବୀ କରିବ ବେଶି ବେଶି ମହଙ୍ଗା ଭତ୍ତା । ସବୁ ଦରକାର ତମର । ଆଉ କିଷାନ୍‌ର କିଛି ଦରକାର ନାହିଁ । ସାରା ଦେଶରେ ତୁମର ଆୟ ସବୁଠୁ ବେଶି । ତା’ ସତ୍ତ୍ୱେ ଅଧିକାପାଇଁ ଗର୍ଜି ଗର୍ଜି ଫଟେଇ ଦେଉଛ ଆକାଶ । କାରଖାନା ବନ୍ଦ କରିଦେବାକୁ ଧମକ୍‌ । ଶେଷକୁ ଯେ ମାଟିରେ ମାଟି ହୋଇ ତୁମ ପାଟିକୁ ଆହାର ଦେଉଛି, ତାକୁ ଶୋଷିବାକୁ ଜୁଲୁମ୍‌ । ଶଳା, ନିର୍ଲଜ, କଳାବେପାର କରି ଯେ କୋଟିପତି ହୋଇଛି, ଗୋଦାମରେ ମାଲ ଥାକିମାରି, ବଜାରକୁ ନ ଛାଡ଼ି ଯେ ଦରଦାମ ବଢ଼ଉଛି, ସେଇଠି ଜୁଲୁମ୍‌ କରୁନୁ । ସେଇଠି ଦେଖଉନୁ ତେଜ । ସେଇଠି କରିବୁ କୁଆଡ଼େ ? ସେଠୁ ତୋର ନେତାକୁ ଚାନ୍ଦାମିଳୁଛି ଯେ !’’

 

ଆହୁରି ତେଜି ଉଠିଲେ କିଣାଳୀଦଳ । ‘‘ନିକାଲୋ । ଶଳାଙ୍କୁ ମାର୍କେଟ୍‌ ଏରିଆରୁ ।’’ ସମସ୍ୱରରେ ଚିତ୍‌କାର କଲେ ସମସ୍ତେ ।

 

ଗର୍ଜିଉଠିଲା ଆଞ୍ଜଲୁସ୍‌ । ‘‘ଏଡ଼େ ହିମ୍ମତ ନିମକହାରାମ ହାରାମଜାଦାର ?’’ ତଳୁ ଉଠେଇଲା ଗୋଟାଏ ବାହାଙ୍ଗି । ପକେଇଲା ପାହାର କୁହାଳିଆଟାର ମୁଣ୍ଡରେ । ଚାହୁଁ ଚାହୁଁ ଆଉ ଚାରି ପାଞ୍ଚୁଟା ବିକାଳୀ ଆଦିବାସୀ ଆରମ୍ଭ କଲେ ଆକ୍ରମଣ । ଜଖମ ହୋଇ ପଡ଼ିଗଲେ ପାଞ୍ଚ ଛଅ ଜଣ ।

 

ଘଟଣାସ୍ଥଳରେ ପହଞ୍ଚିଲେ ସଶସ୍ତ୍ର ପୁଲିସ୍‌ । ଆରେଷ୍ଟ କରି ନେଇଗଲେ ଆଞ୍ଜଲୁସ୍‌କୁ ।

 

ବହୁତ ଡେରି ହେଲା ଆଞ୍ଜଲୁସ୍‌ର । ମେରୀ ପଚାରିଲାଣି ଦି’ ଚାରି ଥର । ଖବର ପାଇଲେଣି ଜୋହାନ୍‌ସ ଆଉ ମାର୍ଗାରେଟ୍‌ । ଶୁଖିଲା ଶୁଖିଲା ମୁହଁ । ଫୁସୁରଫାସର କଥା କାନରେ ବାଜିଛି ମେରୀର । ଘୁଙ୍ଗାଳି ହେଉଛି ମା’–ମନ ତା’ର । ଆଞ୍ଜଲୁସ୍‌କୁ ଦେଖିବାକୁ ବଡ଼ ବ୍ୟାକୁଳତାର ମନ । ‘‘ଆଞ୍ଜଲୁସ୍‌ ଆସିଲା ନାହିଁ ମାର୍ଗା ?’’ କ୍ଷୀଣକଣ୍ଠରେ ପଚାରିଲା ମେରୀ । ମେରୀର ଦୁଇ ଆଖିରେ ଲୁହ । ‘‘ହତଭାଗା ଆଉ ଦେଖିପାରିବ ନାହିଁ ତା’ର ମା’କୁ । ମାର୍ଗା, ତୋର ଆବା ?’’ ଆସିଲା ଜୋହାନ୍‌ସ । ମେରୀ ଛଳ ଛଳ ଆଖିରେ ଖାଲି ଚାହିଁଲା ଜୋହାନ୍‌ସକୁ । ଖରନିଃଶ୍ୱାସ ବହୁଥିଲା ମେରୀର । ହଠାତ୍‌ ଅଟକିଗଲା ନିଃଶ୍ୱାସ । ନାଡ଼ି ଚିପିଲେ ଡାକ୍ତର । ସ୍ୱାଭାବିକ ନାଡ଼ିର ସ୍ପନ୍ଦନ । ଅଥଚ ଛପି ଯାଇଛି ପ୍ରାଣ-ପବନ । ଆରମ୍ଭ ହେଲା ଯାନ୍ତ୍ରିକ ଚିକିତ୍ସା । ମାତ୍ର ପନ୍ଦର ମିନିଟର ପୁଣିଥରେ ବହିଲା ନିଃଶ୍ୱାସ । ବେଶ୍‌ ସ୍ୱାଭାବିକ । ଆଖି ଖୋଲିଲା ମେରୀ । ଆଖି ଡୋଳାର ଲକ୍ଷଣ ନୈରାଶ୍ୟଜନକ । ‘‘ଡାକ ତ ମା’କୁ’’ ନିର୍ଦ୍ଦେଶ ଦେଲେ ଡାକ୍ତର । ‘‘ମା’...ମା’...ମା’’ ଡାକିଲା ମାର୍ଗାରେଟ୍‌ । ଘୁରିଲା ମେରୀର ଆଖିଡ଼ୋଳା । ‘ମା’...ପୁଣିଥରେ ଡାକିଲା ମାର୍ଗାରେଟ୍ । ‘‘ହଁ...ଆଞ୍ଜଲୁସ୍‌ ଆସିଲା ?’’ ପଚାରିଲା ମେରୀ । ବଡ଼ ଅସ୍ପଷ୍ଟ ତା’ର କଣ୍ଠସ୍ୱର ।

 

ଜୋହାନ୍‌ସ ଗଲା ଥାନାକୁ । ବହୁତ ଚେଷ୍ଟା କଲା । ସବୁ ପଣ୍ଡ ହେଲା । ଜାମିନରେ ଛାଡ଼ିବାର ପ୍ରଶ୍ନ ନାହିଁ ଆଞ୍ଜଲୁସକୁ । ଗୁରୁତର ଅଭିଯୋଗ ଆଞ୍ଜଲୁସ ବିରୁଦ୍ଧରେ । ସାମ୍ପ୍ରଦାୟିକ ହତ୍ୟାକାଣ୍ଡ । ତା’ର ନିର୍ମମ ଆଘାତରେ ମରିଶୋଇଛି ଜଣେ ଶିଳ୍ପ-ଶ୍ରମିକ-ଟ୍ରେଡ଼ ୟୁନିୟନର ସମ୍ପାଦକ । ଫେରି ଆସିଲା ଜୋହାନ୍‌ସ ଜୀବନରେ ସବୁଠୁ ବଡ଼ ହତାଶା ନେଇ । ପୁଲିସର ମାରଫତ୍‌ରେବି ଅଣାଯାଇ ପାରିଲା ନାହିଁ ଆଞ୍ଜଲୁସ୍‌କୁ । ଉତ୍ତ୍ୟକ୍ତ ଜନତା ପୁଲିସକୁ ଆକ୍ରମଣ କରିପାରେ । ଜେଲ ହାଜତ୍‌ରୁ ବାହାରକୁ ଆଣିବାବି ବିପଜ୍ଜନକ ।

 

ମେରୀର ଆଖିରେ ଦୁଇ ଧାର ଲୁହ । ଦୁର୍ବଳ ହାତରେ କ୍ରୁଶ ଅଙ୍କନ କଲା ମେରୀ ତା’ର ଛାତିରେ । ଥରେ ଆଖି ପୂରେଇ ଚାହିଁଲା ଜୋହାନ୍‌ସ ଆଉ ମାର୍ଗାରେଟ୍‌କୁ । ତା’ପରେ ସବୁ ଶେଷ-

 

ଉଜୁଡ଼ିଗଲା ଜୋହାନ୍‌ସ୍‌ର ସଂସାର । ସ୍ତ୍ରୀ ବିୟୋଗର କିଛିଦିନ ପରେ ଅବ୍ୟାହିତ ମିଳିଲା ତାକୁ ମିସନ୍‌ ଚାକିରୀରୁ । ବୟସ ହୋଇଯାଇଥିଲା ତା’ର ।

 

ଆଞ୍ଜଲୁସ୍‌କୁ ମୁକୁଳେଇ ଆଣିବା ପାଇଁ ଶେଷ କପର୍ଦ୍ଦକ ବ୍ୟୟ କରି ସେ ହେଲା ନିଃସ୍ୱ । କ’ଣ କରିବ ? କୁଆଡ଼େ ଯିବ ? କାହିଁ ତା’ର ସମ୍ୱଳ ? ମେରୀର ମୃତ୍ୟୁ ପରେ ପରେ ଜୋହାନ୍‌ସ୍‌ର ମାନସିକ ସ୍ଥିତିବି ହୋଇ ପଡ଼ିଥିଲା ବିପର୍ଯ୍ୟସ୍ତ । ସମ୍ୱଳହୀନ ହୋଇ ପଡ଼ିବା ପରେ ଆହୁରି ଶୋଚନୀୟ ହୋଇ ପଡ଼ିଲା ତା’ର ଅବସ୍ଥା । ଭିଟାମାଟିରେ ଝୁମ୍ପୁଡ଼ି ଖଣ୍ଡେ କରି ପଡ଼ିରହିଲା ମାର୍ଗାରେଟ୍‌ ପାଇଁ । ଦୁଇ ନମ୍ୱର ସେକ୍ଟର ମଜ୍‌ଦୁର ବସ୍ତିରେ ତା’ର ଝୁମ୍ପୁଡ଼ି । ମେରୀ ରେଜା କାମ କରେ ଠିକାଦାର ପାଖରେ । ସକାଳୁ ଯାଏ । ଆସେ ସଞ୍ଜବେଳେ । ଆସେ ସେ ଭୋଖିଲା କୁକୁରଙ୍କର ଟାହିଟାପରା ଭିତରେ । ସଞ୍ଜପହରକୁ ଦି’ ଚାରିଟା ସାଇକେଲବାଲା ଚକର ଦିଅନ୍ତି ଜୋହାନ୍‌ସ୍‌ ବୁଢ଼ାର ଝୁମ୍ପୁଡ଼ି ଚାରିପଟେ । ଠିକାଦାରର ମେଣ୍ଟବାବୁ ଆସେ । ଗାଡ଼ି ଧରି ଆସେ ଠିକାଦାରର ମ୍ୟାନେଜର । ବୁଢ଼ାକୁ ଦେଖିଲେ ଶଙ୍କିଯାଆନ୍ତି । ବୁଢ଼ା ବୁଝେ ସବୁ । କିଛି କହେନା । ସେ ଜଣେ ତା’ର ଝିଅକୁ । କୁକୁର ଭୋକି ଚାଲିଥିବେ–ଝିଅ ତା’ର ହାତୀ । ବଣୁଆ ହାତୀ ।

 

ଖଟ ବୁଣେ ଜୋହାନସ୍‌ । ଆଉ ଭାବେ ତା’ର ଜୀବନ କଥା । ଜନ୍ମ ହେଲା କୋଉଠି; ଆଉ ଶେଷ ଜୀବନଟା କଟୁଛି କେମିତି ? ଖାଦ୍ୟ, ବସ୍ତୁର ଚିନ୍ତା ନଥିଲା ତା’ର–ଘୂରି ବୁଲୁଥିଲା ପ୍ରକୃତିର କୋଳରେ–ବଦାନ୍ୟ ପ୍ରକୃତିର ଅଯାଚିତ କୃପା ସମସ୍ୟାହୀନ କରିଥିଲା ତା’ର ଜୀବନକୁ । ଅଟକିଯାଏ ହାତ । ମନେ ମନେ ହସେ । ବଞ୍ଚି ରହିବାର ପ୍ରାଣମୂର୍ଚ୍ଛା ସଂଗ୍ରାମ ଭିତରେ ଯଦି ଗଢ଼ି ହୁଏ ମନୁଷ୍ୟର ସଭ୍ୟତା, ତେବେ ପ୍ରକୃତି କୋଳରେ ଛନ୍ଦହୀନ ଜୀବନ ବରଂ ଭଲ...ଖୁବ୍‌ ଭଲ । ହୋଇପାରେ ବର୍ବରତା; କିନ୍ତୁ ସେ ବର୍ବରତାରେ ଅଛି ଜୀବନର ପ୍ରକୃତ ସ୍ୱାଦ ।

 

ମାର୍ଗାରେଟ୍‌ ଯାଇଥିଲା କାମକୁ । ଦି’ ଚାରିଟା ଗୁଣ୍ଡାଧରଣର ଲୋକ ଜୋହାନ୍‌ସ୍‌ ବୁଢ଼ାକୁ ଇଙ୍ଗିତ କରି କହିଲେ ମାର୍ଗାରେଟ ବିଷୟରେ । ଜୋହାନ୍‌ସ୍‌ର ଦାରିଦ୍ର୍ୟତା ଆଉ ଦୁର୍ବଳତାର ସୁଯୋଗ ନେବାକୁ ଚାହୁଁଥିଲେ ସେମାନେ । କ’ଣ ଜାଣନ୍ତି ସେମାନେ ଜୋହାନ୍‌ସ୍‌ର ଜୀବନ ବିଷୟରେ । ପ୍ରଲୋଭନ, ଆଉ ଜୀବନ ଭୟରେ ସବୁକିଛି କରିପାରେ ଦରିଦ୍ର ଆଉ ଦୁର୍ବଳ । ଏଇ ଧାରଣା ନେଇ ଆସିଥିଲେ ସେମାନେ । ସମ୍ଭାଳି ପାରିଲା ନାହିଁ ଜୋହାନ୍‌ସ୍‌ । ‘‘ଟେରେଲିନ ଆଉ ଟେରିକଟ୍‌ ଲୁଚାଇ ପାରିବ ନାହିଁ ତୁମ ଭିତରେ ଥିବା ପଶୁକୁ । ଭୋଖିଲା କୁକୁରର ଦଳ । ଆସିଛ ଏଠାକୁ ଆମର ଅଇଁଠା ଚାଟି ବଞ୍ଚିବାକୁ । ଅଥଚ ଅକଥ୍ୟ କହିଯାଉଛି ଆମରି ଝିଅଭୁଆସୁଣୀଙ୍କ ନାଁରେ । ମରି ଯାଉନ ନିମକହାରାମ ପଶୁ ସବୁ । ତା’ପରେ ଅପ୍ରତ୍ୟାଶିତ ଭାବରେ ବୁଢ଼ା ଉପରେ ଆକ୍ରମଣ ।

 

ଉଦିତନଗର ସରକାରୀ ଡାକ୍ତରଖାନାରେ ପଡ଼ିଥିଲା ଜୋହାନ୍‌ସ୍‌ । ଅବଚେତନ ସ୍ତରରେ ତା’ର ମନରେ ଉଙ୍କି ମାରୁଥିଲେ ଦିଗହଜା ଅତୀତର ପ୍ରତିଟି ଘଟଣା ପ୍ରତିଟି କଥା, ଚଳଚ୍ଚିତ୍ରର ରିଲ ପରି । ଆଖି ତା’ର ଓଦା ହୋଇ ଆସିଲା । ଖୁବ୍‌ ଧୀରେ ଆଖି ଖୋଲିଲା ସେ । ଥରିଉଠିଲା ତା’ର ଦୁର୍ବଳ ଓଠ । ‘‘ଆଞ୍ଜଲୁସ୍‌.......’’ରହି ରହି ବହିଆସିଲା ଦୀର୍ଘଶ୍ୱାସ । ପୁଣି ଏକ ଅସହ୍ୟ ନୀରବତା । କ’ଣ ଗୁଡ଼ାଏ ବିଳିବିଳେଇ ଉଠିଲା ଜୋହାନ୍‌ସ୍‌ । ମାର୍ଗାରେଟ ଚାହିଁରହିଥିଲା ତା’ର ବାପର ମୁହଁକୁ । କି ବ୍ୟଗ୍ରତା ! କି ବାକୁଳତା ଥିଲା ମାର୍ଗାରେଟର ଆଖିରେ ! ଜୋହାନସ୍‌ ବୁଜିଥିଲା ଆଖି ।

 

ଦୁର୍ବଳ ହାତ ତା’ର ରହିଲା ମାର୍ଗାରେଟ୍‌ର ପିଠିରେ । ‘‘ମା’’, ବେଶ ସେତିକି ଠିକ୍‌ ସେତିକି ବେଳକୁ ପହଞ୍ଚିଲେ ଫାଦାର ଡେଭିଡ଼୍‌ । କାଥୋଲିକର ସଂସ୍କାର ଦେଲେ । କଫି୍‌ନରେ ନେଇ ଆସିଲେ ଜୋହାନ୍‌ସ୍‌ର ଶବ, କବର ସ୍ଥାନକୁ । ଜୋହାନ୍‌ସ୍‌କୁ କବର ଦିଆଗଲା ସେମାନଙ୍କ ପାଖରେ, ଯେଉଁମାନେ ଧର୍ମ ପାଇଁ ରଖି ଯାଇଛନ୍ତି ବିଶେଷ ଉଲ୍ଲେଖଯୋଗ୍ୟ ଅବଦାନ ।

 

ସେ ବର୍ଷ ଭାରି ଗରମ ପଡ଼ିଥିଲା । ଗଲା ଦଶବର୍ଷ ଭିତରେ ଏମିତିଆ ଗରମ ପଡ଼ି ନଥିଲା ବୋଲି ଏଠାକାର ପୁରୁଣା ବାସିନ୍ଦାବି କହୁଛନ୍ତି । ରାତି ବାରଟା ପର୍ଯ୍ୟନ୍ତ ତାତି; ଗରମ ପବନ । ତା’ପରେ ପଡ଼େ ସାମାନ୍ୟ ଥଣ୍ଡା ।

 

ଫେରୁଥିଲେ ଜର୍ମାନ ଇଞ୍ଜିନିୟର ପ୍ରେଟ୍ରିକ୍‌ । ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ଶେଷ ପରେବି ତାଙ୍କୁ ମଝିରେ ମଝିରେ ଅସମୟରେ ଯିବାକୁ ପଡ଼େ ପ୍ଳାଣ୍ଟକୁ । ଏଠିକାର ଅଭିଜ୍ଞତାରୁ ସେ ଜାଣିଛନ୍ତି ଯେ, ଏ ଦେଶର ଶିଳ୍ପ-ଶ୍ରମିକମାନଙ୍କର ଦାୟିତ୍ୱବୋଧର ଯଥେଷ୍ଟ ଅଭାବ ରହିଛି । କାମ ଆରମ୍ଭ କରି ଦେଇ ଆଁଫାରି ଶୋଇପଡ଼ନ୍ତି ନିଶ୍ଚିନ୍ତରେ । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଯେଉଁ କାମ ହେବା କଥା, ତାକୁ ଶେଷ କରିପାରନ୍ତି ନାହିଁ । ସେଇ କାମକୁ ଶେଷ କରିବାକୁ ଏମାନେ ଦରକାର କରନ୍ତି ଓଭରଟାଇମ୍‌ । କାହିଁକି ଏମାନେ କରନ୍ତି ଏମିତି ? ତଦ୍ଦ୍ୱାରା ଯେ ଦେଶ ଓ ଜାତିର କ୍ଷତି ହେଉଛି, ସେକଥା କ’ଣ ବୁଝନ୍ତି ନାଇଁ ଏମାନେ ? ତେବେ କ’ଣ ଏମାନଙ୍କର ଜାତୀୟତାବୋଧ ନାହିଁ ! ଅତି ଶୀଘ୍ର ଦେଶକୁ ଆଗେଇ ନେବାକୁ ନାହିଁ ଏମାନଙ୍କର ଆନ୍ତରିକତା । ଜାତୀୟତା ଯେ ନାହିଁ ତା’ ନୁହେଁ । ତେବେ ଏମାନଙ୍କର ଜାତୀୟତା ଏକ ଉତ୍ତେଜନା । ଆଘାତର ପ୍ରତିକ୍ରିୟା । କିଏ ଆଘାତ କଲେ ତେଜିଉଠେ ଏମାନଙ୍କର ଅନ୍ତରର ଜାତୀୟତା–ପୁରୁଷ । କର୍ମର ଆନନ୍ଦ ଅପେକ୍ଷା ବିଶ୍ରାମର ସୁଖ ଆଉ ଆଳସ୍ୟ ବିଶେଷ ଉପଭୋଗ୍ୟ ଏମାନଙ୍କର । କିନ୍ତୁ ପ୍ରକୃତରେ ଆଳସ୍ୟ ନା କ୍ଳାନ୍ତି ! ଏଠିକାର ଜଳବାୟୁ ଅବଶ୍ୟ ଖୁବ୍‌ ଶୀଘ୍ର କ୍ଳାନ୍ତି ଆଣେ । ତେବେ ଯଦି ଜର୍ମାନ ଶ୍ରମିକମାନେ ଏ ଜଳବାୟୁରେବି ଠିକ୍‌ ଭାବରେ ଆଠଘଣ୍ଟା ପରିଶ୍ରମ କରିପାରୁଛନ୍ତି; ଏମାନେ ନ ପାରିବେ କାହିଁକି ? ବରଂ ଏମାନେ ତ ଏ ଜଳବାୟୁରେ ଆଜନ୍ମରୁ ଅଭ୍ୟସ୍ତ । ତେବେ କ’ଣ ଉପଯୁକ୍ତ ଖାଦ୍ୟର ଅଭାବ ଏହାର କାରଣ ? ହିନ୍ଦୁସ୍ଥାନ ଷ୍ଟିଲ୍‌ କମ୍ପାନୀର ସର୍ବନିମ୍ନସ୍ତରର ଶ୍ରମିକର ଆୟ, ଜଣେ ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀଙ୍କ ଆୟଠୁବି ଅଧିକ । ତା’ ଉପରକୁ ନାନାପ୍ରକାର ସୁବିଧା ତ ରହିଛି । ଭାରତ ପରି ଏକ ଦରିଦ୍ର ଦେଶରେ ଏଠିକାର ଶିଳ୍ପ-ଶ୍ରମିକ ପ୍ରକୃତରେ ଏକ ସୁବିଧାରେ ଥିବା ଗୋଷ୍ଠୀ । ତଥାପି କର୍ତ୍ତବ୍ୟରେ ଆନ୍ତରିକତାର ଅଭାବ କାହିଁକି ? ଆଠ ଘଣ୍ଟାର ପରିଶ୍ରମରେ ଏମାନେ ଯଦି ପ୍ରକୃତରେ କ୍ଳାନ୍ତ, ଅବସନ୍ନ ହୋଇ ପଡ଼ୁଥାଆନ୍ତେ; ତେବେ ଓଭରଟାଇମ୍‌ ପାଇଁ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା କରୁଥାଆନ୍ତେ କାହିଁକି ? ଏଥିପାଇଁ ଏତେ ରାଜନୀତି ଚାଲିଥାଆନ୍ତା କାହିଁକି ? ତେବେ କ’ଣ ଏମାନେ ନିଜର ଜୀବନଶକ୍ତିର ବିନିମୟରେବି ଦି’ ପଇସା ରୋଜଗାର ପାଇଁ ଏତେ ବ୍ୟଗ୍ର, ବ୍ୟାକୁଳ ? ଆଉ ଏଇ ନିନ୍ଦନୀୟ ଅବାଞ୍ଛିତ ବ୍ୟଗ୍ରତାକୁ କହନ୍ତି ସେମାନେ ଶୋଷଣ ବିରୁଦ୍ଧରେ ଅଭିଯାନ ! କିନ୍ତୁ ଭାରତୀୟ ସଂସ୍କୃତି, ଭାରତୀୟ ଜୀବନଦର୍ଶନରେ ତ ଏ ପ୍ରକାର ଭାବଧାରାର ସନ୍ଧାନ ମିଳେନା । ବୋଧହୁଏ ଏଇଟା ନୂଆ ହୋଇ ମୁଣ୍ଡ ଟେକୁଥିବା ଶିଳ୍ପ-ସଭ୍ୟତାର ପ୍ରଭାବ; ପ୍ରଥମ ସ୍ପର୍ଶ । ବଡ଼ ବଡ଼ୁଆ ବୋଧହୁଏ ଜର୍ମାନ ଇଞ୍ଜିନିଅରଙ୍କୁ ଏସବୁ ଢଙ୍ଗରଙ୍ଗ । ଅଧିକ ସୁଖସୁବିଧା ପାଇଁ ଦାବୀ କର–ଦୃଢ଼ ଦାବୀ । ସଂଗ୍ରାମ କର । କରିବା ନିହାତି ଉଚିତ । ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କର । ଅନ୍ୟାୟ ଅବିଚାରର ଆଉ ଶୋଷଣ ବରଦାସ୍ତ କରିବା ଅମନୁଷ୍ୟତା । କିନ୍ତୁ ନିଜର କର୍ତ୍ତବ୍ୟରେ ଅବହେଳା କାହିଁକି ? ନିଜ ଦେଶ ଓ ଜାତିକୁ ଫାଙ୍କି ଦେବ କାହିଁକି ? ଏଠାକାର ଶିଳ୍ପ-ଶ୍ରମିକଙ୍କର ରାଜନୀତିବି ବଡ଼ ଆମୋଦ ଦିଏ ଇଞ୍ଜିନିୟର ପାଟ୍ରିକ୍‌ଙ୍କୁ । ସବୁତକ ରାଜନୀତି କର୍ତ୍ତବ୍ୟ ପାଇଁ ନିର୍ଦ୍ଧାରିତ ସମୟ ଭିତରେ । ସବୁତକ ତୁମ୍ୱି ତୋଫାନ, ଯୁକ୍ତିତର୍କ, ଉତ୍ତେଜନା ଆସ୍ଫାଳନ ପାଇଁ ସତେ ଯେମିତି ଏହାହିଁ ପ୍ରକୃଷ୍ଟ ସମୟ । ଖାଲି ଶ୍ରମିକ ନୁହଁନ୍ତି, କିରାଣୀ, ଅଫିସର ସମସ୍ତେ । ଛଅ ଘଣ୍ଟା କାମ ଭିତରୁ, ଦୁଇ ତିନି ଘଣ୍ଟା ବିତିଯାଏ ଗପ ଟପ, ଆଳାପ ଆଲୋଚନା, ଖବରକାଗଜ, ମାଗାଜିନ୍‌ସ ରାଜନୀତି ଆଉ ଚା ସିଗାରେଟ୍‌ରେ । ଅଫିସର, ଇଞ୍ଜିନିୟର ଗୋଷ୍ଠୀ ତ ଏ ଦେଶର ନୂତନ ରାଜକୁମାର । ଏମାନେ ହେଲେ ଏଇ ଦେଶର ଲହୁଣୀ–ଶିକ୍ଷିତଗୋଷ୍ଠୀ । କେଜାଣି କେବେ ଏମାନଙ୍କର ଚୈତନ୍ୟୋଦୟ ହେବ । ଏ ଦେଶ ପାଇଁ ଦରକାର ଦି’ ଚାରିଟା ବିସ୍‌ମାର୍କ–ଜଣେ ଦି’ ଜଣ ହିଟ୍‌ଲର । ଏମିତି କେତେ କ’ଣ ଭାବନ୍ତି ସେ । କିନ୍ତୁ କହନ୍ତି ନାହିଁ କାହାକୁ କିଛି । ଯେ କର୍ତ୍ତବ୍ୟରେ ଅବହେଳା କରେ, ତାଗିଦ କରନ୍ତି ନାହିଁ ତାକୁ । ସୁପ୍ତ କର୍ତ୍ତବ୍ୟବୋଧକୁ ଜାଗ୍ରତ କରିବାକୁ ଚେଷ୍ଟା କରନ୍ତି । ମେସିନ ଚଳେଇ ଦେଇ ଯେ ନିଶ୍ଚିତରେ ଘୁଙ୍ଗୁଡ଼ି ମାରୁଥାଏ, ତା’ର ନିଦଭାଙ୍ଗି କାମରେ ଲଗେଇ ଦିଅନ୍ତି । ସହାନୁଭୂତି ଆଉ ଉତ୍ସାହ । କ’ଣ କରାଯାଏ ! ନୂଆ ଜୀବନ । ପଡ଼ିପାରିନି ଧରାବନ୍ଧା ଗତରେ । କୌଣସି ପ୍ରକାର ତିକ୍ତ ମନ୍ତବ୍ୟ ଦିଅନ୍ତି ନାହିଁ । ବଡ଼ ସଂଯତ ହୋଇ ରହିବାକୁ ହୁଏ ତାଙ୍କୁ । କାରଣ ସେ ଜାଣନ୍ତି; କାହାକୁ କିଛି କହିଲେ ସେ ଅପମାନିତ ହେବ । ପରମୁହୂର୍ତ୍ତରେ ହେବ ତା’ର ସାମୂହିକ ପ୍ରତିକ୍ରିୟା । ଟ୍ରେଡ଼ ୟୁନିୟନର ପ୍ରବୀଣ ନେତାମାନେ ଅପେକ୍ଷା କରି ରହିଛନ୍ତି ଏମିତି ଗୋଟାଏ ଗୋଟାଏ ଘଟଣାକୁ । ଏଠାକାର ଟ୍ରେଡ଼ ୟୁନିୟନ ଆନ୍ଦୋଳନ ଆଉ କିଛି କରୁ ନ କରୁ, ଅନ୍ତତଃ ପ୍ରତ୍ୟେକ ଶ୍ରମିକକୁ କରିଛି ନିର୍ଭୀକ । ଉପରିସ୍ଥ କର୍ମଚାରୀଙ୍କୁ ନିର୍ଭୟରେ ଉପେକ୍ଷା ଓ ଅସମ୍ମାନ କରିବାର ଅଭଦ୍ର ମନୋବୃତ୍ତି ଭରି ଦେଇପାରିଛି ପ୍ରତି କର୍ମଚାରୀଙ୍କ ଭିତରେ । ନିର୍ଭୀକଭାବରେ କର୍ତ୍ତବ୍ୟରେ ଅବହେଳା କରିପାରିବାର ରାଜନୈତିକ ଚେତନା ଜାଗ୍ରତ କରିପାରିଛି ଏ ଦେଶର ଶିଳ୍ପ-ଶ୍ରମିକଙ୍କ ଭିତରେ । କିନ୍ତୁ ଦାୟୀ କିଏ ? ଏଠାକାର ଇଞ୍ଜିନିଅର ଆଉ ଅଫିସରଙ୍କର ସାମନ୍ତବାଦୀ ବାଦସାହୀ ମିଜାଜ ବାସ୍ତବିକ ଈର୍ଷା ଆଉ ଘୃଣା ଜାଗ୍ରତ କରେ । ଏମାନଙ୍କର ଗତିବିଧି, କାର୍ଯ୍ୟକଳାପ ଦେଖିଲେ କିଏ କହିବ ଯେ ଏମାନଙ୍କର ଦାୟିତ୍ୱବୋଧ ଅଛି । ମୂଲ୍ୟବାନ ପୋଷାକରେ ଧୂଳି ଲାଗିବ ନାହିଁ–ଲାଗିବ ନାହିଁ ମେସିନର କଳା, ଅଥଚ ଖୁବ ମୋଟା ଦରମା । ସତେ ଯେମିତି, ଖୁବ କଷ୍ଟ କରି ପାଠ ପଢ଼ିଥିଲେ ବୋଲି କମ୍ପାନୀ ବନାମ ସରକାର ଏମାନଙ୍କୁ ଦେଉଛନ୍ତି ଗୋଟାଏ ଗୋଟାଏ ପ୍ରିଭି ପର୍ସ–ରାଜକୀୟ ଭତ୍ତା । ଅବଶ୍ୟ ୟାର ଏକ ଉନ୍ନତ ଐତିହାସିକ ପରମ୍ପରାବି ରହିଛି ଏ ଦେଶରେ । ବହୁଶତାବ୍ଦୀ ଧରି ପରାଧୀନ ଥିଲା ଦେଶଟା ତ । ସବୁ ଉପରସ୍ଥ କର୍ମଚାରୀ ଥିଲେ ବୈଦେଶିକ । ଏଇ ବିଦେଶୀ ଅଫିସରମାନଙ୍କୁ ଅସମ୍ମାନ କରିବା, ଉପେକ୍ଷା କରିବା, ମୁହଁ ଝାଡ଼ି ଦୁଇପଦ ଗର୍ଜି ଆଇନଅମାନ୍ୟ କରିବାରେହିଁ ପ୍ରକଟିତ ହେଉଥିଲା ଏମାନଙ୍କର ଗଭୀର ଜାତୀୟତା । ସେଥିରେହିଁ ଫୁଟିଉଠୁଥିଲା ଏମାନଙ୍କର ସାହସ, ବୀରତ୍ୱ । ଚକ ଆଜି ଘୂରି ଯାଇଛି । କିନ୍ତୁ ଏତେ ଶୀଘ୍ର କ’ଣ ବଦଳିଯିବ ଏତେ ପୁରୁଣା ଅଭ୍ୟାସଟା । ନୂତନ ପରିସ୍ଥିତିରେ ରାଜନୀତି କରିବାର ଗଣତାନ୍ତ୍ରିକ କୌଶଳ ହୁଏତ ଶିଖି ପାରିନାହାନ୍ତି ଏ ଦେଶର ରାଜନୀତିଜ୍ଞ ନେତାମାନେ । ଶିଖିବେ । ତିକ୍ତ ଅଭିଜ୍ଞତା ପରେ ଶିଖିବେ ସବୁ । ଏମିତି କେତେ କ’ଣ ଅନାବନା ଚିନ୍ତା କରି କରି ଫେରୁଥିଲେ ଇଞ୍ଜିନିଅର ପାଟ୍ରିକ । ଫେରୁଥିଲେ ପ୍ଳାଣ୍ଟରୁ ତାଙ୍କ ବଙ୍ଗଳାକୁ । ସେକ୍ଟର ତିନିରେ ତାଙ୍କର ବଙ୍ଗଳା । ଦୁଇ ମାଇଲରୁ କମ ହେବ ନାହିଁ । ଛାଡ଼ି ଆସିଥିଲେ କାର । ଚାଲି ଚାଲି ଆସୁଥିଲେ । ଢେର ରାତି ହେଲାଣି । ବହିଲାଣି ଥଣ୍ଡା ପବନ । ସବୁ ଆଡ଼େ ଶୁନଶାନ । ଡୁବି ଯାଉଛି ଏକାଦଶୀ ଚାନ୍ଦ । କ୍ରମେ ମଉଳି ଯାଉଛି ଏକାଦଶୀ ଜହ୍ନର ପାଣ୍ଡୁର ଆଲୋକ । ବେଶ ଉପଭୋଗ୍ୟ ହୋଇଛି ଗ୍ରୀଷ୍ମ ରାତ୍ରିର ଏଇ ଶୀତଳ ପ୍ରହର । ମଉଳା ଜହ୍ନର ଶେଷ କୋମଳ ପରଶ ଲାଗିଛି ରାସ୍ତା କଡ଼ର କୃଷ୍ଣଚୂଡ଼ାରେ । ଧୀର ପଦକ୍ଷେପରେ ଚାଲିଛନ୍ତି ଇଞ୍ଜିନିଅର ସାହେବ ।

 

ଇନ୍ଦିରା ଗାନ୍ଧି ପାର୍କର ପଛପଟ ରାସ୍ତା । ଏପଟେ ପ୍ରଶସ୍ତ ପାର୍କ । ସେପଟେ ପାହାଡ଼ । ପାହାଡ଼ର ଧାରେ ଧାରେ କ୍ଷୁଦ୍ର ଏକ ଜଳଧାରା । ମଝିରେ ଲମ୍ୱି ଯାଇଛି ଶିଳ୍ପନଗରୀର ପ୍ରଶସ୍ତ ମାର୍ଗ-। ଯୋଗ କରୁଛି କାରଖାନା ଆଉ ନୂତନ ସହରାଞ୍ଚଳକୁ । ବିଜୁଳି ପୋଷ୍ଟଗୁଡ଼ିକ ଟିକିଏ ଛାଡ଼ି ଛାଡ଼ି ରହିଛି ଏ ପାଖରେ । ସେଥିରୁ ଅଧିକାଶଂରେ ଆଲୁଅ ନାହିଁ । କେତେଦିନୁ ଭାଙ୍ଗିଗଲାଣି ବଲ୍‌ବ । ନୂଆ ଦିଆହୋଇନି । ପାର୍କର ଲୁହାତାର ବାଡ଼କୁ ଲାଗି ବହଳା ହେଜ ଫେନସିଂ । ତାର ଧାରେ ଧାରେ ଗହଳିଆ ଅମରୀ ବଣ । ଚମକିପଡ଼ି ଛିଡ଼ାହେଲେ ଇଞ୍ଜିନିଅର ସାହେବ । ଅମରୀବୁଦା ଉହାଡ଼ରେ ଏ କ’ଣ ଦେଖୁଛନ୍ତି ସେ । ସଦ୍ୟଜାତ ମଣିଷଶିଶୁ ! ପାଖକୁ ଗଲେ । ସ୍ପନ୍ଦନ ଅଛି, ଅଥଚ ରୋଦନଶକ୍ତି ରହିତ । ଉପେକ୍ଷିତ–ପରିତ୍ୟକ୍ତ ମଣିଷଶିଶୁ । ପ୍ରେମର ପାରିଜାତ-। ପଡ଼ିରହିଛି ଶିଳ୍ପନଗରୀର ନନ୍ଦନ କାନନରେ । ଛାଡ଼ିଦେଇ ଚାଲିଯିବେ ? ନେଇଗଲେ ଲାଳନପାଳନ କରିବ କିଏ ? ହଠାତ୍‌ ମନେପଡ଼ିଗଲା ତାଙ୍କର ସେ ଦିନର ତାରିଖଟା । ମେ ଅଠେଇଶ । ଠିକ୍‌ ଏଇ ତାରିଖରେ ପାଞ୍ଚବର୍ଷତଳେ ହୋଇଛି ତାଙ୍କର ସ୍ତ୍ରୀ ବିୟୋଗ । ତା’ପରେ ଆଉ ବିବାହ କରିନାହାନ୍ତି ସେ । ସେ ସୁଯୋଗ ମିଳିନି ତାଙ୍କୁ । ସ୍ତ୍ରୀ ବିୟୋଗ ପରେ ପରେ ତାଙ୍କୁ ଆସିବାକୁ ପଡ଼ିଲା ଭାରତକୁ ସ୍ତ୍ରୀଙ୍କର ସ୍ମୃତିରେ ଆଖି ଓଦାହୋଇ ଆସିଲା ତାଙ୍କର । ଏ ବିଚିତ୍ର ଯୋଗ ଯୋଗ କାହିଁକି ? ଠିକ୍‌ ସେଇ ତାରିଖରେ ଉପେକ୍ଷିତ, ପରିତ୍ୟକ୍ତ ଜୀବନ୍ତ ଶିଶୁଟିକୁ ଦେଖିଲେ କାହିଁକି ? ଛାତି ତଳର ଛପିଲା ପିତୃତ୍ୱ ବିଳପି ଉଠିଲା ଇଞ୍ଜିନିଅର ପାଟ୍ରିକ୍‌ଙ୍କର । ସେ ଜର୍ମାନ । କାଥୋଲିକ୍‌ ଖ୍ରୀଷ୍ଟିଆନ । କାଳବିଳମ୍ୱ ନ କରି ଛାତିରେ ଜାବୁଡ଼ି ଧରିଲେ ଶିଶୁଟିକୁ । ମଣିଷ ଗୋଟେଇ ନେଉଛି ମଣିଷଶିଶୁକୁ–ମଣିଷର ଭବିଷ୍ୟତ ବଂଶଧରକୁ । ଗୋଟାଏ ଅଜଣା ପୁଲକରେ ଶିହରି ଉଠିଲା ଇଞ୍ଜିନିଅର ସାହେବଙ୍କର ଗୋରା ଦେହ । ଆଉ ଗୋରା ଦେହ ଭିତରେ ଥିବା ମଣିଷ ମନ ।

 

ଦ୍ରୂତ ପଦକ୍ଷେପରେ ଚାଲିଲେ ସେ ସିଧାସଳଖ ଜର୍ମାନ ହସ୍‌ପିଟାଲ୍‌କୁ । ଜର୍ମାନ-କର୍ମଚାରୀଙ୍କର ସ୍ୱତନ୍ତ୍ର ହସ୍‌ପିଟାଲ୍‌ । ବେଶୀ ଦୂର ନୁହେଁ ସେଇଠି ।

 

ହମିରପୁର କାଥୋଲିକ ମିସନର ପ୍ରକାଣ୍ଡ ହତା । ତା’ ଭିତରେ ଅଛି ବହୁତଗୁଡ଼ିଏ ଶିକ୍ଷାନୁଷ୍ଠାନ । ଅନେକ କୋଠାବାଡ଼ି ରହିଛି ତା’ ଭିତରେ । ଶିଳ୍ପନଗରୀର ଉପକଣ୍ଠରେ ହମିରପୁର ମିସନ । ଆଧୁନିକ ନଗରୀର ରୁଦ୍ଧିମନ୍ତ ବାୟୁମଣ୍ଡଳର ବହୁ ଦୂରରେ ଏ ଜାଗାଖଣ୍ଡିକ ଟିକିଏ ନିଛାଟିଆ । ବୈଷୟିକ ଆବହାଓ୍ୱାର ଲେଖ ନାହିଁ ଏଇଠି । ଆଧୁନିକ ଧରଣର ଏକ ମଠ । ପ୍ରାଚ୍ୟ ଓ ପାଶ୍ଚାତ୍ୟର ଏକ ବିଚିତ୍ର ସମନ୍ୱୟ ।

 

ଏଇ ପ୍ରଶସ୍ତ ହତା ଭିତରେ ଥିଲା ଏକ ପରିତ୍ୟକ୍ତ ଗୃହ । ସେଇଠି ପ୍ରଥମେ ଆରମ୍ଭ ହୋଇଥିଲା ମିସନ ଉଚ୍ଚବିଦ୍ୟାଳୟ ପାଇଁ ନୂତନ କୋଠା ତିଆରି ହେଲାପରେ, ସେମିତି ପଡ଼ି ରହିଥିଲା ଘର ଖଣ୍ଡିକ । ଚାରି ପାଞ୍ଚ ବଖରା ଘର । ମାଟି କାନ୍ଥ, ଖପରଲି ଛାଆଣି, ସିମେଣ୍ଟ ଚଟାଣ । ବହୁ ଜାଗାରେ ଉଠିଯାଇଥିଲା ସିମେଣ୍ଟ ଚଟାଣ । ବେମରାମତି ଯୋଗୁଁ ପାଣିଗଳି ଦି’ ଚାରି ଠା ଉଦୁରି ପଡ଼ିଥିଲା କାନ୍ଥ । ଖରାଦିନିଆ ବତାସରେ ଛାତର କେତେ ଅଂଶ ଫୁଙ୍ଗୁଳା । ଗୁଡ଼ାଏ ରୁଅବତା ଘୂଣ ଖାଇ ହାଲୁକାଏ ପବନରେ ତଳେ ପଡ଼ିଯିବା ଅବସ୍ଥାରେ ଥିଲା । ଅତି ଆଧୁନିକ ଧରଣର କୋଠା, ସୁଦୃଶ୍ୟ ବିରାଟ ଗିର୍ଜାଗୃହ ଓ ଅନ୍ୟାନ୍ୟ ବହୁ ପ୍ରାସାଦ ପରି ଗୃହ ଭିତରେ ଏଇ ପରିତ୍ୟକ୍ତ ଗୃହ ଖଣ୍ଡିକ ଦେଉଥିଲା ଏକ ବିକୃତରୁଚିର ପରିଚୟ । କେହି କିନ୍ତୁ ଭାଙ୍ଗିଯିବାକୁ ଇଚ୍ଛା କରୁ ନଥିଲେ ସେ ଘର ଖଣ୍ଡିକ । ୧୯୫୯ରେ ତିଆରି ହୋଇଥିଲା ଘରଟି । ଏ ଅଞ୍ଚଳର ପ୍ରଥମ ଶିକ୍ଷାନୁଷ୍ଠାନ । କେତେ କ’ଣ ବଦଳି ଗଲାଣି ତା’ପରେ । ଗଢ଼ିଉଠିଲାଣି କେତେ ଶିକ୍ଷାନୁଷ୍ଠାନ । ନିର୍ମାଣପଦ୍ଧତି ଓ ରୁଚିର କି ବିରାଟ ପ୍ରଗତି । ଏଇ ଘରଖଣ୍ଡିକରେ ଆଖି ଗଡ଼ିଲେହିଁ ଜଣାପଡ଼େ, ଏ ଅଞ୍ଚଳଟା ଥିଲା କ’ଣ, ଆଉ ଆଜି ହେଇଛି କ’ଣ !

 

ଫାଦାର ଡେଭିଡ଼୍‌ ହଠାତ୍‌ ମରାମତି ଆରମ୍ଭ କଲେ ଘରଖଣ୍ଡିକର । ବହୁ କାଥୋଲିକ ମହିଳା ଏଣେତେଣେ କାମ କରୁଥିଲେ ଇସ୍ପାତ୍‌ ନଗରୀରେ । ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଜାଗାର ଅଭାବ ଯୋଗୁଁ ବଡ଼ ହଇରାଣ ହେଉଥିଲେ ସେମାନେ । ନାନାପ୍ରକାର ଅସୁବିଧା ପଡ଼ୁଥିଲା ସେମାନଙ୍କୁ । ସେଇ ଧରଣର ମହିଳାଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସେ ମରାମତି କରେଇଲେ ଘରଖଣ୍ଡିକ । ମହିଳା କର୍ମୀ ବା ଶ୍ରମିକଙ୍କର ହେଲା ଏକ ହଷ୍ଟେଲ ।

 

ପାଞ୍ଚ ଦଶଜଣ ମହିଳା ଆଶ୍ରୟ ନେଇଥିଲେ ସେଇ ହଷ୍ଟେଲରେ । ଜୋହାନ୍‌ସ୍‌ର ଦେହାନ୍ତ ପରେ ଫାଦାର ଡେଭିଡ଼୍‌ ମାର୍ଗାରେଟ୍‌କୁ ଆଣି ଜାଗା ଦେଇଥିଲେ ଏଇ ହଷ୍ଟେଲରେ । ଚାରି ପାଞ୍ଚଜଣ ରେଜାଙ୍କ ଛଡ଼ା ସେଇଠି ଥିଲେ ଦୁଇଜଣ ଛାତ୍ରୀ ନର୍ସ, ଭିନ୍‌ସେଣ୍ଟ ଆଉ ଭର୍ଜିନିଆ । ଦୁଇଜଣ ଥିଲେ ହସ୍‌ପିଟାଲର ଲେଡ଼ି ଆଟେଣ୍ଡେଣ୍ଟ୍‌–ଲୁସି, ଆଉ ଅଲିଜା । ତିନିଜଣ ଆୟା–ଜର୍ମାନୀ ସାହେବଙ୍କର ଆୟା–ରେବେକା, ମାରିଅମ୍‌, ଆନା । ଏମାନଙ୍କ ସାଙ୍ଗରେ ରହିଲା ମାର୍ଗାରେଟ୍‌ । ଛାତ୍ରୀ ନର୍ସ ଆଉ ଲେଡ଼ି ଆଟେଣ୍ଡାଣ୍ଟ୍‍ମାନଙ୍କ ସାଙ୍ଗରେ ଦେଖାସାକ୍ଷାତ୍‌ ଆଳାପ ଆଲୋଚନା ଖୁବ୍‌ କମ୍‌ । ଖାଲି ରବିବାର ଦିନ ମିଳେ ସେ ସୁଯୋଗ । ରେବେକା, ମାରିଆମ୍‌ ଓ ଆନା ସଞ୍ଜପହରକୁ ଫେରିଆସନ୍ତି ଜର୍ମାନ ସାହେବଙ୍କର ବଙ୍ଗଳାରୁ କାମ ଶେଷ କରି । ମାର୍ଗାରେଟ୍‌ବି ଫେରିଆସେ ଫାଦାର ଡେଭିଡ଼୍‌ଙ୍କର ବଙ୍ଗଳାରୁ । ଆୟାମାନେ ଲାଗିପଡ଼ନ୍ତି ରନ୍ଧାବଢ଼ାରେ, ମାର୍ଗାରେଟ୍‌କୁ ରୋଷେଇ କରିବାକୁ ପଡ଼େନା । ସଞ୍ଜବେଳୁହିଁ ଶେଷ କରିଥାଏ ତା’ର ରାତ୍ରିଭୋଜନ ଫାଦାର ଡେଭିଡ଼୍‌ଙ୍କର ବଙ୍ଗଳାରେ । ଫାଦାର ଡେଭିଡ଼୍‌ ଖାଆନ୍ତି ନାହିଁ ରାତିରେ । ସୂର୍ଯ୍ୟାସ୍ତ ପୂର୍ବରୁ ଶେଷହୁଏ ତାଙ୍କର ଦିନର ଶେଷ ଭୋଜନ । ରେବେକା, ମାରିଆମ୍‌ ଆଉ ଆନା ନାନା ଆଡ଼ ନନା କଥା କହି ଭୁଲେଇ ଦିଅନ୍ତି ମାର୍ଗାରେଟ୍‌ର ମନ ।

 

ଫାଦାର ଡେଭିଡ଼୍‌ ଖୁବ୍‌ ବୁଢ଼ା । ସତୁରି ଟପିଗଲାଣି । ଇଂଲଣ୍ଡର ଲୋକ । ଏ ଅଞ୍ଚଳରେ ରହିଗଲେଣି ଗୁଡ଼ାଏ ବର୍ଷ । ପ୍ରତି ଦଶବର୍ଷରେ ଥରେ ଯାଆନ୍ତି ନିଜ ଦେଶକୁ, ଲମ୍ୱା ଛୁଟିରେ । ବଡ଼ ଆମାୟିକ–ପରୋପକାରୀ । ପୂରାପୂରି ମିସନାରୀ । ରାଜନୀତିର ଧାର ଧାରନ୍ତି ନାହିଁ । ଭଲ ଲାଗେନି ତାଙ୍କୁ । ଟିକିଏ ଖିଆଲବାଜୀ । ବେଳେ ବେଳେ ଏମିତି ଗୋଟାଏ ଗୋଟାଏ କାମ କରନ୍ତି, ଯେଉଁଥିରୁ ରାଜନୀତି ସୃଷ୍ଟି ହୁଏ । କିନ୍ତୁ ତାଙ୍କର ପ୍ରତ୍ୟକ୍ଷ ସଂପର୍କରେ ଥରେ ଆସିଲେ ସବୁକିଛିର ସମାଧାନ ହୋଇଯାଏ । ଖୋଲା ହୃଦୟ । ନରମ ବ୍ୟବହାର । ବଡ଼ ମିଠା ମିଠା କଥା । ଜ୍ଞାନର ଗଭୀରତା ଯେ କୌଣସି ବ୍ୟକ୍ତିଙ୍କୁ ଅଭିଭୂତ କରେ । ବହୁଭାଷାରେ ପ୍ରବୀଣ । ମାତୃଭାଷାରେ ଅସାଧାରଣ ଦଖଲ । ଜଣେ ପ୍ରଖ୍ୟାତନାମା ଲେଖକ । ହିନ୍ଦୁଦର୍ଶନ ଓ ଧର୍ମଶାସ୍ତ୍ରରେ ଗଭୀର ଅଧ୍ୟୟନ । ସୁଦକ୍ଷ ଚିତ୍ରକାର । ବଦାନ୍ୟତା ପାଇଁ ପ୍ରଖ୍ୟାତ ।

 

ଖାଇବାରେ ନାନାକଟକଣା । କୌଣସି ପ୍ରକାର ରୋଗ ପାଇଁ ନୁହ । ଅନିନ୍ଦ୍ୟ ସ୍ୱାସ୍ଥ୍ୟ । ଏ ବିଷୟରେବି ଅଛି ଯୁବସୁଲଭ କର୍ମତତ୍ପରତା । ଦେଖିଲେ ଜଣାପଡ଼େନି ଏତେ ବୟସ ବୋଲି । ୟୁରୋପୀୟ ହେଲେ ମଧ୍ୟ ନିରାମିଷ ଭୋଜନ । ମଦ୍ୟପାନ ଆଦୌ କରନ୍ତି ନାହିଁ । ଖାଇବା ମଧ୍ୟ ସ୍ୱତନ୍ତ୍ର । ରାତ୍ରିଭୋଜନ ମୋଟେ ନାହିଁ । ସେ ପାଦ୍ରୀ ମେସ୍‌ରେ ଖାଆନ୍ତି ନାହିଁ । ତାଙ୍କର ଜଣେ ବିଧବା ଭଉଣୀ ଥାଆନ୍ତି ପାଖରେ । ସେହିଁ ସବୁପ୍ରକାର ଯତ୍ନ ନିଅନ୍ତି ଫାଦାର ଡେଭିଡ଼୍‌ଙ୍କର । ଅଧ୍ୟୟନ, ଚିନ୍ତା, ପ୍ରାର୍ଥନା ଆଉ ଲେଖାଲେଖିରେ କଟେ ୟାଙ୍କର ଅଧିକାଂଶ ସମୟ । ନିତିଦିନିଆ କାମରେ ଖୁବ୍‌ ହେଳା ହୁଏ । କିଏ ଜଣେ ମନେପକେଇ ନ ଦେଲେ ଗଡ଼ିଯାଏ ଖିଆ ସମୟ । ସମୟ ଗଡ଼ିଗଲେ, ସେଦିନର ଖିଆ ବନ୍ଦ । ତାଙ୍କ ଭଉଣୀ କେତେ କେତେ ଘରକୁ ଗଲେ ବଡ଼ ଅସୁବିଧା ହୁଏ ଫାଦାର ଡେଭିଡ଼୍‌ଙ୍କର । ଏଇ ସେଦିନ ଗଲେ ବିଲାତକୁ ତାଙ୍କ ଭଉଣୀ । ଯେଉଁଦିନ ଜୋହାନ୍‌ସ ଦେହାନ୍ତ ହେଲା; ଠିକ୍‌ ସେଇଦିନ ବମ୍ୱେରୁ ଫେରିଥିଲେ ଫାଦାର ଡେଭିଡ଼୍‌, ଭଉଣୀକୁ ଛାଡ଼ିଦେଇ । ତିନିମାସ ପରେ ଫେରିବେ ସେ । ସେଇ ସମୟତକ ମାର୍ଗାରେଟ୍‌ ପୂରଣ କରିଥିଲା ତାଙ୍କ ସ୍ଥାନ । ଭଉଣୀ ଫେରିଲା ପରେ, କିଛି ଗୋଟାଏ ବ୍ୟବସ୍ଥା କରି ଦେବେ ସେ ମାର୍ଗାରେଟ୍‌ ପାଇଁ ।

 

ଥରେ ଘରକୁ ଗଲେ ପୁଣିଥରେ ଫେରିବାକୁ ଇଚ୍ଛା ହୁଏନା ଏଇ ଗରମ ଦେଶକୁ । ତଥାପି ଭାଇର ଅସୁବିଧା କଥା ଚିନ୍ତା କରି ଫେରିଆସିବାକୁ ହୁଏ ।

 

ସେଦିନ ସନ୍ଧ୍ୟା ସାଢ଼େ ଛଅଟାରେ ପହଞ୍ଚିଲେ ଫାଦାର ଡେଭିଡ଼୍‌ଙ୍କର ଭଉଣୀ । ତାଙ୍କର ଖାଦ୍ୟପାନୀୟର ବ୍ୟବସ୍ଥା ପରେ ଲେଉଟିଲା ମାର୍ଗାରେଟ୍‌ । ଚାକରବାକର ରଖି ଗୁଡ଼ାଏ ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି ନାହିଁ ଫାଦାର ଡେଭିଡ଼୍‌ଙ୍କର ଭଉଣୀ । ମାର୍ଗାରେଟ୍‌ ପାଇଁ ଅନ୍ୟ କିଛି ବ୍ୟବସ୍ଥା କରିବେ ଫାଦାର । ଯେ କୌଣସି କାମ କରିପାରେ ମାର୍ଗାରେଟ । ସେ ତ ପୁଣି ରେଜାକାମ କରି ପୋଷୁଥିଲା ପେଟ । ତଥାପି ଗୋଟାଏ ଅନିଶ୍ଚିତ ଅବସ୍ଥାରେ ବିଚଳିତ ହେଲା ତା’ର ମନ । ଯମ ମାଡ଼ ଖାଇ ଖାଇ ଦୁର୍ବଳ ହୋଇଥିଲା ତା’ର ମନ । ଦୁର୍ବଳ ମନ ବିଚଳିତ ହୁଏ ଏମିତି ଗୋଟାଏ ଅନିଶ୍ଚିତ ଅବସ୍ଥାରେ । କ’ଣ କରିବ ସେ ? ଫାଦାର କି ବ୍ୟବସ୍ଥା କରିବେ ତା’ ପାଇଁ । ମାର୍ଗାରେଟ ଫେରୁଥିଲା ହଷ୍ଟେଲକୁ । ଡେଭିଡ଼୍‌ଙ୍କ ବଙ୍ଗଳାରୁ ହଷ୍ଟେଲ ଫେରିବା ବାଟରେ ପଡ଼େ ମିସନ୍‌ ହସ୍‌ପିଟାଲ୍‌ । ହସ୍‌ପିଟାଲ୍‌ର ପ୍ରସୂତି ଭବନରେ ମାର୍ଗାରେଟ୍‌ ଶୁଣିଲା ଭୂମିଷ୍ଠ ଶିଶୁର କ୍ରନ୍ଦନ । କୌତୁହଳୀ ହୋଇଗଲା ସେଆଡ଼କୁ । ରିଗାଲିଆର ପୁଅ ହୋଇଛି । ରିଗାଲିଆର ପୁଅ । ଏକାଦିନ ଏଇ ଗିର୍ଜାରେ ହୋଇଥିଲା ଦି’ଟା ବିବାହ । ତା’ର ଜେକବ୍‌ ସହିତ ଆଉ ରିଗାଲିଆ ସହିତ ଲୁଇସ୍‌ର । ରିଗାଲିଆ ହେଲା ପୁଅର ମା’ । ସାର୍ଥକ ହେଲା ତା’ର ବିବାହ । ଚରିତାର୍ଥ ହେଲା ରିଗାଲିଆର ନାରୀତ୍ୱ ଆଉ ସେ ? ଆଖି ଓଦା ହୋଇ ଆସିଲା ମାର୍ଗାରେଟ୍‌ର । ଛାତିରେ ପୂରି ଆସିଲା କୋହ । ଜେକବ୍‌ର ସ୍ମୃତି ଅସ୍ଥିର କରିଦେଲା ତା’ର ମନକୁ ।

 

ପୁରୁଣାପାଣିରୁ ହମିରପୁର ମିସନ୍‌ସ୍କୁଲକୁ ପଢ଼ିବାକୁ ଆସୁଥିଲା ମାର୍ଗାରେଟ୍‌ । ଆସୁଥିଲା ଜେକବ୍‌ । ଜେକବ୍‌ ପଢ଼ୁଥିଲା ଦୁଇକ୍ଳାସ ଉପରେ । ଫେରୁଥିଲେ ଘରକୁ ଏକାସଙ୍ଗରେ । ବୁଦୁ ବୁଦୁକିଆ ଜଙ୍ଗଲ । ମହୁଲ ଆଉ ଶାଳର ପତଳା ପତଳା ବଣ । ବିଲମାଳ । ଏକାଦମ୍‌କେ ଚଢ଼ି ହେବା ଭଳି ସବୁଜ ପାହାଡ଼ର ନିଛାଟିଆ ତଳିରାସ୍ତା । ବିଭିନ୍ନ ଋତୁରେ ବିଭିନ୍ନ ସମ୍ଭାର ଧରି ସ୍ୱାଗତ କରୁଥିଲା ମାର୍ଗାରେଟ ଆଉ ଜେକବ୍‌କୁ । କେବେ କେବେ ଯାଇଥିଲେ ସବୁଜ ଧାନ ଖେତର ଲହଡ଼ା ଭାଙ୍ଗି ଭାଙ୍ଗି । ଆଉ କେବେ ବା ପାଚିଲା ଧାନ ଖେତରେ ସୁନା କଣାଭିତରେ ପାଦ ଚାଲି ଚାଲି । ମହୁଆ ଫୁଲର ମନମତାଣିଆ ମହକରେ ହଜି ଯାଇଥିଲା ମନ । ହସ ଖେଳା ଦଉଡ଼ି ଧପଡ଼ି । ଏମିତି ଗଡ଼ି ଯାଉଥିଲା ଦିନ । ଭାରି ଭଲ ଲାଗୁଥିଲା ମାର୍ଗାରେଟକୁ ଜେକବ୍‌ ସାଙ୍ଗରେ ଯିବାକୁ ।

 

ସେଦିନ ପାହାଡ଼ ତଳର ନିଛାଟିଆ ମହୁଲ ବର ଭିତରେ ମହୁଲ ଗୋଟେଇ ଗୋଟେଇ ବହି ବ୍ୟାଗରେ ଭତ୍ତି କରୁ କରୁ, ହଠାତ୍‌ ଜେକବ୍‌ ହାତ ପକେଇଲା ମାର୍ଗାରେଟର ପିଠିରେ । ଏମିତି କେତେଥର ହାତ ନ ପକେଇଛି ଜେକବ୍‌ ମାର୍ଗାରେଟର ପିଠିରେ । ଏମିତି ହାତ ପକାଇଲେ ମାର୍ଗାରେଟ୍‌ ଫୋପାଡ଼ି ଦିଏ ଜେକବ୍‌ର ହାତ । ଧାଇଁଯାଏ । ଧରାଦିଏନି । କେବେ କେବେ ମାର୍ଗାରେଟ୍‌ ଜେକବ୍‌ର ପିଠିରେ ନରମ ଚାପୁଡ଼ାଟାଏ ଦେଇ ଧାଇଁଯାଏ ଆଗକୁ । କିନ୍ତୁ ସେଦିନ କେଜାଣି କାହିଁକି, ଯାଇପାରିଲା ନାହିଁ ମାର୍ଗାରେଟ୍‌ । ଛାତିଟା ତା’ର ଧଡ଼ପଡ଼ ହେଲା । ଚଞ୍ଚଳ ଆଖି ତା’ର ଘୁରି ଆସିଲା ଚାରିପଟେ କିଏ କୁଆଡ଼େ ଦେଖୁଚି କି ? ଏ ଆଶଙ୍କା ମନ ଭିତରେ ସେଇ ପ୍ରଥମ ଅନୁଭବ କରିଥିଲା ମାର୍ଗାରେଟ୍‌ ଜେକବର ଛାତିର ସ୍ପନ୍ଦନ ଅନୁଭବ କଲା ମାର୍ଗାରେଟ୍‌ ତା’ ନିଜ ଛାତିରେ । ଦୁଇଟି ନାକର ନିଶ୍ୱାସ ଏକାକାର ହୋଇ ମିଶି ଯାଇଥିଲା ମହୁଆଫୁଲର ମହକ ଭିତରେ । ଥରିଲା ଥରିଲା ଗଳାରେ ଜେକବ୍‌ କହିଲା, ‘‘ମାର୍ଗାରେଟ୍‌’’ । ଗୋଟାଏ ମାଦକତା ଥିଲା ସେ ସମ୍ୱୋଧନରେ । ମାର୍ଗାରେଟ୍‌ ଚାହିଁପାରିଲା ନାହିଁ ଜେକବ୍‌ର ମୁହଁକୁ । ଥରିଲା ଥରିଲା ଛାତିରୁ ତା’ର ଉଦ୍‌ଗତ ବାଷ୍ପ କଣ୍ଠରେ ତା’ର ଆରମ୍ଭ କଲା ଉଦ୍ଦାମ ନୃତ୍ୟ । ଜେକବର ଏଇ ନୂଆ ସମ୍ୱୋଧନର ଅତି ଛୋଟ ଉତ୍ତରଟିଏ ଦେଲା ମାର୍ଗାରେଟ୍‌ ‘‘ଉଁ’’ ମାର୍ଗାରେଟ୍‌ ଚାହିଁଥିଲା ତଳକୁ । ପାଦର ବୁଢ଼ା ଆଙ୍ଗୁଳିରେ ଦଳି ଦେଇଥିଲା ଭୂଲୁଣ୍ଠିତ ମହୁଆ ଫୁଲଗୋଟାକୁ । ହଠାତ୍‌ ଚମକି ପଡ଼ିଲା ସେ ଗାଲରେ ପାଇ ଆଉ ଗୋଟିଏ ଓଠର ଉଷୁମ ପରଶ ଥରି ଉଠିଲା ତା’ର ଦେହଟା । କେଜାଣି କାହିଁକି ବଢ଼ି ହୋଇ ଆସୁଥିଲା ସେତେବେଳେ ।

 

ତା’ପରେ ଏମିତି ବହୁଦିନ ଫେରିଛନ୍ତି ସେମାନେ ଘରକୁ ଏକାସାଙ୍ଗରେ । ଦୁଇଟି ମନ ଖୋଜି ବୁଲୁଥାଏ ନିଛାଟିଆ ଜାଗା–ନିକାଞ୍ଚନ ।

 

ଆଉ ଦିନକର କଥା । ନାଲି ମୁରୁମ୍‌ ରାସ୍ତା ଛାଡ଼ି ସେମାନେ ଆସୁଥିଲେ ଗହୀର ବିଲମାଳ ଭିତରେ । ସଞ୍ଜ ମାଡ଼ି ଆସୁଥାଏ । ପହିଲି ଶୀତ ପଡ଼ୁଥାଏ । ସେ ବର୍ଷ ଖୁବ୍‌ ବଢ଼ିଥାଏ ଧାନ । ବିଲଭିତରେ ଗଲେ ହଜିଯିବ ମଣିଷ । ଦେହକୁ ଦେହ ବାଜି ଯାଉଥାଏ ସେମାନଙ୍କର ଦେହରେ ଦେହ ବାଜିଗଲେ କେମିତି କେମିତି ଲାଗିଯାଏ ଦେହଟା ବଡ଼ ଅଳସ ଅଳସ ଲାଗେ । ସେ ଦିନ ଜେକବର ଦୁଇ ବାହୁର ବନ୍ଧନ ଭିତରେ ରହିଯାଇଥିଲା ମାର୍ଗାରେଟ୍‌ ! ଇଚ୍ଛା ହେଉଥିଲା, ସେମିତି ରହି ଯାଇଥାଆନ୍ତାକି ଯୁଗ ଯୁଗ ଧରି । ସେ ଦିନ ଜେକବ୍‌ ପୁଣିଥରେ ଡାକିଥିଲା ସେଇ ଡାକ । କୋମଳ ଆଉ ମଧୁର । ‘‘ମାର୍ଗାରେଟ୍‌ ।’’ ଟିକିଏ ନୀରବତା ପରେ କହିଲା ‘‘ତୁ ମୋତେ ବାହାହେବୁ ?’’ ଶିହରି ଉଠିଲା ମାର୍ଗାରେଟ୍‌ର ଦେହ । ବଡ଼ ବିସ୍ମିତ ହୋଇଥିଲା ସେଦିନ ମାର୍ଗାରେଟ୍‌ । ବନ୍ଧନରେ ବାନ୍ଧିହୋଇ ରହିବାର ଯେ ବିପୁଳ ଇଚ୍ଛା, ସେକଥା କ’ଣ ଜେକବ୍‌ ବୁଝିପାରୁ ନାହିଁ ? କେମିତି ବୁଝେଇବ ତାକୁ ? ଏ କଥା କ’ଣ କୁହାଯାଏ ? କି ବୋକା ବେଳେ ବେଳେ ମରଦ ପିଲାଗୁଡ଼ାକ । ତରୁଣୀର ମୁହଁରୁ ଶୁଣିବାକୁ ଚାହାନ୍ତି ଏମାନେ ଅକୁହାକଥା । ତା’ପରେ ହଠାତ୍‌ ସବୁକିଛି ଓଲଟ ପାଲଟ । ଆକସ୍ମିକ ଭାବରେ ଜେକବର ବାପର ମୃତ୍ୟୁ । ଚାଲିଗଲେ ଜେକବ ଆଉ ତା’ର ମା’ ରାଞ୍ଜି–ଜେକବର ମାମୁଁ ଘରକୁ । ପାଠ ପଢ଼ିଲା ସେଇଠି । ପୁଣି ଫେରିଲା ରାଉରକେଲାକୁ ଧନ୍ଦା ପାଇଁ । ପାଶୋରି ନଥିଲା ମାର୍ଗାରେଟକୁ । ରାଞ୍ଜିଆଡ଼େ କୁଆଡ଼େ କେତେ କେତେ ମନଲାଖି ଧାଂଡ଼ି । ଜେକବ କିନ୍ତୁ ଭାରି ସଚ୍ଚା । ଯାହାକୁ ଥରେ ମନ ଦେଇଛି, ଆଉ ଏପଟ ସେପଟ ନାହିଁ ।

Unknown

 

ତା’ପରେ ହେଲା ତାଙ୍କର ବିବାହ । କେତେ କ’ଣ ଦେଉ ନଥିଲା ସେ ମାର୍ଗାରେଟ୍‌କୁ । ମାର୍ଗାରେଟକୁ ସେ କରିଦେଇଥିଲା ପୂରାପୂରି ଆଧୁନିକା । ଦୁହେଁ ଯାଉଥିଲେ ସିନେମା ଦେଖିବା ପାଇଁ । ଏକାଠି ବସି ଖାଉଥିଲେ ଚା’, କଫି, କୋକୋକଲା । କେତେ କ’ଣ । ଦିନ କେତୁଟାରେ ଉଡ଼େଇ ଦେଲା ଜେକବ୍‌ ଜମିବାବଦକୁ ପାଇଥିବା କ୍ଷତିପୂରଣ ଟଙ୍କାତକ । ଖାଲି ମାର୍ଗାରେଟକୁ ଖୁସି କରିବା ପାଇଁ । ଦିନେ ଦିହେଁ ଫେରୁଥିଲେ ସିନେମାରୁ । ଦେହରେ ଦେହ ଘସି ଚାଲୁଥିଲେ ରାସ୍ତାରେ, କୃଷ୍ଣଚୂଡ଼ାର ଛାଇ ଆଉ ଆଲୁଅରେ ଲୁଚକାଳି ଭିତରେ । ତାଙ୍କ ଆଗେ ଆଗେ ଚାଲିଥିଲେ ଏକ ଦମ୍ପତ୍ତି । ଆଧୁନିକ । ବଡ଼ ଅଫିସର ହେବେ ବୋଧହୁଏ । କାହାକୁ ଚିହ୍ନିବ ଏଇଠି । ପୋଷାକ ପରିଚ୍ଛଦରେ କେହି କାହାକୁ ଊଣା ନୁହନ୍ତି ଇସ୍ପାତ୍‌ନଗରୀର ପ୍ରଶସ୍ତ ମାର୍ଗରେ । ଭଦ୍ରଲୋକଙ୍କ ଛାତିରେ ଦେଢ଼ବର୍ଷର ଛୁଆଟିଏ । ଭଦ୍ରମହିଳା ବେଳେ ବେଳେ ସ୍ୱାମୀଙ୍କ ବୁକୁରେଥିବା ଶିଶୁପୁତ୍ରକୁ ଗେଲ କରୁଥିଲେ–ବୋକ ଦେଉଥିଲେ । ଜେକବ୍‌ ମାର୍ଗାରେଟର ଖୁବ୍‌ ପାଖକୁ ଲାଗି ଆସିଲା । କହିଲା ତା’ର କାନ ପାଖରେ । ‘ଆମେବି ଦିନେ ଏମିତି କରିବା ଲୋ ମାର୍ଗା ।’ ଆଉ ସମ୍ଭାଳି ପାରିଲା ନାହିଁ କୋହ । ସକେଇ ସକେଇ କାନ୍ଦିଲା ମାର୍ଗାରେଟ । ବହୁତ ବୁଝେଇଲେ ରେବେକା ଆଉ ଭର୍ଜିନିଆ ।

 

ଭାରି ଗରମ ପଡ଼ିଥିଲା ସେଦିନ । କୋଇଲିର ଆରପଟେ ନିଆଁ ଲାଗିଥିଲା ପାହାଡ଼ରେ-। ବହୁଥିଲା ତାତିଲା ପବନ । ଜଳୁଥିଲା ମାର୍ଗାରେଟର ଛାତିରେ ନିଆଁ । ନାନାଆଡ଼ୁ ଗପ କରୁ କରୁ ଗଡ଼ିଗଲା ଗୁଡ଼ାଏ ରାତି । ଲିଭି ଆସିଲା ପାହାଡ଼ର ନିଆଁ । ଧୀରେ ଧୀରେ ବହିଲା କୋଇଲିକୂଳରୁ ଶୀତଳ ପବନ । କେତେବେଳେ ଆଖିବୁଜି ହୋଇଗଲା ରେବେକା, ଭର୍ଜିନିଆ ଆଉ ଆନାର । ମାର୍ଗାରେଟବି ଲୋଟି ପଡ଼ିଥିଲା ତା’ର ଅତୀତ ଜୀବନର ଅଭୁଲା ସ୍ମୃତିରେ ଭାରାକ୍ରାନ୍ତ ମନ ଆଉ ଅବସନ୍ନ ଦେହକୁ ନେଇ । ଚାରିପଟେ ତା’ର ସ୍ୱପ୍ନର କୁହୁଡ଼ି । ଜେକବ୍‌ ଆସି ଛିଡ଼ା ହେଇଛି ତା’ ପାଖରେ-ଖୁବ୍‌ ପାଖରେ । ଜେକବ୍‌ର ଓସାରିଆ ଛାତିରେ ଏକ ଶିଶୁ । ଆଖିରେ ତା’ର ତନ୍ଦ୍ରା । ନାଲି ଟୁକୁଟୁକୁ ଓଠରେ ହସ । ହସ ସଙ୍ଗେ ସଙ୍ଗେ ଫୁଟିଉଠୁଛି ସ୍ୱପ୍ନିଳ ଶିଶୁର କ୍ରନ୍ଦନ ଭଙ୍ଗି । ‘‘ହାତଟା ମୋର କ’ଣ ହୋଇଗଲାଣି ଲୋ ମାର୍ଗା; ତୁ ଟିକିଏ ଧର ।’’ ମାର୍ଗାରେଟ୍‌ ଜେକବ୍‌ର ଛାତିରୁ ତୋଳି ଆଣିଛି ଶିଶୁଟିକୁ ତାରି ବୁକୁ ଉପରକୁ । ଘୁମନ୍ତ ଶିଶୁ ମୁହଁ ବୁଲେଇଛି ମାର୍ଗାରେଟ୍‌ର ଛାତିରେ । ବୁଜିଲା ବୁଜିଲା ଆଖିରେ ଦରାଣ୍ଡୁଛି ତା’ର ଖାଦ୍ୟର ପସରା । ମାର୍ଗାରେଟ୍‌ର ଛାତିରେ କୁତୁକୁତୁ । ଭାଙ୍ଗିଗଲା ତା’ର ନିଦ । ଆଖିଖୋଲି ଦେଖେ, ତା’ ପାଖରେ ଛିଡ଼ା ହୋଇଛନ୍ତି ଫାଦାର ଡେଭିଡ଼୍‌ । ରାତି ପାହି ନଥିଲା ସେତେବେଳେ ।

 

ଡାକ୍ତର ଶିଶୁଟିଏ ପରୀକ୍ଷା କରି ଦେଖିଲେ । ଟିକି ଦେହରେ ସେ ଆବିଷ୍କାର କଲେ ଗୋଟାଏ କ’ଣ ଇଞ୍ଜେକ୍‍ସନର ଚିହ୍ନ । ସେଇ ଇଞ୍ଜେକ୍‍ସନ୍‍ର ବିଷ କ୍ରିୟାରେ ହୁଏତ ଆଉ କେତେଘଣ୍ଟାରେ ନିଭିଯାଇ ଥାଆନ୍ତା ତା’ର ଜୀବନଦୀପ । କି ଇଞ୍ଜେକ୍‍ସନ୍ ହୋଇପାରିଥାଏ ? ନା, ନା, ସେ ଆବିଷ୍କାରର ବେଳ ନୁହେଁ ବର୍ତ୍ତମାନ । ଆଗ ଶିଶୁଟିକୁ ବଞ୍ଚାଇବାକୁ ହେବ । ଆରମ୍ଭ କଲେ ଚିକିତ୍ସା । ପରୀକ୍ଷା କଲେ ଶିଶୁର ରକ୍ତ । ଯେ କୌଣସି ପ୍ରକାର ବିଷ କ୍ରିୟାକୁ ପ୍ରତିରୋଧ କରିବା ପାଇଁ ଦେଲେ ଗୋଟାଏ ଇଞ୍ଜେକସନ୍‌ ଲକ୍ଷ୍ୟକଲେ ତା’ର ଫଳାଫଳ । ହାତଗୋଡ଼ ହଲେଇଲା ଛୁଆଟି । କିନ୍ତୁ କାନ୍ଦୁ ନାହିଁ କାହିଁକି ? ୟାଭିତରେ ଆସି ପହଞ୍ଚିଲା ରକ୍ତ ପରୀକ୍ଷାର ଫଳ । ଠିକ୍‌ ସେତିକିବେଳକୁ ଛୁଆଟିର ଝାଡ଼ା ପରିଶ୍ରାବି ହୋଇଗଲା । ଡାକ୍ତରଙ୍କ ଆଖିରେ ଝଲସି ଉଠିଲା ଆଶାର ଆଲୋକ । ପରୀକ୍ଷା କରାଗଲା ଝାଡ଼ା ପରିଶ୍ରା । ସବୁ କିଛି ପରୀକ୍ଷାର ଫଳ ଏକା ପ୍ରକାର-। ଇଞ୍ଜେକ୍‌ସନ୍‌ଦ୍ୱାରା ଶିଶୁଟିକୁ କ୍ରନ୍ଦନ ଶକ୍ତି ରହିତ କରାଯାଇଛି । ଆଗ ଜୀବନଟା ରହୁ । ବର୍ତ୍ତମାନ ନିର୍ଭୟରେ ଖାଇବାକୁ ଦିଆଗଲା ଛୁଆଟିକୁ । ବହୁଚିନ୍ତା, ଆଲୋଚନା, ଅନୁମାନ ଓ ପୁସ୍ତକ ଆଲୋଡ଼ନ ପରେ ପୁଣି ଦିଆଗଲା ଆଉ ଗୋଟାଏ ଇଞ୍ଜେକ୍‌ସନ୍‌ । ପନ୍ଦର ମିନିଟ ବିତିଗଲା । କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ । ପୁଣି ଆଉ ଗୋଟାଏ ଇଞ୍ଜେକ୍‌ସନ୍‌ । ପାଞ୍ଚ ମିନିଟ ପରେ ହାତଗୋଡ଼ ଛାଟି କାନ୍ଦି ଉଠିଲା ଛୁଆଟି । ଶିଶୁର କୁଆଁ କୁଆଁରେ ମୁଖରିତ ହେଲା ହସ୍‌ପିଟାଲ୍‌ର ନିସ୍ତବ୍‌ଧ ବାୟୁମଣ୍ଡଳ । ସେତେବେଳେ ରାତି ସାଢ଼େ ଚାରିଟା । ଶିଶୁଟିଏ ଧରି ଗାଡ଼ିରେ ସିଧାସଳଖ ଆସିଲେ ଇଞ୍ଜିନିଅର ସାହେବ ଫାଦାର ଡେଭିଡ଼୍‍ଙ୍କ ପାଖକୁ । ସେ ନିଜେ ଲାଳନପାଳନ କରିବେ ଶିଶୁଟିକୁ । ଦରକାର ଜଣେ ସୁଦକ୍ଷା ଆୟା । ଫାଦାର ଡେଭିଡ଼୍‌ଙ୍କ ଛଡ଼ା କେହି ସାହାଯ୍ୟ କରିପାରିବେ ନାହିଁ ତାଙ୍କୁ ।

 

ଆଶ୍ଚର୍ଯ୍ୟ ହେଲେ ଫାଦାର ଡେଭିଡ଼୍‌ ଇଞ୍ଜିନିଅର ସାହେବଙ୍କ ପାଖରେ ସଦ୍ୟଜାତ ଶିଶୁଟିକୁ ଦେଖି । ଆହୁରି ବିସ୍ମିତ ହେଲେ ଲକ୍ଷ୍ୟ କରି ତାଙ୍କର ପିତୃସୁଲଭ ସ୍ନେହ । ସବୁ ଘଟଣା ଶୁଣି ଆଶ୍ୱସ୍ତ ହେଲେ । ତାଙ୍କରବି ସମାଧାନ ହେଲା ଏକ ସମସ୍ୟା । ସଙ୍ଗେ ସଙ୍ଗେ ବାହାରିଲେ ସେ ମାର୍ଗାରେଟ୍‌ ପାଖକୁ ।

 

........ରାତି ପାହି ନଥିଲା ସେତେବେଳେ । ଆଶ୍ଚର୍ଯ୍ୟ ହେଲା ମାର୍ଗାରେଟ୍‌ ଏ ଅସମୟରେ ଫାଦାର ଡେଭିଡ଼୍‌ଙ୍କୁ ଦେଖି । ଆଣ୍ଠୁ ମାଡ଼ି ହେଲା ପ୍ରଣତି । ଆଶୀର୍ବାଦ ଦେଲା ଫାଦାର-। ‘‘ମୁଁ ତୋ ହାତରେ ତୋଳି ଦେବି ପ୍ରଭୁଙ୍କର ଏକ ଦାନ । ନେଇପାରିବୁ ମାର୍ଗାରେଟ୍‌ ?’’

 

‘‘ଆପଣଙ୍କର ଆଦେଶ ଅମାନ୍ୟ କରିବା ମୋ ପକ୍ଷରେ ଅସମ୍ଭବ । ଫାଦାର ।’’

 

‘‘ତେବେ ଆ ।’’

 

ଫାଦାର ଡେଭିଡ଼୍‌, ଇଞ୍ଜିନିୟରଙ୍କ କୋଳରୁ ଶିଶୁଟିକୁ ତୋଳିଆଣି, ଟେକି ଦେଲେ ମାର୍ଗାରେଟ୍‌ର ହାତକୁ । ଈଶ୍ୱରଙ୍କର ଆଶୀର୍ବାଦ ପରି ଗ୍ରହଣ କରିନେଲା ଏଇ ଶିଶୁଟିକୁ ମାର୍ଗାରେଟ୍‌-। ଦେହଟା ତା’ର ଶିହରି ଉଠିଲା । ଆଖି ହେଲା ଛଳ ଛଳ ।

 

‘‘ଆରେ, ତୋ ଆଖିରେ ଲୁହ କାହିଁକି ମାର୍ଗାରେଟ୍‌ ? ତେବେ କ’ଣ ତୁ ତୋ ଇଚ୍ଛା ବିରୁଦ୍ଧରେ ଗ୍ରହଣ କରୁଛୁ ଏ ଦାନ ?’’

 

‘‘ନା ପିତା, ଏହାହିଁ ମୋର ସ୍ୱର୍ଗତ ସ୍ୱାମୀଙ୍କର ଏହି ରାତ୍ରିର ସ୍ୱପ୍ନାଦେଶ ।’’ ଗଦ୍‌ଗଦ କଣ୍ଠରେ କହିଲା ମାର୍ଗାରେଟ୍‌ ।

 

ମାର୍ଗାରେଟ୍‌ ଗାଡ଼ିରେ ଚାଲି ଆସିଲା ଇଞ୍ଜିନିୟର ସାହେବଙ୍କର ବଙ୍ଗଳାକୁ ।

 

ମେ ମାସ ଅଠେଇଶ ତାରିଖ ରାତିର ଘଟଣାଟି ଯେ ନିହାତି ଗୋପନୀୟ ଭାବରେ ଘଟିଗଲା ତା’ ନୁହେଁ । ତେବେ ଲୋକ ମୁଖରେ ପ୍ରଚାରିତ ହେଲାବେଳେ ବଦଳିଗଲା ତା’ର ରୂପ । ରୋମାଞ୍ଚକର ସମ୍ୱାଦ ପରିବେଷଣ କରି ଯେଉଁ ସାମ୍ବାଦିକମାନେ ସମାଜରେ ଚହଳ ପକାଇ ପାରନ୍ତି, ସେମାନଙ୍କ ପାଖରେ ଖବରଟା ପହଞ୍ଚିଲା ପରେ ବଦଳିଗଲା ତା’ର ମୌଳିକ ରୂପ । ସାମ୍ବାଦିକର ଅନ୍ତର୍ଦୃଷ୍ଟି ବଳରେ ସେମାନେ କଳ୍ପନା କରି ନେଲେ ଅନେକ କଥା । ଖୋରାକ ମିଳିଗଲା ସେମାନଙ୍କୁ । ଏଇ ରୂପାନ୍ତରିତ ସମ୍ବାଦରୁ ସୃଷ୍ଟି କଲେ ସେମାନେ ନୂତନ ସାମାଜିକ ସମସ୍ୟା ।

 

କେତେକ ଇଂରାଜୀ ଦୈନିକ ପତ୍ରରେ ପ୍ରକାଶିତ ହେଲା ଏଇ ସମ୍ବାଦ । ‘କାଥୋଲିକ୍‌ ପୁରୋହିତଙ୍କର ଗୁପ୍ତ ପ୍ରଣୟ’–ଏହି ଶିରୋନାମାରେ ପ୍ରକାଶିତ ହେଲା ସମ୍ବାଦ । କାଥୋଲିକ୍‌ ପାଦ୍ରୀମାନେ ସନ୍ନ୍ୟାସ ବ୍ରତ ଆଚରଣ କରନ୍ତି । କିନ୍ତୁ ପ୍ରକୃତିରେ ସେମାନେ ଭ୍ରଷ୍ଟାଚାରୀ–ଲମ୍ପଟ । ଧର୍ମାନ୍ତରିତ ଆଦିବାସୀ ଖ୍ରୀଷ୍ଟିଆନ ତରୁଣୀମାନଙ୍କୁ ଏମାନେ ଧର୍ମର ଦ୍ୱାହି ଦେଇ, ଈଶ୍ୱରଙ୍କର ଭୟ ଦେଖାଇ ଉପଭୋଗ କରନ୍ତି । ପାପପ୍ରଣୟରୁ ଜାତ ଶିଶୁକୁ ଗୋପନରେ ହତ୍ୟା କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ ଏମାନେ । ନିକଟରେ ଏମିତି ଏକ ଶିଶୁକୁ ଉଦ୍ଧାର କରାଯାଇଛି । ତେବେ ଶିଶୁର ପ୍ରକୃତ ମାତା କିଏ ଜଣାପଡ଼ିନି । ପ୍ରକୃତ ମାତାକୁ ଆବିଷ୍କାର କରାହୋଇପାରିଲେ ବହୁ ରହସ୍ୟ ଉଦ୍‌ଘାଟିତ ହେବ । ବିଦେଶୀ ମିସନାରୀମାନଙ୍କର ଧର୍ମ ନାମରେ ଏ ବ୍ୟଭିଚାର ନିରାକରଣ ନ କରେ ସରଳ ଆଦିବାସୀମାନଙ୍କର ନିର୍ମଳ ସାମାଜିକ ଜୀବନ କଳୁଷିତ ହେବ । କଳଙ୍କିତ ହେବ ଗୋଟାଏ ନିର୍ମଳ ଜାତିର ନୈତିକ ଜୀବନ ।

 

ଏହି ପ୍ରକାଶନର ପରେ ପରେ ଆନ୍ତର୍ଜାତିକ ପ୍ରସାର ଥିବା ଏକ ପ୍ରଖ୍ୟାତ ଇଂରାଜୀ ସାପ୍ତାହିକରେ ଆଉ ଏକ ସମ୍ବାଦ । ଠିକ୍‌ ଭାବରେ ସମ୍ବାଦ ନୁହେଁ–ଏକ ସମ୍ପାଦକିୟ ଟିପପ୍‌ଣୀ । ଆଦିବାସୀ ତରୁଣୀ ଆୟାମାନଙ୍କର ଚରିତ୍ର ଉପରେ ଭିତ୍ତି କରି ଲେଖା ହୋଇଥିଲା ସମ୍ପାଦକୀୟ ଟିପ୍‌ପଣୀ । ଜର୍ମାନ ଶ୍ରମିକ ଓ ଆଦିବାସୀ ଆୟାଙ୍କ ମଧ୍ୟରେ ପାପ ସମ୍ପର୍କର ଏକ ନଗ୍ନଚିତ୍ର ପରିବେଶିତ ହୋଇଥିଲା ସେଇ ଟିପ୍‌ପଣୀରେ । ଭଦ୍ରୋଚିତ ରୁଚିବି ନଥିଲା ଲେଖାରେ । ସମ୍ପାଦକ ମହାଶୟ ସେଥିରେ ମନ୍ତବ୍ୟ କରିଥିଲେ ଯେ, ଏହାଫଳରେ ଭାରତର ଏହି ନୂତନ ଶିଳ୍ପନଗରୀରେ ଇଣ୍ଡୋଜର୍ମାନ ନାମଧେୟ ଏକ ବର୍ଣ୍ଣସଙ୍କର ଜାତିର ସୃଷ୍ଟି ହେବ । ତା’ର ବହୁ ପ୍ରତ୍ୟକ୍ଷ ପ୍ରମାଣ ରହିଛି । ଲେଖାଟିରେ ଜର୍ମାନ ଶିଳ୍ପ ଶ୍ରମିକମାନଙ୍କର ଭ୍ରଷ୍ଟାଚାରକୁ ପଦାରେ ପକାଇବାକୁ ଚେଷ୍ଟା କରାହୋଇଥିଲା, ତା’ ସାଙ୍ଗକୁ ସ୍ଥାନୀୟ ଆଦିବାସୀ ତରୁଣୀମାନଙ୍କର ଚରିତ୍ରହୀନତାକୁ ମଧ୍ୟ ଆକ୍ଷେପ କରାହୋଇଥିଲା । ଏହି ସଂକ୍ରାନ୍ତରେ ବିଦେଶୀ ମିସନାରୀମାନେ ମଧ୍ୟ ସମାଲୋଚନାରୁ ମୁକ୍ତ ହୋଇ ନଥିଲେ । ପ୍ରବନ୍ଧଟିରେ ଉଲ୍ଲିଖିତ ଥିଲା ଯେ, ଜର୍ମାନମାନଙ୍କୁ ଆୟା ଯୋଗାଇ ଦେଉଥିଲେ ପାଦ୍ରୀମାନେ । ପାଦ୍ରୀଙ୍କର ପରାମର୍ଶରେ ଏଇ ତରୁଣୀମାନେ ଆୟା ଭାବରେ ନିଯୁକ୍ତି ଗ୍ରହଣ କରୁଥିଲେ ।

 

ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଏଇ ସମ୍ବାଦ ଓ ସମ୍ପାଦକୀୟ ଟିପ୍‌ପଣୀ । ଜର୍ମାନୀ ଦେଶରେବି ଚହଳ ପଡ଼ି ଯାଇଥିଲା, ଏଇ ଲେଖାଟି ପାଇଁ । ଗୋଟାଏ ଉନ୍ନତ, ବଳିଷ୍ଠ ଆତ୍ମାଭିମାନୀ ଜାତି ପକ୍ଷରେ, ଏପରି ଏକ ମନ୍ତବ୍ୟ ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ । ରୋମ୍‌ରେ ପୋପ୍‌ ମଧ୍ୟ ବିଚଳିତ ହୋଇ ପଡ଼ିଥିଲେ । କାରଣ ଏଇ ଲେଖାରେ ମିସନାରୀମାନଙ୍କର ଚରିତ୍ର ସଂହାର ପାଇଁ କରାହୋଇଥିଲା ଏକ ହୀନ ଉଦ୍ୟମ । କାଥୋଲିକ୍‌ ସଂପ୍ରଦାୟର ନୈତିକତାକୁ କ୍ଷୁଣ୍ଣ କରିଥିଲା ଏଇ ସମ୍ବାଦ ଓ ଟିପ୍‌ପଣୀ ।

 

ଜର୍ମାନ ସରକାରଙ୍କ ପାଖରୁ ଆସିଛି ପତ୍ର । ଏହାର ଅନୁସନ୍ଧାନ ପାଇଁ । ପତ୍ର ପାଇଛନ୍ତି ଇଞ୍ଜିନିୟର ପାଟ୍ରିକ୍‌ । ପତ୍ର ସାଙ୍ଗରେ ସଂଯୁକ୍ତ ପତ୍ରିକାରେ ପ୍ରକାଶିତ ଲେଖା ଖଣ୍ଡିକବି ଆସିଛି । ଶ୍ରୀଯୁକ୍ତ ପାଟ୍ରିକ ଠିକ୍‌ ଭାବରେ ବୁଝିପାରିଲେ ଘଟଣଟା । ମାର୍ଗାରେଟ୍‌କୁ ସେ କହିଗଲେ ପତ୍ରିକାରେ ପ୍ରକାଶିତ ସମସ୍ତ ବୃତ୍ତାନ୍ତ । ‘‘ମାର୍ଗାରେଟ୍‌, ତୁମେ ସେମିତି ଏକ ଆୟା । ଆଉ ଯେଉଁ ସନ୍ତାନଟିକୁ ପାଳୁଛ ସେହି ପରିକଳ୍ପିତ ଇଣ୍ଡୋ-ଜର୍ମାନ ସଙ୍କର ଜାତିର ଆଦିପୁରୁଷ । ଏଇ ହେଲା ତୁମର ସମାଜ-। ଏଇ ହେଲା ତୁମ ଦେଶର ସମ୍ବାଦକତାର ସ୍ତର । ତୁମର ସମାଜ କିନ୍ତୁ ୟାର ପ୍ରତିବାଦ କରିପାରିବ ନାହିଁ ମାର୍ଗାରେଟ୍‌ । ତୁମ୍ଭମାନଙ୍କୁ ଆବହମାନ କାଳରୁ ଏମିତି ଏକ ସାମାଜିକ ସ୍ତରରେ ରଖା ହୋଇଛି ଯେ, ତୁମେ କିଛି କରିପାରିବ ନାହିଁ । ଏ ଦେଶର ରାଜନୀତି ଆଉ ଶାସନ ତୁମ୍ଭମାନଙ୍କୁ ଏମିତି ଭାବରେ ଚାପି ଧରିଛି ଯେ, ତୁମେ ମୁଣ୍ଡ ଟେକି ପାରିବ ନାହିଁ । ତୁମର ନିର୍ମଳ ଜୀବନର ପ୍ରମାଣ ସାବିତ୍‍ କରିପାରିବ ନାହିଁ । ତେବେ, ତୁମର ସମସ୍ତ ମନପ୍ରାଣ ଦେଇ ଗଢ଼ ଏଇ ଶିଶୁଟିକୁ । ମୋର ସମସ୍ତ ଉପାର୍ଜନ ମୁଁ ସମର୍ପି ଦେବି ୟାରି ନାଁରେ । ଆଉ ସବୁକିଛିର ଅନୁସନ୍ଧାନ ପରେ ରଖିଯିବି ଏକ ଲିପି-ଇତିହାସ । ଭବିଷ୍ୟତ୍‌ରେ ଏଇ ଶିଶୁ ଦେବ ଏ ସବୁର ଉତ୍ତର । ଏଇ ଶିଶୁର ପ୍ରକୃତ ମା’କୁ ଆବିଷ୍କାର କରିବାକୁ ହେବ । ମାର୍ଗାରେଟ୍‌ ସ୍ତବ୍‍ଧ ହୋଇ ଚାହିଁ ରହିଥିଲା ଇଞ୍ଜିନିୟର ସାହେବଙ୍କ ମୁହଁକୁ । ‘‘ତୁମକୁବି ଟାଣ ହେବାକୁ ପଡ଼ିବ ମାର୍ଗାରେଟ୍‌ । ତୁମର ସଂପ୍ରଦାୟ ପ୍ରତି ଏକପ୍ରକାର ହୀନ ଆକ୍ଷେପ ସହିଯିବା ଉଚିତ ହେବ ନାହିଁ । ତୁମକୁବି ଧୈର୍ଯ୍ୟର ସହିତ ସଂଗ୍ରାମ କରିବାକୁ ହେବ ।’’ ଉତ୍ତେଜିତ ହୋଇ ପଡ଼ିଥିଲେ ଇଞ୍ଜିନିୟର ପାଟ୍ରିକ୍‌ ।

 

ଦୁଇଦିନ ପରେ ପଡ଼ିଲା ରବିବାର । ରବିବାସରୀୟ ମାସକୁ ଯାଇଥିଲେ ପାଟ୍ରିକ, ମାର୍ଗାରେଟ୍‌ । ଛୁଆଟିକୁବି ନେଇଥିଲେ ସାଙ୍ଗରେ । ମାସ୍‌ ପ୍ରେୟାର ପରେ ଦେଖାହେଲା ଫାଦାର ଡେଭିଡ଼୍‌ଙ୍କ ସାଙ୍ଗରେ । ଫାଦାର ଡେଭିଡ଼୍‌ ଆରମ୍ଭ କଲେ ପ୍ରଥମେ ସେଇକଥା । ସେ ବି କଡ଼ାଚିଠି ପାଇଛନ୍ତି ରୋମ୍‌ରୁ । ତାଙ୍କ ନିଜ ଦେଶରୁ ମେ ଅଠେଇଶ ତାରିଖର ଘଟଣା କିପରି ରୂପାନ୍ତରିତ ହୋଇଛି–ଆଉ ମିସନାରୀମାନଙ୍କର ଚରିତ୍ର ସଂହାର କରାଯାଇଛି । ଭାରତ ସ୍ୱାଧୀନତା ପାଇଲା ପରେ ଏ ଉଦ୍ୟମ ତ ସବୁବେଳେ ଚାଲିଛି । ଦେହସୁହା ହୋଇଗଲାଣି । କିନ୍ତୁ ଏଇ ମାଟିର ଆଦିସନ୍ତାନର ନିଷ୍ପାପ ନିର୍ମଳ ଜୀବନ ଉପରେ ଏ ମିଥ୍ୟା ଆକ୍ଷେପ କାହିଁକି ? ଆମେ ତ ନିଶ୍ଚୟ ଯିବୁ ଏ ଦେଶରୁ । କିନ୍ତୁ ଏଇ ମାଟିର ସନ୍ତାନ ଉପରେ ଯେଉଁ କଳଙ୍କ ବୋଳି ଦିଆଯାଇଛି, ତା’ର ପରିଣାମ କ’ଣ ହେବ ? ଏ କଳଙ୍କ ପୋଛିବ କିଏ ? ତା’ର ଉତ୍ତର ଦେବ ଏଇ ଉପେକ୍ଷିତ ପରିତ୍ୟକ୍ତ ଶିଶୁ; ଯେ ତଥାକଥିତ ଇଣ୍ଡୋ-ଜର୍ମାନ ଜାତି ବା ବ୍ରହ୍ମଚାରୀ ସନ୍ନ୍ୟାସୀ ପାଦ୍ରୀ ଓ ଆଦିବାସୀ ତରୁଣୀଙ୍କର ଗୁପ୍ତ ପାପପ୍ରଣୟର ଜୀବନ୍ତ ପ୍ରତୀକ । ଏଥିପାଇଁ ମାର୍ଗାରେଟ୍‌କୁବି ବହୁ ତ୍ୟାଗ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ଏଇ ଶିଶୁଟିକୁ ମଣିଷ କରିବା ପାଇଁ ମୁଁ ମୋର ସବୁ କିଛି ସମର୍ପଣ କରିବି । କିନ୍ତୁ ଏ ଆକ୍ଷେପର ଉପଯୁକ୍ତ ଉତ୍ତର ପାଇଁ ଗୋଟିଏ ଜିନିଷ ନିହାତି ଦରକାର । ଏଇ ଶିଶୁଟିର ପ୍ରକୃତ ମା’କୁ ଆବିଷ୍କାର କରିବାକୁ ପଡ଼ିବ ।’’

 

‘‘ମୁଁ ବି ଠିକ୍‌ ସେଇକଥା କହୁଥିଲି ଫାଦାର ।’’

 

‘‘ଠିକ୍‌ କିମିତି ? ସେ କ’ଣ ସମ୍ଭବ ? ହୁଁ, ଆଉ ଜଣେ ଲୋକର ସହାୟତା ଦରକାର । ହାଇକୋର୍ଟ ଏପରିକି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଅପୀଲ କରି, ଯେ କୌଣସି ପ୍ରକାରେ ଆଞ୍ଜଲୁସ୍‌କୁ ମୁକ୍ତ କରିବାକୁ ହେବ ।’’ କହିଲେ ଫାଦାର ଡେଭିଡ଼୍‌ । ମୁଖମଣ୍ଡଳରେ ତାଙ୍କର ଫୁଟିଉଠିଥିଲା ଦାର୍ଶନିକର ଭଙ୍ଗୀ ।

 

ମାର୍ଗାରେଟ ରହେ ଜର୍ମାନ ଇଞ୍ଜିନିୟରଙ୍କ ବଙ୍ଗଳାରେ । ଶିଶୁଟିର ଯତ୍ନ ତା’ର କାମ । ଠିକ୍‌ ମା’ ପରି । ତିନି ଚାରିଦିନ ପାଇଁ ଆସିଥିଲେ ଜଣେ ନର୍ସ, ଜର୍ମାନ ହସ୍‍ପିଟାଲରୁ । ଏଇତକ ସମୟ ଭିତରେ ମାର୍ଗାରେଟ୍‌ ଶିଖି ନେଲା ଶିଶୁର ପରିଚର୍ଯ୍ୟ । ଜଣେ ଶିଶୁ–ବିଶେଷଜ୍ଞ ଲେଡ଼ି ଡାକ୍ତର ପ୍ରତି ଦୁଇ ତିନି ଦିନରେ ଥରେ ଦେଖିଯାଆନ୍ତି ଶିଶୁଟିକୁ । ଇଞ୍ଜିନିୟର ସାହେବଙ୍କ ଅନୁରୋଧରେ ଯେଉଁଦିନ ପ୍ରଥମ ଆସିଲେ ସେ, ମାର୍ଗାରେଟ୍‌ ବଡ଼ ଅସୁବିଧାରେ ପଡ଼ିଗଲା ସେଦିନ-। ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତରାଣୀ ପଚାରିଲେ ମାର୍ଗାରେଟ୍‌କୁ ତା’ର ନିଜ ସ୍ୱାସ୍ଥ୍ୟ ବିଷୟରେ । ‘ଶିଶୁର ଦେହପା, ଅନେକଟା ନିର୍ଭର କରେ ମୋର ସ୍ୱାସ୍ଥ୍ୟ ଉପରେ । ’ ମାର୍ଗାରେଟ୍‌କୁ ଥରେ ଭଲଭାବରେ ଚାହିଁ କହିଲେ, ‘‘ଛୁଆ ତ ମା’ଠୁ ପିଉନି ବୋଧହୁଏ ?’’ ଲାଜରେ ଝାଉଁଳିଗଲା ମାର୍ଗାରେଟ୍‌ । ଅଗତ୍ୟା ଦେଲା ତା’ର ପରିଚୟ ! ସେ ମା’ ନୁହେଁ, ଆୟା । ଡାକ୍ତରାଣୀଙ୍କ ଆଖିରେ କୌତୁହଳ । ପଚାରିଲା ଆଖିରେ ଚାହିଁ ରହିଲେ ସେ ମାର୍ଗାରେଟ୍‌ର ମୁହଁକୁ ।

 

‘‘ସାହେବ ପାଇଛନ୍ତି ଛୁଆଟିକୁ ରାସ୍ତାକଡ଼ରୁ ।’’

 

‘‘ରାସ୍ତାକଡ଼ରୁ ? କେବେ ପାଇଲେ ?’’

 

‘‘ମେ ଅଠେଇଶ ରାତି ।’’

 

କ’ଣ ଗୋଟିଏ ମନେପଡ଼ିଲା ପରି, ସେ ମନକୁ ମନ କହିଲେ, ‘ମେ ଅଠେଇଶ ।’ ତା’ପରେ ନୀରବରେ ଚାହିଁଲେ ସେ ଛୁଆଟିକୁ । ପୁଣି ମନକୁ ମନ କହିଲେ, ନା, ହୁଏତ ଅନ୍ୟ ଘଟଣାବି ହୋଇ ପାରିଥାଏ ।’

 

‘‘କିଛି କହିଲେ ନାହିଁ ଯେ ।’’

 

‘‘ନା, ନା, ସେ ଅନ୍ୟ କଥା । ହଠାତ୍‌ ମୋର ମନେପଡ଼ିଗଲା ସେଇ ରାତିର ଏକ ଘଟଣା ।’’ ମାର୍ଗାରେଟ୍‌ ଆଉ ସାହସ କଲାନି ପଚାରିବାକୁ କ’ଣ ଦରକାର ? ଅଦାବେପାରୀ ଜାହାଜ ମୂଲେଇବ କାହିଁକି ? ୟାପରେ ଡାକ୍ତରାଣୀ ବହୁବାର ଆସିଛନ୍ତି । କେବେ କିଛି କହିନାହାନ୍ତି-। ଛୁଆଟିର ସ୍ୱାସ୍ଥ୍ୟ ପରୀକ୍ଷା କରି ଚାଲି ଯାଆନ୍ତି ।

 

ଅଧିକାଂଶ ଜର୍ମାନ ସାହେବଙ୍କ ବଙ୍ଗଳାରେ ଆୟା ରହନ୍ତି । ଘରର ଯାବତୀୟ କାମ କରିବାକୁ ପଡ଼େ ସେମାନଙ୍କୁ । ଶିଶୁ ପରିଚର୍ଯ୍ୟା ମୁଖ୍ୟ । ଜର୍ମାନ ସ୍ତ୍ରୀଲୋକମାନଙ୍କର ଅନ୍ୟ ଧନ୍ଦା ନଥାଏ ବିଶେଷ କିଛି । ତେବେ ଛୁଆଟିଏ ପାଇଁ ସବୁବେଳେ ବାନ୍ଧି ହୋଇ ରହିବାକୁ ବିଶେଷ ଆଗ୍ରହ । ସ୍ୱାମୀଙ୍କ ସଙ୍ଗରେ କ୍ଳବ ଯିବାକୁ ହୁଏ । ରାତି ଦଶ, ଏଗାର ପର୍ଯ୍ୟନ୍ତ କଟିଯାଏ କ୍ଳବରେ । ଆୟା ନ ହେଲେ ଛୁଆ ଦେଖିବ କିଏ ? କେତେକ ଅବିବାହିତଙ୍କ ବଙ୍ଗଳାରେ ମଧ୍ୟ ଆୟା ଥାଆନ୍ତି । ଅବିବାହିତଙ୍କ ବଙ୍ଗଳାରେ କାମ କମ୍‌ । ଦରମା ବେଶୀ । ଜଣେ ଜଣେ ଆୟା ଦେଢ଼ଶହ, ଦୁଇଶହ ପର୍ଯ୍ୟନ୍ତ ପାଆନ୍ତି । ସକାଳୁ ସଞ୍ଜଯାଏ କାମ । ରାତିରେ ଫେରିଆସନ୍ତି ନିଜ ନିଜ ଘରକୁ । କେତେକ ଅବିବାହିତ ଜର୍ମାନ ସାହେବ ଚଳାଚଳ ପାଇଁ ପୂରାପୂରି ନିର୍ଭର କରନ୍ତି ଆୟାମାନଙ୍କ ଉପରେ । ଆୟା ହାତରେ ଆଣି ପକେଇ ଦିଅନ୍ତି ମାସକର ଖର୍ଚ୍ଚ । ତା’ପରେ ନିଶ୍ଚିନ୍ତ । ଖାଇବା ପିଇବାଠୁ ଆରମ୍ଭ କରି ପୋଷାକପତ୍ର ସଫା କରି ଇସ୍ତ୍ରି ଇତ୍ୟାଦି ସବୁକିଛି କରନ୍ତି ଆୟାମାନେ । ଆୟାମାନେ ସତେ ଯେମିତି ଜଣେ ଜଣେ ଲେଣ୍ଡ ଲେଡ଼ି ।

 

ରେବେକା, ମେରିଅମ୍‌ ଆଉ ଆନା–କାମ କରନ୍ତି ତିନିଜଣ ଅବିବାହିତ ଜର୍ମାନ ଅଫିସରଙ୍କ ବଙ୍ଗଳାରେ । ହମିରପୁର ହଷ୍ଟେଲରୁ ଯିବାଆସିବା କରନ୍ତି । ଟିକିଏ ଦୂର ପ୍ରତିଦିନ ଦୁଇଥର ଯିବାଆସିବା ଟିକିଏ କଷ୍ଟକର । ସନ୍ଧ୍ୟାପରେ ଫେରିଲାବେଳକୁ ବେଳେ ବେଳେ ଅସୁବିଧା ହୁଏ । ସେଥିପାଇଁ ଆଜିକାଲି ସାଇକେଲରେ ଯିବାଆସିବା କରୁଛନ୍ତି । ସେମାନଙ୍କୁ ସାଇକେଲ ଶିଖାଇଛନ୍ତି ସେଇ ଜର୍ମାନମାନେ । ସେଥିପାଇଁବି ରଟିଛି ଗୁଜ୍ଜବ । ରେବେକା, ମାରିଅମ୍‌, ଆନାର କାନରେ ଯେ ନ ବାଜିଛି ତା’ ନୁହେଁ । ତେବେ ଏସବୁକୁ ଖାତିର ନାହିଁ ସେମାନଙ୍କର । ମଣିଷ ସମାଜରେ ତାଙ୍କର ଗୋଷ୍ଠୀକୁ ଚିରଦିନ ହେୟ, ଘୃଣ୍ୟ କରି ରଖିବା ପାଇଁ ହୀନ ଚକ୍ରାନ୍ତ ଏସବୁ । ଏଥିରେ ବିଚଳିତ ହେଲେ ଚଳିବ ନାହିଁ । ନିଜ ଭିତରେ ନିଜେ ଶୁଦ୍ଧ ରହିଲେ ହେଲା । ଭଗବାନ ତ ଦେଖୁଛନ୍ତି ସବୁ । ମଣିଷର ଦୃଷ୍ଟି ତ ସୀମିତ । ଯେଉଁମାନେ ଆବହମାନକାଳରୁ ନାରୀକୁ ଅବିଶ୍ୱାସ କରି ଆସିଛନ୍ତି, ଯେଉଁମାନଙ୍କର ନୀତିଶାସ୍ତ୍ର କହେ ଯେ, ନାରୀ ଚରିତ୍ର ସ୍ୱୟଂ ବ୍ରହ୍ମାଙ୍କୁ ମଧ୍ୟ ଅଗୋଚର, ସେମାନଙ୍କର କାମଳ ଦୃଷ୍ଟି ସବୁଠି ଦେଖିବ ପାପର ଛାପ । ନିର୍ମଳ ସ୍ୱଚ୍ଛନ୍ଦତାରେ ସେ ଦେଖିବ ଭ୍ରଷ୍ଟାଚାର । ସେଇ ସମାଜ ଯେତେ ଆଗେଇଲେବି, ନିଜକୁ ଯେତେ ସଭ୍ୟ ଓ ପ୍ରଗତିଶୀଳ ଭାବରେ ସଜେଇଲେବି, ଏଇ ନୀଚ କୁସଂସ୍କାରରୁ ମୁକ୍ତ ହେବା କ’ଣ ସମ୍ଭବ ?

 

ଫୁରୁସତ ମିଳିଲେ ଏମାନେ ଆସନ୍ତି ମାର୍ଗାରେଟ୍‌ର ବଙ୍ଗଳାକୁ । ମାର୍ଗାରେଟ୍‌ବି ଠେଲାଗାଡ଼ିରେ ଛୁଆକୁ ବସେଇ ଆସ୍ତେ ଆସ୍ତେ ଯାଏ ରେବେକା, ମାରିଅମ୍‌ ଆଉ ଆନାର ବଙ୍ଗଳାକୁ । ନାନା ଆଳାପ, ଆଲୋଚନା, ରଙ୍ଗରସ ହୁଏ । କର୍ମମୟ ଜୀବନରେ ଏମିତି ଟିକିଏ ଟିକିଏ କଥାବାର୍ତ୍ତା, ହସଖେଳ, ଟାହିଟାପରା ନ ରହିଲେ, ଜୀବନଟା ବଡ଼ ଦୁର୍ବିସହ ହୁଅନ୍ତା ନିଶ୍ଚୟ ।

 

ମାର୍ଗାରେଟ୍‌ ରୋଷେଇ କରେନି । ସେଥିପାଇଁ ଜଣେ ବବର୍ଚି ରହିଛି । ଘରର ଅନ୍ୟାନ୍ୟ କାମଧାମ ପାଇଁ ବି ଅଛି ଜଣେ ଆୟା । ସକାଳୁ ଆସି ଚାଲିଯାଏ ବାରଟା ପୂର୍ବରୁ । ପୁଣି ଆସେ ଦୁଇଟାରେ ଓ ଫେରେ ସନ୍ଧ୍ୟା ଛଅଟାରେ । ମାର୍ଗାରେଟ୍‌ ରହେ ‘ମା’ ପରି । ମା’ର ସମ୍ମାନ ପାଏ ସେ । ଏପରିକି ଇଞ୍ଜିନିୟର ସାହେବ ମଧ୍ୟ ସମ୍ମାନ କରନ୍ତି ମାର୍ଗାରେଟ୍‌କୁ । କ୍ରମେ ଆଉ କେତେକ ଦାୟିତ୍ୱ ତୁଲେଇବାକୁ ପଡ଼ିଲା ମାର୍ଗାରେଟ୍‌କୁ । ଘରର ଚାକରବାକରମାନଙ୍କ ସହିତ ଇଞ୍ଜିନିୟର ସାହେବଙ୍କର ଆଉ କୌଣସି ପ୍ରତ୍ୟକ୍ଷ ସଂପର୍କ ରହିଲା ନାହିଁ । ସମସ୍ତେ ରହିଲେ ମାର୍ଗାରେଟ୍‌ର କର୍ତ୍ତୃତ୍ୱରେ । ମାସିକ ଦରମାବି ନିଅନ୍ତି ସେମାନେ ମାର୍ଗାରେଟ୍ ପାଖରୁ । ବ୍ୟାଙ୍କର ଚେକ୍‌ ବହିବି ମାର୍ଗାରେଟ୍‌ ପାଖରେ । ଡିପୋଜିଟ୍‌ ତାରି ନାଁରେ ।

 

ମାର୍ଗାରେଟ୍‌ ଏକପ୍ରକାର ଗୃହକର୍ତ୍ତ୍ରୀ । ଇଞ୍ଜିନିୟର ସାହେବ ଠିକ୍‌ ଭାବରେ ପରୀକ୍ଷା କରିଛନ୍ତି ମାର୍ଗାରେଟ୍‌କୁ । ସାଧୁତା, ଆଉ ସରଳାତର ମୂର୍ତ୍ତିମତୀ ଅବତାର । ପ୍ରତ୍ୟେକ କର୍ମରେ ରହିଛି ଆନ୍ତରିକତା । ଖାଲି ମାର୍ଗାରେଟ୍‌ ନୁହେଁ, ଜର୍ମାନମାନେ କହନ୍ତି, ଏ ମାଟିରେ, ଏଇ ଗୋଟିଏ ଜାତି, ଯାହାର ଅଛି କର୍ମତତ୍ପରତା ଆଉ ସାଧୁତା । ଥରେ ବିଶ୍ୱାସ କଲେ ହେଲା । କର୍ମରେ ଅବହେଳା ନାହିଁ । ନାହିଁ ଫାଙ୍କିବାର ପ୍ରବୃତ୍ତି । ଅନ୍ୟକୁ ପ୍ରତାରିତ କରି, କର୍ତ୍ତବ୍ୟରେ ଅବହେଳା କରିବାର ଧୃଷ୍ଟତା ପୋଷଣ କରି ଏମାନେ ବୁଦ୍ଧିର ପରିଚୟ ଦେବାକୁ ପ୍ରୟାସ କରନ୍ତି ନାହିଁ । ସେଥିପାଇଁ ଘରର ଯାବତୀୟ କାମ ପାଇଁ ଆୟା ନିଯୁକ୍ତ କରନ୍ତି ଏଇ ସଂପ୍ରଦାୟରୁ ।

 

ଇଞ୍ଜିନିୟର ସାହେବ କାମରୁ ଫେରି ଖେଳନ୍ତି ଛୁଆ ସାଙ୍ଗରେ । ଶିଶୁଟିର ପ୍ରତିଟି ଭଙ୍ଗୀ ଆମୋଦ ଦିଏ ଇଞ୍ଜିନିୟର ସାହେବଙ୍କୁ । ଦିଏ ନିର୍ମଳ ଆନନ୍ଦ । ଛୁଆଟିର ମୁହଁକୁ ଚାହିଁ ରହନ୍ତି ଅନେକ ସମୟ ଧରି । ତାଙ୍କର ମନେହୁଏ, ସତେ ଯେମିତି ଶିଶୁଟିର ପ୍ରତିଟି ଅବୟବରେ ସେ ଦେଖିପାରୁଛନ୍ତି କେଉଁ ଏକ ଅତିପରିଚିତା ତନ୍ୱୀର ପ୍ରତିଛବି । ମୁଗ୍‌ଧ ହୋଇ ଚାହିଁ ରହନ୍ତି ସେ ନିଦ୍ରିତ ଶିଶୁର ସ୍ୱପ୍ନିଳ ଓଠର ହସ ଆଉ କାନ୍ଦ । ତାଙ୍କର ମନେହୁଏ ସତେ ଯେମିତି ସେ ନିଜ ଆଖିରେ ଦେଖିଛନ୍ତି ଏମିତି ସୁନ୍ଦର ହସ କେଉଁ ଏକ ପରିଚିତା ତରୁଣୀର ଓଠରେ । କିନ୍ତୁ କିଏ ? କାହାର ? ଠିକ୍‌ ମନେ ପଡ଼େନା । ଗୋଳମାଳିଆ ହୋଇଯାଏ ସବୁ ।

 

ନିଃସଙ୍ଗ ଜୀବନର ଦୁଃସହ ନୀରବତାରୁ ତ୍ରାହି ପାଇବା ପାଇଁ, ସେ ଗପ କରନ୍ତି ମାର୍ଗାରେଟ୍‌ ସଙ୍ଗରେ । ଛୁଆଟିକୁ ଠେଲାଗାଡ଼ିରେ ଦେଇ ଦିହେଁ ବାହାରନ୍ତି ବୁଲିବାକୁ । ନାନାପ୍ରକାର ଗପସପ ହୁଏ । ବେଳେ ବେଳେ ଦୁଇଜଣର ଅଜ୍ଞାତରେ ଘସି ହୋଇଯାଏ ଦିହ । ମାର୍ଗାରେଟ୍‌ର ମନେପଡ଼େ ଜେକବ୍‌ର କଥା । ଆମେବି ଦିନେ ଏମିତି କରିବା ଲୋ ‘ମାର୍ଗାରେଟ୍‌ ।’ ମନେପଡ଼େ ତା’ର ସେଇ ସ୍ୱପ୍ନର କଥା ।

 

ପ୍ରତି ରବିବାର ଦିନ ମାର୍ଗାରେଟ୍‌ ଆସେ ଗୀର୍ଜାକୁ । ଆସେ ଗାଡ଼ିରେ । ଇଞ୍ଜିନିୟର ସାହେବଙ୍କ ସାଙ୍ଗରେ । ବଦଳି ଯାଇଛି ତା’ର ବେଶ ପରିପାଟୀ । ଇଞ୍ଜିନିୟରଙ୍କର ଅନୁରୋଧ ଓ ଆଦେଶକୁ ଉପେକ୍ଷା କରିପାରିନି ସେ । ହିନ୍ଦୁସ୍ଥାନ ଷ୍ଟିଲର ଯେ କୌଣସି ଉଚ୍ଚପଦସ୍ଥ କର୍ମଚାରୀଙ୍କ ସ୍ତ୍ରୀର ବେଶଭୂଷା, ପୋଷାକ ପରିଚ୍ଛଦ ତୁଳନାରେ କୌଣସି ଗୁଣରେ ନ୍ୟୂନ ନୁହେଁ ମାର୍ଗାରେଟ୍‌ର ବେଶ ପହରଣ । ଆଦବକାଇଦା ମଧ୍ୟ ଜାଣେ । ଅଭାବ ଥିଲା ଗୋଟାଏ ଜିନିଷ । କେବଳ ପୋଷାକ ପରିଚ୍ଛେଦରେ ଫୁଟିଉଠିଥିବା ପ୍ରଗତିଶୀଳତା ଓ ଆଧୁନିକତାର ଅନ୍ତରାଳରେ ଲୁଚି ରହିଥିବା ଅହମିକା ନଥିଲା ମାର୍ଗାରେଟ୍‌ର ଗତିବିଧିରେ ।

 

ମାର୍ଗାରେଟ୍‌ ଗାଡ଼ିରେ ଆସେ ଇଞ୍ଜିନିୟର ସାହେବଙ୍କ ସାଙ୍ଗରେ ବଜାରକୁ । ଦିହେଁ ମିଶି କିଣନ୍ତି ସବୁ ଦରକାରୀ ଜିନିଷ । ଛୁଆ ପାଇଁ ଖେଳନା । ଦୋକାନୀମାନେ ଚାହିଁ ରହନ୍ତି ମାର୍ଗାରେଟ୍‌କୁ । ଆଖିରେ କୌତୁହଳ । ମାର୍ଗାରେଟ୍‌ ଅନୁଭବ କରେ ସବୁ । କେବେ ବିଚଳିତ ହୁଏନି ଏମାନଙ୍କର କାମଳ ଦୃଷ୍ଟିରେ । ପାହାଡ଼ ପରି ଟାଣୁଆ ଛାତି ତା’ର ।

 

ଅନେକ ଚାହିଁ ରହନ୍ତି ଶିଶୁଟିକୁ । ଫୁସୁରଫାସର ହୁଅନ୍ତି । ମୁଡ଼ୁକେଇ ମୁଡ଼ୁକେଇ ହସନ୍ତି-। ହସରେ ଫୁଟିଉଠେ ତାଙ୍କର ପ୍ରଚ୍ଛନ୍ନ ବ୍ୟଙ୍ଗ । ବଦ୍ଧମୂଳ ଭୁଲ ଧାରଣା । ମାର୍ଗାରେଟ୍‌ ବିବ୍ରତ ହୁଏ ନାହିଁ । ଗୋଟାଏ ଭୁଲ ଧାରଣାର ବଶବର୍ତ୍ତୀ ହୋଇ, କିମିତି ଏମାନେ ପରିହାସ କରିପାରନ୍ତି ଜଣେ ନିର୍ଦ୍ଦେଷ ଓ ନିର୍ମଳ ନାରୀର ଚରିତ୍ରକୁ । ନିଜ ସମାଜର କଳଙ୍କକୁ କିମିତି ଏମାନେ ଚତୁରଭାବରେ ଚାପି ଦେଇପାରନ୍ତି ଆଉ ଏକ ମରଳ ନିଷ୍ପାପ ଗୋଷ୍ଠୀ ଉପରେ । ଧନୁତାପର ଚିହ୍ନ ନାହିଁ । ଅଛି ଅହଂକାର । ଏମାନେ ବୁଝିପାରୁ ନାହାନ୍ତି ଯେ ମାର୍ଗାରେଟ୍‌ ତୋଳି ଧରିଛି ଆଗେଇ ଯାଇଥିବା ଗୋଷ୍ଠୀର ହୀନ ଦୁର୍ବଳତାର ଏକ ପ୍ରମାଣ । ସେମାନଙ୍କର ଭ୍ରଷ୍ଟାଚାରର ଏକ ଜୀବନ୍ତ ସାକ୍ଷ୍ୟ । ମନେ ମନେ ହସେ ମାର୍ଗାରେଟ୍‌ ।

 

ଦିନେ ମାର୍ଗାରେଟ୍‌ ଯାଇଥିଲା ସାହେବଙ୍କ ସାଥିରେ କ୍ଳବକୁ । ଜୀବନରେ ମାର୍ଗାରେଟ୍‌ର ପ୍ରଥମ ଅନୁଭୂତି । ନୂତନ ଅଭିଜ୍ଞତା ।

 

ପାଚେରୀ ଘେରା ଏକ ପ୍ରଶସ୍ତ ଜାଗା । ଠିକ୍‌ ମଧ୍ୟସ୍ଥଳରେ ଏକ ସନ୍ତରଣ କୁଣ୍ଡ । ପାଣି ବାହାର ଆଉ ଭର୍ତ୍ତି କରିବାକୁ ରହିଛି ବୈଦ୍ୟୁତିକ ବ୍ୟବସ୍ଥା । ପାଣିର ଧାରେ ଧାରେ ବିଭିନ୍ନ ରଙ୍ଗର ବିଜୁଳିବତୀ । ରଙ୍ଗରଙ୍ଗେଲି ବିଜୁଳି ଆଲୁଅର ପ୍ରତିଫଳନ ହୋଇଛି ପାଣିରେ । କେଡ଼େ ସୁନ୍ଦର ! ଏଇଠି ସନ୍ତରଣ କରନ୍ତି ଜର୍ମାନ ସାହେବ ଆଉ ମେମମାନେ । ଏକସଙ୍ଗରେ ହୁଏ ସନ୍ତରଣ । ସେଇଠି ହୁଏ ସନ୍ଧ୍ୟା ସ୍ନାନ । ଜଳକ୍ରୀଡ଼ା । ଅଧା ଫୁଙ୍ଗୁଳା ଦେହରେ ଜଳକ୍ରୀଡ଼ା । ମାର୍ଗାରେଟ୍‌ର ମନେପଡ଼ିଲା ତା’ର କିଶୋରୀ ଜୀବନର କଥା । ତୁଠରେ ଲୁଗାପଟା ଥୋଇ ଦେଇ, ସେମାନେ କେମିତି ଫୁଙ୍ଗୁଳା ଦେହରେ ପଶି ଯାଉଥିଲେ ବଣ-ଝରଣାର ଲହରିତ କୋଳକୁ । ଉପରେ ନୀଳ ଆକାଶ–ତଳେ ସବୁଜ ବନାନୀ ଆଉ ବିଲମାଳ । ବନାନୀର ନୀର୍ମଳ ସ୍ୱଚ୍ଛ ଧାରରେ ସ୍ନାନରତା ମାର୍ଗାରେଟ୍‌, ରେବେକା, ଭର୍ଜିନିଆ ଆଉ କେତେ ସାଙ୍ଗସାଥୀ । ପ୍ରକୃତିର କୋଳର ଦେହ ମାଜୁଥିଲେ ସେମାନେ, ମୁକ୍ତଭାବରେ । ମାଜୁଥିଲେ ମନ । ସେଥିପାଇଁ ସେମାନଙ୍କୁ ସମାଲୋଚିତ ହେବାକୁ ପଡ଼ୁଥିଲା ଆଗେଇ ଯାଇଥିବା, ଲୋକସମାଜଦ୍ୱାରା । ବହୁ ଆଲୋଚନାରେ ଶରବ୍ୟ ହେଲାପରେ, ସେମାନେ ଆଇନ କରି ବନ୍ଦ କରି ଦେଇଥିଲେ ଏ ରୀତି । ଅନ୍ୟମାନଙ୍କ ସଙ୍ଗରେ ରହିଲେ, ସେମାନଙ୍କର ରୁଚି ପ୍ରତିବି ଶ୍ରଦ୍ଧା ସମ୍ମାନ ଦେବା ଦରକାର । ଆଜି ଦେଖୁଛି ମାର୍ଗାରେଟ୍‌ ଠିକ୍ ସେହି ରୀତି ଏକ କୃତ୍ରିମ ପରିବେଶ ଭିତରେ ।

 

ସନ୍ତରଣ କୁଣ୍ଡର ଏକ ପାଖକୁ ଲାଗି ରହିଛି ଏକ ପ୍ରଶସ୍ତ କକ୍ଷ, ସନ୍ତରଣ ପରେ ପୋଷାକ ପରିଚ୍ଛେଦ ପିନ୍ଧିବା ପାଇଁ । ଆଉ ଏକ ପାଖରେ ଅଛି କିଚେନ୍‌ । ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ ଥାଏ ସେଇଠି । ମାର୍ଗାରେଟ୍‌ର ଦୃଷ୍ଟି ଆକର୍ଷଣ କରିଥିଲା ଗୋଟିଏ ଜିନିଷ । ତଳେ ଅଛି ବିଜୁଳିର ଉତ୍ତାପ । ଉପରେ ଝୁଲୁଛି ଲୋମହୀନ କୁକୁଡ଼ା ଗୋଟା ଗୋଟା । ଉତ୍ତାପସିଦ୍ଧ । ସିଦ୍ଧ କୁକୁଡ଼ାକୁ ଆଣି ମସ୍‌ଲାଗୁଣ୍ଡ ଦେଇ ଖିଆଯିବ । ଜଳନ୍ତା ନିଆଁରେ କୁକୁଡ଼ା କୁଟୁରା ଆଉ ଠେକୁଆ ପକେଇ କେତେଥର ନ ଖାଇଛି ସେ । ବାଉଁଶ ନଳୀ ଅଥବା ଗଜାଶାଳଗଛର ଖୋଳ ଭିତରେ ମାଂସ ପୂରେଇ ନିଆଁରେ ପକେଇ ଚାରିପଟେ ଘେରି ରହିଥିବା ପ୍ରକୃତିର ସନ୍ତାନର ଅପେକ୍ଷମାନ ଦୃଶ୍ୟ ନାଚିଗଲା ତା’ର ଆଖିରେ ମନେପଡ଼ିଲା ତା’ର ଗୋଟାଏ ବଡ଼ଦିନ ଛୁଟି କଥା । ଆଞ୍ଜଲୁସ୍‌, ଜେକବ, ସାବେସ୍ତିନା, ସାବିନା ଆଉ ସେ ନିଜେ । ଯାଇଥିଲେ କୋଇଲି ଆରପଟର ପାହାଡ଼କୁ ଠେକୁଆ ପାରିଧି ପାଇଁ । କଣର ଶୁଖିଲା କାଠ ଜଳନ୍ତା ନିଆଁରେ ପକେଇ ଦେଇଥିଲେ ସେମାନେ ଦୁଇଟା ଠେକୁଆ ଆଉ ଛୋଟ କୁଟୁରାଟିଏ । କେଡ଼େ ସୁଆଦ ଲାଗିଥିଲା ସେ ମାଉଁସ । ନିଆଁ ଚାରିପଟେ କି ଉଦ୍ଦାମ ନୃତ୍ୟ !

 

କିଚେନ୍‌କୁ ଲାଗି ଆଉ ଏକ ସୁଦୃଶ୍ୟ ପ୍ରଶସ୍ତ ପ୍ରକୋଷ୍ଠ । ଏମାନେ ତାକୁ କହୁଛନ୍ତି ‘ବାର୍‌’-। ମଦ ଦୋକାନ । ବିଦେଶୀ ମଦ । ବାର ଆଗରେ ଉନ୍ମୁକ୍ତ ପ୍ରାନ୍ତର । ସବୁଜ ଦୁବଘାସ । ବଡ଼ ଯତ୍ନରେ ବଢ଼ିଛି ଏଇଠି ଦୁବଘାସ । ମେସିନ ଲଗେଇ କଟା ହୋଇଛି ସମାନ ଭାବରେ । ଏମାନେ ୟାକୁ କହୁଛନ୍ତି ଲନ୍‌ । ଲନ୍‌ରେ ପଡ଼ିଛି ଟେବୁଲ । ପ୍ରତ୍ୟେକ ଟେବୁଲରେ ଦୁଇ ଦୁଇଟି ଚୌକି । ଏଇଠି ହୁଏ ପାନ ଭୋଜନ ପର୍ବ । ବୋତଲ, ଗ୍ଳାସ, ପ୍ଳେଟ୍‌, କଣ୍ଟା ଆଉ ଚାମଚ–ପାନ ଭୋଜନର ସଭ୍ୟ ଉନ୍ନତ ଉପକରଣ । ମାର୍ଗାରେଟ୍‌ ବହୁବାର ଏ ଦୃଶ୍ୟ ଦେଖିଛି–ୟାର ଆଦିମରୂପ-। ଭାଟି ଆଗରେ ଶାଳ ଅଥବା କେନ୍ଦୁପତ୍ରର ଠୋଲାରେ ପାନ ଆଉ ହାତ ଦାନ୍ତ ଲଗେଇ ଅର୍ଦ୍ଧସି ମାଂସଖଣ୍ଡ ସହିତ ନିଶାକ୍ତ ସଂଗ୍ରାମ ।

 

‘ବାର’କୁ ଟିକିଏ ଛାଡ଼ି ଆଉ ଏକ ଘର । ଲମ୍ବାଘର-ହଲ୍‌ । ଏ ଘରଟିର ସାଜସଜ୍ଜା ବିଶେଷ ଆକର୍ଷଣୀୟ । ଏଇଠି ହୁଏ ନାଚ । ପୁରୁଷ ଆଉ ସ୍ତ୍ରୀଙ୍କର ମିଳିତ ନୃତ୍ୟ । ଆଧୁନିକ ନାମ ଟୁଇଷ୍ଟ–ବଲ୍‌ । ନିଝୁମ ରାତ୍ରର ଅନ୍ଧକାରକୁ ଦୂର କରିବାକୁ ନିଆଁ ଜାଳି, ତା’ର ଚାରିପଟେ କେତେ ନ ନାଚିଛି ମାର୍ଗାରେଟ୍‌ । ପ୍ରକୃତିର ଉନ୍ମୁକ୍ତ କ୍ରୋଡ଼ରେ, ଅନନ୍ତ ନୀଳ ଆକାଶତଳେ ଧାଣ୍ଡା ଧାଣ୍ଡୀଙ୍କର ମିଳିତ ନୃତ୍ୟ କି ସୁନ୍ଦର–କି ଉପଭୋଗ୍ୟ । ପ୍ରାଣ ପ୍ରାଚୁର୍ଯ୍ୟରେ ସ୍ୱତଃସ୍ଫୂର୍ତ୍ତ-ରସାଳ ।

 

ଏଇଠି ଖାଲି ଜର୍ମାନ ସାହେବ ଓ ମେମ୍‌ ନାହାନ୍ତି । ସେମାନଙ୍କ ସାଙ୍ଗରେ ଯୋଗ ଦେଇଛନ୍ତି ବହୁ ନରନାରୀ–ଯୁବକ ଯୁବତୀ, ପ୍ରୌଢ଼ ଓ ପ୍ରୌଢ଼ା । ଏଇ ଦେଶର–ଏଇ ମାଟିର । ଯେଉଁ ଗୋଷ୍ଠୀ ଆଦିବାସୀର ନଗ୍ନସ୍ନାନକୁ କରେ ଘୃଣା, ହାଣ୍ଡିଆ ଆଉ ଅଗ୍ନିଦଗ୍‌ଧ ମାଂସ ଭୋଜନକୁ କହେ ବର୍ବରତା, ଧାଣ୍ଡା ଧାଣ୍ଡୀର ପ୍ରାଣପୂର୍ଣ୍ଣ ନୃତ୍ୟକୁ କହେ ଚରିତ୍ରହୀନତା ସେହି ଗୋଷ୍ଠୀର ଆଧୁନିକ ଓ ସଭ୍ୟ ବୋଲାଉଥିବା ନାରୀର ସୁରାପାନ–ଉତ୍‌ଶୃଙ୍ଖଳ ମିଳାମିଶା–ପରପୁରୁଷ ସଙ୍ଗରେ ଅଣ୍ଟା ହଲେଇ, ଜାନୁ ଚମକାଇ, ଆଣ୍ଠୁ ଆଉ ପାଦ ଦୋହଲେଇ, ଉଦ୍ଦାମ ନୃତ୍ୟ, ମାର୍ଗାରେଟ୍‌କୁ ଆମୋଦ ଦେଇଥିଲା ।

 

ତା’ପରେ ବହୁବାର ଯାଇଛି ମାର୍ଗାରେଟ୍‌ କ୍ଳବକୁ । ଥରେ ଦୁଇଥର ନାଚିଛି । ବଡ଼ ସୁନ୍ଦର ତା’ର ନୃତ୍ୟଭଙ୍ଗୀ ଜର୍ମାନ କ୍ଳବର ସେ ବ୍ଳାକ୍‌ ବିଉଟି । କଳା ଦେହରେବି ରହିଛି ଅଙ୍ଗ ଗଠନର ସୌଷ୍ଠବ । ରହିଛି କମନୀୟତା । ଅଛି ଚାହାଣୀର ଚଟୁଳତା । ତେବେ ସେ ନାଚିନି ପରପୁରୁଷ ସାଙ୍ଗରେ । ହୁଇସ୍‌କିର ନିଶାରେ ମସ୍‌ଗୁଲ ହୋଇ ଢଳି ପଡ଼ିନି କାହାରି ଛାତି ଉପରେ । ନାଚିଛି ଏକୁଟିଆ ।

 

ମାସକୁ ଥରେ ହୁଏ କ୍ଳବ ଡେ । ଏମିତି କ୍ଳବ ଡେରେ ସେ ଦେଖେଇଛି ଆଦିବାସୀ ନୃତ୍ୟର ନମୁନା । ଗାଇଛି ସାଦ୍‌ରୀ ଭାଷାର ରସରସିଆ ସଙ୍ଗୀତ । ଏମିତି ଏକ କ୍ଳବ ଡେରେ ରେବେକା, ମାରିଅମ୍‌, ଆନା ଆଉ ମାର୍ଗାରେଟ୍‌ ଦେଇଥିଲେ ଏକ ନୃତ୍ୟ । ରାୟପୁରୀ ନୃତ୍ୟ । ଇଞ୍ଜିନିୟର ସାହେବଙ୍କର ବିଶେଷ ଅନୁରୋଧରେ ମାର୍ଗାରେଟ୍‌ ଆୟୋଜନ କରିଥିଲା । କ୍ଳବ ଡେର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଭିତରେ ଥିଲା ଏଇ ଲୋକନୃତ୍ୟ–ବିଶେଷ ଆକର୍ଷଣ ।

 

ଚମତ୍କାର ହୋଇଥିଲା ନାଚ । ସଙ୍ଗୀତର ସୁର, ନୃତ୍ୟର ଭଙ୍ଗୀ ବିଶେଷତଃ ପଦଚାଳନା ଆଉ କଟିରଭଙ୍ଗୀ ମସ୍‌ଗୁଲ୍‌ କରିଥିଲା ଦର୍ଶକମଣ୍ଡଳୀକୁ । ବହୁଗୁଡ଼ିଏ ଫଟୋ ନିଆ ହୋଇଥିଲା ଏଇ ନୃତ୍ୟର । ମାର୍ଗାରେଟ୍‌, ମାରିଅମ୍‌, ଆନା ପ୍ରଭୃତିର ବେଶ୍‌ ପରିପାଟୀ ଥିଲା ଆଦିମ୍‌ ଧରଣର । ବକ୍ଷରେ ଥିଲା ଖାଲି ଫୁଲପତ୍ରର ଆଭରଣ । ଗଭାରେ କୁରେଇ ଫୁଲର ଝୁମ୍ପା । କଟିରେ କୌପିକ ଆଉ ଝୁଲୁଥିଲା ଧାତ୍‌କୀ ଆଉ ପଲାଣ ଫୁଲର ବର୍ଣ୍ଣାଢ଼୍ୟ ଆଭରଣ । ଏଇ ଲୋକନୃତ୍ୟରେ ଫୁଟିଉଠିଥିଲା ପ୍ରକୃତି କୋଳରେ ବଢ଼ି ଆସିଥିବା ଏକ କଳିଷ୍ଠ ଜାତିର ସଂସ୍କୃତି, ଜୀବନଦର୍ଶତ–ସ୍ୱଚ୍ଛନ୍ଦଜୀବନର ବାଧାହୀନ ଧାରା, ଜାତିର ପରମ୍ପରା । ନଥିଲା ଯୌନପିପାସାର ଆଧୁନିକ ବିକୃତ ବିକାଶ । ନଥିଲା ଅନ୍ୟକୁ ଆକର୍ଷଣ କରିବାର ବିକଚ ବିଭାବ । ତଥାପି ସମାଲୋଚିତ ହୋଇଥିଲା ଜନ-ସମାଜରେ । ନିନ୍ଦିତ ହୋଇଥିଲା ଗୋଟିଏ ଗୋଷ୍ଠୀର ତରୁଣୀ ସମାଜ ଆଉ ସମାଲୋଚନାରେ ଶରବ୍ୟ ହୋଇଥିଲେ ଜର୍ମାନ କ୍ଳବର ଉଦୋକ୍ତାଗଣ ।

 

ପତ୍ରପତ୍ରିକାର ଏଇ ତିକ୍ତ ସମାଲୋଚନା ଶୁଣିଛନ୍ତି ମାର୍ଗାରେଟ୍‌, ରେବେକା ଓ ଆନା । ଆଶ୍ଚର୍ଯ୍ୟ ହୋଇଛନ୍ତି । ତାଙ୍କ ଉପରେ ଏ ଆକ୍ରୋଶ କାହିଁକି ? ଯେଉଁ ସମାଜର ଆଧୁନିକା ନିଜର ପରମ୍ପରା ଆଉ ସଂସ୍କୃତିକୁ ହତ୍ୟା କରି ପରପୁରୁଷ ସଙ୍ଗରେ ଉଦ୍ଦାମ ନୃତ୍ୟ କରେ, ମଦର ନିଶାରେ ଢଳିପଡ଼େ ବିବସ୍ତ୍ରା ହୋଇ ଅନ୍ୟର ଛାତି ଉପରେ, କାହିଁ ସେମାନଙ୍କୁ ତ କେହି ସମାଲୋଚନା କରୁ ନାହିଁ ? ସେମାନଙ୍କର ନୈତିକତାକୁ ତ କେହି ଆକ୍ଷେପ କରୁ ନାହିଁ ?

 

ଜର୍ମାନ ଇଞ୍ଜିନିୟର ପାଇଛନ୍ତି ଏକ ସ୍ୱତନ୍ତ୍ର ନିମନ୍ତ୍ରଣ । ରାଉରକେଲା କ୍ଳବରେ ଅଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ରାଉରକେଲା କ୍ଳବ । ଦେଶୀମାଟିରେ ସଂପୂର୍ଣ୍ଣ ବିଦେଶୀ ଢାଞ୍ଚାର ଗୋଟିଏ ସୁନ୍ଦର ଅନୁଷ୍ଠାନ । ସାଂସ୍କୃତିକ ଅନୁଷ୍ଠାନ–ଚିତ୍ତବିନୋଦନ କେନ୍ଦ୍ର । ହିନ୍ଦୁସ୍ଥାନ ଷ୍ଟିଲ କମ୍ପାନୀର ଉଚ୍ଚପାହିଆ କର୍ମଚାରୀଙ୍କର ଆଡ଼୍‍ଡ଼ାର ସ୍ଥଳୀ । ସନ୍ଧ୍ୟାମିଳନର ପୀଠ । ଚିତ୍ତବିନୋଦନ ପାଇଁ ଏଇଠି ହୁଏ ନାନାପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ–ଅତି ଉଚ୍ଚକୋଟିର । କଲିକତା, ବମ୍ବେରୁ ଆସନ୍ତି ପ୍ରସିଦ୍ଧ ନର୍ତ୍ତକୀ-ଗାୟିକା ।

 

ସେଦିନ ଥିଲା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ପ୍ରାକୃତିକ ବିପର୍ଯ୍ୟରେ ଦୁସ୍ଥ, ବିପର୍ଯ୍ୟସ୍ତ ଓଡ଼ିଆଙ୍କୁ ସାହାଯ୍ୟ ଦେବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା ଏକ ନୃତ୍ୟ ନାଟିକା–‘ଶିଳ୍ପୀର ସ୍ୱପ୍ନ’ । ପରିବେଷଣ କରୁଥିଲେ ଜାମସେଦ୍‌ପୁରର ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଶ୍ରୀଯୁକ୍ତ କରଙ୍କର ନୃତ୍ୟ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀମାନେ । ନିମନ୍ତ୍ରିତମାନଙ୍କୁ ଦିଆହୋଇଥିଲା ଡୋନେସନ୍‌ ଟିକେଟ । ସର୍ବନିମ୍ନ କୋଡ଼ିଏରୁ ଆରମ୍ଭ କରି ଯେ ଯେତେ ପାରିଲା । ସେଦିନର ଖର୍ଚ୍ଚ ବାଦ ଦେଇ, ଯାହାକିଛି ବଳକା ରହିବ, ପଠାଯିବ ସାହାଯ୍ୟ ଉଦ୍ଦେଶ୍ୟରେ । ସଂଗୃହୀତ ଅର୍ଥ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦେବେ, ଜେନେରାଲ୍‌ ମ୍ୟାନେଜର । ସେଥିପାଇଁ ହେବ ଆଉ ଏକ ସ୍ୱତନ୍ତ୍ର ଆୟୋଜନ । ସେ ହେବ ପରେ । ରାଉରକେଲା କ୍ଳବର ପରବର୍ତ୍ତୀ ଆକର୍ଷଣ ।

 

ପ୍ରଥମ କାର୍ଯ୍ୟକ୍ରମ ବନ୍ଧୁମିଳନ । ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ କଥନ–ପରେ ଲନପାର୍ଟି–ବଫେ । ବଡ଼ ବଡ଼ କର୍ମଚାରୀ । ସମସ୍ତେ ପ୍ରଥମ ଶ୍ରେଣୀର । କାରବାଲା । ମିଷ୍ଟର ଆଉ ମିସେସ୍‌ । କେତେଜଣ ମିସ୍‌ ଅବଶ୍ୟ ଥିଲେ–କୁମାରୀ । ଆଜୀବନ କୁମାରୀ ରହିବାର ନିଶାକୁ ତେଜେଇ ରଖିବା ପାଇଁ ରାଉରକେଲା କ୍ଳବ ଏକ ତୀର୍ଥସ୍ଥାନ । ବୟସ୍କା କୁମାରୀର ନିସ୍ତରଙ୍ଗ ଜୀବନକୁ ହିଲ୍ଲୋଳିତ କରେ ରାଉରକେଲା କ୍ଳବର ସମ୍ମେଳନ । ଯେଉଁ ଦମ୍ପତିର ଯୌବନର ଉଦ୍ଦାମରେ ଭଟ୍ଟା ପଡ଼ି ଆସୁଛି, ସେମାନଙ୍କର ଧମନୀରେ ସତେଜ ରକ୍ତ ଦିଏ ରାଉରକେଲା କ୍ଳବର ବନ୍ଧୁମିଳନ । ଫେରିଆସେ ବିଗତ ଯୌବନର ହୃତ ଗୌରବ । ବୟସର ଖରସ୍ରୋତରେ ଧୋଇ ହୋଇଥିବା ସେଥୁଆ ସେଥୁଆ ଓଠକୁ ଲିପ୍‌ଷ୍ଟିକ୍‌ର ମଧୁର ପରଶରେ ଗୋଲାପୀ ରକ୍ତିମା ଫେରାଇ ଆଣିବାର ସାଧୁ ଉଦ୍ୟମ ସାର୍ଥକତା ଲାଭ କରେ ରାଉରକେଲା କ୍ଳବରେ । ପ୍ରଥମ ଯୌବନରେ ଆଖିର ଘୁମନ୍ତଭାବ ଫେରିଆସେ ଏଇ ତୀର୍ଥସ୍ଥାନର ସୁରଭିତ ମଦିରାରେ ।

 

ଜର୍ମାନ ଇଞ୍ଜିନିଅର ବସିଥିଲେ ବାରରେ । ଆହୁରି ଅନେକ ବସିଥିଲେ ସେଇଠି । ଗ୍ଳାସର ଠନ୍‌ଠାନ୍‌ ଆଉ କଣ୍ଟାଚାମଚର ଖଟ୍‌ଖାଟ୍‌ରେ ମୁଖରିତ ହେଉଥିଲା ବାୟୁମଣ୍ଡଳ । ସବୁ ଟେବୁଲ୍‌ରେ ବସିଥିଲେ ଦମ୍ପତି । ମିଷ୍ଟର ମିସେସ୍‌ଙ୍କର ଗୋଳିଆମିଶା ‘ଯୁଗଳ’ରେ ଭରପୂର ଥିଲା ‘ବାର’ ଆଉ ବାର ଆଗରେ ଉନ୍ମକ୍ତ ଲନ୍‌ ।

 

ଏକୁଟିଆ ବସିଥିଲେ ଇଞ୍ଜିନିଅର ପାଟ୍ରିକ୍‌ । ତାଙ୍କର ପାଖ ଚୌକିଟି ଶୂନ୍ୟ । ଶୂନ୍ୟ ତାଙ୍କର ଟେବୁଲ । ତାଙ୍କୁ ଭଲ ଲାଗୁନଥିଲା କିଛି । ଏଇ ବିରାଟ ସମ୍ମେଳନର ମହାଭୋଜ୍ୟରେ ସେ ଥିଲେ ଏକାକୀ । କେତେ ସମୟ ମଣିଷ ଏମିତି ନୀରବରେ ରହିପାରେ । ବଡ଼ ଭାରାକ୍ରାନ୍ତ ହେଲା ତାଙ୍କର ମନ । ବରାଦ କଲେ ଗୋଟାଏ ପେଗ୍‌ । ନା, କିଛି ହେଲା ନାହିଁ । ତା’ପରେ ଦ୍ୱିତୀୟ । ତଥାପି ମନଟା ତାଙ୍କର ସତେ ଯେମିତି ଗୋଟାଏ ମଉଳାଫୁଲ-ମହୁ ନାହିଁ–ନାହିଁ ତା’ର ମହକ । ବୃନ୍ତଚ୍ୟୂତ । ମନେପଡ଼ିଲା ତାଙ୍କର ମିସେସ୍‌ ପାଟ୍ରିକ୍‌ କଥା । ଆହା ବିଚାରୀଟା ବଞ୍ଚିଥିଲେ, ତାଙ୍କୁ ଆଜିର ଏ ନିଃସଙ୍ଗତାର ନିର୍ମମ ଜ୍ୱାଳା କ’ଣ ଭୋଗିବାକୁ ପଡ଼ିଥାଆନ୍ତା ! ଆଖି ତାଙ୍କର ସଜଳ ହୋଇ ଆସିଲା । ମନ ଭୁଲେଇବା ପାଇଁ ପୁଣି ଆଉ ଏକ ପେଗ୍‌–ଏଥର କକ୍‌ଟେଲ୍‌-ଦୁଇଟି ମଦର ମିଶ୍ରଣ । ସେ ଭାବିଲେ ମାର୍ଗାରେଟର କଥା । ତାକୁ ଆଣିଥିଲେ ତ ଚଳି ଥାଆନ୍ତା । ତାକୁବିତ ଜଣା ସବୁ ଆଦବ୍‌କାଇଦା । ଅସୁନ୍ଦରୀତ ନୁହେଁ । ନୁହେଁ ଅଶିକ୍ଷିତା । ନା, ନା, ତାକୁ ନେଇ ଏମିତିଆ କାର୍ଯ୍ୟକ୍ରମରେ ଚଳି ହୁଏନା । ଯେଉଁ ସ୍ଥାନକୁ ଶ୍ରୀମାନ୍‌ ଓ ଶ୍ରୀମତୀଙ୍କୁ ମିଳିଛି ନିମନ୍ତ୍ରଣ, ସେଠାକୁ ମାର୍ଗାରେଟ୍‌ ଆସିବ କେମିତି ? ମାର୍ଗାରେଟ ସହିତ ତାଙ୍କର ତ ସେ ସଂପର୍କ ନାହିଁ । ସେ ଅବଶ୍ୟ ଗୃହକର୍ତ୍ତୀର ସ୍ଥାନ ପାଇଛି । କିନ୍ତୁ ଶଯ୍ୟା ସଙ୍ଗିନୀ ନୁହେଁ । ଘଡ଼ି ଦେଖିଲେ । ଓଃ ଆହୁରି ପ୍ରାୟ ଘଣ୍ଟାଏ ବାକି । ନଅ ବଜାରେ ଅଛି ବିଚିତ୍ରାନୁଷ୍ଠାନ । ଆଜିକାଲି କାର୍ଯ୍ୟକ୍ରମର ପ୍ରଧାନ ଆକର୍ଷଣ-‘ଶିଳ୍ପୀର ସ୍ୱପ୍ନ’ । ବଡ଼ ବ୍ୟସ୍ତ ହୋଇ ପଡ଼ିଲେ ଇଞ୍ଜିନିଅର ପେଟ୍ରିକ । ନିହାତି ଦରକାର ତାଙ୍କର ଜଣେ ସାଥୀ–ପାନର କମ୍ପେନିଅନ । ସେ ଯେ କେହି ହେଉନା କାହିଁକି ?

 

ମିସ୍‌ ତନେଜା ଲନ୍‌ର ଏକ ନିଭୃତ କୋଣରେ ଠିକ୍ ସେମିତି ଛଟପଟ ହେଉଥିଲେ । କି ଦୁର୍ଯୋଗ ତାଙ୍କର ଆଜି । ଶ୍ରୀଯୁକ୍ତ ମାଲହୋତ୍ରା କାହାନ୍ତି । ମାଲହୋତ୍ରା ? ମନୁଷ୍ୟତା ନାହିଁ ତାଙ୍କର-। ବିଶ୍ୱାସଘାତକ ଲମ୍ପଟ । ତଥାପି ମନର ପରିବର୍ତ୍ତନ ପାଇଁ ରୁମ୍‌, ହୁଇସ୍‌କି ଗ୍ଳାସ ଉଠେଇଲା ପରି ମାଲହୋତ୍ରାଙ୍କର ସଙ୍ଗ ଲୋଡ଼ାଯାଇ ପାରେ ନିଶ୍ଚୟ । ସେ ନାହାନ୍ତି । ଆଉ କେହିବି ଜୁଟିଲେ ନାହିଁ, ସେ ଦିନର ମହାସମ୍ମେଳନରେ । ବଡ଼ ଛିନ୍ନଛଡ଼ା ବୋଧ ହେଉଥିଲା ଜୀବନଟା । ମନଟାକୁ ସତେଜ କରିବା ପାଇଁ, ସେ ବି ନିଃଶେଷ କଲେଣି ତିନି ପେଗ୍‌ । ତୃତୀୟ ପେଗ୍‌ଟା ତାଙ୍କୁ ଦେଇଛି ପିକ୍‌ ଅପ୍‌-। ସରସ କରିଛି ମନଟାକୁ । ବ୍ୟର୍ଥତାର ଅନ୍ଧାରୀ ଗୁହାରୁ ଟାଣିଆଣିଛି ଆଲୁଅକୁ । ତନେଜା କେବେ ଦୁଇ ପେଗ୍‌ରୁ ବେଶି ପିଅନ୍ତି ନାହିଁ । ଯାଏନା ତାଙ୍କର ଦେହରେ । ତୃତୀୟ ପେଗ୍‌ଟା ସ୍ନାୟୁକୁ କରିଛି ସାମାନ୍ୟ ଦୁର୍ବଳ । ଟଳ ଟଳ ହୋଇ ସେ ଆସୁଛନ୍ତି । ଗହଳି ଭିତରେ ହଜିଯିବ ମନର ନିଃସଙ୍ଗ ଭାବ । ହଠାତ୍‌ ତାଙ୍କର ଆଖି ପଡ଼ିଲା ଇଞ୍ଜିନିୟର ପାଟ୍ରିକଙ୍କ ଉପରେ । କେହି ନାହାନ୍ତି ତାଙ୍କ ପାଖରେ । ଆଃ ମୃତଦାର ବିଚାରା ଇଞ୍ଜିନିୟର । ସହାନୁଭୂତିରେ ନରମ ହୋଇଗଲା କୁମାରୀ ତନେଜାଙ୍କର ତରୁଣୀ ମନ । କେହି ନାହାନ୍ତି ଶ୍ରୀଯୁକ୍ତ ପାଟ୍ରିକଙ୍କ ପାଖରେ । କୁମାରୀ ତନେଜାଙ୍କର ଆଖି ଉଜ୍ଜ୍ୱଳ । ଓଠରେ ହସ ।

 

କୁମାରୀ ତନେଜା, ଶ୍ରୀଯୁକ୍ତ ତନେଜାଙ୍କର ଏକମାତ୍ର କନ୍ୟା । ଶ୍ରୀଯୁକ୍ତ ତନେଜା ହିନ୍ଦୁସ୍ଥାନ ଷ୍ଟିଲ କମ୍ପାନୀର ଜଣେ ଉଚ୍ଚପଦସ୍ଥ ଶାସନ ବିଭାଗୀୟ କର୍ମଚାରୀ । ଜେନେରାଲ ମ୍ୟାନେଜରଙ୍କର ଠିକ୍‌ ତଳ ପାହ୍ୟାରେ । ଯୋଗ୍ୟତା ଓ ଅଭିଜ୍ଞତାରେ ପରିପକ୍ୱ । ହୁଏତ ନିକଟ ଭବିଷ୍ୟତ୍‌ରେ ସେ ହୋଇପାରନ୍ତି ଜେନେରାଲ ମ୍ୟାନେଜର । ବିଲାତୀ ଯୋଗ୍ୟତା ଅଛି । ସରକାରୀ କାମରେ ବହୁବାର ୟୁରୋପ ଓ ଆମେରିକା ଭ୍ରମଣ କରିଛନ୍ତି । ଉଦାର ଦୃଷ୍ଟିଭଙ୍ଗୀ । ଅର୍ଥହୀନ ସଂସ୍କୃତି ଓ ମୂଲ୍ୟହୀନ ପରମ୍ପରା କଟକଣାରେ ଜୀବନକୁ ରୁଦ୍ଧିମନ୍ତ କରିବାର ପକ୍ଷପାତୀ ନୁହନ୍ତି । ଅବସର ଗ୍ରହଣ କରିବାକୁ ଆଉ ଅଛି ମାତ୍ର ଚାରି ପାଞ୍ଚବର୍ଷ । ତଥାପିବି ପ୍ରଗତିଶୀଳ । ସଂସାର ଜଞ୍ଜାଳ କିଛି ନାହିଁ । ଏକମାତ୍ର ପୁତ୍ର ଅଛି ଆମେରିକାରେ । ଇଞ୍ଜିନିୟରିଂ ବିଜ୍ଞାନରେ ବିଶେଷ ଖ୍ୟାତିର ସହିତ ଡକ୍ଟରେଟ୍‌ ହେଲାପରେ ମାର୍କିନ ସରକାରଙ୍କଠୁ ମିଳିଲା ନିଯୁକ୍ତିପତ୍ର । ସେଇଠି ଅଛି । ବିବାହ କରିଛି ସେଇଠି । ତିନି ଚାରିମାସତଳେ ଆସିଥିଲେ ପୁଅ ବୋହୂ । ପରମ ପରିତୃପ୍ତି ଲାଭ କରିଥିଲେ ଶ୍ରୀଯୁକ୍ତ ତନେଜା ପୁଅ ବୋହୂଙ୍କୁ ଦେଖି । ଗର୍ବରେ ଛାତି କୁଣ୍ଢେମୋଟ ହୋଇଯାଇଥିଲା ତାଙ୍କର ।

 

ଏକମାତ୍ର କନ୍ୟା କୁମାରୀ ତନେଜା । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ମନୋବିଜ୍ଞାନରେ ଏମ. ଏ. ପାଶ କରି କିଛିଦିନ ଗବେଷଣା କରିଥିଲେ । ଭାରତୀୟ ବିଶ୍ୱବିଦ୍ୟାଳୟରେ ଗବେଷଣା କରିବାକୁ ଆଗ୍ରହ ହେଲା ନାହିଁ । ଭାଇଭାଉଜ ଡାକିଲେ ଆମେରିକା ଯିବା ପାଇଁ । ଆମେରିକା ପ୍ରତି କେଜାଣି କାହିଁକି କୁମାରୀ ତନେଜାଙ୍କର ଏକ ବିତଶ୍ରଦ୍ଧଭାବ ରହିଛି । ତାଙ୍କର ଇଚ୍ଛା ବର୍ଲିନ ବିଶ୍ୱବିଦ୍ୟାଳୟରେ ଗବେଷଣା କରିବାକୁ । ଦିଲ୍ଲୀରୁ ରାଉରକେଲା ଆସିବା ପରେ ପରେ ସେଇଥିପାଇଁ ସେ ନାମ ଲେଖାଇଛନ୍ତି ଜର୍ମାନଭାଷା ଶିକ୍ଷା କେନ୍ଦ୍ରରେ । ଜର୍ମାନଭାଷା ଶିକ୍ଷା ପାଇଁ ଜର୍ମାନ କ୍ଳବରେ କରାହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା । ଭାଷାଶିକ୍ଷା ଦେବା ପାଇଁ ଥିଲେ ଅତି ଯୋଗ୍ୟ ଶିକ୍ଷକ । ଅନେକ ଉଚ୍ଚପଦସ୍ଥ କର୍ମଚାରୀବି ଶିଖୁଥିଲେ ଜର୍ମାନଭାଷା । କେତେକ ଶିଖୁଥିଲେ ଏକ ନୂତନ ଭାଷା ଜାଣିବା ଅଭିପ୍ରାୟରେ, ଆଉ ଆଉ କେତେକ ଶିଖୁଥିଲେ, ଉଚ୍ଚଶିକ୍ଷା ପାଇଁ ଜର୍ମାନୀ ଯିବା ଉଦ୍ଦେଶ୍ୟରେ । ଶ୍ରୀଯୁକ୍ତ ମାଲହୋତ୍ରା ଜର୍ମାନଭାଷା ଶିକ୍ଷା କରୁଥିରେ ଶେଷୋକ୍ତ ଅଭିପ୍ରାୟରେ-। ଏଇ ଜର୍ମାନ କ୍ଳାସରେ ପ୍ରଥମ ସାକ୍ଷାତ୍‌ ଓ ପରିଚୟ ହୋଇଥିଲା କୁମାରୀ ତନେଜା ଶ୍ରୀଯୁକ୍ତ ମାଲହୋତ୍ରାଙ୍କର । କ୍ରମେ ବଢ଼ି ଯାଇଥିଲା ଘନିଷ୍ଠତା । ଦିହେଁ ଏକସଙ୍ଗରେ ବର୍ଲିନ ଯାତ୍ରା କରିବା ପାଇଁ କରିଥିଲେ କଳ୍ପନା ଜଳ୍ପନା । ଜର୍ମାନଭାଷା ଶିକ୍ଷା ସଙ୍ଗେ ସଙ୍ଗେ ସେମାନଙ୍କର ଚାଲିଚଳନ, ସାମାଜିକ ଆଦବକାଇଦା ଶିଖିବା ପାଇଁ ଜର୍ମାନମାନଙ୍କ ସଙ୍ଗରେ ମିଳାମିଶା କରୁଥିଲେ-। ଦିହେଁ ହୋଇଥିଲେ ଜର୍ମାନ କ୍ଳବର ସଭ୍ୟ । କ୍ଳବର ସଭାପତି ଥିଲେ ଇଞ୍ଜିନିୟର ପାଟ୍ରିକ । ତେଣୁ ଶ୍ରୀଯୁକ୍ତ ପାଟ୍ରିକଙ୍କ ସହିତ ବିଶେଷ ଭାବରେ ପରିଚିତ ହେବାକୁ ପଡ଼ିଥିଲା କୁମାରୀ ତନେଜା ଆଉ ମାଲହୋତ୍ରାଙ୍କୁ । ଇଞ୍ଜିନିୟର ପାଟ୍ରିକ ଉତ୍ସାହିତ କରୁଥିଲେ ଏଇ ଦୁଇଜଣକୁ । ଆବଶ୍ୟକ ହେଲେ ଜର୍ମାନଯାତ୍ରା ପାଇଁ ଯେ କୌଣସି ପ୍ରକାର ସାହାଯ୍ୟ ଦେବା ପାଇଁ ପ୍ରତିଶ୍ରୁତିବି ଦେଇଥିଲେ ।

 

କୁମାରୀ ତନେଜା ଓ ମାଳହୋତ୍ରା ଆସୁଥିଲେ ଗୋଟାଏ କାରରେ । କୌଣସି କ୍ଳବ ଡେରେ ଅନୁଷ୍ଠିତ ହେଉ ନଥିଲେ ସେମାନେ । ଶ୍ରୀଯୁକ୍ତ ମାଲହୋତ୍ରା ଥିଲେ ଶ୍ରମମଙ୍ଗଳ ବିଭାଗର ସହକାରୀ କର୍ତ୍ତା । ସମସ୍ତଙ୍କର ସୁପରିଚିତ । ଜର୍ମାନ କ୍ଳବରେ ସଭ୍ୟ ହେଲାପରେ, ବିଶେଷତଃ ଶ୍ରୀଯୁକ୍ତ ତନେଜାଙ୍କ ପରି ବିଶେଷ ପ୍ରଭାବଶାଳୀ ଅଫିସରଙ୍କ ଏକମାତ୍ର ଉଚ୍ଚଶିକ୍ଷିତା ଉଚ୍ଚଭିଳାଷୀ ସୁନ୍ଦରୀ କନ୍ୟାର ବନ୍ଧୁତ୍ୱ ଲାଭ ପରେ ଜର୍ମାନ କର୍ମଚାରୀ ମହଲରେବି ବିଶେଷ ପରିଚିତ ହୋଇ ପଡ଼ିଥିଲେ ସେ ।

 

ବିବାହ ପରେ ବର୍ଲିନ ଯିବେ ନା ଫେରିଲା ପରେ ବିବାହ କରିବେ, ନା ବର୍ଲିନରେ ଅଧ୍ୟୟନ ଓ ଗବେଷଣାର ପରିସମାପ୍ତି ପରେ ବିବାହ କରିବେ ଏଇ ବିଷୟ ନେଇ ବହୁବାର ଆଲୋଚନା ହୁଏ କୁମାରୀ ତନେଜା ଓ ମାଲହୋତ୍ରାଙ୍କ ଭିତରେ । ବର୍ଲିନରେ ବିବାହ କରି, ସୁଇଜରଲାଣ୍ଡରେ ହନିମୁନ୍‌ର ପ୍ରସ୍ତାବଟା କିନ୍ତୁ ଉଭୟଙ୍କୁ ବେଶ୍‌ ପ୍ରୀତିକର ବୋଧ ହେଉଥିଲା । ଉଭୟଙ୍କର ଏହି ଆଲୋଚ୍ୟ ବିଷୟ ଯେ ସେଇ ଦି’ଜଣଙ୍କ ଭିତରେ ଆବଦ୍ଧ ଥିଲା ତା’ ନୁହେଁ । ଆଉ କେତେକ କ୍ଳବ ସାଥୀ ମଧ୍ୟ ସେ କଥା ଜାଣିଥିଲେ । କେତେକ ସହପାଠୀ ବନ୍ଧୁବି ଜାଣିଥିଲେ ଏକଥା ।

 

ହଠାତ୍‌ କୁମାରୀ ତନେଜା ଅନୁପସ୍ଥିତ ରହିଲେ ଜର୍ମାନ କ୍ଳାସରେ । କ୍ଳବରେବି ସମସ୍ତେ ଅନୁଭବ କଲେ ତାଙ୍କର ଅନୁପସ୍ଥିତି । ଶ୍ରୀଯୁକ୍ତ ମାଲହୋତ୍ରା ଅବଶ୍ୟ ଆସିଥିଲେ ଦି’ ଚାରିଥର । ତା’ପରେ କ୍ରମେ ତାଙ୍କରବି ଆଉ ପାଦ ପଡ଼ିଲା ନାହିଁ ଜର୍ମାନ କ୍ଳବରେ ।

 

ତା’ପରେ ଦୀର୍ଘ ବର୍ଷକ ପରେ ଇଞ୍ଜିନିଅର ପାଟ୍ରିକ ଦେଖିଲେ କୁମାରୀ ତନେଜାଙ୍କୁ ରାଉରକେଲା କ୍ଳବରେ । ହସ ହସ ମୁହଁରେ ତାଙ୍କରି ଆଡ଼କୁ ଆସୁଛନ୍ତି କୁମାରୀ ତନେଜା । ଚେହେରା ସାମାନ୍ୟ ଫିକାପଡ଼ି ଯାଇଛି । ଚଞ୍ଚଳ ଆଖିରେ ସାମାନ୍ୟ ଗାମ୍ଭୀର୍ଯ୍ୟ । ମୁଖମଣ୍ଡଳର ଦୃପ୍ତଭଙ୍ଗୀର ସତେ ଯେମିତି ଲାଗିଛି ଏକ ଅସ୍ପଷ୍ଟ ଆଘାତ । ଶ୍ରୀଯୁକ୍ତ ପାଟ୍ରିକ ସ୍ୱାଗତ କଲେ ତାଙ୍କୁ ନିଃସଙ୍ଗତାରେ । ପଡ଼ିଲା ଅଶ୍ୱସ୍ତିକର ଗୋଟାଏ ପୂର୍ଣ୍ଣଚ୍ଛେଦ । ଠିକ ସମୟକୁ ଆସି ସଲାମ୍‌ ପକେଇଲା ବୟ । ଅର୍ଡ଼ର ଦେଲେ ଶ୍ରୀଯୁକ୍ତ ପାଟ୍ରିକ ।

 

ତା’ପରେ ‘ଶିଳ୍ପୀର ସ୍ୱପ୍ନ’–ନୃତ୍ୟ ନାଟିକା । ବେଶ୍‌ ସୁନ୍ଦର ନାଚ । ଅତି ଉଚ୍ଚକୋଟିର । ପାଟ୍ରିକ ଉପଭୋଗ କରୁଥିଲେ ଭାରତୀୟ ନୃତ୍ୟ ସଙ୍ଗୀତର ବିଳାସପୂର୍ଣ୍ଣ ଭଙ୍ଗୀ ଓ ମୂର୍ଚ୍ଛନା । ଅନଭ୍ୟସ୍ତା ତନେଜାଙ୍କର କିନ୍ତୁ କ୍ରମେ ବୁଡ଼ି ଯାଉଥିଲା ହୋସ୍‌ । ମଝିରେ ମଝିରେ ଖାଲି ବିଳିବିଳେଇ ଉଠୁଥିଲେ–‘ଫାଇନ୍‌.......ଏକସ୍ଳେଣ୍ଟ୍‌ ।

 

ମାତ୍ର ଘଣ୍ଟାକର ପ୍ରୋଗ୍ରାମ୍‌ ଶିଳ୍ପୀର ସ୍ୱପ୍ନ । ଯବନିକା ପରେ, ଟଳ ଟଳ ହୋଇ ଉଠିଲେ ଦର୍ଶକମଣ୍ଡଳୀ । ରଙ୍ଗୀନ ନିଶାରେ ବୁଜି ବୁଜି ହେଉଛି ଆଖି । ଟଳ ଟଳ ଚାଲି । ଢଳି ପଡ଼ିଥିଲେ କୁମାରୀ ତନେଜା ଇଞ୍ଜିନିଅର ପାଟ୍ରିକଙ୍କର ଛାତିରେ ।

 

ଧୀରେ ଧୀରେ ଆଖିପତା ମେଲିଲେ କୁମାରୀ ତନେଜା । ତାଙ୍କ ପାଖରେ କାଉଚ୍‌ରେ ବସିଥିଲେ ଇଞ୍ଜିନିଅର ପାଟ୍ରିକ । କୁମାରୀ ତନେଜା ଶୋଇଥିଲେ ପାଟ୍ରିକଙ୍କର ବିଛଣାରେ । ମୃତଦାର ପାଟ୍ରିକ । ଗୋଟିଏ ବୋଲି ଶଯ୍ୟା । ସେ ନିଜେ ବସିଥିଲେ କାଉଚ୍‌ରେ । ଉଠିବାକୁ ଚେଷ୍ଟା କଲେ ତନେଜା । ମୁଣ୍ଡଟା ବଡ଼ ଭାରି ହୋଇ ପଡ଼ିଛି । ଦୁର୍ବଳ ସ୍ନାୟୁ । ଢିଲା ଢିଲା ଜଣାପଡ଼ୁଛି । ଉଠିପାରିଲେ ନାହିଁ ।

 

‘‘କେମିତି ଲାଗୁଛି ମିସ୍‌ ତନେଜା ?’’ ଦରଦଭରା କଣ୍ଠରେ ପଚାରିଲେ ପାଟ୍ରିକ । ‘‘ଖୁବ୍‌ ଧରିଲା, ମିଷ୍ଟର ପାଟ୍ରିକ ।’’ କହିଲେ କୁମାରୀ ତନେଜା । କଣ୍ଠରେ ଥିଲା ନିଶାର ତନ୍ଦ୍ରା । ପାଟ୍ରିକ ଉଠିଲେ କାଉଚ୍‌ରୁ । ଆଲମାରୀ ଖୋଲି ବାହାର କଲେ ଗୋଟିଏ ବୋତଲ । ଦି’ ଚାରି ଚାମଚ ଦେଲେ ତନେଜାଙ୍କ ପାଟିରେ । ଅଠାଳିଆ ପାଟିରୁ ନିର୍ଗତ ହେଲା ସେଲାଇଭା । ସ୍ନାୟୁରେ ସାମାନ୍ୟ ବଳ । ମୁଣ୍ଡଟା କ୍ରମେ ଉଶ୍ୱାସ ହେଲା । ସରୁ ସରୁ ଆଖିପତାରେ ଫେରିଆସିଲା ସ୍ୱାଭାବିକ ଭଙ୍ଗୀ । ତନ୍ଦାଳସ କଣ୍ଠରେ ଫେରିଆସିଲା ସ୍ପଷ୍ଟତା ।

 

‘‘ବର୍ତ୍ତମାନ ଟିକିଏ ଭଲ ଲାଗୁଛି ବୋଧହୁଏ ?’’

 

‘‘ହଁ ମିଷ୍ଟର ପାଟ୍ରିକ । ଆପଣଙ୍କୁ ବିଶେଷ ଧନ୍ୟବାଦ ।’’ କୁମାରୀ ତନେଜାଙ୍କର ଆଖି ପଡ଼ିଲା ୱାଲ୍‌କ୍ଳକ୍‌ରେ । ତିନିଟା ପନ୍ଦର ।

 

‘‘ଆପଣ ଯଦି କିଛି ମନେକରିବେନି ମିଷ୍ଟର ପାଟ୍ରିକ’’........ହଠାତ୍‌ ଅଟକିଗଲେ କୁମାରୀ ତନେଜା । ଗୋଟିଏ ଶିଶୁର କ୍ରନ୍ଦନରେ ରହିଗଲା ତାଙ୍କର କଥା । ମୃତଦାର ପାଟ୍ରିକର ବଙ୍ଗଳାରେ ଶିଶୁର କ୍ରନ୍ଦନ !!! ବିସ୍ମୟରେ ବିସ୍ଫାରିତ ହେଲା ତନେଜାଙ୍କର ଚକ୍ଷୁ । ଏକାବେଳକେ ପ୍ରଶମିତ ହେଲା ନିଶାର ଅବଶେଷ ପ୍ରତିକ୍ରିୟା । ଚାହିଁ ରହିଲେ ସେ ଶ୍ରୀଯୁକ୍ତ ପାଟ୍ରିକଙ୍କ ମୁହଁକୁ । ଆଖିରେ ପ୍ରଶ୍ନ । ଚାହାଣୀରେ କୌତୁହଳ । ହସିଲେ ଶ୍ରୀଯୁକ୍ତ ପାଟ୍ରିକ ।

 

‘‘ମିଷ୍ଟର ମାଲହୋତ୍ରାଙ୍କୁ ତ ଦେଖିଲି ନାହିଁ ମିସ୍‌ ତନେଜା ?’’

 

ହଠାତ୍‌ ଯେମିତି ଆକାଶରୁ ଖସି ପଡ଼ିଲେ ମିସ୍‌ ତନେଜା । ସଂଯତ କରିନେଲେ ନିଜକୁ ଆଖିର ପଲକ ଭିତରେ । ‘‘ନା, ମିଷ୍ଟର ପାଟ୍ରିକ; ସେ ଯାଇଛନ୍ତି ତାଙ୍କ ଘରକୁ ।’’

 

‘‘ଘରକୁ ? ମିଷ୍ଟର ମାଲହୋତ୍ରା ?’’ ବଡ଼ ଆଶ୍ଚର୍ଯ୍ୟ ହେଲେ ଇଞ୍ଜିନିୟରହିଁ ପାଟ୍ରିକ । ଶ୍ରୀଯୁକ୍ତ ମାଲହୋତ୍ରା କେବେ ଯାଆନ୍ତି ନାହିଁ ଘରକୁ । ଘରକଥା କେହି ପଚାରିଲେ, ସେ ଅନ୍ୟ ପ୍ରସଙ୍ଗ ଉତ୍‌ଥାପନ କରନ୍ତି । ଜଣାପଡ଼େ ସତେ ଯେମିତି କେହି ନାହାନ୍ତି ତାଙ୍କ ଘରେ ।

 

‘‘ହଁ, ତାଙ୍କ ସ୍ତ୍ରୀ ବିଶେଷ ଅସୁସ୍ଥ ।’’

 

‘‘ତାହେଲେ କ’ଣ ମିଷ୍ଟର ମାଲହୋତ୍ରା ବିବାହିତ ? ଅଥଚ.....

 

‘‘ଥାଉ, ଆଉ ସେ ବିଷୟରେ କିଛି ପ୍ରଶ୍ନ କରନ୍ତୁ ନାହିଁ ମିଷ୍ଟର ପାଟ୍ରିକ । ବରଂ ମୁଁ ନିଜେ ଆସି କହିବି ସେକଥା ଆଉ କେବେ ।’’

 

ପାଖଘରେ ପୁଣିଥରେ କାନ୍ଦିଲା ଛୁଆଟା । କୌଣସିମତେ ବନ୍ଦ କରିପାରୁ ନାହିଁ ମାର୍ଗାରେଟ୍‌ ଛୁଆର କାନ୍ଦ । ସୁଇଚ୍‌ ଟିପିଲେ ଶ୍ରୀଯୁକ୍ତ ପାଟ୍ରିକ । ବାଜି ଉଠିଲା କଲିଂ ବେଲ୍‌ । କିଛିକ୍ଷଣ ପରେ ମାର୍ଗାରେଟ୍‌ ଆସିଲା ଇଞ୍ଜିନିୟରଙ୍କ ଶୟନକକ୍ଷକୁ । ଏ କ’ଣ ? ଇଞ୍ଜିନିୟରଙ୍କ ଶୟନ କକ୍ଷରେ ଜଣେ ସୁଶ୍ରୀ ତରୁଣୀ ! ଅଙ୍ଗଲତାର ପ୍ରତିଟି ପତ୍ରରେ ଫୁଟିଛି ଆଭିଜାତ୍ୟ । ଭିତରକୁ ପୁଣି ଆସିପାରିଲା ନାହିଁ ମାର୍ଗାରେଟ୍‌ । ଦ୍ୱିଧା । ଇଞ୍ଜିନିୟର ପାଟ୍ରିକଙ୍କୁ ଦେଖି ଆହୁରି କାନ୍ଦିଲା ଛୁଆଟା । ତାଙ୍କର କୋଳକୁ ଆସିବାର ବ୍ୟାକୁଳତା ଥିଲା ତା’ର କାନ୍ଦରେ । ଶ୍ରୀଯୁକ୍ତ ପାଟ୍ରିକ ନେଇ ଆସିଲେ ଛୁଆଟିକୁ । ଶିଶୁଟିର ମୁହଁରେ ପରିତୃପ୍ତି । ଓଠରେ ହସର ମଧୁ । ତନେଜା ଚାହିଁଥିଲେ ମାର୍ଗାରେଟ୍‌କୁ । କି ନିଟୋଳ ସ୍ୱାସ୍ଥ୍ୟ । ନିଖୁଣ ତନୁର ଗଠନ ! କଳାଦେହରେବି କି ଅନୁପମ ଲାବଣ୍ୟ ! ଏଇଥିପାଇଁ ବୋଧହୁଏ ଗୋପାଳ ଶ୍ରୀକୃଷ୍ଣଙ୍କ ଦେହରେ ଭାରତୀୟ କବି ଓ ଦାର୍ଶନିକ ଫୁଟାଇଛି ପରିପୂର୍ଣ୍ଣ ସୌନ୍ଦର୍ଯ୍ୟ ।

 

ତନେଜାକୁ ଦେଖି ଉତଳା ହୋଇ ଉଠୁଛି ଛୁଆଟି । ତନେଜା ନେଲେ ଛୁଆଟିକୁ ନିଜ କୋଳକୁ । ବୋକ ଦେଲେ । ଅଙ୍ଗରେ ଶିହରଣ । ମନପ୍ରାଣ ଭରି ଚାହିଁଥିଲେ କୁମାରୀ ତନେଜା ଶିଶୁଟିକୁ । ସେ ବୋଧହୁଏ ଆବିଷ୍କାର କରିବାକୁ ଚାହୁଁଥିଲେ ମାର୍ଗାରେଟ୍‌ ଅଥବା ପାଟ୍ରିକର ଅଙ୍ଗ ଗଠନର ପ୍ରତିଛବି ଶିଶୁଟିର ଦେହରେ । ବ୍ୟର୍ଥ ହେଲେ କୁମାରୀ ତନେଜା । ବରଂ ଯେତିକି ନୀରିକ୍ଷଣ କଲେ ସେ ଶିଶୁଟିକୁ, ସେତିକି ବଢ଼ି ଚାଲିଲା ତାଙ୍କର ନିଜର ଆକର୍ଷଣ ଶିଶୁଟି ପ୍ରତି । ସେତିକି ଚଢ଼ି ଚାଲିଲା ଗୋଟାଏ ଅହେତୁକୀ ମମତା ।

 

‘‘ମିଷ୍ଟର ପାଟ୍ରିକ, ଛୁଆଟି ତାହେଲେ......

 

ହସିଲେ ଇଞ୍ଜିନିୟର ପାଟ୍ରିକ । ‘‘ରାସ୍ତାକଡ଼ର ଏ ଏକ ପରିତ୍ୟକ୍ତ ଶିଶୁ ମିସ୍‌ ତନେଜା । ମୁଁ ଗୋଟାଇ ଆଣିଛ ୟାକୁ ଗତ ମେ ମାସ ଅଠେଶ ତାରିଖ ରାତିରେ ।’’

 

‘‘ମେ ଅଠେଇଶ ?’’ ପଚାରିଲେ ମିସ୍‌ ତନେଜା । କଣ୍ଠର ଭଙ୍ଗୀରେ ଥିଲା ସୁସ୍ପଷ୍ଟ ଅସ୍ୱାଭାବିକତା । ପାଟ୍ରିକଙ୍କର କୌଣସି ପ୍ରତ୍ୟୁତ୍ତର ଅପେକ୍ଷା ନ କରି କହିଲେ କୁମାରୀ ତନେଜା, ‘‘ଆପଣ ଯଦି କିଛି ନ ମନେକରନ୍ତି ତେବେ ମୋତେ ଆମ ବଙ୍ଗଳାକୁ........

 

‘‘ନିଶ୍ଚୟ, ନିଶ୍ଚୟ, ସେ ତ ମୋର କର୍ତ୍ତବ୍ୟ । ମୋର ବିଳମ୍ବ ପାଇଁ ବରଂ ମୁଁ ଲଜ୍ଜିତ ଓ ଦୁଃଖିତ ।’’

 

ବାହାରି ଆସିଲେ ଶ୍ରୀଯୁକ୍ତ ପାଟ୍ରିକ ଗ୍ୟାରେଜରୁ ଗାଡ଼ିଟା କାଢ଼ିବା ପାଇଁ ।

 

ଫାଦାର ଡେଭିଡ଼୍‌ଙ୍କ ଯତ୍ନ ଆଉ ପୃଷ୍ଠପୋଷକତାରେ ଅପିଲ ହେଲା ଆଞ୍ଜଲୁସ୍‌ର ମୁକ୍ତି ପାଇଁ । ଆଞ୍ଜଲୁସ୍‌ ତରଫରୁ ମୋକଦ୍ଦମା ଲଢ଼ୁଥିଲେ ବିହାରର ଜଣେ ବାରିଷ୍ଟର । ଆଦିବାସୀ କାଥୋଲିକ୍‌ । ଯିବା ଆସିବା ଓ ଖିଆପିଆର ଖର୍ଚ୍ଚ ନେଉଥିଲେ କେବଳ ।

 

ଆଞ୍ଜଲୁସ୍‌ ନୁହେଁ ନରହନ୍ତା । ଅନେକ ଲୋକଙ୍କ ବାଡ଼ିଆପିଟା ଭିତରେ, ପ୍ରକୃତରେ ଯେ ଆଞ୍ଜଲୁସ୍‌ର ପ୍ରହାରରେ ଲୋକଟି ମରିଛି, ତା’ର କୌଣସି ପ୍ରମାଣ ନାହିଁ । ସାକ୍ଷୀ କେହି ନାହାନ୍ତି । ପୁଲିସ ତରଫରୁ ଯେଉଁମାନେ ସାକ୍ଷ, ସେମାନେ ସମସ୍ତେ ଆଞ୍ଜଲୁସ୍‌ର ବିରୋଧୀ ପକ୍ଷର ଦଳଭୁକ୍ତ-। ଏଇ ଘଟଣାର ଠିକ୍‌ ପୂର୍ବରୁହିଁ ଏକ ରାଜନୈତିକ ବିଷୟ ନେଇ ସେମାନଙ୍କର ବଚସା ହୋଇଥିଲା ଆଞ୍ଚଲୁସ୍‌ ସାଙ୍ଗରେ । ଆଦିବାସୀ ସମାଜ ପ୍ରତି ଏକ ବଦ୍ଧମୂଳ ଘୃଣା ଯୋଗୁଁ ସେମାନେ ଦଳବଦ୍ଧ ଭାବରେ ଆକ୍ରମଣ ପାଇଁ ଉଦ୍ୟତ ହେଉଥିଲେ । ଠିକ୍‌ ସମୟରେ ଘଟଣାସ୍ଥଳରେ ପୁଲିସ ହସ୍ତକ୍ଷେପ କରି ନଥିଲେ ହୁଏତ ଘଟଣା ଅନ୍ୟ ପ୍ରକାର ହୋଇଥାନ୍ତା । ତା’ର ପ୍ରାୟ ଅଧଘଣ୍ଟାଏ ପରେ ବଜାରରେ ଘଟିଛି ଏହି ଦଙ୍ଗା । ହୁଏତ ସେହି ଦଳହିଁ ପ୍ରଥମେ ଆରମ୍ଭ କରିଥିଲେ ଆକ୍ରମଣ । ଆଞ୍ଚଲୁସ୍‌ ଏବଂ ତା’ର ସାଥୀମାନେ ଆତ୍ମରକ୍ଷାର ଉଦ୍ୟମ କରିଥିଲେ କେବଳ । ପୂର୍ବ ବର୍ଣ୍ଣିତ ସମସ୍ତ ଘଟଣାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷ ସ୍ୱୟଂ ପୁଲିସ । ଏହାଛଡ଼ା ୟାର ଆଉ ଏକ ସମ୍ଭାବନା ମଧ୍ୟ ଅଛି । ଇସ୍ପାତ୍‌ନଗରୀର ବିଭିନ୍ନ ମଜଦୁର ସଂଘ ମଧ୍ୟରେ ତିକ୍ତତା ରହିଛି । ସଭାସମିତି, ଶୋଭାଯାତ୍ରା ଓ ଧର୍ମଘଟ ଇତ୍ୟାଦିର ଏଇ ବିରୋଧ ତୀବ୍ରତର ହୁଏ । ବେଳେ ବେଳେ ସଂଘର୍ଷବି ହୁଏ । ସେଦିନର ବିରାଟ ଶୋଭାଯାତ୍ରା ଏବଂ ଏକ ସଫଳ ଜନ-ସଭାରେ ଅପର ସଂଘ ନିଶ୍ଚୟ ଉତ୍‌କ୍ଷିପ୍ତ ହୋଇଥିବେ-। ହୁଏତ ସେମାନେ ସଂପୃକ୍ତ ଘଟଣାର ସୁଯୋଗ ନେଇ ଆକ୍ରମଣ କରିଛନ୍ତି ତାଙ୍କର ପ୍ରତିପକ୍ଷଙ୍କୁ ଏବଂ ଏହି ସମ୍ଭାବନାକୁ ଭିତ୍ତିହୀନ ବୋଲି ଅଗ୍ରାହ୍ୟ କରିବା ସପକ୍ଷରେ କୌଣସି ଯୁକ୍ତି ନାହିଁ । ସଂପୃକ୍ତ ଘଟଣାସ୍ଥଳରେ ପୁଲିସ ପହଞ୍ଚିଲାବେଳକୁ, ସବୁ କିଛି ଶେଷ ହୋଇଗଲାଣି । ଗଣ୍ଡଗୋଳକାରୀମାନେ ବିଶେଷ ଚତୁରତାର ସହିତ ଘଟଣାସ୍ଥଳରୁ ଚାଲି ଯାଇଥିଲେ । ଥିଲେ କେବଳ ଆଞ୍ଜଲୁସ୍‌, ଦଶ ବାରଜଣ ଆଦିବାସୀ ବିକାଳୀ ଆଉ ଆହତ ହୋଇ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ବ୍ୟକ୍ତିଟି । ପୁଲିସର ବିବରଣୀରେ ଆଉ ଚାରି ପାଞ୍ଚଜଣ ଗୁରୁତର ଭାବରେ ଆହତ ହେବା କଥା ଉଲ୍ଲେଖ ଅଛି । କିନ୍ତୁ ସେମାନେ କିଏ ? ସେମାନଙ୍କର ନାମ କ’ଣ ? ସେମାନଙ୍କ ସମ୍ବନ୍ଧରେ ଅନ୍ୟ କୌଣସି ପ୍ରକାର ଉଲ୍ଲେଖ ନାହିଁ । ପୁଲିସ ପହଞ୍ଚିଲାବେଳେ ସେମାନେବି ଘଟଣାସ୍ଥଳରେ ନଥିଲେ । ଆଦିବାସୀମାନେ ବଡ଼ ସରଳ । ଘଟଣାସ୍ଥଳରେ ଉପସ୍ଥିତ ରହିଲେ, ପୁଲିସ ସେଇମାନଙ୍କୁହିଁ ଦୋଷୀ ବୋଲି ଧରିନେବା କଥା ଜାଣନ୍ତି ନାହିଁ ସେମାନେ । ପୁଲିସ ଆସି ପହଞ୍ଚିଲାବେଳକୁ କ’ଣ ଦେଖିଲେ ? ସେମାନେ ଦେଖିଲେ, ଜଣେ ଆଦିବାସୀ ଶୁଶ୍ରୂଷା କରୁଥିଲା ଆହତ ଲୋକଟିର । ଅନ୍ୟ କେହି ଲୋକଟିକୁ ଡାକ୍ତରଖାନାକୁ ପଠାଇବାକୁ ଚିନ୍ତା କରିବା ଆଗରୁ ଆଞ୍ଜଲୁସ୍‌ହିଁ ସେ ଯତ୍ନ କରିଥିଲା । ସେ ଜଣେ ବାଇଗଣ ବିକାଳୀକୁ ପଠାଇଥିଲେ ରିକ୍‌ସା ଡାକିବା ପାଇଁ । ସେଇ ରିକ୍‌ସାରେହିଁ ପୁଲିସ ନେଇଥିଲା ଲୋକଟିକୁ ମାର୍କେଟହତା ବାହାରେ ଛିଡ଼ା ହୋଇଥିବା ପୁଲିସ ଭ୍ୟାନକୁ । ଜଣେ ନରହନ୍ତା ପାଖରୁ କ’ଣ ଏୟା ଆଶା କରାଯାଇପାରେ ? ଅବଶ୍ୟ ଆଞ୍ଜଲୁସ ଉତ୍ତେଜିତ ଥିଲା ଏବଂ ତାହା ଅତି ସ୍ୱାଭାବିକ । କେବଳ ସେତିକି ନୁହେଁ, ପ୍ରତ୍ୟେକ ବ୍ୟକ୍ତିର ସେ ପ୍ରକାର ଉତ୍ତେଜନା ରହିବା ଉଚିତ । ଯେକୌଣସି ସଂପ୍ରଦାୟର ନାରୀକୁ ସାମୂହିକ ଭାବରେ ଯଦି କେହି ଅସମ୍ମାନ କରେ ତେବେ ଉତ୍ତେଜନା ସୃଷ୍ଟି ହେବା ସ୍ୱାଭାବିକ । ଆଦିବାସୀ ମହିଳାମାନଙ୍କର ଚରିତ୍ର ଉପରେ ଏକ ତିକ୍ତ ମନ୍ତବ୍ୟ ଦେବା ପରେହିଁ ଏ ଗଣ୍ଡଗୋଳର ସୂତ୍ରପାତ ହୋଇଛି । ସୁତରାଂ ଏହାର ଅନ୍ତରାଳରେ କୌଣସି ପ୍ରକାର ସାଂପ୍ରଦାୟିକ ସଂକୀର୍ଣ୍ଣତା ନାହିଁ । ଅପରାଧ ମନୋବୃତ୍ତିର ଗନ୍ଧ ନାହିଁ । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଜଣେ ସୁପୁରୁଷର ଏହା ଏକ ସହଜାତ ପ୍ରବୃତ୍ତି । ଏହାହିଁ ତ ପୁରୁଷକାର । ଯେଉଁ ପୁରୁଷକାରକୁ ଇତିହାସ ଗୌରବାନ୍ୱିତ କରିଛି । ପୁରାଣ କରିଛି ମହନୀୟ । ନାରୀର ମର୍ଯ୍ୟାଦା ରକ୍ଷା କରିବାକୁ ଯେଉଁ ପୁରୁଷ ଅସ୍ତ୍ରଧାରଣ କରନ୍ତି ସେ ବୀର–ପ୍ରକୃତ ବୀର । ନାରୀର ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବାକୁ ଯେ କରିଛି ବିପୁଳ ତ୍ୟାଗ ଆଉ ବରଣ କରିଛି ନିର୍ଯ୍ୟାତନା ସେ ହୋଇଛି ମହାନ୍‌–ସେ ପାଇଛି ଦେବତାର ଆସନ । ଏ ଉତ୍ତେଜନା ପ୍ରଶଂସନୀୟ । ଦଣ୍ଡନୀୟ ନୁହେଁ........ଏହିପରି ଭାବରେ ଉପସ୍ଥାପିତ କଲେ ଆଞ୍ଜଲୁସର ସମସ୍ତ ଘଟଣା ବାରିଷ୍ଟର ମଞ୍ଜନୀ । ସରକାରଙ୍କ ଓକିଲ, ଦକ୍ଷତାର ସହିତ ଖଣ୍ଡନ କରିପାରିଲେ ନାହିଁ ବାରିଷ୍ଟର ମଞ୍ଜନୀଙ୍କର ଅକାଟ୍ୟ ଯୁକ୍ତି ।

 

ତଥାପି ମୁକ୍ତି ପାଇପାରିଲା ନାହିଁ ଆଞ୍ଜଲୁସ । ତେବେ ବହୁମାତ୍ରାରେ ହ୍ରାସପ୍ରାପ୍ତ ହେଲା ତା’ର ଦଣ୍ଡର ପରିମାଣ । ଯାବଜ୍ଜୀବନ କାରାଦଣ୍ଡ ଆଦେଶ ବହୁମାତ୍ରାରେ ହେଲା କୋହଳ ।

 

ଆଦେଶ ହେଲା ମାତ୍ର ତିନିବର୍ଷ ସଶ୍ରମ କାରାଦଣ୍ଡ ।

 

ଛୁଟିରେ ଯାଇଛନ୍ତି ଶ୍ରୀଯୁକ୍ତ ମାଲହୋତ୍ରା । ଯେଉଁ ଘଟଣାଟିକୁ ସେ ଆଜି ପର୍ଯ୍ୟନ୍ତ ବିଶେଷ ସଫଳତାର ସହିତ ଗୋପନ ରଖିଥିଲେ । ଆଜି ସେକଥା ଆପେ ଆପେ ପଦାରେ ପଡ଼ି ଯାଇଛି । ଆଜି ଜଣାପଡ଼ିଛି–ଶ୍ରୀଯୁକ୍ତ ମାଲହୋତ୍ରା ବିବାବିତ । ତାଙ୍କ ସ୍ତ୍ରୀଙ୍କର ବିଶେଷ ଅସୁସ୍ଥତା ପାଇଁ ଯାଇଛନ୍ତି ସେ ଛୁଟିରେ ।

 

ପାଟନା ବିଶ୍ୱବିଦ୍ୟାଳୟରୁ କୃତିତ୍ୱର ସହିତ ଅର୍ଥନୀତିରେ ଏମ: ଏ: ପାଶ କଲା ପରେ ସେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବରେ ନିଯୁକ୍ତ ହେଲେ । ତାଙ୍କୁ ଆଦୌ ଭଲ ଲାଗିଲା ନାହିଁ । ଅର୍ଥହୀନ, କ୍ଷମତାହୀନ ଶିକ୍ଷକଜୀବନ । ମଧ୍ୟବିତ୍ତ ପରିବାରରେ ତାଙ୍କର ଜନ୍ମ । ତଥାପି କ୍ଷମତା-ମୋହ ତାଙ୍କର ଥିଲା । ପ୍ରତିପତ୍ତିର ନିଶା ଥିଲା । ବିଦେଶୀ ଯୋଗ୍ୟତାଟିଏ ହାସଲ କରିବା ଥିଲା ତାଙ୍କର ଚିରପୋଷିତ ଲକ୍ଷ୍ୟ । ଅର୍ଥ ନଥିଲା ।

 

ସେତେବେଳେ ଦେଶରେ ଗୁଡ଼ିଏ ବିରାଟ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିବାର କଳ୍ପନା ଜଳ୍ପନା ଚାଲିଥାଏ । ଶିଳ୍ପାନୁଷ୍ଠାନଗୁଡ଼ିକ ପାଇଁ ବହୁ ଉଚ୍ଚଯୋଗ୍ୟତା ସମ୍ପୂର୍ଣ୍ଣ ବିଶେଷଜ୍ଞଙ୍କ ସଙ୍ଗେ ସଙ୍ଗେ ଏଗୁଡ଼ିକର ସୁପରିଚାଳନା ପାଇଁ ମଧ୍ୟ ଲୋଡ଼ା ହେବେ ଯୋଗ୍ୟ ଲୋକ । ଶିଳ୍ପାନୁଷ୍ଠାନର ପ୍ରଶାସନିକ ବ୍ୟବସ୍ଥା ଉପରେ ଯଦି ଅଧ୍ୟୟନ ଓ ଗବେଷଣା କରି କୌଣସି ବିଦେଶୀ ଯୋଗ୍ୟତା ହାସଲ କରାଯାଇପାରେ, ତେବେ ଯେ କୌଣସି ଶିଳ୍ପନୁଷ୍ଠାନରେ ହଠାତ୍‌ ନିଯୁକ୍ତି ମିଳିଯିବ ଖୁବ୍‌ ଉଚ୍ଚ ପାହ୍ୟାରେ । ବିଶେଷ ଯୋଗ୍ୟତା ଥିଲେ ଅଭିଜ୍ଞତାର ଆବଶ୍ୟକତା ହେବ ନାହିଁ । ମୋଟା ଦରମା–ପ୍ରଭୂତ କ୍ଷମତା ଓ କମ୍‌ କାମ ।

 

ସେ ଅର୍ଥନୀତିର ଛାତ୍ର । ମେଧାବୀ ଛାତ୍ର ଭାବରେ ଅଛି ଯଥେଷ୍ଟ ଖ୍ୟାତି । ବିଦେଶରେ ଅଧ୍ୟୟନ ପାଇଁ ବୃତ୍ତି ମିଳିବ ନିଶ୍ଚୟ । ନ ହେଲେ କିଛି ଋଣବି ମିଳିବ ସରକାରଙ୍କ ପାଖରୁ । କିନ୍ତୁ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ଦରକାର ସାତ ଆଠହଜାର ଟଙ୍କା ? ତେବେ କ’ଣ ମାତ୍ର କେତେ ହଜାର ଟଙ୍କା ପାଇଁ ତାଙ୍କର ଏ ଉଚ୍ଚାଭିଳାଷ ଆକାଶ କୁସୁମରେ ପରିଣତ ହେବ ।

 

ଅଧ୍ୟାପକ ମାଲହୋତ୍ରାଙ୍କର ଏହି ଅଭିଳାଷ କଥା କେମିତି ଭାବରେ ଯାଇ ପହଞ୍ଚିଲା ଡକ୍ଟର ସାଲାଟୋରଙ୍କ ପାଖରେ । ଡକ୍ଟର ସାଲାଟୋର ଇଂରାଜୀ ସାହିତ୍ୟରେ ପି. ଏଚ୍‌. ଡ଼ି. କରି ବମ୍ବେ ବିଶ୍ୱବିଦ୍ୟାଳୟରେ ଥିଲେ ଅଧ୍ୟାପକ । ତା’ପରେ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଦଖଲ କରି ଚାଲି ଆସିଲେ ଶାସନ ବିଭାଗକୁ । ଚାରି ପାଞ୍ଚବର୍ଷ ହେଲା ଅବସର ଗ୍ରହଣ କରିଛନ୍ତି । ଅବସରପ୍ରାପ୍ତ ଡେପୁଟି କମିସନର ଡକ୍ଟର ସାଲାଟୋର ଅବସ୍ଥାନ କରୁଛନ୍ତି ଲକ୍ଷ୍ନୌରେ । ପାଞ୍ଚୋଟି କନ୍ୟାର ପିତା ସେ । ଅପୁତ୍ରିକ । ଚାରୋଟି କନ୍ୟାଙ୍କୁ ଉଚ୍ଚଶିକ୍ଷା ଦେଇ ବିବାହ ମଧ୍ୟ ଦେଇସାରିଛନ୍ତି-

 

ଚାରୋଟି କନ୍ୟାର ବିବାହ ଆଉ ଲକ୍ଷ୍ନୌରେ ଖଣ୍ଡିଏ ବାସଭବନ ନିର୍ମାଣରେ ପ୍ରାୟ ସମସ୍ତ ସଞ୍ଚୟ ନିଃଶେଷ ହୋଇଥିଲା ତାଙ୍କର । ସବା ସାନଝିଅକୁ ବିଶେଷ ଉଚ୍ଚଶିକ୍ଷା ଦେଇପାରି ନଥିଲେ ଡକ୍ଟର ସାଲାଟୋର । ଅବସର ଗ୍ରହଣର ଠିକ୍‌ ପରେ ପରେ ସେ ହେଲେ ବିପତ୍ନୀକ ବିପତ୍ନନୀକ । ସାଲାଟୋରଙ୍କ ସଂପୂର୍ଣ୍ଣରୂପେ ନିର୍ଭର କରିବାକୁ ହେଲା ଝିଅ ଉପରେ । ଅବଶ୍ୟ ଅନ୍ୟ ଝିଅଙ୍କ ପରି ବୁଦ୍ଧିମତୀ ନଥିଲା ଲକ୍ଷ୍ମୀ–ସାଲାଟୋରଙ୍କ ସାନଝିଅ । ବଡ଼ କଷ୍ଟରେ ଦ୍ୱିତୀୟ ସୁଯୋଗରେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲା ଲକ୍ଷ୍ମୀ । ନାଁ ଲେଖେଇଥିଲା କଲେଜରେ-। ପାଠ ପଢ଼ିବାଠୁ ପିତାଙ୍କର ଯତ୍ନ ନେବାଟାକୁ ଶ୍ରେୟସ୍କର ମନେ କଲା ଲକ୍ଷ୍ମୀ । ସ୍ୱାସ୍ଥ୍ୟ ଓ ରୂପ ମଧ୍ୟ ଅନ୍ୟ ଭଉଣୀଙ୍କ ତୁଳନାରେ ଲକ୍ଷ୍ମୀର ଥିଲା ନ୍ୟୂନ ଧରଣର । ତଥାପି ବିବାହ ଦେବାକୁ ହେବ ନିଶ୍ଚୟ । ସ୍ୱାସ୍ଥ୍ୟ ଓ ରୂପ ନିମ୍ନସ୍ତରରେ ହେଲେ ମଧ୍ୟ ତରୁଣୀ ମନର ଆଶା ଆକାଂକ୍ଷାରେ ତ ଫରକ ପଡ଼େନି କିଛି । ଲକ୍ଷ୍ମୀର ବିବାହ ପାଇଁ ଆବଶ୍ୟକ ଅର୍ଥ । ପ୍ରଚୁର ଅର୍ଥ । ଅଥଚ ଡକ୍ଟର ସାଲାଟୋରଙ୍କର ବ୍ୟାଙ୍କ ବାଲାନ୍‌ସ ଥିଲା ମାତ୍ର କୋଡ଼ିଏ ହଜାର ଭିତରେ । ଉପଯୁକ୍ତ ପାତ୍ର ମିଳିଲେ ଘରଖଣ୍ଡିକ ମଧ୍ୟ ତାକୁ ଦେବାର ଅଭିପ୍ରାୟ ଥିଲା ଡକ୍ଟର ସାଲାଟୋରଙ୍କର । ଅଧ୍ୟାପକ ମାଲହୋତ୍ରାଙ୍କର ଅଭିପ୍ରାୟ କଥା ଜାଣି ତାଙ୍କ ସଙ୍ଗରେ ଥରେ ଆଳାପ କରିବା ଇଚ୍ଛା ପ୍ରକାଶ କଲେ ଡକ୍ଟର ସାଲାଟୋର ।

 

ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କ ମଧ୍ୟସ୍ଥତାରେ ଆରମ୍ଭ ହେଲା ଆଳାପ ଆଲୋଚନା । ଡକ୍ଟର ସାଲାଟୋର ସ୍ପଷ୍ଟ ଭାବରେ କହିଗଲେ ସବୁକଥା । ନିଜ କନ୍ୟାର ଶାରୀରିକ ଗଠନ, ଦୋଷ ଦୁର୍ବଳତା ସବୁ କିଛି କହିଗଲେ ସେ ନିରପେକ୍ଷ ସମାଲୋଚକ ଭାବରେ । ବହୁବର୍ଷ ଉଚ୍ଚପଦରେ ଶାସନ ବିଭାଗରେ ଚାକିରୀ କରି ମଧ୍ୟ ସତେ ଯେମିତି ଜୀବନର ପ୍ରାରମ୍ଭରେ ଶିକ୍ଷକତାର ଗନ୍ଧ ଯାଇ ନଥିଲା ତାଙ୍କର । କନ୍ୟା ଦାୟରୁ ମୁକ୍ତ ହେବା ପାଇଁ କାହାରିକୁ ପ୍ରତାରିତ କରିବା ଲୋକ ନୁହନ୍ତି ଡକ୍ଟର ସାଲାଟୋର । ଆବଶ୍ୟକବେଳେ ଅର୍ଥ ଓ ସାହାଯ୍ୟର ପ୍ରଲୋଭନ ଦେଇ ହୀନଭାବରେ ପରେ ନିଜର ସ୍ୱାର୍ଥ ହାସଲ କରିବାର ପକ୍ଷପାତୀ ସେ ନୁହନ୍ତି । ଅଧ୍ୟାପକ ମାଲହୋତ୍ରାଙ୍କ ବାପ ମା’, ଜ୍ଞାତି କୁଟୁମ୍ବ ସମସ୍ତେ ଆସି ଦେଖିଯାଇଥିଲେ ପାତ୍ରୀ । ଅଧ୍ୟାପକ ମାଲହୋତ୍ରା ତ ଦେଖୁଥିଲେ ନିଇତି । ଆଳାପ ଆଲୋଚନାରୁ ଆରମ୍ଭ କରି ରଙ୍ଗରସ ପର୍ଯ୍ୟନ୍ତ ।

 

ସମସ୍ତଙ୍କର ସ୍ୱୀକୃତି, ସନ୍ତୁଷ୍ଟି ଓ ପରିତୃପ୍ତି ମଧ୍ୟରେ ବୈଦିକ ରୀତିରେ ସମ୍ପନ୍ନ ହେଲା ବିବାହ । ବିବାହର ଠିକ୍‌ ମାସକ ପରେ ମାଲହୋତ୍ରା ଅଧ୍ୟୟନ ପାଇଁ ଗଲେ ଆମେରିକା ।

 

ଶ୍ରୀଯୁକ୍ତ ମାଲହୋତ୍ରା ଯେଉଁ ବିଷୟରେ ଅଧ୍ୟୟନ ଓ ଗବେଷଣା ପାଇଁ ଇଚ୍ଛାପୋଷଣ କରିଥିଲେ, ହୋଇପାରିଲା ନାହିଁ । ସେ ସୁଯୋଗ ମିଳିଲା ନାହିଁ ତାଙ୍କୁ । ‘ଶ୍ରମ-ମଙ୍ଗଳ’ ବିଷୟରେ ଅଧ୍ୟୟନ ପାଇଁ ସ୍ଥାନ ମିଳିଲା ତାଙ୍କୁ । ଯାଇଛନ୍ତି ଯେତେବେଳେ, ସେମିତି ଫେରିଆସି ହାସ୍ୟାସ୍ପଦ ହେବା ଅପେକ୍ଷା, କିଛି ଗୋଟିଏ ଯୋଗ୍ୟତା ନେଇ ଫେରିଲେ କ୍ଷତି କ’ଣ ? ଦୁଇବର୍ଷ ଅଧ୍ୟୟନ କରି ଫେରିଆସିଲେ ଦେଶକୁ । ଲକ୍ଷ୍ନୌରେ ତିନି ଚାରିମାସ ଅବସ୍ଥାନ ପରେ ତାଙ୍କୁ ନିଯୁକ୍ତି ମିଳିଲା ରାଉରକେଲା ଷ୍ଟିଲ ପ୍ଳାଣ୍ଟରେ । ସିଧାସଳଖ ସହକାରୀ ଶ୍ରମମଙ୍ଗଳ ଅଫିସର । ଜୀବନର ଲକ୍ଷ୍ୟ କିନ୍ତୁ ଅପୂର୍ଣ୍ଣ ରହିଗଲା । ଯୋଗ ଦେଲେ ଚାକିରୀରେ । ଛାଡ଼ିଲେ ଲକ୍ଷ୍ନୌ । ସତେ ଯେମିତି ମୁକ୍ତି ମିଳିଗଲା ତାଙ୍କୁ । ଆମେରିକାରୁ ଫେରିଲା ପରେ କେଜାଣି କାହିଁକି ସେ ମୋଟେ ପସନ୍ଦ କରିପାରିଲେ ନାହିଁ ତାଙ୍କ ପତ୍ନୀଙ୍କର ଚାଲିଚଳନ । ସେ ଅନୁଭବ କଲେ ସତେ ଯେମିତି ତାଙ୍କର ପ୍ରତିକୂଳ ରୁଚିର ମୂର୍ତ୍ତିବତୀ ଅବତାର ତାଙ୍କର ପତ୍ନୀ । ମାତ୍ର ତିନୋଟି ମାସରେ ଅତିଷ୍ଠ ହୋଇ ପଡ଼ିଲେ ଶ୍ରୀଯୁକ୍ତ ମାଲହୋତ୍ରା । ରାଉରକେଲାର ନୂତନ ନିଯୁକ୍ତି ମୁକ୍ତି ଦେଲା ତାଙ୍କୁ ରୁଦ୍ଧିମନ୍ତ ଦାମ୍ପତ୍ୟ ଜୀବନର ତିକ୍ତତାରୁ । ଶିଳ୍ପନଗରୀର ମୁକ୍ତ ବାତାବରଣରେ ଆଶ୍ୱସ୍ତିର ନିଶ୍ୱାସ ମାରିଲେ ସେ । କୁମାରୀ ତନେଜାଙ୍କ ସାହଚର୍ଯ୍ୟ ମାଲହୋତ୍ରାଙ୍କର ବ୍ୟର୍ଥତାରେ ଟାଣିଥିଲା ନାଲିଗାର ।

 

କୁମାରୀ ତନେଜାଙ୍କ ହାତରେ ହଠାତ୍‌ ପଡ଼ିଲା ଖଣ୍ଡିଏ ଟେଲିଗ୍ରାମ । ଆସିଥିଲା ମାଲହୋତ୍ରାଙ୍କ ପାଖକୁ । ‘ପତ୍ନୀ ଗୁରୁତରଭାବେ ପୀଡ଼ିତ । ଶୀଘ୍ର ଆସ ।’ ମାଲହୋତ୍ରାଙ୍କ ଟେବୁଲଡ୍ରୟରରେ ସେମିତି ହାତ ବୁଲଉ ବୁଲଉ କୁମାରୀ ତନେଜା ଆବିଷ୍କାର କଲେ ସେ ଖଣ୍ଡକ । ଧରା ପଡ଼ିଗଲେ ଶ୍ରୀଯୁକ୍ତ ମାଲହୋତ୍ରା । କୁମାରୀ ତନେଜାଙ୍କୁ ସେ ପ୍ରତାରିତ କରିଛନ୍ତି । ତାଙ୍କର ଜଣେ ଅତି ଉଚ୍ଚପଦସ୍ଥ କର୍ମଚାରୀଙ୍କ ଅଲିଅଳି ଝିଅର ସେ ସର୍ବନାଶ କରିଛନ୍ତି । ନିର୍ବାକ୍‌ ନିସ୍ପନ୍ଦ ହୋଇ ଛିଡ଼ା ହୋଇ ରହିଲେ ଶ୍ରୀଯୁକ୍ତ ମାଲହୋତ୍ରା । ମାଲହୋତ୍ରାଙ୍କ ଆଖିରେ ଲୁହ । କୁମାରୀ ତନେଜା ସ୍ଥିର-ପ୍ରଶାନ୍ତ-ଗମ୍ଭୀର । ଆଖିର ଲୁହ ଗଡ଼ି ପଡ଼ିଛି ଗଣ୍ଡଦେଶରେ । ମାଲହୋତ୍ରା ହାତ ଧରିଲେ କୁମାରୀ ତନେଜାଙ୍କର । କ’ଣ କହିବାକୁ ଯାଉଥିଲେ । କହି ପାରିଲେ ନାହିଁ । ବାଷ୍ପରୁଦ୍ଧ କଣ୍ଠ । ଥରିଉଠିଲା ଓଠ । ଫୁଲିଉଠିଲା ନାକ ପୁଡ଼ା । ଆଖିରେ ଅଶ୍ରୁର ପ୍ଳାବନ ।

 

ମାଲହୋତ୍ରା ତିନିଦିନ ଆଗରୁ ପାଇଥିଲେ ଟେଲିଗ୍ରାମ । ଘରକୁ ଯିବାର ଉଦ୍ଦେଶ୍ୟ ନଥିଲା ତାଙ୍କର । ଟେଲିଗ୍ରାମଟିକୁ ଚିରି ଫୋପାଡ଼ି ପାରି ନଥିଲେ । ଭୁଲ ବଶତଃ ରହିଯାଇଥିଲା ଡ୍ରୟରର ଏକ ନିଭୃତ କୋଣରେ ।

 

ରଖେଇ ଦେଲେନି ତାଙ୍କୁ କୁମାରୀ ତନେଜା । ଏତେ ଶିକ୍ଷାଦୀକ୍ଷା ପରେବି ଗୋଟିଏ ରକ୍ଷଣଶୀଳ ଅହେତୁକୀ ଆଶଙ୍କାରେ ଥରିଉଠିଲା କୁମାରୀ ତନେଜାଙ୍କର ଛାତି । ଶ୍ରୀମତୀ ମାଲହୋତ୍ରାଙ୍କର ନିଶ୍ୱାସ ପଡ଼ିବ ତାଙ୍କ ଉପରେ । ଯିବାକୁ ହେବ । ଅଗତ୍ୟା ଛୁଟିରେ ଗଲେ ଶ୍ରୀଯୁକ୍ତ ମାଲହୋତ୍ରା ।

 

ଡକ୍ଟର ସାଲାଟୋର ବିଶେଷ ବିଚଳିତ । କନ୍ୟା ପୀଡ଼ିତା । ସମ୍ବାଦ ପାଇଁ ଆସିଛି ବଡ଼ ଝିଅ । ଚିକିତ୍ସା ବିଜ୍ଞାନରେ ଉଚ୍ଚଡ଼ିଗ୍ରୀ ଲାଭକରିଛି ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରୁ । ଦିନ ରାତି ଜଗି ବସିଛି । ଝିଅ, ଜ୍ୱାଇଁ–ସମସ୍ତେ ଆସିଛନ୍ତି । ଦିଲ୍ଲୀରୁ ଆସିଛନ୍ତି ଡାକ୍ତର । ଏକ ଅଶୁଭ ଆଶଙ୍କାରେ ଡକ୍ଟର ସାଲାଟୋର ବିବ୍ରତ । ଜୀବନରେ ସେ ପତ୍ନୀ ବିୟୋଗର ଦୁଃଖ ଅନୁଭବ କରିଛନ୍ତି । ସନ୍ତାନ ବିୟୋଗର ଦୁଃଖ ପଡ଼ି ନଥିଲା କେବେ ତାଙ୍କୁ । ଜୀବନର ଶେଷ ଭାଗରେ ନିଃସଙ୍ଗ ଜୀବନର ମରୁଭୂମିରେ ଏ ଝିଅଟି ଥିଲା ତାଙ୍କର ଓଏସିସ୍‌ । ତିନିଦିନ ହେଲା ଡକ୍ଟର ସାଲାଟୋରଙ୍କ ଆଖି ଛଳ ଛଳ । ତାଙ୍କୁ ବେଶୀ ଦୁଃଖ ଦେଉଛି ମାଲହୋତ୍ରାଙ୍କ ଉଦାସୀନତା । ସେ ଆସୁନାହାନ୍ତି କାହିଁକି ? ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ । ସମସ୍ତେ ଅନୁଭବ କରୁଛନ୍ତି ମାଲହୋତ୍ରାଙ୍କ ଅନୁପସ୍ଥିତି ।

 

ପୀଡ଼ିତା ଲକ୍ଷ୍ମୀର ଆତ୍ମାବି ବୋଧହୁଏ ଅପେକ୍ଷମାନା । ଚାରି ପାଞ୍ଚ ଘଣ୍ଟାରେ ଥରେ ସେ ମେଲୁଛି ତା’ର ଆଖି । ଦୁର୍ବଳ ଆଖିପତା । ସ୍ଥିର ଆଖିର ଡୋଳା । ତଥାପି ସେଥିରେ ଥିଲା ଗୋଟିଏ ଖୋଜିଲା ଖୋଜିଲା ଭାବ । ରହି ରହି ବହି ଆସେ ଦୀର୍ଘଶ୍ୱାସ । ଥରିଉଠେ ଓଠ । ନାକ ପୁଡ଼ାର ଏକ ଧୀର, ଅତି ଧୀର ସ୍ଫୁରଣ । ଆଖି କୋଣରେ ଜମି ଆସେ ଲୁହ । ଧୀରେ ବୁଜି ହୋଇଯାଏ ଆଖି । ଆଖି କୋଣରୁ ଲମ୍ବି ଆସେ ଲୁହର ଧାର ।

 

ଲକ୍ଷ୍ମୀର ଅବସ୍ଥା ବିଶେଷ ଉଦ୍‌ବେଗ ଜନକ । ଡକ୍ଟର ସାଲାଟୋର ଢଳି ପଡ଼ିଛନ୍ତି କାଉଚ୍‌ ଉପରେ । ଛାତିଭିତରେ କୋହର ତୋଫାନ । ସବୁ ଝିଅ ଜ୍ୱାଇଁ ଛିଡ଼ା ହୋଇଛନ୍ତି ଲକ୍ଷ୍ମୀର ଶଯ୍ୟା ଚାରିପଟେ । ନାହାନ୍ତି କେବଳ ମାଲହୋତ୍ରା ।

 

ଘର ଆଗରେ ଅଟକିଗଲା ଗୋଟାଏ ଟାକ୍‌ସି । ପହଞ୍ଚିଲେ ଶ୍ରୀଯୁକ୍ତ ମାଲହୋତ୍ରା । ଆଖି ଖୋଲିଲା ଲକ୍ଷ୍ମୀ । ଥରିଉଠିଲା ଓଠ । ଶୁଖିଲା ଜିଭଟାକୁ ବୁଲେଇବାକୁ ଚେଷ୍ଟାକଲା । ପାରିଲା ନାହିଁ-। ଦୁର୍ବଳ ହାତଟାକୁ ସାମାନ୍ୟ ଉଠେଇଲା । ଯନ୍ତ୍ରଚାଳିତ ପରି ବସି ପଡ଼ିଲେ ମାଲହୋତ୍ରା ଲକ୍ଷ୍ମୀର ଶଯ୍ୟା ପାର୍ଶ୍ୱରେ । ଲକ୍ଷ୍ମୀ ଦରାଣ୍ଡିଲା ମାଲହୋତ୍ରାଙ୍କ ହାତଟା । ମାଲହୋତ୍ରା ଜୀବନରେ ପ୍ରଥମଥର ପାଇଁ ଅନୁଭବ କଲେ ନାରୀହୃଦୟରେ ଗଭୀରତା । ଲକ୍ଷ୍ମୀର ହାତ ଧରିଲେ ସେ । ଆଉଁସି ଦେଲେ ଲକ୍ଷ୍ମୀର ଦେହ । ସଜାଡ଼ି ଦେଲେ ସେ ଲକ୍ଷ୍ମୀର ଅଲରା ବାଳ କେରାକ । ଲକ୍ଷ୍ମୀ ଚାହିଁଲା ମାଲହୋତ୍ରାଙ୍କ ମୁହଁକୁ । ଆଖିରେ ତା’ର ଆଲୋକର କ୍ଷୀଣଝଲକ । ଓଠରେ ପରିତୃପ୍ତିର ଏକ ପରିପୂର୍ଣ୍ଣ ଅଭିବ୍ୟକ୍ତି । ତା’ପରେ ଧୀରେ ଧୀରେ ବୁଜି ହୋଇଗଲା ଆଖି । ଆଉ ଖୋଲିନି । ବହି ଆସିଲା ଏକ ଦୀର୍ଘଶ୍ୱାସ ନଥିଲା ସେଥିରେ ଜୀବନର ହତାଶା । ଥିଲା ପରିପୂର୍ଣ୍ଣତା ।

 

ନିଜର ହାତଟା ସେମିତି ପଡ଼ି ରହିଲା ମାଲହୋତ୍ରାଙ୍କ ହାତରେ । ଏଇ ହାତରେ ଯେତେବେଳେ ଜୀବନଥିଲା; ଯେତେବେଳେ ଥିଲା ସ୍ପର୍ଶର ବ୍ୟାକୁଳ ନିବେଦନ, ସେତେବେଳେ କେତେଥର ଠେଲି ନ ଦେଇଛନ୍ତି ସେଇ ସ୍ପର୍ଶରଙ୍କୁଣୀ ହାତଟିକୁ ! ଆଜି କିନ୍ତୁ ସେ ଚାହାନ୍ତି ନାହିଁ ଠେଲି ଦେବାକୁ ସେଇ ହାତଟିକୁ । ଏମିତି ଯୁଗ ଯୁଗ ଧରି ରହିଥାଆନ୍ତା କି ସେଇ ହାତଟା ତାଙ୍କ ହାତରେ । ଏଇ ନିଥରହାତଟା ଆଜି ଆଗ୍ରତ କରିଛି ମାଲହୋତ୍ରାଙ୍କର ଅନ୍ତରର ଦାର୍ଶନିକକୁ । ସେ ଅନୁଭବ କରୁଛନ୍ତି ତାଙ୍କ ଜୀବନର ଭୁଲ । କିନ୍ତୁ ସେତେବେଳେ ସବୁ ରଫା ହୋଇଯାଇଛି । କଇଁ କଇଁ ହୋଇ କାନ୍ଦି ଉଠିଲେ ଶ୍ରୀଯୁକ୍ତ ମାଲହୋତ୍ରା ଅବୋଧ କଅଁଳା ଶିଶୁଟି ପରି । ସତେ ଯେମିତି ଛାତିର ଉଦ୍‌ଗଢ଼ କୋହରେ ସେ କହି ଯିବେ ତାଙ୍କର ଆତ୍ମାର କକର୍ଥନା; ଆଉ ଧୋଇ ଦେବେ ତାଙ୍କର ପାପକୁ ଆଖିର ଲୁହରେ ।

 

ଜଳୁଛି ଲକ୍ଷ୍ମୀର ଚିତା । ଆଉ ଜଳୁଛି ମାଲହୋତ୍ରାଙ୍କ ଛାତିରେ ହୁତାଶନ । ଏକ ଲୟରେ ଚାହିଁଛନ୍ତି ସେ ଧୂ ଧୂ ଜଳୁଥିବା ଚିତାକୁ । ଆଖିରେ ପଲକ ନାହିଁ । ଚିନ୍ତାର ଶେଷ ନାହିଁ । ଲମ୍ବିଛି ଖିଅ......ଗୋଟିକ ପରେ ଗୋଟିଏ । ଗୋଟିଏ ଖିଅରେ ଆଉ ଗୋଟିଏ ଖିଅ ଗୁଡ଼େଇ ହେଉଛି । ତା’ପରେ ଜଟିଳ ଗ୍ରନ୍ଥି । ଖୋଲି ପାରୁନାହାନ୍ତି ଶ୍ରୀଯୁକ୍ତ ମାଲହୋତ୍ରା । ଜୀବନର ସୂତାଖିଅ ତାଙ୍କର ଗ୍ରନ୍ଥିଳ । କିଏ ଖୋଲି ପାରିବ ସେ ଗ୍ରନ୍ଥି ? ନା, ନା, ସେ ଗ୍ରନ୍ଥି ରହି ଯାଉ ସେମିତି । କେହି ଯଦି ଖୋଲି ଦିଏ ସେ ଗ୍ରନ୍ଥି.....ତେବେ ? ...ତେବେ ? ଆଶଙ୍କାରେ ଥରିଉଠେ ତାଙ୍କର ଛାତି ।

 

ଜଳୁଛି ଲକ୍ଷ୍ମୀର ଚିତା । ସେହି ଚିତାର ଉତ୍ତାପରେ ଦଗ୍‌ଧ ହେଉଛି ମାଲହୋତ୍ରାଙ୍କର ଅନ୍ତରର ରାକ୍ଷସ । ଯେଉଁ ରାକ୍ଷସ ପ୍ରତାରିତ କରିଥିଲା ଲକ୍ଷ୍ମୀକୁ–ଆଉ କୁମାରୀ ତନେଜାଙ୍କୁ । ଯେଉଁ ଆସୁରୀ ପୁରୁଷକାର ତନେଜାର କୁମାରୀ ଜରାୟୁରେ ମାତୃତ୍ୱର ଅଙ୍କୁରକୁ ସମୂଳେ ବିନଷ୍ଟ କରିବାକୁ ଯାଇ ହୋଇଥିଲା ବ୍ୟର୍ଥ । ଯେଉଁ ରାକ୍ଷସ କୁମାରୀ ତନେଜାର ସନ୍ତାନକୁ ମୂକ ନିର୍ବାକ କରି ଛାଡ଼ି ଦେଇଥିଲା ଅପନ୍ତରାରେ....କାହାରି ଦୃଷ୍ଟି ଆକର୍ଷଣ କରିପାରିବ ନାହିଁ । ରାତ୍ରିର ନିର୍ଜନତା ଆଉ ନୀରବତା ଭିତରେ ଲିଭିଯିବ ତା’ର ଜୀବନଦୀପ । ଜଳିଉଠିଲା...ନିଭିଯିବ । ‘ନା, ନା ତନେଜା, ଏ ହତ୍ୟା ନୁହେଁ । ଜୀବନକୁ ସୁଖମୟ କରିବାକୁ ଯଦି ଭ୍ରୂଣହତ୍ୟାକୁ ଆଇନ୍‌ସଙ୍ଗତ କରାଯାଇପାରେ, ଗୋଟିକର ଜୀବନକୁ ସୁଗମ ଓ ସୁନ୍ଦର କରିବାକୁ ଯଦି ଗର୍ଭରେ ସଞ୍ଚରିତ ଜୀବନକଣିକାକୁ ନିଶ୍ଚିହ୍ନ କରିବାକୁ ସାମାଜିକ, ଜାତୀୟ ଓ ରାଷ୍ଟ୍ରୀୟ ଆବଶ୍ୟକତା ଭାବରେ ଗ୍ରହଣ କରାଯାଇପାରେ, ତେବେ, ୟାକୁ ହତ୍ୟା ଭାବି ମନକୁ ଦୁର୍ବଳ କରିବା ଏକ କୁସଂସ୍କାର ତନେଜା....ଏକ ହୀନ କୁସଂସ୍କାର । ପ୍ରକୃତିର ସନ୍ତାନକୁ ଛାଡ଼ି ଦିଆଯିବ ପ୍ରକୃତିର କୋଳରେ ।

 

ମାଟିର ଦେହକୁ ଥୋଇ ଦିଆଯିବ ମାଟି ଉପରେ । ତା’ର ଅସ୍ତିତ୍ୱ, ତା’ର ଜୀବନ ନିର୍ଭର କରିବ ପ୍ରକୃତି ଉପରେ । ତେବେ ତା’ର କଳରବରେ ଯେପରି ନ ଭାଙ୍ଗେ ରାତ୍ରିର ନୀରବତା–ଶିଶୁର ଆତୁର କ୍ରନ୍ଦନ ଯେପରି କାହାରି ମନରେ ସୃଷ୍ଟି ନ କରେ ପ୍ରଶ୍ନବାଚୀ । ମୁଁ କେବଳ ସେହି ବ୍ୟବସ୍ଥା କରିବି ତନେଜା । ଏ ଦୁନିଆରେ ମଣିଷ କ’ଣ ଶୁଣେ ମଣିଷର ଆର୍ତ୍ତ ଚିତ୍କାର ? ତଳେ ପଡ଼ିଥିବା ମଣିଷ କାନ୍ଦେ–ଚିତ୍କାର କରେ–କରେ ଆତୁର ରୋଦନ । କେହି ଶୁଣେ ? ବ୍ୟର୍ଥ ଚିତ୍କାର–ଅରଣ୍ୟରୋଦନ କରି ଶାନ୍ତ ବାୟୁ ମଣ୍ଡଳକୁ କୋଳାହଳମୟ କରିବା ଅପେକ୍ଷା, ନୀରବ ରହିବା କ’ଣ ଶ୍ରେୟସ୍କର ନୁହେଁ ? ଅନ୍ୟର ସାହାଯ୍ୟ, ସହାନୁଭୂତି ଓ ସହଯୋଗ ପାଇଁ ଚିତ୍କାର କରିବା ଏକ ଆତ୍ମଗ୍ଳାନି । ବରଂ ମୂକ ଅଥର୍ବ ହେବା ଉଚିତ୍‌ । ସେଇଥିପାଇଁ ୟାକୁ ଆମେ ଜନ୍ମରୁ କରି ଦେବା ମୂକ । ମୁଁ ତା’ର ସମସ୍ତ ବ୍ୟବସ୍ଥା କରିଛି ତନେଜା । ‘ଆମେ ଜୀବନର ପ୍ରଗତିକୁ ରୁଦ୍ଧ କରିବାକୁ ପ୍ରଣୟ କରିନୁ ତନେଜା । ଆମେ ପ୍ରେମ କରିଛେ ଆଗେଇ ଯିବାର ପ୍ରେରଣା ପାଇଁ । ପ୍ରଣୟର ଫୁଲ–ତା’ର ସୁରଭି ଆଉ ଫଳର ସ୍ୱାଦ ପ୍ରତି ଆସକ୍ତ ହେଲେ, ଅଟକି ଯିବ ଜୀବନ । ପଙ୍ଗୁ ଅଥର୍ବ ପରି ଖାଲି ଚାହିଁ ରହିବାକୁ ପଡ଼ିବ ନୀଳ ଆକାଶକୁ । ନାରୀ ହୃଦୟର ଏକ ଆଦିମ ପ୍ରବୃତ୍ତିକୁ ମୂଳପୋଛ ନ କଲେ ଉଚ୍ଚାଭିଳାଷ ଚରିତାର୍ଥ ହୋଇପାରିବ ନାହିଁ ତନେଜା । ମାତୃତ୍ୱ–ମାତୃହୃଦୟର କୋମଳତା ଅର୍ଥହୀନ, ମୂଲ୍ୟହୀନ ଦୁର୍ବଳତା । ନାରୀ ମନର ଅଫିମ ନିଶା । ‘ମନେ ଅଛି ତ ସବୁଯାକ କଳ୍ପନା ଜଳ୍ପନା ? ବର୍ଲିନ୍‌ରେ ଅଧ୍ୟୟନ ଓ ଗବେଷଣାର ପରିସମାପ୍ତି ପରେ ବିବାହ–ସୁଇଜରଲାଣ୍ଡରେ ହନିମୁନ୍‌ । ସବୁକିଛି ପଣ୍ଡ ହୋଇଯିବ ତନେଜା–ଭୁସୁଡ଼ି ପଡ଼ିବ ମନର ତାଜ । ସୃଜନର ବୁଭୁକ୍ଷା ନେଇ କ’ଣ ଆମେ ଆଲିଙ୍ଗନ କରିଥିଲା ପରସ୍ପରକୁ ? ଆମେ ବାନ୍ଧିଥିଲେ ପରସ୍ପରକୁ, ଜୀବନରେ ବଡ଼ ହେବାର ନିଶାକୁ ତେଜେଇ ରଖିବା ପାଇଁ । ଦୁଇଟି ଦେହ ଆମର ଏକ ହୋଇଥିଲା, ଜୀବନର ଲକ୍ଷ୍ୟ ପରିପୂର୍ତ୍ତିର ପ୍ରେରଣାରେ ମନ, ପ୍ରାଣ ଓ ଆତ୍ମାକୁ ଉଦ୍‌ବୁଦ୍ଧ କରିବାକୁ । ତେଣୁ ଏ ସୃଷ୍ଟି ଅଯାଚିତ...ଅନାକାଂକ୍ଷିତ । ଧାନ ଖେତର ବାଳୁଙ୍ଗ । ଅତି ଯତ୍ନରେ ପରିବର୍ଦ୍ଧିତ ଶାଗୁଆନ ବନରେ ଅସନ, କୁରୁମ ଆଉ ଗାମ୍ଭାରୀ । ଥିନିଂ ଦରକାର । ସେଥିରେ ପାପର ପ୍ରଶ୍ନ ନାହିଁ । ସେ ଏକ ପରମ କର୍ତ୍ତବ୍ୟ, ଆମେ ତାକୁ ଛାଡ଼ି ଦେବା ପ୍ରକୃତିର କୋଳରେ । ହତ୍ୟାର ମହାପାପ କରିବା ନାହିଁ । ତେବେ ଅନାବଶ୍ୟକ ସୃଷ୍ଟିର ମୁହଁରେ ଦେବା ନାହିଁ ବେଣୁ । ଏ ସୃଷ୍ଟିର ବେଣୁନାଦରେ ନିନାଦିତ ହେବ ନାହିଁ ବାୟୁମଣ୍ଡଳ । ଗୋଟି ଗୋଟି ହୋଇ ମନେପଡ଼ୁଛି ମାଲହୋତ୍ରାଙ୍କର ପ୍ରତିଟି କଥା । ପ୍ରତିଟି କାମ । ଜୟକଲେ ସେ ତନେଜାଙ୍କୁ । କିନ୍ତୁ...କିନ୍ତୁ....ଆଉ ଭାବି ପାରିଲେ ନାହିଁ ସେ । ଜଳୁଛି ଲକ୍ଷ୍ମୀର ଚିତା । ସେଇ ଉତ୍ତାପରେ ଆସ୍ତେ ଆସ୍ତେ ମରି ଯାଉଛି ମାଲହୋତ୍ରାଙ୍କର ଭିତରର ରାକ୍ଷସ । ମୁଣ୍ଡ ଟେକୁଛି ପ୍ରକୃତ ମନୁଷ୍ୟତ୍ୱ । ମୁଡ଼ୁକେଇ ମୁଡ଼ୁକେଇ ହସୁଛି ମାଲହୋତ୍ରାଙ୍କ ହୃଦୟର ଅନ୍ତର୍ନିହିତ ଦେବତ୍ୱ । ଅଥୟ ହୋଇ ପଡ଼ିଲେ ମାଲହୋତ୍ରା । ଟଳି ପଡ଼ିଲେ ସେ ଗୋମତୀର ବାଲୁକା ଶଯ୍ୟାରେ । ହଜିଗଲା ତାଙ୍କର ଚେତା...

 

କାଉଚ୍‌ରେ ଢଳି ପଡ଼ିଛନ୍ତି ଶ୍ରୀଯୁକ୍ତ ମାଲହୋତ୍ରା । ଅର୍ଦ୍ଧନିମିଳିତ ଚକ୍ଷୁ । ତାଙ୍କୁ ବୁଝଉଛନ୍ତି ଡାକ୍ତର ସାଲାଟୋର । ସେ ନିଜେ ଭଗ୍ନ ହୃଦୟ । ତଥାପି ସାନ୍ତ୍ୱନା ଦେଉଛନ୍ତି ମାଲହୋତ୍ରାଙ୍କୁ । ଭଙ୍ଗା ଭଙ୍ଗା ଗଳା ଡାକ୍ତର ସାଲାଟୋରଙ୍କର । ଆଶ୍ୱାସନା ଦେଉଛନ୍ତି ସଢ଼ୁମାନେ । କଅଁଳ କଥା କହୁଛନ୍ତି, ଲକ୍ଷ୍ମୀର ଭଉଣୀମାନେ । ମାଲହୋତ୍ରା ନୀରବ–ନିଶ୍ଚଳ । ଆଖିଆଗରେ ତାଙ୍କର ନାଚି ଯାଉଛି ଗୋଟିଏ ସଦ୍ୟଜାତ ଶିଶୁର ଅନୁପମ ଛବି । କାନରେ ବାଜୁଛି ଶିଶୁର ରୁଦ୍ଧ କ୍ରନ୍ଦନ । ଜଳଜଳ ହୋଇ ଦିଶି ଯାଉଛି କୁମାରୀ ତନେଜାର ନିହତ ମାତୃତ୍ୱ । ଲକ୍ଷ୍ମୀର ଶେଷ ଦୃଷ୍ଟି ଆଉ ତନେଜାର ମାତୃହୃଦୟର ହାହାକାର ମାଲହୋତ୍ରାଙ୍କ ବୁକୁରେ ଆଣିଛି ଆଲୋଡ଼ନ ।

 

‘‘ବୟସ ତ ଗଡ଼ିଯାଇନି । ପୁଣିଥରେ ବିବାହକଲେ ହୁଏତ ଘୁଞ୍ଚିଯିବ ମନର ଅବସାଦ ।’’ କହିଲେ ଜଣେ ଅଧ୍ୟାପକ–ମାଲହୋତ୍ରାଙ୍କର ଜଣେ ପୁରୁଣା ସହକର୍ମୀ । ଆଖି ଖୋଲିଲେ ଶ୍ରୀଯୁକ୍ତ ମାଲହୋତ୍ରା । ଏକ ଦୃଷ୍ଟିରେ ଚାହିଁ ରହିଲେ ସେ ତାଙ୍କ ବନ୍ଧୁଙ୍କ ମୁହଁଙ୍କୁ । ଓଠରେ ଏକ କ୍ଷୀଣ ହସ । ଯେଉଁ ହସରେ ଥାଏ ପ୍ରଚ୍ଛନ୍ନ ସମର୍ଥନ ଆଉ ଆପାତ ବ୍ୟଙ୍ଗ । ବିବାହ ? ବଲନ୍‌ରେ ବିବାହ ଆଉ ସୁଇଜରଲାଣ୍ଡରେ ହନିମୁନ୍‌ । ଉପରକୁ ଚାହିଁଲେ ମାଲହୋତ୍ରା । ତାଙ୍କୁ ଜଣାପଡ଼ିଲା ସତେ ଯେମିତି ଉପରର ବାୟୁ ତରଙ୍ଗରୁ ଭାସି ଆସିଛି ତାଙ୍କର କର୍ଣ୍ଣକୁହରକୁ ଗୋଟାଏ ଶିଶୁର କ୍ରନ୍ଦନ । ଆଖିରେ ତାଙ୍କର ଫୁଟିଉଠିଲା ବ୍ୟାକୁଳତା । ମୁହଁରେ ଗଭୀର ବ୍ୟଗ୍ରତା । କୁମାରୀ ତନେଜାର ବୁକୁରେ ସେ ଦେଖିବାକୁ ଚାହୁଁଥିଲେ ଏକ ରୋରୁଦ୍ୟମାନ ଶିଶୁ । ପୁଣିଥରେ ହସିଲେ–ବ୍ୟର୍ଥତାର ହସ । ନିଜକୁ ନିଜେ କହିଲେ ସେ–‘ଅସମ୍ଭବ’ ।

 

‘‘ବର୍ତ୍ତମାନର ପରିସ୍ଥିତିରେ ସବୁକିଛି ଅସମ୍ଭବ ଜଣାପଡ଼େ ମିଷ୍ଟର ମାଲହୋତ୍ରା । ଶ୍ମଶାନ ବୈରାଗ୍ୟ ମଣିଷକୁ ଉଦ୍‌ଭ୍ରାନ୍ତ କରେ । କିନ୍ତୁ ସେ କ୍ଷଣିକ । ବର୍ତ୍ତମାନର ମାନସିକ ପୀଡ଼ାକୁ ସମ୍ଭାଳି ନେଲାପରେ ସବୁକିଛି ସମ୍ଭବ ହୋଇପାରିବ । ଆପଣଙ୍କ ପରି ଲୋକଙ୍କୁ ଆମେ ଅବା କ’ଣ ସାନ୍ତ୍ୱନା ଦେବୁ । ନିଜକୁ ନିଜେ ବୁଝାନ୍ତୁ ଆପଣ । ନିଜକୁ ନିଜେ ସମ୍ଭାଳି ନିଅନ୍ତୁ । ମାଲହୋତ୍ରାଙ୍କ କାନରେ ପଡ଼ିଲା ଖାଲି ପଦେ କଥା । ଗୋଟିଏ ଶବ୍ଦ ‘ସମ୍ଭବ’ । ସେ ପୁଣି ବିଳିବିଳେଇ ଉଠିଲେ ‘‘ନା, ନା ଅସମ୍ଭବ; ସେ ଯାଇଛି । ତାକୁ ଆଉ କେହି ଆଣିପାରିବେ ନାହିଁ । ଡାକ୍ତର ସାଲାଟୋରଙ୍କ ଡାକ୍ତରାଣୀ ଝିଅ ଲକ୍ଷ୍ୟକଲେ ମାଲହୋତ୍ରାଙ୍କ ଭଙ୍ଗୀ । ‘‘ଶ୍ରୀଯୁକ୍ତ ମାଲହୋତ୍ରାଙ୍କର ବିଶ୍ରାମ ଦରକାର-।’’ ସଙ୍ଗେ ସଙ୍ଗେ ଦେଲେ ତାଙ୍କୁ ଗୋଟାଏ ଇଞ୍ଜେକ୍‌ସନ୍‌ ।

 

କ୍ରମେ ପ୍ରକୃତିସ୍ଥ ହେଲେ ଶ୍ରୀଯୁକ୍ତ ମାଲହୋତ୍ରା । ଫେରିଆସିଲା ମନର ବଳ । ଅନେକ ଦିନ ପରେ ଆସିଛନ୍ତି ଯେତେବେଳେ ଏଇଠୁ ଫେରିଯିବାଟା ଉଚିତ ହେବ ନାହିଁ । ବାପମାଙ୍କୁ ଥରେ ଦେଖିଆସିବା ଦରକାର । ବଢ଼େଇଲେ ଛୁଟି । ଗାଁରୁ ଫେରିଲେ ଦୀର୍ଘ ଦେଢ଼ ମାସ ପରେ । ଲକ୍ଷ୍ନୌ ଫେରିଆସି ଦେଖିଲେ ଡାକ୍ତର ସାଲାଟୋର ଅସୁସ୍ଥ । ପୁଣି ଛୁଟି ବଢ଼େଇବାକୁ ପଡ଼ିଲା ।

 

ଡାକ୍ତର ସାଲାଟୋର ଜୀବନରେ ଅସୁସ୍ଥ ହୋଇ ନଥିଲେ କେବେ । ଏଇ ତାଙ୍କର ପ୍ରଥମ ଅସୁସ୍ଥତା । ଆଉ ଶେଷ । ଶ୍ରାଦ୍ଧ କ୍ରିୟା ସମାପନପରେ ଲକ୍ଷ୍ନୌ ବାସଭବନରେ ରକ୍ଷଣାବେକ୍ଷଣ ପାଇଁ ଝିଅ ଜ୍ୱାଇଙ୍କ ଭିତରେ ଚାଲିଲା ଆଲୋଚନା । ବାକି ଯାହାକିଛି ବ୍ୟାଙ୍କ୍‌ ବାଲାନ୍‌ସ୍‌ ଥିଲା, ସାଲାଟୋର ଉଇଲ୍‌ କରିଥିଲେ ସାନଝିଅ ନାଁରେ । ଘରଟାବି ଥିଲା ସାନ ଝିଅର । ଆଲୋଚନା ପରେ ଘରଟିକୁ ସବୁ ଝିଅଙ୍କର ଇଜ୍‌ମାଇଲ ସଂପତ୍ତି କରାଗଲା । ଅଳଙ୍କାର ପତ୍ର ଯାହାଥିଲା ସବୁ ନେଲେ ଝିଅମାନେ । ବ୍ୟାଙ୍କ୍‌ ଡିପୋଜିଟ୍‌ଟା ଦିଆଗଲା ମାଲହୋତ୍ରାଙ୍କୁ । ମନା କରୁଥିଲେ ମାଲହୋତ୍ରା । କି ଅଧିକାର ତାଙ୍କର ଅଛି ଲକ୍ଷ୍ମୀର ସଂପତ୍ତିରେ । ସେ ତ ମନେ ମନେ ଅସ୍ୱୀକାର କରୁଥିଲେ ସେ ବିବାହ କିନ୍ତୁ ନେବାକୁ ହେଲା ମାଲହୋତ୍ରାଙ୍କୁ । ଲକ୍ଷ୍ନୌ ବାସଭବନରେ ରହିଲା ତାଙ୍କର ସତ୍ୱ । ଏ ପରିକି ପୁନର୍ବିବାହ କଲେ ମଧ୍ୟ ସେ ସତ୍ୱ ଅକ୍ଷୁଣ୍ଣ ରହିବାର ବ୍ୟବସ୍ଥା କରି ଦେଲେ ଅନ୍ୟ ଝିଅ ଓ ଜ୍ୱାଇଁମାନେ । ମାଲହୋତ୍ରା ଯାହାକୁ ବିବାହ କରିବେ ସେ ହେବ ଏମାନଙ୍କର ଭଉଣୀ ।

 

ମାଲହୋତ୍ରାଙ୍କର ଏକମାତ୍ର ଭଗିନୀ ଥିଲା ଅବିବାହିତା । ଗ୍ରାଜୁଏଟ୍‌ । ପରମାସୁନ୍ଦରୀ, ଅର୍ଥ ଅଭାବ ଯୋଗୁଁ ସୁପାତ୍ରରେ ଦିଆଯାଇ ପାରୁ ନଥିଲା । ଅର୍ଥପ୍ରାପ୍ତି ମାଲହୋତ୍ରାଙ୍କୁ ଦେଲା ଏକ ସୁବର୍ଣ୍ଣ ସୁଯୋଗ । କୌଣସି ମତେ ଭଉଣୀର ବିବାହ ଦେବାକୁ ହେବ । ଦୂର ହେବ ପିତାମାତାଙ୍କର ଏକମାତ୍ର ଦୁଶ୍ଚିନ୍ତା । ପୁଣି ବଢ଼େଇଲେ ଛୁଟି ।

 

ସମସ୍ତ ଘଟଣା ଅମୂଳଚୁଳ ବର୍ଣ୍ଣନା କରି ସେ ଲେଖିଲେ ଖଣ୍ଡେ ଚିଠି କୁମାରୀ ତନେଜା ପାଖକୁ । ......ମୁଁ ତୁମକୁ ପ୍ରତାରିତ କରିଛି ତନେଜା । ମୁଁ ବିବାହିତ ହୋଇ ସୁଦ୍ଧା ଗୋପନ ରଖିଥିଲି-। ମୁଁ ସେ ବିବାହକୁ ମନେ ମନେ ଅସ୍ୱୀକାର କରିଥିଲେ ମଧ୍ୟ ଅନ୍ତତଃ ତୁମ ନିକଟରେ ପ୍ରକାଶ ନ କରି ହୀନତାର ପରିଚୟ ଦେଇଛି । ଲକ୍ଷ୍ମୀ ସହିତ ମୁଁ ରଖି ନଥିଲି କୌଣସି ପ୍ରକାର ସଂପର୍କ । ସେ ଥିଲା ସଂପୂର୍ଣ୍ଣ ନିରପରାଧା । ଓଃ କି ନିଷ୍ଠା ତା’ର ! କି ଆନ୍ତରିକତା ! ପ୍ରଗତି ନାମରେ ମାନବିକ ସଂପର୍କର ଏ ମୂଲ୍ୟବୋଧକୁ ଆମେ ଉପେକ୍ଷା କରିପାରିବା ନାହିଁ ତନେଜା । ତୁମର ନାରୀ ହୃଦୟର କୋମଳତା, ମାତୃହୃଦୟର ସ୍ନେହ ଆଉ ମମତାକୁ ମୁଁ କହିଥିଲି ହୀନ କୁସଂସ୍କାର ବୋଲି । ମୋତେ ଶାସ୍ତି ଦରକାର ତନେଜା, ଶାସ୍ତି । ପାଶବିକ ସମ୍ଭୋଗର ଲାଳସାକୁ ଘୋଡ଼ାଇ ରଖିବାକୁ ମୁଁ କହୁଥିଲି ତୁମ ଆଗରେ ମାନବିକତାର ସ୍ପର୍ଶହୀନ ବସ୍ତୁବାଦ । ମୋ ମନର ଗଭୀର ଆଲୋଡ଼ନକୁ ବର୍ଣ୍ଣନା କରିବାକୁ ମୋର ଭାଷା ନାହିଁ ତନେଜା । କି ପାପୀ ମୁଁ । ଭ୍ରଷ୍ଟାଚାରର ଆଉ କ’ଣ ଦୃଷ୍ଟାନ୍ତ ଥାଇପାରେ । କିନ୍ତୁ ଭଗବାନଙ୍କର କି କରୁଣା । ଲକ୍ଷ୍ମୀର କି ଆନ୍ତରିକ ସ୍ନେହ । ତୁମେ ଆଶଙ୍କା କରୁଥିଲ କାର ନିଶ୍ୱାସ ପଡ଼ିବ ତୁମ ଉପରେ ବୋଲି । କିନ୍ତୁ କାହିଁ-? ବରଂ ସେ ଆମପାଇଁ ପଥ ପରିଷ୍କାର କରିଦେଇଛି; ଅବଶ୍ୟ ତୁମେ ଯଦି ଏ ବିଶ୍ୱାସଘାତକ, ଭ୍ରଷ୍ଟାଚାରୀ ଅଧମର ଧୃଷ୍ଟତାକୁ କ୍ଷମା କର । ଆଉ ଅନ୍ୟ ଉପାୟ କିଛି ନାହିଁ ତନେଜା । ଅବଶ୍ୟ ପାଶ୍ଚାତ୍ୟ ରାତିରେ ବିଚାର କଲେ ଯୌନ ସଂପର୍କଟା ଚରିତ୍ରର ଏକ ଉପେକ୍ଷଣୀୟ ଅଂଶ । କିନ୍ତୁ ପ୍ରକୃତରେ କ’ଣ ଆମେ ପାଶ୍ଚାତ୍ୟ ରୀତି ଗ୍ରହଣ କରିପାରିବା ? ସାମୟିକ ଦୁର୍ବଳତାକୁ ନ୍ୟାୟସଙ୍ଗତ କରିବାକୁ ଅବଶ୍ୟ ଆମେ ପାଶ୍ଚାତ୍ୟ ରୀତି, ପାଶ୍ଚାତ୍ୟ ସଂସ୍କୃତିର ଅବତାରଣା କରୁ କିନ୍ତୁ ଭାରତର ବହୁ ପ୍ରାଚୀନ ମାଟିର ପବିତ୍ର ବାୟୁମଣ୍ଡଳରେ ଆମେ କ’ଣ ଠିକ୍‌ ଭାବରେ ଗ୍ରହଣ କରିପାରିବା ସେ ଜୀବନଧାରା ? ଆରେଇ ପାରିବା ଆମେ ? ସୁତରାଂ ଆମ ପାଇଁ ଅନ୍ୟ ପନ୍ଥା ନାହିଁ । କିନ୍ତୁ ତନେଜା କୃତ ପାପର ପ୍ରାୟଶ୍ଚିତ୍ତ ହୋଇପାରନ୍ତା...ଯଦି...କିନ୍ତୁ ସେ କ’ଣ ସମ୍ଭବ ? ମୋର ମନେହେଉଛି ସତେ ଯେମିତି ଆମେ ପୁଣି ସୁଯୋଗ ପାଇବା ପାପର ପ୍ରାୟଶ୍ଚିତ୍ତ ପାଇଁ । ସବୁ ଘଟଣାଗୁଡ଼ିକରୁ ଜଣାପଡ଼ୁଛି ସତେ ଯେମିତି ପାପୀ ପ୍ରତିହିଁ ଥାଏ ଭଗବାନଙ୍କର ବିଶେଷ କରୁଣା । ଆଉ ସବୁ ସାକ୍ଷାତ୍‌ ପରେ..... ।

 

ଆଞ୍ଜଲୁସ ଉପରେ ସମସ୍ତେ ଖୁସି । ଜେଲର, ସହକାରୀ ଜେଲର୍‌, ୱାଡ଼ର, ସୁପରିଣ୍ଟେଣ୍ଡେଣ୍ଟ ଏବଂ ଜିଲ୍ଲା କଲେକ୍ଟର ପ୍ରଭୃତିଙ୍କର ଗାଡ଼ି, ରେଡ଼ିଓ, ୱାଚ୍‌ ମରାମତି କରେ । ଆଞ୍ଜଲୁସ୍‌ ଖୁବ୍‌ ଭଲ ମେକାନିକ । ଜେଲର୍‌ବାବୁଙ୍କୁ ଯଥେଷ୍ଟ ସାହାଯ୍ୟ କରେ ଅଫିସ କାମରେ । ସୁନ୍ଦର ବ୍ୟବହାର ଆଞ୍ଜଲୁସ୍‌ର । ଅନ୍ୟାନ୍ୟ କଏଦୀମାନଙ୍କରବି ଆଞ୍ଜଲୁସ ପ୍ରତି ବିଶେଷ ଶ୍ରଦ୍ଧା ଓ ଭକ୍ତି । ଜେଲ କର୍ତ୍ତୃପକ୍ଷଙ୍କ ସୁପାରିଶକ୍ରମେ ଜେଲର ଆଇନ ଅନୁସାରେ ଜେଲଦଣ୍ଡର ଦୀର୍ଘତା ହ୍ରାସପ୍ରାପ୍ତ ହେଲା । ଆଠମାସ ଆଗରୁ ଆଞ୍ଜଲୁସ୍‌ ମୁକ୍ତିଲାଭ କଲା ।

 

ଯେଉଁଦିନ ସେ ମୁକ୍ତିଲାଭ କଲା ସୁନ୍ଦରଗଡ଼ ଜେଲରୁ ସେଦିନ ତା’ର ପ୍ରଥମ ସାକ୍ଷାତ୍‌ ହେଲା ଜଣେ ସନ୍ନ୍ୟାସୀଙ୍କ ସହିତ । ଲଣ୍ଡିତ ମସ୍ତକ, ଚିକ୍‌କଣ ଗୋରା ତକତକ ମୁହଁ, ସ୍ଥୂଳକାୟ ଓ ଖର୍ବ । ପିନ୍ଧିଥିଲେ ଗେରୁଆ ପଞ୍ଜାବୀ । ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବ । ସେହିଁ ପ୍ରଥମେ ଆଳାପ ଆରମ୍ଭ କରିଥିଲେ ଆଞ୍ଜଲୁସ ସଙ୍ଗରେ । ଉଦ୍ଦେଶ୍ୟପୂର୍ଣ୍ଣ ଆଳାପ । ସେ ଚାହୁଁଥିଲେ ଜଣେ ସୁଦକ୍ଷ କର୍ମୀ । ଆଞ୍ଜଲୁସ୍‌ ଜେଲକୁ ଆସିବା ପରେ, ତା’ର ସଂପ୍ରଦାୟରେ ହୋଇ ପଡ଼ିଥିଲା ଜଣେ ବୀର ପୁରୁଷ । ଜାତିର ମହତ୍ୱ ରକ୍ଷା କରିବାକୁ ଯାଇ ସେ କରିଛି କାରାବରଣ । ସରଳ ଓ ପରିଶ୍ରମୀକୁ ଶୋଷଣରୁ ମୁକ୍ତ କରିବାକୁ ଯାଇ ସେ ଭୋଗିଛି ଜେଲଦଣ୍ଡ । ଆଞ୍ଜଲୁସର ଜେଲଦଣ୍ଡ ଆଦିବାସୀ ସମାଜରେ ଆଣିଛି ଏକ ଜାଗରଣ । ସମସ୍ତଙ୍କର ମନେପଡ଼ିଛି, ବହୁତବର୍ଷତଳେ ଜୋହାନ୍‌ସ ପର୍‌ଚାରର କଥା-। ଆଗେଇ ଯାଇଥିବା ଗୋଷ୍ଠୀର ଆଇନ ଏକ ଚତୁର ପ୍ରତାରଣା । ସେ ଆଇନ ସବୁବେଳେ ତଳେ ପକାଇ ରଖିଥିବ ଅନୁନ୍ନତ ସଂପ୍ରଦାୟକୁ । ତା’ ନ ହେଲେ ଆଞ୍ଜଲୁସ୍‌କୁ ଦଣ୍ଡ ମିଳନ୍ତା କାହିଁକି-? ଅଥଚ ହୀନଚକ୍ରାନ୍ତ କରି ଯେଉଁମାନେ ହତ୍ୟା କଲେ ଜେକବକୁ ସେମାନଙ୍କର କିଛି ହେଲା ନାହିଁ-। ତା’ର ଏକ ସାମାନ୍ୟ ଅନୁସନ୍ଧାନବି ହେଲା ନାହିଁ । ତା’ର ପରିବାରକୁ କୌଣସି ପ୍ରକାର କ୍ଷତିପୂରଣବି ଦିଆ ନ ଗଲା କାହିଁକି ? ଆଗେଇ ଯାଇଥିବା ଗୋଷ୍ଠୀର ସହଯୋଗରେ ଅନୁନ୍ନତ ଗୋଷ୍ଠୀର ଅଗ୍ରଗତି ଏକ ଘୋର ବିଡ଼ମ୍ବନା । ସେମାନଙ୍କର ସ୍ୱତନ୍ତ୍ରତା ଦରକାର । ତା’ ନ ହେଲେ ଚିରଦିନ ଅବହେଳିତ ରହିବେ ସେମାନେ । ସରଳତା ଓ ସାଧୁତାର ସୁଯୋଗ ନେଇ ଉନ୍ନତ ସମାଜ ଶୋଷଣ କରୁଥିବେ । କାହିଁ କିଏ ଆଗେଇଲା ଶିଳ୍ପନଗରୀରେ ? ଏତେ କୋଠାବାଡ଼ି, ବ୍ୟବସାୟ ଠିକାଦାରୀ, ଚାକିରୀବାକିରୀ...କାହିଁ ସେଇଠି ମାଟିର ସନ୍ତାନର ସ୍ଥାନ । କିଏ କେତେ ଆଗେଇ ଗଲେଣି । ସବୁ ବାହାରର ଲୋକ । ଅଳ୍ପ କାମ କରି ବେଶୀ ମୁନାଫା ଉଠେଇବା ଦଳ । କାମ ନ କରି ଡରେଇ ଧପେଇ ଉପରକୁ ଉଠିବାର ଶୈଳୀରେ ଯେଉଁମାନେ ଓସ୍ତାତ୍‌ । ଅଥଚ ପରିଶ୍ରମୀ ଆଉ ବଳିଷ୍ଠ ମାଟିର ସନ୍ତାନ ପାଇଲେ ନାହିଁ ସୁଯୋଗ । ଜମିବାଡ଼ି, ଘରଡ଼ିହ, ସବୁକିଛିର ବିନିମୟରେ ଗୋଡ଼ି ପଥରର ମୂଲ୍ୟର ଯେଉଁ କ୍ଷତିପୂରଣ ପାଇଥିଲେ, ତା’ ଉପରେବି ପଡ଼ିଥିଲା ଲୋଲୁପଦୃଷ୍ଟି ସଭ୍ୟ, ଉନ୍ନତ ଗୋଷ୍ଠୀର । ନାନା ପ୍ରଲୋଭନରେ ପକାଇ କେତେକଙ୍କୁ ସର୍ବସ୍ୱାନ୍ତ ନ କରେଇ ଛାଡ଼ି ନାହାନ୍ତି । ତା’ପରେ ତାଳିମାରି ହସିଛନ୍ତି । ବିଦ୍ରୂପ କରିଛନ୍ତି ପରିହାସ କରିଛନ୍ତି ବୋକା, ନିର୍ବୋଧ ଆଉ ଅମଣିଷ ବୋଲି । ଏସବୁର କ’ଣ ଉତ୍ତର ନାହିଁ ? ଦାରିଦ୍ରତାର ସୁଯୋଗ ନେଇ ସଭ୍ୟ ଶିକ୍ଷିତ ବୋଲାଉଥିବା ଗୋଷ୍ଠୀ ଆଦିମନାରୀର ଅମର୍ଯ୍ୟାଦା କରିଛନ୍ତି । ଏସବୁ କ’ଣ ଚିରଦିନ ବରଦାସ୍ତ କରାଯାଇପାରେ ? ନୀରବ ରହିଲେ, ଏମାନେ ଭାବୁଛନ୍ତି ଆମର ଦୁର୍ବଳତା ଅଛି ବୋଲି । ଏପ୍ରକାର ଚିନ୍ତା ପାଇଁ ଆଉ ଅବକାଶ ଦେବା ମୋଟେ ଉଚିତ ହେଉ ନାହିଁ । କିନ୍ତୁ ସଂଗଠନ ନାହିଁ । ସଂଗଠନ ପାଇଁ ଦରକାର ଜଣେ ଖୁବ୍ ଟାଣୁଆ ଲୋକ-। ଯେଉଁମାନେ ରାଜନୀତି କରୁଛନ୍ତି, ଭୋଟ ପାଇ ଲୋକପ୍ରତିନିଧି ବୋଲାଉଛନ୍ତି, ସେମାନେ ତ ଉନ୍ନତ ସଭ୍ୟ ଗୋଷ୍ଠୀର ଏଜେଣ୍ଟ–ଦଲାଲ୍ । ଆଞ୍ଜଲୁସ୍‌ ଉପରେ ସମସ୍ତଙ୍କର ଭରସା । ଆଞ୍ଜଲୁସ୍‌ର ମୁକ୍ତିକୁ ଅପେକ୍ଷା କରିଛନ୍ତି ସମସ୍ତେ ।

 

ସନ୍ନ୍ୟାସୀ ଏ ଅଞ୍ଚଳର ଅନ୍ଦିକନ୍ଦି ବୁଲି ଜାଣିଥିଲେ ଏକଥା । ସେ ଠିକ୍‌ ଭାବରେ ଜାଣିପାରିଥିଲେ, ତାଙ୍କର ଉଦ୍ଦେଶ୍ୟ ସିଦ୍ଧି ହେବ କେବଳ ଆଞ୍ଜଲୁସ୍‌ଦ୍ୱାରା । ଏଇ ସନ୍ନ୍ୟାସୀଜଣକ ସ୍ୱାମୀ ବିଚିତ୍ରାନନ୍ଦ । ହିନ୍ଦୁଧର୍ମ ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସେ କରୁଛନ୍ତି ପ୍ରଚାର । ତାଙ୍କର ଦୃଷ୍ଟି ପଡ଼ିଥିଲା ଆଦିସନ୍ତାନମାନଙ୍କ ଉପରେ । ହିନ୍ଦୁର ନିର୍ମଳ ଆଚାର ଓ ସଂସ୍କୃତିକୁ ରକ୍ଷା କରିପାରିବା ଭଳି ମାନସିକ ନିର୍ମଳତା ଓ ଦୃଢ଼ତା ଅଛି ଏଇ ଜାତି ଭିତରେ । ସନାତନ ଧର୍ମର ଏକ ଶୁଦ୍ଧ ସଂସ୍କରଣ ଧାରଣ କରିବାକୁ ଏଇ ଜାତିହିଁ ବଳୀୟାନ । ଦରକାର ବିଶ୍ୱାସ । ଏମାନଙ୍କ ଭିତରେ ଏ ବିଶ୍ୱାସ ଆଣିପାରିବ କିଏ ? ଜୋହାନ୍‌ସ୍‌ ପର୍‌ଚାରର ପୁଅ ଆଞ୍ଜଲୁସ୍‌ ଟପ୍‌ପୋ । ଆବହମାନକାଳରୁ ଯେଉଁମାନଙ୍କୁ ମ୍ଳେଚ୍ଛ ବୋଲି ମଣିଷର ଅଧିକାରରୁ ବଞ୍ଚିତ କରାହୋଇଛି, ସେଇମାନଙ୍କ ପାଖରେ ପହୁଞ୍ଚାଇବାକୁ ଚାହୁଁଥିଲେ ବ୍ରହ୍ମବାଣୀ । ସେଇମାନଙ୍କୁ ସେ କରିବାକୁ ଚାହୁଁଥିଲେ ଅମୃତର ସନ୍ତାନ–‘ଅମୃତସ୍ୟ ପୁତ୍ରାଃ ।’

 

ସ୍ୱାମୀ ବିଚିତ୍ରାନନ୍ଦଙ୍କର ବ୍ୟକ୍ତିତ୍ୱର କାଉଁରୀ ପରଶରେ ନଇଁ ପଡ଼ିଲା ଆଞ୍ଜଲୁସ୍‌ । ସେ ଜେଲରୁ ଆସୁଥିଲା କେତୁମୁକ୍ତ ସୂର୍ଯ୍ୟପରି । ସେ ଆସୁଥିଲା ଜାଳିଦେବା ପାଇଁ ବିପ୍ଳବର ନିଆଁ । ଶାନ୍ତ ହେଲା ତା’ର ମନ । ଯନ୍ତ୍ରଚାଳିତ ପରି ସ୍ୱାମୀଙ୍କର ଆହ୍ୱାନରେ ସେ ଗଲା ତାଙ୍କ ଆଶ୍ରମକୁ । ସହର ଉପକଣ୍ଠରେ ସ୍ୱାମୀଜୀଙ୍କ ଆଶ୍ରମ । ଅସ୍ଥାୟୀ ଆଶ୍ରମ । ବାରବୁଲା ଜୀବନ ତାଙ୍କର । କେବେ କେବେ ସୁନ୍ଦରଗଡ଼ ଆସିଥିଲେ, ଆଶ୍ରମରେ ରହଣି । ଅବଶ୍ୟ ଅନେକ ସମୟରେ ଆସିବାକୁ ହୁଏ ତାଙ୍କୁ ସୁନ୍ଦରଗଡ଼କୁ ।

 

ଆଶ୍ରମ ଆଗରେ ଖଣ୍ଡେ ସାଇନବୋଡ଼ । ‘ବିଟିତ୍ରାନନ୍ଦ କୁଟୀର’–ତା’ ତଳକୁ ଲେଖାଅଛି–‘ଆର୍ଯ୍ୟସମାଜ କାର୍ଯ୍ୟାଳୟ’, ସୁନ୍ଦରଗଡ଼ ଶାଖା । ସବୁ କିଛି ସ୍ପଷ୍ଟ ହୋଇଗଲା ବର୍ତ୍ତମାନ-। ଆଦିବାସୀ ଖ୍ରୀଷ୍ଟିଆନମାନଙ୍କୁ ଟାଣି ନେବାକୁ ସନାତନ ଧର୍ମକୁ ଚାଲିଛି ଏକ ବ୍ୟାପକ ପ୍ରଯତ୍ନ–ଦୁରନ୍ତ ଆୟୋଜନ । ଖ୍ରୀଷ୍ଟିଆନ ମିସ୍‌ନାରୀମାନଙ୍କ ପରି ଏମାନେବି କରୁଛନ୍ତି ପ୍ରଚାର । ଚାଲିଛି ଏକ ସମାନ୍ତରାଳ ଉଦ୍ୟମ । କିନ୍ତୁ କାହିଁକି ? ଧର୍ମଚିନ୍ତା କେବେ ସ୍ଥାନ ପାଇ ନଥିଲା, ଆଞ୍ଜଲୁସ୍‌ର ବସ୍ତୁବାଦୀ ମନ ଭିତରେ । ତଥାପି କେଜାଣି କାହିଁକି ସେ ପସନ୍ଦ କରିପାରିଲା ନାହିଁ ଏ ଉଦ୍ୟମ ଓ ପ୍ରଯତ୍ନ । ଏକ ଧର୍ମରୁ ଅନ୍ୟ ଧର୍ମକୁ ଟାଣିବାକୁ ଚେଷ୍ଟା କାହିଁକି ? ଯେଉଁମାନଙ୍କର ଧରାବନ୍ଧା କିଛି ଧର୍ମ ନାହିଁ, ସେମାନଙ୍କୁ ବରଂ ଟଣାଯାଇପାରେ, ଏଇ ମାଟିର ଏକ ଧର୍ମ ପ୍ରତି । ଅବଶ୍ୟ ବିଭିନ୍ନ ଧର୍ମର ତୁଳନାତ୍ମକ ବିଚାର କେବେ କରିନି ଆଞ୍ଜଲୁସ୍‌ ।

 

.........ସବୁ ଶୁଣିଲା ଆଞ୍ଜଲୁସ୍‌ । ହଠାତ୍‌ କୌଣସି ପ୍ରତିଶ୍ରୁତି ଦେଇପାରିଲା ନାହିଁ ସେ ସ୍ୱାମୀ ବିଚିତ୍ରାନନ୍ଦଙ୍କୁ । କହିଲା, ‘‘ସ୍ୱାମୀଜି, କୃତଜ୍ଞତା ମଣିଷର ସବୁଠୁ ବଡ଼ ଧର୍ମ । ମୁଁ ପାଦ୍ରୀମାନଙ୍କ ପାଖରେ କୃତଘ୍ନ ହୋଇପାରିବି ନାହିଁ । ତା’ପରେ ଆମ ପକ୍ଷରେ ଧର୍ମ ବଡ଼କଥା ନୁହେଁ । ସବୁଠୁ ବଡ଼ ହେଲା ନିଜକୁ ବଞ୍ଚାଇବା । ନିଜର ମହତ୍ତ୍ୱ ରକ୍ଷା କରିବା । ସମାଜରେ ନିଜର ଆସ୍ଥାନ ଦୃଢ଼ କରିବା । ଏହାପରେ ଧର୍ମ । ଆପଣଙ୍କର କଥାର ଯଥାର୍ଥତା ମୁଁ ଅନୁଭବ କରୁଛି; ତେବେ ଏକ ଉନ୍ନତ ଧର୍ମକୁ ଟାଣି ଆଣିବାର ଯଥାର୍ଥତାରେ ମୁଁ ସନ୍ଧିହାନ । ଆପଣଙ୍କ ଆଶୀର୍ବାଦରୁ ଯଦି ମୁଁ ମୋର ଲକ୍ଷ୍ୟ ହାସଲ କରିପାରେ ତେବେ ପୁଣି ଆପଣଙ୍କ ସଙ୍ଗରେ ଆଲୋଚନା ହେବ । ଚାଲି ଆସିଲା ଆଞ୍ଜଲୁସ୍‌, ସ୍ୱାମୀଜୀଙ୍କର ଆଶୀର୍ବାଦ ନେଇ ।

 

ଆଞ୍ଜଲୁସ୍‌ ଆସିଲା ହମିରପୁର ମିସନକୁ । ନଥିଲେ ଫାଦାର ଡେଭିଡ଼ । ଯାଇଥିଲେ ଲମ୍ବା ଆନ୍ତର୍ଦେଶୀୟ ଗସ୍ତରେ । ରାଞ୍ଚି, ମଣିପୁର, ନାଗପୁର, କଲିକତା, ଦିଲ୍ଲୀ, ବାଙ୍ଗାଲୋର, ବମ୍ବେ-। ଚାରି ମାସ ଲାଗିପାରେ । ହୁଏତ ଡେରିବି ହୋଇପାରେ ।

 

ଆଞ୍ଜଲୁସ୍‌ ଯିବ କୁଆଡ଼େ ? ସମସ୍ତେ ଯାଇଛନ୍ତି । ଅଛନ୍ତି ଖାଲି ମାର୍ଗାରେଟ୍‌ ଆଉ ଜେସ୍‌ମିନ୍‌ । ଆଞ୍ଜଲୁସ୍‌ ଆସୁଛି ମାର୍ଗାରେଟ୍‌ ପାଖକୁ । ଅନେକଦିନୁ ଦେଖିନି ସେ ମାର୍ଗାରେଟକୁ । ମାର୍ଗାରେଟ୍‌ ଭିତରେ ସେ ଦେଖିବ ତା’ର ମା’ର ରୂପ, ଦେଖିବ ତା’ର ବାପର ଶେଷ ଚିନ୍ତାର ରୂପ । ଆସୁଛି ସେ ତିନି ନମ୍ବର ସେକ୍‌ଟର ଜର୍ମାନ ବଙ୍ଗଳାକୁ ।

 

କୋଡ଼ିଏ ପଚିଶ ଜଣ ଲୋକ ପଥରୋଧ କଲେ ତା’ର । ପୁଷ୍ପମାଲ୍ୟ ଅର୍ପଣ କଲେ । କଲେ ତା’ର ଜୟଧ୍ୱନି । ତାକୁ ଡାକିନେଲେ ଗୋଟିଏ ଘର ଭିତରକୁ । ଅଭିନନ୍ଦନ ଦେଲେ ତାକୁ । ବିପ୍ଳବୀ ଆଞ୍ଜଲୁସ୍‌ । ଧର୍ମର ପ୍ରତାରଣାରେ ଭୁଲି ଯାଇନି ସେ ସୁନ୍ଦରଗଡ଼ରେ । ତାରି ସହାୟତାରେ ପ୍ରସାରିତ ହେବ ବିପ୍ଳବ ଏଇ ବଣ ପାହାଡ଼ ଘେରା ମୁଲକର ଅଗଣିତ ଶୋଷିତଙ୍କ ଭିତରେ । ଏଇ ସଂପ୍ରଦାୟର ଜୀବନର ମୌଳିକ ଦର୍ଶନ ସହିତ ଖୁବ୍‌ ମେଳ ଅଛି ପ୍ରଗତିବାଦୀ ଜୀବନ ଦର୍ଶନ, ରାଜନୀତି ଓ ଅର୍ଥନୀତିର ।

 

ଆଞ୍ଜଲୁସ୍‌ ଅଭିଭୂତ । ବିଚିତ୍ରାନନ୍ଦ ଆଉ ଏମାନେ । ପରସ୍ପର ବିରୋଧୀ । ପ୍ରତ୍ୟେକେ ନିଜ ନିଜ ଚିନ୍ତାରେ ସ୍ୱରାଟ । ୟାଭିତରେ ସେ କାହିଁକି ? ତାକୁ କାହିଁକି ଟାଣୁଛନ୍ତି ୟାଭିତରକୁ । ମନେହେଲା ସତେ ଯେମିତି ସବୁଠି ଅଛି ରାଜନୀତି । ସବୁ କିଛିର ମୂଳରେ ରହିଛି ଷଡ଼ଯନ୍ତ୍ର ।

 

ଆଞ୍ଜଲୁସ ଆସିଲା ମାର୍ଗାରେଟ୍‌ ପାଖକୁ । ଚମକି ପଡ଼ିଲା ସେ । ଏ କ’ଣ ? କିଏ ? ସେ ତ ଦେଖିପାରୁନି ତା’ର ଭଉଣୀ ମାର୍ଗାରେଟ୍‌କୁ । ତା’ ଆଗରେ ଛିଡ଼ା ହୋଇଛି ଆୟା ମାର୍ଗାରେଟ୍‌ । କିନ୍ତୁ ଆୟାର ପୋଷାକ ପରିଚ୍ଛଦରେ ଏ ପ୍ରକାର ଆଭିଜାତ୍ୟ କାହିଁକି ? ସ୍ତମ୍ଭୀଭୂତ ହୋଇ ପଡ଼ିଲା ସେ । ମାର୍ଗାରେଟ କରମର୍ଦ୍ଦନ କଲା ଆଞ୍ଜଲୁସ୍‌ ସଙ୍ଗରେ । ଚୁମ୍ବନ କଲା ସେ ଆଞ୍ଜଲୁସ୍‌କୁ । ଏତେ ବଡ଼ ଦୁନିଆରେ ଆଞ୍ଜଲୁସ୍‌ହିଁ ତା’ର ଏକମାତ୍ର ଆପଣାର ଲୋକ । ରକ୍ତ ସଂପର୍କ । କେହି କିଛି କହିପାରୁ ନଥିଲେ କାହାକୁ । ଆଖିରେ ଅଶ୍ରୁର ପ୍ଳାବନ । ବଗିଚାରେ ଖେଳୁଥିବା ଛୁଆଟି ଚିତ୍କାର କଲା–‘‘ଆୟୋ….ଆୟୋ’’ ।

 

ଆଞ୍ଜଲୁସ୍‌ ଆଖିରେ ଦୁନିଆଯାକର ବିସ୍ମୟ । ହସ ହସ ମୁହଁରେ ତୋଳି ନେଲା ମାର୍ଗାରେଟ୍‌ ଛୁଆଟିକୁ । ଆଞ୍ଜଲୁସ୍‌କୁ ଦେଖି ଅହେତୁକୀ ଲାଜରେ ମୁହଁ ଲୁଚେଇଲା ସେ ମାର୍ଗାରେଟ୍‌ର ତୁଙ୍ଗ ବକ୍ଷର ଉପତ୍ୟକାରେ । ‘‘ମାମା ଆସିଛିରେ ମାମା ।’’ ସେଇଠି ମୁହଁ ରଖି କଣେଇଁ କଣେଇଁ ଚାହିଁଲା ଛୁଆଟି ଆଞ୍ଜଲୁସ୍‌ ଆଡ଼କୁ । ଆଉ ଚାହିଁଲା ମାର୍ଗାରେଟ୍‌ର ମୁହଁକୁ ।

 

ଆଞ୍ଜଲୁସ୍‌ ଛିଡ଼ା ହୋଇଥିଲା ସେମିତି । ଏକ ଦୃଷ୍ଟିରେ ଚାହିଁଥିଲା ସେ ମାର୍ଗାରେଟ୍‌ ଆଡ଼କୁ । ଘୃଣା ଆଉ କ୍ରୋଧ ଘୁଙ୍ଗାଳି ଦେଉଥିଲା ତା’ର ଛାତି ଭିତରଟା ।

 

ଠିକ୍ ସମୟରେ ପହଞ୍ଚିଲେ ଇଞ୍ଜିନିୟର ପାଟ୍ରିକ୍‌ । ମାର୍ଗାରେଟ୍‌ ପରିଚୟ ଦେଲା ଆଞ୍ଜଲୁସ୍‌ର । ଆଞ୍ଜଲୁସ୍‍କୁ କୁଣ୍ଢେଇ ପକେଇଲା ଇଞ୍ଜିନିୟର ପାଟ୍ରିକ୍‌ । ‘‘ମାର୍ଗାରେଟ୍‌, ଆଗ ଆଞ୍ଜଲୁସ୍‌ର ସ୍ନାନ ଭୋଜନର ବ୍ୟବସ୍ଥା କର । ତା’ପରେ ଅନ୍ୟ କଥାବାର୍ତ୍ତା ।’’ ସମସ୍ତେ ଗଲେ ଭିତରକୁ । ଆଞ୍ଜଲୁସ୍‌କୁ ସବୁ କିଛି ଜଣାପଡ଼ୁଥିଲା ରହସ୍ୟମୟ । ମନରେ ତା’ର ସନ୍ଦେହର କଳା ମେଘ । ମାର୍ଗାରେଟ୍‌ ଲକ୍ଷ୍ୟ କଲା ଆଞ୍ଜଲୁସ୍‌କୁ । ଭଲଭାବରେ ଜାଣେ ସେ ତା’ ଭାଇର ସ୍ୱଭାବ । ‘‘ଏ ମୋର ପୁଅ ନୁହେଁ ଆଞ୍ଜଲୁସ୍‌ । ସାହେବରବି ପୁଅ ନୁହେଁ ।’’ ‘‘ଆଞ୍ଜଲୁସ୍‌ ବୋଧହୁଏ ଭାବୁଥିଲା ଏଇ ଶିଶୁଟିହିଁ ଇଣ୍ଡୋ-ଜର୍ମାନ ।’’ କହିଲେ ଇଞ୍ଜିନିୟର ପାଟ୍ରିକ୍‌ । ଠୋ ଠୋ ହସିଲେ ଇଞ୍ଜିନିୟର ପାଟ୍ରିକ୍‌ । ଆଞ୍ଜଲୁସ୍‌ର ଓଠରେ ହସ । ମେଘମୁକ୍ତ ମନ ।

 

କାଳବିଳମ୍ବ ନ କରି ଆଞ୍ଜଲୁସ୍‌ ବାହାରିଲା ତା’ର ଶଶୁର ଘରକୁ । ସେଇଠି ଅଛି ତା’ର ସ୍ତ୍ରୀ–ଜେସ୍‌ମିନ୍‌ । ବେଶୀ ଦୂର ନୁହେଁ । କୋଇଲିର ଆରପଟେ । କୋଇଲିର ଏପଟେ ବିରାଟ ଶିଳ୍ପନଗରୀ । ଆରପଟେ; ଛୋଟ ପାହାଡ଼ର ଧାରେ ଧାରେ ଯେଉଁ ଗାଁ ଖଣ୍ଡକ ଦିଶୁଛି–ସେଇଠି ତା’ର ଶଶୁର ଘର–‘କଚାରୁ’ ।

 

ଜେସ୍‌ମିନ୍ ଶଶୁର ଘର ଚାଲି ଆସିଲା, ଯେଉଁଦିନ ତା’ର ଶଶୁର ଆଉ ମାର୍ଗାରେଟ୍‌ ଚାଲି ଗଲେ ପୁଲିସ୍‌ଭ୍ୟାନରେ ଉଦିତ ନଗର ସରକାରୀ ହସ୍‍ପିଟାଲ୍‍କୁ । ଦିନ କେତେ ରହିଲା ମିସନରେ । ସେମିତି ବସି ରହିଲେ ତ ପେଟ ଚଳିବ ନାହିଁ । ମିସନ୍‌ରେବି ସେତେବେଳେ ଚାଲୁ ନଥିଲା କାମ । ତିନି ଚାରି ମାସ ପରେ ଆରମ୍ଭ ହେଲା କାମ–ତିଆରି ହେବ ବିଶପ୍‌ଙ୍କର ପ୍ରାସାଦ । ଠିକାଦାର ପାଖରେ ରେଜା ହେଲା ଜେସମିନ୍‌ ।

 

ଚାଲିଥିଲା ପଲସ୍ତରା କାମ । ଠିକାଦାର ଆସିଥିଲେ ଗାଡ଼ିରେ । ସାଙ୍ଗରେ ଥିଲେ ଜଣେ ଇଞ୍ଜିନିୟର । କେଡ଼େ ସୁନ୍ଦର ଗାଡ଼ି । ପଲସ୍ତରା କରୁଥିଲା ମିସ୍ତ୍ରୀ । ଜେସମିନ୍‌ ଛିଡ଼ା ହୋଇଥିଲା ପାଖରେ । ମସଲା ଶେଷ ହେଲେ, ସଙ୍ଗେ ସଙ୍ଗେ ଯୋଗେଇ ଦେବ ମସଲା । ଜେସମିନ୍‌ ଚାହିଁ ରହିଥିଲା ମିସ୍ତ୍ରୀର କରଣୀକୁ । ଲକ୍ଷ୍ୟ କରୁଥିଲା ବୋଧହୁଏ ତା’ର ହସ୍ତର ପାଟବ । ଠିକାଦାର ସାହେବ ଛିଡ଼ା ହେଲେ ସେଇଠି । ନମସ୍କାର କଲା ମିସ୍ତ୍ରୀ । ନମସ୍କାର କରିନି ଜେସ୍‌ମିନ୍‌ । ସେ ଚିହ୍ନେନି ଠିକାଦାରଙ୍କୁ । ‘‘ଏ ବି ଆମର ଜଣେ ରେଜା ?’’ ପଚାରିଲେ ଠିକାଦାର ହିନ୍ଦିରେ ।

 

‘‘ଜୀ ହାଁ; ଏଇ ଦି’ ତିନି ଦିନ ହେଲା ଆରମ୍ଭ କରିଛି କାମ ।

 

‘‘କ’ଣ, ଭଲକାମ କରୁଛି ? ରହୁଛି କେଉଁଠି ?’’

 

ମିସ୍ତ୍ରୀର ଉତ୍ତର ପାଇ ଚାଲିଗଲେ ଠିକାଦାର । ଗଲାବେଳେ ଥରେ ଚାହିଁଗଲେ ଜେସ୍‌ମିନ୍‌କୁ, ଗୋଡ଼ରୁ ମୁଣ୍ଡ ଯାଏ । ମୁହଁ ପୋତି ଛିଡ଼ା ହୋଇଥିଲା ଜେସ୍‌ମିନ୍ ।

 

‘‘ଆଲୋ, ଠିକାଦାର ସାହେବ ତ କ’ଣ ଭାରି ପସନ୍ଦ କରିଛନ୍ତି ତୋତେ । ଏଥର ଫିଟିଲା ତୋର ଭାଗ୍ୟ । ଚଉଦ୍ୱାର ମିଲରୁ ରାତାରାତି ଟେରିଲିନ୍‌ ।’’

 

‘‘ଧେତ୍‌ ଶାଳା ।’’

 

‘‘ଆଲୋ ଧେତ୍‌ କ’ଣ ? ତୋର ଯେଉଁ ଦେହ ଖଣ୍ଡକ ହେଇଛିନା !’’

 

‘‘ମୋ ସଙ୍ଗରେ ସେମିତି ଦିଲ୍ଲେଗି ଚଳିବ ନାହିଁ ମିସ୍ତ୍ରୀ । ମନେ ଅଛି ତ ମାର୍କେଟର ଘଟଣା ?’’

 

‘‘ଆଲୋ, ରାଗି ଗଲୁ କିଲୋ ? ହଉ, ହଉ, ମସଲା ଆଣ । ହାତ ଖାଲି ରହିଲା ଯେ ।’’

 

ଚାଲିଗଲା ଜେସ୍‌ମିନ୍‌ ମସଲା ଆଣିବା ପାଇଁ । ‘‘ବୁଝିଲ ମିସ୍ତ୍ରୀ ସାହେବ, ଏମାନଙ୍କ ସାଙ୍ଗରେ ଜାଣି ବୁଝି କାରବାର କରିବ । ବଡ଼ ସ୍ୱଚ୍ଛନ୍ଦ ମିଳାମିଶା ଏ ମାନଙ୍କର, ତେବେ ଖଣ୍ଡେ ଖଣ୍ଡେ ନିଆଁଝୁଲ । ହାତ ମାରିଲେ ପୋଡ଼ି ଯିବଟି ।’’

 

କ’ଣ ଗୋଟାଏ କହିବାକୁ ଯାଉଥିଲା ମିସ୍ତ୍ରୀ । ପହୁଞ୍ଚି ଆସିଲା ଜେସ୍‌ମିନ୍‌ । ଅକୁହା ରହିଗଲା କଥାଟା ।

 

ଗିର୍ଜାରୁ ଫେରୁଥିଲା ଜେସ୍‌ମିନ୍‌ । ପହଞ୍ଚିଲା ଠିକାଦାରର ଗାଡ଼ି । ଫାଦାରଙ୍କ ସହିତ ଟିକିଏ କ’ଣ କଥାବାର୍ତ୍ତା ପରେ ଡାକରା ଆସିଲା ଜେସ୍‌ମିନ୍‌ ପାଖକୁ । ଜେସ୍‌ମିନ୍‌କୁ ମିଳିଲା ନୂତନ ନିଯୁକ୍ତି । ଆୟା । ଖାଇପିଇ ମାସକୁ ଷାଠିଏ । ଲୁଗାପଟାବି ମିଳିବ । ଫାଦାର ସୁପାରିଶ କରୁଛନ୍ତି । ମନା କରିପାରିଲା ନାହିଁ ଜେସ୍‌ମିନ୍‌ । ପେଟ ପୋଷ ନାହିଁ ଦୋଷ ।

 

Unknown

ଚାକରବାକରଙ୍କ ପାଇଁ ଥିଲା ଏକ ସ୍ୱତନ୍ତ୍ର ଘର । ଜେସ୍‌ମିନ୍‌ ରହେ ସେଇଠି । ସକାଳୁ ରାତି ଦଶଟା ଏଗାରଟା ପର୍ଯ୍ୟନ୍ତ କାମ । ଖାଲି ଶୋଇବା କଥା ସେଘରେ । ଖଣ୍ଡେ ତକ୍ତପୋଷ ଆଉ ପୁରୁଣା ଗଦୀ ଦେଇଥିଲେ ଠିକାଦାର । ସେଇଠି ମେଲିଦିଏ ଜେସ୍‌ମିନ୍‌ ତା’ର କର୍ମକ୍ଳାନ୍ତ ଦେହ ।

 

ଠିକାଦାରର ପିଲାପିଲି ଯାଇଥିଲେ ଦେଶକୁ । ବିଶେଷ ଜରୁରୀ କାମ । ଠିକାଦାର ଯାଇ ନଥିଲେ । ଗୁଡ଼ାଏ ବିଲ୍‌ ପାଶ୍‌ ହେବାର ଥିଲା । ଲକ୍ଷାଧିକ ଟଙ୍କା । ଯିବେ କିମିତି ।

 

ଜେସ୍‌ମିନ୍‌ ଚାହିଁଲା ଛୁଟି । ଠିକାଦାରର ସ୍ତ୍ରୀ ବହୁତ କରି କହିଲା । ଦଶ ପନ୍ଦରଟା ଦିନ, କାମ ନ ଚଳେଇଲେ କେମିତି ହେବ ? ହୋଟେଲଖାନ ସର୍ଦ୍ଦାରଜୀଙ୍କ ଦେହରେ ଯାଏନା । ରହିଲା ଜେସ୍‌ମିନ୍‌ ।

 

କଟିଗଲା ଦି’ ଚାରିଦିନ । ସର୍ଦ୍ଦାରଜୀ ଜେସ୍‌ମିନ୍‌ର ପ୍ରଶଂସାରେ ଶତଜିହ୍ୱ । ସେଦିନ ଜେସ୍‌ମିନ୍‌ ରୋଷେଇ କରୁଥିଲା ତା’ ନିଜପାଇଁ । ସର୍ଦ୍ଦାରଜୀ ଯାଇଥିଲେ ପାର୍ଟି ଏଟେଣ୍ଡ କରିବା ପାଇଁ । ଫେରିଲାବେଳକୁ ସାଢ଼େଦଶରୁ ବଳିଲାଣି । ଦରକାର ପଡ଼ିଲା ଲିମନ ସ୍କାସ୍‌ । ଜେସ୍‌ମିନ୍‌ ହାତକୁ ବଢ଼ାଇଦେଲା ଗ୍ଳାସ୍‌ଟା । ଏକା ନିଶ୍ୱାସକେ ନିଃଶେଷ କରିଦେଲେ ସର୍ଦ୍ଦାରଜୀ । ଗ୍ଳାସଟା ଧୋଇ ଥୋଇ ଦେଲା ଜେସ୍‌ମିନ୍‌ ଆଲମାରୀରେ । ଠିକାଦାର ଏକ ଲୟରେ ଚାହିଁ ରହିଥିଲେ ଜେସ୍‌ମିନ୍‌କୁ ।

‘‘ମୁଁ ଯାଉଛି ସର୍ଦ୍ଦାରଜୀ ।’’

‘‘ଶୁଣ୍‌ ଶୁଣ୍‌ ଜେସ୍‌ମିନ୍‌ ।’’

ଜେସ୍‌ମିନ୍‌ ଛିଡ଼ା ହେଲା ପାଖରେ ।

‘‘ଜେସ୍‌ମିନ୍‌ ।’’

‘‘କ’ଣ ?’’

‘‘ଆ’’

‘‘ପାଖରେ ତ ଅଛି ।’’

ସର୍ଦ୍ଦାରଜୀ ଜେସ୍‌ମିନ୍‌କୁ ଟାଣିବାକୁ ଚେଷ୍ଟା କଲେ ତାଙ୍କ କୋଳକୁ । ହାତକୁ ଛିଞ୍ଚାଡ଼ି ଦୂରେଇଗଲା ଜେସ୍‌ମିନ୍‌ ।

‘‘ବଳପ୍ରୟୋଗ କଲେ ଆଉ ମଜା ରହେନା ଜେସ୍‌ମିନ୍‌ । କିନ୍ତୁ ତୁମେମାନେ ଚାହଁ ବଳପ୍ରୟୋଗ । ବଳପ୍ରୟୋଗ ଆଉ ଟିକିଏ ଧସ୍ତାଧସ୍ତି ନ ହେଲେ ଝରି ଉଠେନି ତୁମର, ହେ, ହେ, ହେ ।’’ ହସି ଉଠିଲେ ସର୍ଦ୍ଦାରଜୀ । ଆରମ୍ଭ କରିବେ ଯୌନ ପିପାସାର କୁସ୍ତିକସରତ୍‌ । ନାଲି ନାଲି ଆଖି । ଟଳଟଳ ଚାଲି ।

 

‘‘ତୁମେମାନେ ଯାହାକୁ ଘୃଣା କର, ବାହାରେ ଯେଉଁମାନଙ୍କ ସଙ୍ଗରେ ମିଶିବାକୁ କୁଣ୍ଠାବୋଧ କର, ନିର୍ଜନ ରାତ୍ରିରେ ବ୍ୟଗ୍ର ବ୍ୟାକୁଳ ହୁଅ ତୁମ ଛାତି ଉପରକୁ ଟାଣି ନେବାକୁ ସେଇମାନଙ୍କୁ । ବଡ଼ ବିଚିତ୍ର ଅଦ୍ଭୁତ ।’’

 

‘‘ଓ, ତୋର ତାହେଲେ ଅଭିମାନ ହୋଇଛି । ନୁହ ?’’

 

‘‘ତୁମ୍ଭମାନଙ୍କ ପରି ଛଳନା ନାହିଁ ଆମର । ଅଭିମାନ କ’ଣ ମୁଁ ଜାଣେନା ।’’

 

‘‘ମୁଁ ତୋତେ ଭାରି ଭଲପାଏ ଜେସ୍‌ମିନ୍‌ ।’’

 

‘‘ଛି, ତୁମ୍ଭମାନଙ୍କର ହୃଦୟରେ ସ୍ନେହର ସତ୍ତା ନାହିଁ ସର୍ଦ୍ଦାରଜୀ । ଟଙ୍କା ପଇସା, ପୋଷାକ ପରିଚ୍ଛଦ ଆଉ ଖାନାପିନାରେ ତୁମର ପ୍ୟାରା । ତୁମେ ମଣିଷକୁ ଭଲପାଇବ କେମିତି ? ତୁମ ଘରେ ଏଇ ଦୁଇ ତିନି ମାସ ରହି ସବୁ ବୁଝିଛି ମୁଁ । ତୁମର ସ୍ତ୍ରୀ ଥିଲାବେଳେ ତୁମେ ମୋ ଉପରେ ଖାଲି ଚିଡ଼ିଚିଡ଼ି ହୁଅ । ସେ ନଥିଲେ ବଡ଼ ନରମ । ମୋ ପାଇଁ ବଡ଼ ଦରଦ । ପ୍ରତି କଥାରେ ମୋର ତାରିଫ୍‌ । ତୁମେ ମୋତେ ପ୍ରେମ ଭିକ୍ଷା କରୁଛ । ଭୁଲ କହୁଛି ମୁଁ ? ତୁମ୍ଭମାନଙ୍କ ଭିତରେ ପ୍ରେମ କାହିଁ ? ସେ ଖାଲି ଭୋଗର ଲାଳସା । ଯେଉଁଟା ପଶୁରବି ଥାଏ ତୁମ୍ଭେମାନେ କିନ୍ତୁ ପଶୁଠୁବି ହୀନ । ପଶୁରାଜ୍ୟରେ ବଳାତ୍‌କାର ନାହିଁ । ନାହିଁ ସମ୍ଭୋଗ ପାଇଁ କ୍ଷମତାର ଅପପ୍ରୟୋଗ; ଅର୍ଥର ପ୍ରଲୋଭିନ । ଲାଜ ଲାଗୁନି ତୁମକୁ । ତୁମର ସ୍ତ୍ରୀ ଥାଉ ଥାଉ ତୁମେ ଚାହୁଁଛ ମୋତେ ।’’

 

‘‘ଆରେ ଜେସ୍‌ମିନ୍‌, ସେତ ଗଲାଣି । ତାଠେଇଁ କ’ଣ ରସ ଅଛି ? ତୋ ପରି ସେ କ’ଣ ସ୍ପଞ୍ଜ ରସଗୋଲା ହେଇଛି । ? ହେଁ ହେଁ ହେଁ.......’’

‘‘ଚୁପ୍‌ କର ନିର୍ଲଜ ଭଷ୍ଟାଚାରୀର ଦଳ । ତୁମେ କହୁଛ ତୋଠେଇଁ ରସ ନାହିଁ । ସେ କହୁଛି ତୁମର ନିନ୍ଦା ପରପୁରୁଷ ଆଗରେ । ଛି, ଛି, ଛି ।’’

‘‘କ’ଣ, କ’ଣ କହିଲୁ ଜେସ୍‌ମିନ୍‌, ସେ ତେବେ କ’ଣ ଆଉ କାହାକୁ ପ୍ୟାର୍‌ କରୁଛି ? ମାର୍‌ଦୁଙ୍ଗା ବେସରମ୍‌ କୋ । ହୁଁ ।’’

ହସିଲା ଜେସ୍‌ମିନ୍‌ । ‘‘ଆଉ ତୁମେ ଯୋ ମୋ ଉପରେ ବଳ ପ୍ରୟୋଗ ପାଇଁ ଉଦ୍ୟମ କରୁଛ, ତୁମକୁ କ’ଣ କରିବେ ସେ ?’’

‘‘ତୁ କ’ଣ କହିବୁ ଏକଥା ତାକୁ ?’’

‘‘ତାଙ୍କ କଥା ତୁମକୁ ଯେତେବେଳେ କହିଛି, ତୁମ କଥା ତାଙ୍କୁ ନ କହିବି କାହିଁକି ?’’

ସେମିତି ଟଳଟଳ ହୋଇ ଛିଡ଼ା ହୋଇଥିଲେ ସର୍ଦ୍ଦାରଜୀ ।

‘‘ଆଲୋ, ସେଥିରେ ତୋର ମହତ୍‌ ରହିବ ଟିକି ? ସେ ଆଗ ବାଡ଼େଇବ ତୋତେ ।

‘‘ଏତେବଡ଼ ହିମ୍ମତ୍‌ କାହାର ନାହିଁ ସର୍ଦ୍ଦାରଜୀ । ହଁ, ତେବେ ତୁମ୍ଭମାନଙ୍କ କଥା ଅଲଗା । ତୁମେ ନିଜର ପାପ ଲୁଚେଇବା ପାଇଁ ଅନ୍ୟକୁ ଦିଅ ଶାସ୍ତି । ନିଜର ପାପକୁ ତୁମେ ଅନ୍ୟ ଉପରେ ଚାପି ଦେଇପାର ବେଶ୍‌ ସୁବିଧାରେ ।’’

 

‘‘ତୁ ତାହେଲେ ଏକଥା କହିଦେବୁ ତାଙ୍କୁ ?’’

 

‘‘ମୋର କହିବା ନ କହିବା ସମାନ ସର୍ଦ୍ଦାରଜୀ । ତୁମେମାନେ ସବୁ ଜାଣ । ସ୍ୱାମୀ ଜାଣେ ସ୍ତ୍ରୀକୁ; ସ୍ତ୍ରୀ ଜାଣେ ସ୍ୱାମୀକୁ । ମା’ ଜାଣେ ଝିଅକୁ; ଝିଅ ଜାଣେ ମା’କୁ । ଭାଇ ଜାଣେ ଭଉଣୀ କଥା; ଭଉଣୀ ଜାଣେ ଭାଇର କଥା । ତୁମେ ଏସବୁକୁ ପ୍ରଶ୍ରୟ ଦିଅ ସର୍ଦ୍ଦାରଜୀ । ଏସବୁ ତୁମର ସଭ୍ୟତାର ଆଦବ୍‌କାଇଦା । ଅଥଚ ଆମର ନିଷ୍ପାପ ମେଳାପଟା ତୁମ ଚକ୍ଷୁରେ ଭ୍ରଷ୍ଟାଚାର । ଆମେ ତୁମ ଚକ୍ଷୁରେ ବଡ଼ ଶସ୍ତା ।’’

 

‘‘ମୋର କିନ୍ତୁ ଧୈର୍ଯ୍ୟ ନାହିଁ ଜେସ୍‌ମିନ୍‌ । ତୁ ଯାହାସବୁ କହିଲୁ, ଆଉ କିଏ କହିଥିଲେ ହୁଏତ ତକିଆତଳେ ଥିବା ଲୋଡ଼େଡ଼୍‌ ରିଭଲ୍‌ଭର୍‌ ଗର୍ଜି ଉଠିଥାନ୍ତା ବର୍ତ୍ତମାନ । କେହି ଟେର୍‌ ପାଆନ୍ତେ ନାହିଁ ଜେସ୍‌ମିନ୍‌ । ମୋର ରିଭଲ୍‌ଭର୍‌ରେ ଅଛି ସାଇଲେନ୍‌ସର । ତା’ପରେ ହୁଏତ ମୃତଦେହ ଭାସିଯାଆନ୍ତା କୋଇଲିର ସ୍ରୋତରେ ।’’

 

‘‘ଆଜି ତାହେଲେ ସେକଥା କରୁନ କାହିଁକି ସର୍ଦ୍ଦାରଜୀ । ମୁଁ ଚିତ୍କାର କରି କାହାରି ଦୃଷ୍ଟି ଆକର୍ଷଣ କରୁ ନାହିଁ । ଛିଡ଼ା ହୋଇଛି ଏଇଠି, ଆଣ, ବାହାରକର ତୁମର ରିଭଲ୍‌ଭର୍‌ ।’’

 

‘‘ମୁଁ କିନ୍ତୁ ତୋତେ ଭଲପାଏ ଜେସ୍‌ମିନ୍‌ ।’’

 

‘‘ଭଲପାଅ ? କହିଲି ପରା, ତୁମର ଏ ସ୍ନେହ, ଏଇ ଭଲପାଇବା ହିଂସ୍ର ପଶୁର ସ୍ନେହଠୁବି ହୀନ । ତୁମେମାନେ ଭଲପାଅ, ହତ୍ୟା କରିବା ପାଇଁ । ପାପକୁ ଲୁଚେଇବାକୁ ତୁମେ ଏ ଦୁନିଆରୁ ନିଶ୍ଚିହ୍ନ କରିଦେଇପାର ମଣିଷକୁ ।’’

 

‘‘ଜେସ୍‌ମିନ୍‌, ତୁ କ’ଣ ମୋତେ ସନ୍ଦେହ କରୁଛୁ ? ମୁଁ ତୋତେ ଭଲପାଏ, ସେଇଥିପାଇଁ ତ ତୋତେ ଆଣିଛି ଘରକୁ । ତୁ ମୋତେ ଏତେ ହୀନ ଦୃଷ୍ଟିରେ ଦେଖୁଛୁ କାହିଁକି ଜେସ୍‌ମିନ୍‌ ? ମୁଁ ତୋତେ ରଖିବି ଜେସ୍‌ମିନ୍‌ । ତୋ ନାଁରେ ଲେଖିଦେବି କାଗଜ । ଆ, ଆଉ ଜାଳିପୋଡ଼ି ଦେନା ମୋତେ ।’’ ଆଗେଇ ଆସିଲେ ସର୍ଦ୍ଦାରଜୀ । କାମର ତାଡ଼ନା ଦେଇଥିଲା ଶତ ସିଂହର ବଳ । ଭିଡ଼ିନେଲେ ଜେସ୍‌ମିନ୍‌କୁ । ଘୃଣାରେ ଶିହରି ଉଠିଲା ଜେସ୍‌ମିନ୍‌ର ଦେହ । ହଠାତ୍‌ ଅଝାଟି ହୋଇ ପଡ଼ିଲା ସେ ସର୍ଦ୍ଦାରଜୀଙ୍କ ଛାତି ଉପରେ । ସମ୍ଭାଳି ପାରିଲେ ନାହିଁ ସର୍ଦ୍ଦାରଜୀ । ପଡ଼ିଗଲେ ତଳେ । ତାଙ୍କ ଉପରେ ଜେସ୍‌ମିନ୍‌ । ମୁଣ୍ଡରେ କ’ଣଟାଏ ବାଜିଲା ନାଁ କ’ଣ । ପଗଡ଼ିଟା ନଥିଲା ତ ! ଶିଥିଳ ହେଲା ସର୍ଦ୍ଦାରଜୀଙ୍କର ବାହୁବନ୍ଧନ । ଏଇ ଅବସରରେ ଚାଲି ଆସିଲା ଜେସ୍‌ମିନ୍‌ ।

 

ଚାଲିଆସିଲା ସେ ହମିରପୁର ମିସନକୁ । ସବୁଆଡ଼େ ଶୁନ୍‌ଶାନ । କାହାକୁ କିଛି କହିନି । ଶୋଇପଡ଼ିଲା ଗିର୍ଜା ସାମନାରେ ବାରଣ୍ଡାରେ । ବଡ଼ ଭୋରରୁ ଚାଲିଗଲା ସେ କଚାରୁ । ତା’ର ବାପ ଭାଇ ଏଇ ଦିନାକେତେ ହେବ ଚାଲି ଆସିଛନ୍ତି ଆମ ଗାଁରୁ । କଚାରୁରେ ନେଇଚନ୍ତି କିଛି ନୟାବାଦୀ ଜମି । ଆସିଲା ବାପଘରକୁ–ତା’ର ଶେଷ ଆଶ୍ରୟସ୍ଥଳ ।

 

ଆଉ କେବେ ଆସେନି ସେ ଶିଳ୍ପନଗରୀକୁ । ଗାଁରେ ଥାଏ । ଚାର, କେନ୍ଦୁ, ମହୁଲ, ଟୋ, ଶର୍ଗି ସଂଗ୍ରହ ତା’ର କାମ । ଋତୁ ଅନୁସାରେ ସଂଗ୍ରହ । ବିକ୍ରି କରନ୍ତି ତା’ର ଭାଉଜ ଆଉ ବୁଢ଼ୀମା ।

 

ନଦୀ ପାରି ହୋଇ ଗୁଡ଼ାଏ ବାଟ ଚାଲି ଆସିଥିଲା ଆଞ୍ଜଲୁସ୍‌ । ତା’ର ଶଶୁରଘର ଥିଲା ପୁରୁଣାପାଣିରେ । ଘରବାଡ଼ି ଗଲାପରେ ଯାଇଥିଲେ ରାଞ୍ଚି । ରାଞ୍ଚି ପାଖରେ ଜେସ୍‌ମିନ୍‌ରେ ମାମୁଁଘର । କ୍ଷତିପୂରଣ ଟଙ୍କା ପାଇଲାପରେ ଗଲେ ଆମ୍ବଗାଁ । ନୂଆଜାଗା ମିଳିଛି ସେଇଠି । ଜମି ତିଆରି କରି ରହିଲେ ଦିନା କେତେ । ଭଲ ଲାଗିଲା ନାହିଁ ଜାଗାଟା । ପୁଣି ଫେରିଆସିଲେ ସେଇ ପୁରୁଣା ଜାଗାକୁ । ରହିଛନ୍ତି କଚାରୁରେ । ମାର୍ଗାରେଟ୍‌ ପାଖରୁ ସବୁ ଶୁଣିଲା ସେ । ନୂଆଘର କରିଛନ୍ତି କଚାରୁରେ । ଘରଚିହ୍ନି ନାହିଁ ଆଞ୍ଜଲୁସ୍‌ । ତେବେ କଚାରୁରେ ସମସ୍ତେ ତା’ର ପରିଚିତ । ଘରଟା କ’ଣ ଅଖୋଜା ରହିଯିବ ?

 

ଏଇ ଆଗରେ ଛୋଟ ଜଙ୍ଗଲ ଖଣ୍ଡିଏ । ତା’ ପାଖକୁ ଛୋଟ ପାହାଡ଼ । ତାରି ପାଖରେ କଚାରୁ । କଚ୍ଚା ରାସ୍ତା । ରାସ୍ତାରେ ଗଲେ ଟିକିଏ ବୁଲାଣିଆ ପଡ଼ିବ । ଜଙ୍ଗଲ ଭିତରେ ଚାଲିଛି ଆଞ୍ଜଲୁସ୍‌ । ଆଖିରେ ପଡ଼ିଲା ଦି’ ଚାରିଟା ଚାରଗଛ । ବେଶ୍‌ ଫଳ ଧରିଛି । ଏବର୍ଷ ତାହେଲେ ଦି’ ପଇସା ରୋଜଗାର ହେବ ଆଦିବାସୀଙ୍କର । ଚାର ଖାଇବେ, ବିକିବେ ଚାରମଞ୍ଜି । ବଜାରରେ ତା’ର ଚାହିଦା ଯେମିତି ଦାମ୍‌ବି ସେମିତି । ପାଚିଗଲାଣି ଚାର । ଲୋଭ ସମ୍ଭାଳି ପାରିଲା ନାହିଁ ଆଞ୍ଜଲୁସ୍‌ । ଭାଙ୍ଗିଲା ଦି’ ଚାରି ଡାଳ । ପାଟିରେ ପକେଇ ପକେଇ ଚାଲିଲା ଆଗକୁ ।

 

‘‘ଦେଖିଲୁ ଦେଖିଲୁ, କେମିତି କଳା ମଚ ମଚ ଦିଶୁଛି ସେଇ ଗଛଟା । ସବୁଜ ଗଛ ଉପରେ କଳାହାଣ୍ଡିଆ ମେଘ । ଆଜି ଭରିଯିବ ଟୋକେଇ ।’’

 

‘‘ଆଲୋ, ସତେ ମ । କିଏ ଜଣେ ଛିଡ଼ା ହେଇଛି ନା କ’ଣ ପାଖରେ ।’’

 

‘‘ହଁ ମ, ସେଥିରୁ କ’ଣ ମିଳିବ ଆମକୁ । ଆମେ ଆମର ତୋଳିବା । ସେ ବି ତୋଳିବ ।’’

 

‘‘ନାଇଁ ମ, ବାବୁଭୟା ପରି ଦିଶୁଛି ।’’

 

‘‘ତାହେଲେ, କିଛି କିଣିବ ।’’

 

‘‘ଆଲୋ ଗଛ ପାଖରେ ଛିଡ଼ା ହୋଇ କିଣିବ ଆମ ପାଖରୁ ।’’

 

‘‘ଏଠାକାର ବାବୁଭୟା ସେମିତି । କିଛି କରିବେନି ହାତରେ । ନାନା ଉପାୟରେ ଠକି ଭଣ୍ଡି ରୋଜଗାର କରିବେ ପଇସା, ଆଉ ସବୁକିଛି କିଣିବେ ବଜାରରୁ । ’’

 

ଗୋଟିଏ ଅତି ପରିଚିତ କଣ୍ଠପରି ଜଣାଗଲା ଆଞ୍ଜଲୁସ୍‌କୁ । ଛିଡ଼ା ହୋଇ ଅନିଶା କଲା ଆଞ୍ଜଲୁସ୍‌ । ଚାର ଟୋକେଇ ଧରି ଆସୁଛି ଜେସ୍‌ମିନ୍‌ । ତା’ ସାଙ୍ଗରେ ତା’ର ଭାଉଜ, ଆଉ ଗାଁର ଦି’ ଚାରିଜଣ ଧାଂଡ଼ି ।

 

ଆଞ୍ଜଲୁସ୍‌, ଜେସମିନ୍‌ ଓ ତା’ର ଭାଉଜ ପହଞ୍ଚିଲେ ତାଙ୍କ ଘରେ । ଠିକ୍ ସେତିକିବେଳକୁ ପହଞ୍ଚିଲା ଆଞ୍ଜଲୁସ୍‌ର ଶଶୁର । ସକାଳୁ ଯାଇଥିଲା ସେ ଇସ୍ପାତ୍‌ ନଗରୀକୁ ଭାରେ କାଠ ବିକିବା ପାଇଁ । ବାରଟା ଯାଏ ବୁଲିବୁଲି ଶେଷରେ ଦେଢ଼ ଟଙ୍କାରେ ବିକି ଫେରୁଛି ଘରକୁ; କିଲେ ଚାଉଳ ଧରି । ବୁଢ଼ାବୁଢ଼ୀ, ନାତି ନାତୁଣୀ ଆଉ ଜେସମିନ୍‌କୁ ମିଶାଇ ସାତପ୍ରାଣୀ କୁଟୁମ୍ବର ଦିନକର ଖୋରାକ ।

 

କନ୍ଦମୂଳ ସିଝା, ଚାର ଆଉ କେନ୍ଦୁରେ ଚଳିଲା ମଧ୍ୟାହ୍ନ ଭୋଜନ । ଭାତ ବସିଛି । ସଞ୍ଜ ପହରକୁ ଜେଭିଅର ଆସିଲେ ଯାହାକିଛି ଆଣିବ । ଜେଭିଅର ଆଞ୍ଜଲୁସ୍‌ର ଶଳା । ପଢ଼ୁଥିଲା ମିସନ୍‌ ସ୍କୁଲରେ । ଦଶମ ଶ୍ରେଣୀରେ ରହିଗଲା ଦୁଇବର୍ଷ । ତା’ପରେ ପ୍ରଧାନ ଶିକ୍ଷକ ଫାଦାର ଉଇଲ୍‌ସନ୍‌ଙ୍କ ସୁପାରିସ୍‌ରେ ଭର୍ତ୍ତିହେଲା ଇଣ୍ଡଷ୍ଟ୍ରିଆଲ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ରେ । ଦୁଇବର୍ଷ ପରେ କୃତିତ୍ୱର ସହିତ ଉତ୍ତୀର୍ଣ୍ଣ ହେଲା ସେ । ଜେଭିଅର ତାଲିମ୍‌ ପ୍ରାପ୍ତ ଉଏଲଡ଼ର । ଚାକିରୀ ଖଣ୍ଡେ ମିଳିନି ତାକୁ । ଦିନ ମଜୁରୀଆ ଭାବରେ କାମ କରୁଛି ପ୍ଳାଣ୍ଟ୍‍ରେ । ଥରେ ଭର୍ତ୍ତି ହୋଇଗଲେ ପରେ ମିଳିଯିବ ଚାକିରୀ । ମିଳିନି ଆଜି ପର୍ଯ୍ୟନ୍ତ । ଯୋଗ୍ୟତାସଂପନ୍ନ ଉଏଲ୍‌ଡ଼ରର ଜୀବନ ଚାଲିଛି ଦିନ ମଜୁରୀଆ ଭାବରେ । ମଜୁରୀ ଦିନକୁ ଦୁଇ ଟଙ୍କା ।

 

ନିହାତି ଛୋଟ ଗାଁ ନୁହେଁ କଚାରୁ । ପଞ୍ଚାୟତ ଅଛି । ଗ୍ରେନ୍‌ ଗୋଲା ଅଛି । ଅଛି ଚିତ୍ତବିନୋଦନ କେନ୍ଦ୍ର । ଆଗନ୍ତୁକଙ୍କର ଦୃଷ୍ଟି ଆକର୍ଷଣକରେ ଗ୍ରାମସେବକ ଓ ସେବିକାଙ୍କର ଚୂନଧଉଳା ବସାଘର । ଯୋଜନା ଅନୁସାରେ ତିଆରି ହୋଇଛି ମହିଳାକେନ୍ଦ୍ର ଓ ଗ୍ରାମସଭା ପାଇଁ ଏକ ସୁଦୃଶ୍ୟ ଲମ୍ବା ଘର । ଗ୍ରାମ୍ୟ ଜୀବନରେ ବୈପ୍ଳବିକ ପରିବର୍ତ୍ତନର ପ୍ରତୀକ ଭାବରେ ଦୃଷ୍ଟି ଆକର୍ଷଣକରେ ଏଇ ଅନୁଷ୍ଠାନଗୁଡ଼ିକ । ୟାଛଡ଼ା ରଂଝୁଙ୍କର କୋଠା, ମହୁଲ ଠିକାଦାରର ଗୋଦାମ୍‌ ଓ ଡେରା ଘର; ପନାସି ଠିକାଦାରର ଏଜେଣ୍ଟ୍‍ର ଗ୍ୟାରେଜ, ଗ୍ୟାରେଜ ପାଖକୁ ତା’ର ଛୋଟ କୋଠା, କେନ୍ଦୁପତ୍ର ଠିକାଦାର୍‌ର ଲମ୍ବା ଗୋଦାମ ଘର ସୌନ୍ଦର୍ଯ୍ୟ ବର୍ଦ୍ଧନ କରେ ଗାଁର । ଏ ସବୁକୁ ଛାଡ଼ିଦେଲେ, ପାହାଡ଼ର ଧାରେ ଧାରେ ଏକ ବିସ୍ତୃତ ଅଞ୍ଚଳରେ ଏଣେତେଣେ ବିଂଛାଡ଼ି ହୋଇ ପଡ଼ିଛି ଅସଂଖ୍ୟ କୁଡ଼ିଆ । ଗୁଡ଼ାଏ ଜମି ପଡ଼ିଆ ପଡ଼ିଛି । ଭଙ୍ଗାରୁଜା ହିଡ଼ । ଦୁଇ ତିନିବର୍ଷ ହେବ ଚାଷ ହେଇନି । ଚାଷର ଉନ୍ନତି ପାଇଁ ହୋଇଛି କାଗଜ କଲମ ଦୋରସ୍ତ–ଉନ୍ନୟନର ଆଡ଼ମ୍ବରପୂର୍ଣ୍ଣ ଆୟୋଜନ । ଚାଷୀର କିନ୍ତୁ ଉନ୍ନତି ହୋଇନି । ଯେ ପ୍ରକୃତ ଚାଷୀ ସେ ଇତସ୍ତତ । ଶିଳ୍ପନଗରୀର କୁଲିଖଲାସି । କେନ୍ଦୁପତ୍ର, ପନାସି ଆଉ ମହୁଲ ଠିକାଦାରର ଅସ୍ଥାୟୀ ମଜଦୁର । ପାଣି ଅଭାବରୁ ଜମି ପଡ଼ିଆ ।

 

ଆଞ୍ଜଲୁସ୍‌ର ମନରେ ବିକ୍ଷୋଭ । ଆଖି ଆଗରେ ତା’ର ଦୁଇ ପାଖରେ ଦୁଇଟି ଦୃଶ୍ୟ । କୋଇଲିର ଏପାଖ ଆଉ ସେପାଖ । ଗୋଟିଏ ପାଖରେ ସୁଦୃଶ୍ୟ ଶିଳ୍ପନଗରୀ । ସଭ୍ୟତାର ପିରାମିଡ଼୍‌ । ପ୍ରଗତିର ନିଶାଣ । ପ୍ରାଚୁର୍ଯ୍ୟର ହିମାଳୟ । ପ୍ରଶସ୍ତ ମାର୍ଗରେ ଟେରିଲିନ୍‌ ଆଉ ଟେରିକଟ୍‌ର ଶୋଭାଯାତ୍ରା । ଆଉ ଏପଟେ ! ଦରଖିଆ, ଅଧଲଙ୍ଗଳା କଳାପିଠିଆର ଅଭାବ, ଅନାଟନରେ କ୍ଷତାକ୍ତ ଜୀବନ । ସେପଟେ ଅଧିକ ଉପାର୍ଜନ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ । ଏପଟେ ବଂଚି ରହିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ । ଏପଟେ ବଞ୍ଚି ରହିବା ପାଇଁ ବିକଟ ସଂଗ୍ରାମ । ହତାଶା ଆଉ ବ୍ୟର୍ଥତାପୂର୍ଣ୍ଣ ସଂଗ୍ରାମ । ବର୍ଷସାରା ଜଳସେଚନର ସୁବିଧା ଥାଇ ପଡ଼ି ରହିଛି ସେପଟେ ଶହ ଶହ ଏକର ଅବ୍ୟବହୃତ ଜମି । ଆଉ ଏପଟେ ବୁନ୍ଦାଏ ପାଣିର ଅଭାବରେ ମରୁ ପାଲଟି ଯାଇଛି ବିସ୍ତୃତ ଚାଷ ଜମି । ସେପଟେ ଉନ୍ନତ ରୁଚି, ଉନ୍ନତମାନର ଜାତ ଆଉ ଏପଟେ ? ? ? ଆଉ ଭାବି ପାରିଲା ନାହିଁ ଆଞ୍ଜଲୁସ୍‌ । ଲୁହ ଭରି ଆସିଲା ତା’ର ଆଖିରେ । ଛାତି ଭିତରେ ତା’ର ବିପ୍ଳବର ନିଆଁ ସାରା ଦେଶରେ । ଆଉ ସେଇ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯିବ ଶୋଷଣର ନୂଆ ପଦ୍ଧତି । ଶୁଦ୍ଧସୁବର୍ଣ୍ଣ ପରି ଜାଜ୍ୱଲ୍ୟମାନ ହେବ ଧରିତ୍ରୀର ଆଦିସନ୍ତାନ ସେଇ ନିଆଁରେ ।

 

ଏତେଦିନ ପରେ ଆସିଛି ଯେତେବେଳେ ସମସ୍ତଙ୍କ ଦୁଆରେ ଅନ୍ତ୍ରତଃ ପାଦ ପକେଇବା ଉଚିତ । ମୁହଁମାରି ଚାଲି ଆସିବା ଉଚିତ । ସାମାଜିକ ରୀତି । ସଂପର୍କ ମଧୁରତର ଦୃଢ଼ତର ହୁଏ ତଦ୍ଦ୍ୱାରା । ନିବିଡ଼ ହୁଏ ମାନବିକ ସଂପର୍କ ।

 

ଆଞ୍ଜଲୁସ ଯାଇଥିଲା ଖ୍ରୀଷ୍ଟୋଫର ଘରକୁ । ତା’ର ମଉସା ଶଶୁର । ରହିଗଲାଣି ବୁଢ଼ା-। ବୟସ ଖୁବ୍‌ ବେଶୀ ନୁହେଁ । ତେବେ ଏ ବିପର୍ଯ୍ୟୟରେ ଭାଙ୍ଗି ଯାଇଛି ଅଣ୍ଟା । ମରି ଯାଇଛି ମନ । ଖ୍ରୀଷ୍ଟୋଫର ଓ ଆଉ ଦଶ ବାଆର ଜଣ ଆଦିବାସୀ ଯେଉଁଦିନ କ୍ଷତିପୂରଣ ଟଙ୍କା ପାଇଲେ, ସେଦିନ ଜଣେ ଭଦ୍ରଲୋକ ଆସି ପହଞ୍ଚିଲେ ତାଙ୍କ ପାଖରେ । ନାନା କଥା କହି, ବିପୁଳ ଅର୍ଥକୁ ବ୍ୟାଙ୍କରେ ସୁରକ୍ଷିତ ଭାବରେ ଜମା ଦେବା ପାଇଁ ମଙ୍ଗେଇଲେ । ସୁଧ ମିଳିବ । ଚୋରିର ଭୟ ନାହିଁ-। ବଦ୍‌ଖର୍ଚ୍ଚର ଆଶଙ୍କା ନାହିଁ । ଆବଶ୍ୟକବେଳେ ଟଙ୍କା କାଢ଼ି ହେବ । ନିଜର ମଙ୍ଗଳ ଦେଶର ମଙ୍ଗଳ । ତାଙ୍କ ପାଖରେ ଜମା କରି ଦେଲେ ସେମାନେ । ତା’ପରେ ଘୋର ବିଡ଼ମ୍ବନା । ଆଉ କିଛି କହିଲେ ନାହିଁ ଭଦ୍ରଲୋକ । ଲେଖାପଢ଼ା ତ କିଛି ନଥିଲା । ଫାଙ୍କି ମାରିଦେବାକୁ ବସିଲେ । ଶେଷରେ ଖ୍ରୀଷ୍ଟୋଫର୍‌ର ଦଳ କଲେ ସଶସ୍ତ୍ର ଘେରାଉ । ପୁଲିସ ହସ୍ତକ୍ଷେପ କଲା । ସବୁ ଟଙ୍କା ମିଳିଲା ନାହିଁ । ଯାହା ମିଳିଲା, ସେତିକିରେ କଚାରୁରେ ଖଣ୍ଡେ ଡିହ କିଣି ମୁଣ୍ଡ ଗୁଞ୍ଜିଲା ଖ୍ରୀଷ୍ଟୋଫର-। ପୁଅ ଲଗେଇଲା ଗୋଟାଏ ରିକ୍‌ସା କିଣିବାକୁ । ରିକ୍‌ସା ଚଳଉଛି ପୁଅ । ସେଥିରେ ଚଳୁଛି ଖ୍ରୀଷ୍ଟୋଫରର ଜୀବନ । ତା’ ଦେଖାଶିଖା ଆଉ ଦି’ ଚାରି ଜଣବି କିଣିଲେ ରିକ୍‌ସା । ଏଇ ମାଟିର କିଷାନ୍‌ ହୋଇଛି ଶିଳ୍ପନଗରୀର ରିକ୍‌ସାବାଲା । ପିଚୁଢ଼ଳା ପ୍ରଶସ୍ତ ରାସ୍ତାରେ ଚଳାଏ ରିକ୍‌ସା-। ଜୋତା, ମୋଜା, ପେଣ୍ଟ୍‌ ଆଉ ଟୋପି । ଉପରେ କାରଖାନା ଧୂଆଁରେ ନାଲି ଆକାଶ । ତଳେ କଳା କଳା ରାସ୍ତା । ରିକ୍‌ସାରେ ଟାଣେ ସେ ଆଧୁନିକ ସମାଜର ସୌଖିନ ନରନାରୀ, ଯୁବକ ଯୁବତୀ, ସ୍କୁଲ କଲେଜର ଛାତ୍ର ଛାତ୍ରୀ । ମୁହଁରେ ସିଗାରେଟ୍‌ । ସିନେମା ସଂଗୀତର ଖଣ୍ଡିଆ ଖଣ୍ଡିଆ ସୁର । ଦେହର ମଜୁରାରୁ ତିଆରି ପାଇଁ ଟେକେ ବୋତଲ । ଗଛତଳେ ରିକ୍‌ସା ଛିଡ଼ା କରି ଢୁଳେଇ ପଡ଼େ ରିକ୍‌ସାରେ । ଶିଳ୍ପନଗରୀରେ ମାଟିର ସନ୍ତାନର ରୂପାନ୍ତରିତ ଜୀବନ ।

 

ସମସ୍ତଙ୍କ ଘରକୁ ଗଲା ଆଞ୍ଜଲୁସ । ସେଇ ଏକ କଥା । ବଢ଼ିଛି ଅଭାବ, ବଢ଼ିଛି ଜଞ୍ଜାଳ-। ଖାଲି ଅସନ୍ତୁଷ୍ଟ, ହତାଶା ଆଉ ବ୍ୟର୍ଥତାର ଲୀଳାଭୂମିରେ ପରିଣତ ହୋଇଛି ଏ ମାଟି–ଯେଉଁଠି ଜୀବନ ଥିଲା ସମସ୍ୟାହୀନ । ପ୍ରକୃତି କୋଳରେ ଜୀବନ ଥିଲା ରସାଳ–ମନୋଜ୍ଞ ଓ ଉପଭୋଗ୍ୟ ।

 

ଇସ୍ପାତ ନଗରୀରେ ଆଜି ବିରାଟ ଜନସମାଗମ । ହଜାର ହଜାର ଆଦିବାସୀ । ବିରାଟ ପଟୁଆର । ନଗରୀର ପ୍ରଶସ୍ତ ରାଜପଥରେ ଶୋଷିତ, ଉପେକ୍ଷିତ ମାଟିର-ସନ୍ତାନର ଶୋଭାଯାତ୍ରା । ଭୋଖିଲାର ପଟୁଆର । ପ୍ରତ୍ୟେକଙ୍କ ହାତରେ ଧନୁଶର । ଚହଳ ପଡ଼ିଯାଇଛି ଇସ୍ପାତନଗରୀରେ । ସତର୍କ ରହିଛି ପୁଲିସ । ରାଉରକେଲା ଥାନାରେ ଉପସ୍ଥିତ ସ୍ୱୟଂ ପୁଲିସ ସୁପରିନ୍‌ଟେଣ୍ଡେଣ୍ଟ । ଆସିଛନ୍ତି ଜିଲ୍ଲା କଲେକ୍ଟର । ଦୋକାନୀ ବ୍ୟବସାୟୀଙ୍କର ମନରେ ଆତଙ୍କ । ପ୍ରତିଆକ୍ରମଣର ଗୁପ୍ତ ପ୍ରସ୍ତୁତି ।

 

ଚାଲିଛି ପଟୁଆର । ସ୍ଳୋଗାନ ନାହିଁ । ଧରିନି କେହି ଦଳୀୟ ପତକା ହାତରେ ଆଦିମଯୁଗର ଅସ୍ତ୍ର । ଅଥଚ ମୁହଁରେ ନାହିଁ ହିଂସାରଭାବ । ନାହିଁ ଉଦ୍ଦାମ ଉତ୍ତେଜନା । ଧାଂଡ଼ି ମାନଙ୍କ ହାତରେ ଫୁଲତୋଡ଼ା । ଭେଟିଦେବେ । ଦେବେ ଉପହାର–ଆନ୍ତରିକ ସମ୍ମାନ ଆଞ୍ଜଲୁସ୍‌କୁ-। ତିରଲାର ସମ୍ମାନ ରକ୍ଷା କରିବାକୁ ଯେ କରିଥିଲା କାରାବରଣ । ପଟୁଆର ଚାଲିଛି ସଭାସ୍ଥଳକୁ । କୌଣସି ମଇଦାନକୁ ନୁହେଁ । ଅବ୍ୟବହୃତ ପରିତ୍ୟକ୍ତ ବିଲମାଳ ସେମାନଙ୍କର ସଭାସ୍ଥଳୀ । ଯେଉଁ ବିଲମାଳରେ ଦିନେ ଏମାନେ ଖେଳାଉଥିଲେ ଅନନ୍ତ ଶ୍ୟାମଳିମାର ଲହରୀ । ସେଇ ବିଲମାଳରେ ରୁଣ୍ଡ ହୋଇଛନ୍ତି ସହଶ୍ରାଧିକ ଆଦିସନ୍ତାନ ଆଞ୍ଜଲୁସ୍‌କୁ ଦେବା ପାଇଁ ବୀରର ସମ୍ମାନ ।

 

ଅଭିଭୂତ ହୋଇଛି ଆଞ୍ଜଲୁସ୍‌ ଏଇ ଅପ୍ରତ୍ୟାଶିତ ସମ୍ମାନ ଲାଭରେ । ସମସ୍ତଙ୍କର ଅନୁରୋଧରେ ସେ ଛିଡ଼ା ହୋଇଛି କିଛି କହିବା ପାଇଁ । ଆଞ୍ଜଲୁସ୍‌ କହୁଛି ସାଦରୀଭାଷାରେ । କହୁଛି ସେ ତା’ ଜାତିର ସମସ୍ୟା ଆଉ ତା’ର ସମାଧାନର ପନ୍ଥା । ଇସ୍ପାତ ନଗରୀ ଆମ ଜୀବନକୁ ସହଜ କରିନି । କରିଛି ଜଟିଳ । ଏଇ ବିରାଟ ଶିଳ୍ପାନୁଷ୍ଠାନ ଆମକୁ ଦେଇନି ନୂଆ ରୋଜଗାର । ପୁରୁଣାକୁ କରିଛି ବିପର୍ଯ୍ୟସ୍ତ । ଏ ଶିଳ୍ପସଭ୍ୟତା ଆମକୁ କରିଛି ସର୍ବସ୍ୱାନ୍ତ । ଆମର ସଂସ୍କୃତି–ଆମରଐତିହ–ଜୀବନଧାରା–ସାମାଜିକ ନୈତିକତା ଏଇ ଶିଳ୍ପନଗରୀର ସଭ୍ୟସମାଜର ହୋଇଛି ଉପହାସ୍ୟ । ଆମେ ସେମାନଙ୍କ ସହିତ ପାରିବା ନାହିଁ ପ୍ରତିଯୋଗିତାରେ । ସେ ବେଳ ଆସିନି । ଆମେ ଖୁବ୍‌ ପଛରେ ପଡ଼ିରହିଛେ । ସେମାନେ ଖୁବ୍‌ ଆଗରେ । ସେମାନେ ଆମପାଇଁ ଅପେକ୍ଷା କରିବେ ନାହିଁ । ଦୁଇ ପାହୁଣ୍ଡ ପଛେଇବେ ନାହିଁ ଆମକୁ ଟାଣି ନେବାକୁ । ଆମକୁ ଦଉଡ଼ିବାକୁ ହେବ । ସେମାନଙ୍କୁ ଅଟକେଇବାକୁ ହେବ । ପଛକୁ ଟାଣି ଆଣିବାକୁ ହେବ । କାରଣ ସେମାନେ ଯେଉଁବାଟ ଧରିଛନ୍ତି, ସେ ବାଟରେ ବିପଦ ରହିଛି । ସାରା ଦେଶ ପାଇଁ ବିପଦ । ଜାତି ପାଇଁ ବିପଦ-। ସାରା ଦେଶଟାକୁ ଏମାନେ ଖାଲରେ ପକେଇଦେବେ ଗୋଟାଏ ଖିଆଲରେ । ପ୍ରଗତିର ଖିଆଲ-। ପ୍ରଗତି ନାଁରେ ଏମାନେ ମାତିଛନ୍ତି ଅନୁକରଣରେ । ଅନ୍ଧ ଅନୁକରଣ । ଏଇ ଅନ୍ଧ ଅନୁକରଣ ଯେପରି ଗ୍ରାସ ନ କରେ ଆମ ସମାଜକୁ । କହି ଚାଲିଛି ଆଞ୍ଜଲୁସ୍‌ ହଜାର ହଜାର ଆଦିବାସୀ ଶୁଣୁଛନ୍ତି । ମନ୍ତ୍ରମୁଗ୍‌ଧ । ଗୋଟାଏ ଇଙ୍ଗିତରେ ସତେ ଯେମିତି ଧସେଇ ପଶି ଆସିବ ଜନ-ସମୁଦ୍ର । ଧୋଇ ପୋଛି ନିର୍ମଳ କରିଦେବ ଶିଳ୍ପନଗରୀର ଆଧୁନିକତାର ସମସ୍ତ କଳୁଷ । ନିଃଶେଷ କରିଦେବ ସମସ୍ତ ଅନ୍ୟାୟ, ସମସ୍ତ ଶୋଷଣ । ......ସମାଜବାଦ ନାଁରେ ଏଇଠି ଚାଲିଛି ଶୋଷଣ । ପୁଞ୍ଜିବାଦର ଏକ ଆଧୁନିକ ସଂସ୍କରଣ । ଟାଟା ଅଥବା ବିରଳା କମ୍ପାନୀର ଶୋଷଣ ନୁହେଁ । ସରକାରୀ ପୁଞ୍ଜିବାଦ–ସରକାରୀ ଶୋଷଣ । ଆଇନ ନାଁରେ ଚାଲିଛି ସୁବିଧାବାଦର ପାଲା-। ପ୍ରଗତି ନାମରେ ଚାଲିଛି ବ୍ୟଭିଚାର । ରାଜନୀତି ନାମରେ ଅରାଜକତା ସୃଷ୍ଟିର ପ୍ରଗାଢ଼ ପ୍ରୟାସ । ଜାତୀୟ ସଂହତି ନାମରେ ଅବହେଳିତ ଅନୁନ୍ନତ ଗୋଷ୍ଠୀର ସଂହିତ ଓ ସଂସ୍କୃତିକୁ କରାଯାଉଛି ଦମନ । ନିର୍ମମ ଦମନ । ଭାଷାଭିତ୍ତିରେ ହେଲା ଏ ଦେଶର ରାଜ୍ୟଗୁଡ଼ିକର ପୁନର୍ଗଠନ । ଆମର ଭାଷାକୁ କିନ୍ତୁ ସମର୍ଥନ କରି ନାହିଁ ସମ୍ବିଧାନ । ସ୍ୱୀକାର କରି ନାହିଁ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଦ୍ୱାରା ପ୍ରଣୀତ ସମ୍ବିଧାନ । ଆଗେଇ ଯାଇଥିବା ଗୋଷ୍ଠୀର ଭାଷାପ୍ରୀତି ଜାତୀୟତା । ସେଥିରେ ଫୁଟେ ତାଙ୍କର ମହତ୍ତ୍ୱ । ଆମର ଭାଷାପ୍ରୀତି କିନ୍ତୁ ଜାତୀୟ ସଂହତିର ପ୍ରତିକୂଳ । ଆମର ଭାଷାପ୍ରୀତି ଜାତୀୟତାର ଘୋର ବିରୋଧୀ । ଜଣକ ପାଇଁ ଯାହା ଗୁଣ, ଅପର ବ୍ୟକ୍ତି ପାଇଁ ଦୋଷ-। ଆମର ସାହିତ୍ୟ ନାହିଁ । ସଂଗୀତ ନାହିଁ । ଆମର ନୃତ୍ୟ ସଂଗୀତକଳାର ପର୍ଯ୍ୟାୟଭୁକ୍ତ ନୁହେଁ । ଆମର ପରମ୍ପରା; ଆମର ଐତିହ ନୁହେଁ ଇତିହାସ । ଆମର ସବୁକିଛିକୁ ଅସ୍ୱୀକାର କରି ମିଶାଇ ନେବେ ଆମକୁ ତାଙ୍କରି ସଙ୍ଗରେ । ସମକକ୍ଷ ବନ୍ଧୁଭାବରେ ନୁହେଁ । ଅନୁକମ୍ପାର ପାତ୍ର ଭାବରେ । ପତିତ ଅବହେଳିତ ଆଉ ଶୋଷିତର ଦଳକୁ ଉଠିବାକୁ ପଡ଼ିବ । ନିଜର ସତ୍ତା, ନିଜର ସ୍ୱତନ୍ତ୍ରତା, ଆତ୍ମନିୟନ୍ତ୍ରଣର ସ୍ୱାଧିକାର ରକ୍ଷା କରିବା ପାଇଁ । ଆଗେଇ ଯାଇଥିବା ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀର ଶାସନକୁ ଦୋହଲେଇ ଦେବାକୁ ହେବ । ଶାସନରଜ୍ଜୁ ଟାଣି ଆଣିବା ଆମେ ନିଜ ହାତକୁ-। ହଠାତ୍‌ ନୁହେଁ । ଉତ୍ତେଜନାର ବଶବର୍ତ୍ତୀ ହୋଇ ନୁହେଁ । ସଂଗଠିତ ହେବାକୁ ପଡ଼ିବ । ଥରେ ସଂଗଠିତ ହେଲେ ସ୍ୱଗମ ହେବ ବିପ୍ଳବର ପଥ-। ମୁଁ ନିଜେ ଅଭିଭୂତ ହୋଇ ପଡ଼ିଛି । ଉତ୍ତେଜିତ ହୋଇ ପଡ଼ିଛି । ଭିଲି ଯାଇଛି କହିବାକୁ ବର୍ତ୍ତମାନର କର୍ତ୍ତବ୍ୟ । ଏଇ ଶିଳ୍ପନଗରୀରେ ପଡ଼ି ରହିଛି ଶହ ଶହ ଏକର ଅବ୍ୟବହୃତ ଜମି । ବର୍ଷସାରା ଜଳସେଚନର ସୁବିଧା ରହିଛି । ଜମି ଅଛି–ସୁବିଧା ଅଛି ଅଥଚ ଆମେ ଭୋଖିଲା । ରାଞ୍ଚିରୁ ପନିପରିବା ଫଳ ଆସି ଏଇଠି ଦିନକୁ ବିକ୍ରି ହୁଏ ହଜାର ହଜାର ଟଙ୍କା ଆଉ ଆମେ ଗଙ୍ଗାକୂଳରେ ଥାଇ ପାଣି ଟୋପେ ପାଇପାରୁନେ । ଆମେ ଫେରସ୍ତ ନେବା ସେ ଜମି । ଦଖଲ ନେବା ସବୁ ଅବ୍ୟବହୃତ ଜମି । ଆଇନକୁ ଅପେକ୍ଷା କଲେ ଚଳିବ ନାହିଁ-। କହିଛି ତ–ଏଦେଶର ଆଇନ ସୁବିଧାବାଦୀର ଆଇନ–ପୁଞ୍ଜିବାଦୀର ଆଇନ । ଆବଶ୍ୟକ ହେଲେ ଆମେ ଦୃଢ଼ତାର ସହିତ ଅସ୍ୱୀକାର କରିବା ସେ ଆଇନ; ଯେଉଁ ଆଇନ ଆବହମାନ କାଳରୁ ସୁବିଧାରେ ଥିବା ଗୋଷ୍ଠୀର ସମ୍ପତ୍ତି, ବ୍ୟକ୍ତିଗତ ସ୍ୱାଧୀନତାକୁ ରକ୍ଷା କରିବାକୁ ସର୍ବଦା ଜାଗତିଆର..... ।

 

ବିରାଟ ଶିଳ୍ପ ନଗରୀରେ ବିଭିନ୍ନ ରାଜନୈତିକ ଦଳର ଆଡ଼୍‌ଡ଼ା । ନିଜ ନିଜର ଦଳୀୟ ସ୍ୱାର୍ଥ ହାସଲ ପାଇଁ, ଏମାନେ ଧାଇଁଛନ୍ତି ଶିଳ୍ପ ଶ୍ରମିକମାନଙ୍କ ପଛରେ । ନିଜ ନିଜର ନୀତି ଓ ଆଦର୍ଶ ଆଡ଼କୁ ଟାଣି ଆଣିବାକୁ ଚାଲିଛି ଚତୁର ବ୍ୟବସ୍ଥା । ପ୍ରତ୍ୟେକ ଦଳର ରହିଛନ୍ତି ଜଣେ ଜଣେ କୁଶଳୀ ନେତା–ଶ୍ରମିକନେତା । ଶ୍ରମିକ ନୁହନ୍ତି ସେମାନେ । ଶ୍ରମିକଙ୍କ ସୁଖସମୃଦ୍ଧି ପାଇଁ ସାଜିଛନ୍ତି ଫକୀର । ଟ୍ରେଡ଼୍‌ ୟୁନିୟନ ନେତା । ଶ୍ରମିକଙ୍କର ସ୍ୱାର୍ଥ ସଂରକ୍ଷଣ ପାଇଁ ଲାଗିଛି ଆନ୍ଦୋଳନ–ସଂଘର୍ଷ । ଏକ ଉଦ୍ଦେଶ୍ୟ–ଏକସ୍ୱାର୍ଥ ଅଥଚ ପରସ୍ପର ଭିତରେ ସଂଘର୍ଷ । ନିଜକୁ ସର୍ବାପେକ୍ଷା ପ୍ରଭାବଶାଳୀ କରିବାକୁ ଉଦ୍ୟମ । ଏ ସାଧାରଣ ସ୍ୱାର୍ଥ ହାସଲ ପାଇଁ ବିଭିନ୍ନ ମଜ୍‌ଦୁର ସଂଗଠନ ମଧ୍ୟରେ କଳିକଜିଆ–ବାଡ଼ିଆପିଟା । ସାଧାରଣ ନିର୍ବାଚନଟା ପାଖେଇ ଆସିଛି ତ ଘନେଇ ଯାଇଛି ସଂଘର୍ଷ-। ପ୍ରତ୍ୟେକ ରାଜନୈତିକ ଦଳର ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଏଇଠି ଟ୍ରେଡ଼ ୟୁନିୟନ ନେତାମାନେହିଁ ପ୍ରାର୍ଥୀ ।

 

ଏହି ନିର୍ବାଚନମଣ୍ଡଳୀର ଶତକଡ଼ା ଚାଳିଶ ଭୋଟଦାତା ଅଛନ୍ତି ଶିଳ୍ପନଗରୀରେ । ବାକିତକ ଆଖପାଖର ଗାଁ ଗହଳିରେ । ସେମାନଙ୍କ ମଧ୍ୟରୁ ଶତକଡ଼ା ନବେ ଆଦିବାସୀ । ଯେଉଁଦଳ ଏମାନଙ୍କର ସମର୍ଥନ ଲାଭ କରିବ ସେ ହେବ ଜୟଯୁକ୍ତ । ଶିଳ୍ପନଗରୀର ଭୋଟଗୁଡ଼ିକ ତ ନିଶ୍ଚୟ ଭାଗ ଭାଗ ହେବ, କାରଣ ପ୍ରତ୍ୟେକ ମଜଦୁର ସଂଗଠନର ନେତା ଜଣେ ପ୍ରାର୍ଥୀ ।

 

ରାଜନୈତିକ ଦଳଗୁଡ଼ିକର ଦୃଷ୍ଟି ପଡ଼ିଛି ଆଞ୍ଜଲୁସ୍‌ ଉପରେ । କି ପ୍ରଭାବ ଲୋକଟାର ! ତା’ର ସମର୍ଥନ ଯେ କୌଣସି ପ୍ରାର୍ଥୀକୁ ଜୟଯୁକ୍ତ କରିପାରିବ ।

 

ସେ ଆଉ ମଣିଷମାରୁ ଜେଲଫେରନ୍ତା ଆଞ୍ଜଲୁସ ନୁହେଁ । ଯେଉଁ ସାମ୍ବାଦିକମାନେ ତିନି ଚାରିବର୍ଷତଳେ ଆଞ୍ଜଲୁସ୍‌କୁ ଉଗ୍ରଗୋଷ୍ଠୀଗତ ଭାବରେ ଉନ୍ମାଦଗ୍ରସ୍ତ ଏକ ବ୍ୟକ୍ତି ବୋଲି ବର୍ଣ୍ଣନା କରିଥିଲେ ଆଜି ସେମାନେ ସ୍ୱର ବଦଳାଇଛନ୍ତି । ଆଜିର ସମ୍ବାଦପତ୍ରରେ ସେ ଜଣେ ପ୍ରଭାବଶାଳୀ ଆଦିବାସୀ ନେତା । ଆଜି ତା’ର ଦୃଷ୍ଟିଭଙ୍ଗୀ ପ୍ରଶଂସିତ । ତା’ର ବାଗ୍ମୀତା; ତା’ର ବ୍ୟକ୍ତିତ୍ୱ ଆଜି ହୋଇ ପ୍ରଶଂସାର୍ହ । ବିଭିନ୍ନ ରାଜନୈତିକ ଦଳର ମୁଖପତ୍ରଗୁଡ଼ିକରେ ମୁଖ୍ୟସ୍ଥାନ ଦଖଲ କରିଛି ସ୍ଥାନୀୟ ଆଦିବାସୀମାନଙ୍କର ସମସ୍ୟା । ସବୁଗୁଡ଼ିକରେ ସ୍ଥାନଲାଭ କରିଛି ଆଞ୍ଜଲୁସ୍‌ର ଅଭିଳାଷ । ତାରି ଉପରେ ସମର୍ଥନମୂଳକ ଟୀକାଟିପ୍‌ପଣୀ । ଆଜି ଆଞ୍ଜଲୁସ ଜଣେ ସମ୍ମାନିତ ବ୍ୟକ୍ତି ।

 

ୟାଭିତରେ ଚାକିରୀ ମିଳିଛି ଜେଭିଅରକୁ । ସେ ବର୍ତ୍ତମାନ ହିନ୍ଦୁସ୍ଥାନ ଷ୍ଟିଲ କମ୍ପାନୀର ଉଏଲଡ଼ର । ଘର ମିଳିନି । କଚାରୁରୁ ଯିବାଆସିବା କରି ଏକାମ କରିହେବ ନାହିଁ । ସିଫ୍‌ଟ ଡିଉଟି-। ଘର ମିଳିବା ସହଜ ନୁହେଁ । ସଙ୍ଗେ ସଙ୍ଗେ ଘର ମିଳିବାଭଳି ଦରମା କାହିଁ ତା’ର ? ଏଇଠି ଶତକଡ଼ା ଚାଳିଶଭାଗ କର୍ମଚାରୀଙ୍କୁ ଘର ମିଳି ନାହିଁ । ପାଞ୍ଚ ଛଅବର୍ଷ ଚାକିରୀ କଲାପରେବି ଅନେକଙ୍କର ଥଇଥାନର ବ୍ୟବସ୍ଥା କରାହୋଇ ନାହିଁ । ଯେଉଁମାନଙ୍କୁ ଘର ମିଳିନି, ସେମାନେ ସମସ୍ତେ ମଳିମୁଣ୍ଡିଆ । ଅଳ୍ପ ଦରମା । ବେଶି ଦରମାବାଲାଙ୍କ ପାଇଁ ତ ତୁରନ୍ତ ବ୍ୟବସ୍ଥା । ସମାଜବାଦୀ ପରିକଳ୍ପନାର ଏକ ନମୁନା ଏଇ ଶିଳ୍ପନଗରୀ । ସେଇଥିପାଇଁ ଏଇଠି ରହିଛି ବିଭିନ୍ନ ଧରଣର ଘର । ବିଭିନ୍ନ ପ୍ରକାର ସୁବିଧା । ଗୋଟିଏ ରାସ୍ତାର ଏପଟେ ସୁଦୃଶ୍ୟ ବଙ୍ଗଳା । ସଂପୂର୍ଣ୍ଣ ଆଧୁନିକ ଧରଣର ସୁବିଧା । ପ୍ରଶସ୍ତ କୋଠରୀ । ଦୁଇ ତିନିଟା ଶୋଇବା ଘର, ଡ୍ରଇଂରୁମ୍‌, ଡାଇନିଂରୁମ୍‌, ଗେଷ୍ଟରୁମ୍‌, କେତେ କ’ଣ । କମ୍ପାନୀ ତରଫରୁ ଫେନସିଂ ବ୍ୟବସ୍ଥା । କମ୍ପାନୀ ତରଫରୁ ବଗିଚା ବ୍ୟବସ୍ଥା । ଆଉ ଆରପଟେ ତା’ର ଠିକ୍‌ ବିପରୀତ । ପାଞ୍ଚ ଦଶଜଣଙ୍କ ପାଇଁ ଗୋଟିଏ ଶୋଇବା ଘର । ଅତି ସଂକୀର୍ଣ୍ଣ । ଗୋଟିଏ କୋଠରୀରେ ପଙ୍ଖା । ନିଜ ହାତରୁ ବାଡ଼ଟିଏ ଦେଲେ ହେବ ବଗିଚା ଖଣ୍ଡେ । ଏସବୁ ହେଲା କମ୍‌ ଦରମାବାଲାଙ୍କର । ଦରମାର ହାର ଅନୁସାରେ ସୁବିଧା । ସବୁ କିଛିର ତଉଲ ଦରମା ଉପରେ । ମଣିଷପଣିଆର ବିଚାର ଆୟ ଅନୁସାରେ । ଦରମା ହାର ଉପରେ ଭିତ୍ତିକରି ମୂଳରୁ ତିଆରି ହୋଇଛି ଘର । ସେଇ ଅନୁସାରେ ମୂଳ ଯୋଜନା-। ଏଇଥିପାଇଁ କମ ଦରମାବାଲାଙ୍କ ପାଇଁ ଘର ମିଳିବାରେ ଅସୁବିଧା । ଯେଉଁ ଘର ମିଳିବାରେ ଅସୁବିଧା । ଯେଉଁ ଘରୁ ବେଶି ଭଡ଼ା ମିଳିବ ନାହିଁ । ସେମିତି ଘର ତିଆରି ହେବ କାହିଁକି ? ଯାହାର ଦରମା କମ ସେ କ’ଣ ମଣିଷ ? ଘର ନ ହେଲେବି ଚଳିଯିବ ସେ । ଶିଳ୍ପନଗରୀର ବାରବୁଲା କୁକୁର ପାଇଁ କ’ଣ ଘର ଦରକାର ?

 

ଅବଶ୍ୟ ଚେଷ୍ଟା କଲେ ଭଡ଼ାଘର ମିଳେ । ତେବେ କମ୍ପାନୀର ନିର୍ଦ୍ଧାରିତ ହାରର ପାଞ୍ଚ ଛଅଗୁଣ ଅଧିକା ଦେବାକୁ ହୁଏ । ପୁଣି ଅଗ୍ରୀମ ଆକାରରେ ଏକକାଳୀନ ଦେବାକୁ ପଡ଼େ ତିନି ଚାରି ଶହ । ତେବେ ଯାହାର ବେଶି ଦରମା, ଯେ ବେଶିଭଡ଼ା ଦେଇପାରିବ; ଏକକାଳୀନ ମୋଟା ଅଗ୍ରୀମ, ତା’ର ଏ ମୁଣ୍ଡବ୍ୟଥା ନାହିଁ । ତାକୁ ଖୋଜିବାକୁ ପଡ଼େନା ଭଡ଼ାଘର । ଖୋଜିବାକୁ ପଡ଼େ ଦରିଦ୍ରକୁ । ଯାହାର ଦରମାଟା ମାସକର ଭରଣପୋଷଣ ପାଇଁ ବି ନିଅଣ୍ଟ । ଶ୍ରେଣୀହୀନ ଓ ଶୋଷଣହୀନ ସମାଜ ଗଠନର ଶୁଭ ଆରମ୍ଭ ଏଇ ସମାଜବାଦୀ ଶିଳ୍ପନଗରୀରେ ।

 

ଜେଭିଅର ହତାଶ ହୋଇ ପଡ଼ିଛି । ମୁଣ୍ଡ ଗୁଞ୍ଜିବାକୁ ଯାହାର ରାହା ନାହିଁ, ସେ କାମ କରିବ କେମିତି ? ଏତେ ଏତେ ଭଡ଼ା ଦେଇ ବା ସେ ରହିବ କେମିତି । ଆଞ୍ଜଲୁସ୍‌କୁ କହିଥିଲା ଜେଭିଅର ଏଇ ଅସୁବିଧାର କଥା । ଆଞ୍ଜଲୁସ୍‌ କହିଥିଲା ଏକଥା ମାର୍ଗାରେଟ୍‌କୁ । ମାର୍ଗାରେଟ୍‌ ବହୁ ଆଗରୁ ଭାବୁଥିଲା ଏଇକଥା । ଖଣ୍ଡେ ଘର ଯୋଗାଡ଼ କରିପାରିଲେ ପାଖରେ ରହିଯାଆନ୍ତେ ଭାଇଭାଉଜ । ମନେ ମନେ ଖବର ନେଉଥିଲା ସେ ଗୋଟାଏ ଭଲ ଭଡ଼ାଘର । ଅନ୍ତତଃ ପାଞ୍ଚ ଛଅ ଜଣ ରହିପାରିବାଭଳି ।

 

ଘର ମିଳିଗଲା ଖୁବ୍‌ ପାଖରେ । ଇଞ୍ଜିନିୟର ପାଟ୍ରିକଙ୍କ ବଙ୍ଗଳାର ପଛପଟେ । ଚାରି ପାଞ୍ଚଜଣ କର୍ମଚାରୀ ମେସ୍‌ କରି ରହିଥିଲେ ଗୋଟିଏ ଘରେ । ବାକି ଘରଗୁଡ଼ିକ ଲଗେଇଥିଲେ ଭଡ଼ାରେ । ବେଶ୍‌ ଲାଭଜନକ ବ୍ୟବସାୟ । ଘରପିଛା ଚାଳିଶ ପଚାଶ ଲାଭ ।

 

ଆଞ୍ଜଲୁସ୍‌, ଜେଭିଅର, ଜେସମିନ ରହୁଛନ୍ତି ସେ ଘରେ । ଜେଭିଅରର ପିଲାପିଲି ଅଛନ୍ତି କଚାରୁରେ । ବୁଢ଼ାବୁଢ଼ୀ ମଙ୍ଗୁ ନାହାନ୍ତି ଆସିବାକୁ । ଜେଭିଅର୍‌କୁବି ସୁବିଧା । ଅଳ୍ପ ଖର୍ଚ୍ଚରେ ଚଳିଯିବେ ସେମାନେ ଗାଁରେ ।

 

ଆଞ୍ଜଲୁସ ବସାଘରେ ଆଜିକାଲି ଭାରି ଭିଡ଼ । ବହୁ ରାଜନୈତିକ କର୍ମୀ ଆସୁଛନ୍ତି ଆଞ୍ଜଲୁସ୍‌ ପାଖକୁ । ବିଭିନ୍ନ ମଜଦୁର ସଂଘର ନେତାଙ୍କର ଶୁଭାଗମନ ହେଉଛି । ଯେଉଁଦଳ ସହିତ ଦିନେ ତା’ର ବଚସା ହୋଇଥିଲା, ଯେଉଁମାନେ ଦିନେ ତାକୁ କ’ଣ କହୁଛି ଆଦିବାସୀଟା ବୋଲି ତାଚ୍ଛଲ୍ୟପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ, ଯେଉଁମାନେ ଆଞ୍ଜଲୁସ୍‌କୁ ବଳପ୍ରୟୋଗ କରି ନୀରବ କରିବାକୁ ଚାହିଁଥିଲେ, ସେଇ ଦଳର ନେତାବି ଆଜି ଆଞ୍ଜଲୁସର ଦ୍ୱାରସ୍ଥ । ନିର୍ବାଚନର ଲଢ଼େଇରେ ଘର୍ମାକ୍ତ ହୋଇ, ସେ ବି ଆସୁଛନ୍ତି ଆଞ୍ଜଲୁସ୍‌ ପାଖକୁ ସାହାଯ୍ୟ ପାଇଁ । ପ୍ରଚାରର ଧୂଆଁବାଣ ଭିତରେ ଅଣନିଶ୍ୱାସୀ ହୋଇ ସେ ବି ଦ୍ୱାରସ୍ଥ ହୋଇଛନ୍ତି ଆଞ୍ଜଲୁସର । ନୈରାଶ୍ୟର ଆଶଙ୍କାରେ ବିବ୍ରତ ବିଚଳିତ ହୋଇ ପ୍ରାର୍ଥୀ, ତାଙ୍କର ପୃଷ୍ଠପୋଷକ, ସମର୍ଥକ ଓ ଦଲାଲମାନଙ୍କର ଶୁଭାଗମନରେ ବେଳେ ବେଳେ ଭାରି ଭିଡ଼ ହେଉଛି ଆଞ୍ଜୁଲସ୍‌ର ବସାଘର ।

 

ବିପୁଳ ଅର୍ଥଲାଭର ପ୍ରଲୋଭନ ଆସିଛି ଆଞ୍ଜଲୁସ ପାଖକୁ । ଆସିଛି ଭଲ ଚାକିରୀର ପ୍ରଲୋଭନ । ବେକାର ଆଞ୍ଜଲୁସର ମନ ଟଳିଛି । ସେ ରାଜନୀତି କରିବ ନାହିଁ । ଫାଦାର ଡେଭିଡ଼୍‌ କହୁଥିଲେ ରାଜନୀତି ସଇତାନର ଶେଷ ଆଶ୍ରୟ । ଭଲଲାଗେ ନାହିଁ ତାକୁ ରାଜନୀତି । ତେବେ ସେ ଥରେ ବୁଲି ଆସିଲେ ଯଦି ଜଣେ ପ୍ରାର୍ଥୀ ଜୟଯୁକ୍ତ ହୋଇପାରନ୍ତି, ତା’ର ଏକ ବିନମ୍ର ନିବେଦନରେ ଯଦି ଜନମତ ପ୍ରଭାବିତ ଓ ପରିବର୍ତ୍ତିତ ହୋଇପାରିବ ବୋଲି ଏମାନଙ୍କର ଦୃଢ଼ ବିଶ୍ୱାସ, ତେବେ ନ କରିବ କାହିଁକି ? ଯଦି ଏତିକି କରିପାରିଲେ, ବଦଳିଯିବ ତା’ର ଅଭାବ ଅନାଟନ ପୂର୍ଣ୍ଣ ଜୀବନର ଧାରା, ଯଦି ଏତିକି କରି ଜୀବନର ଭବିଷ୍ୟତ୍‌ ପାଇଁ ସେ ଦେଇପାରିବ ଏକ ଦୃଢ଼ ମୂଳଦୁଆ, ତେବେ କ୍ଷତି କ’ଣ ? ଜଣକୁ ସମର୍ଥନ କଲେ ବଦଳି ଯିବ ଅନ୍ୟମାନଙ୍କର ସ୍ୱର । ରାଜନୈତିକ ଉଦ୍ଦେଶ୍ୟ ହାସଲ ପାଇଁ, ଆରମ୍ଭ କରିଦେବେ ଚରିତ୍ରସଂହାରର ହୀନ ଉଦ୍ୟମ । ଏମାନଙ୍କର ରାଜନୈତିକ ପ୍ରଚାର ତ କେବଳ ମିଥ୍ୟା ପ୍ରତିଶ୍ରୁତି ଓ ବ୍ୟକ୍ତିଗତ କୁତ୍ସାରଟନା । ଅନ୍ୟକୁ ଲୋକଚକ୍ଷୁରେ ହୀନ କରିବାର ପ୍ରାଣମୂର୍ଚ୍ଛା ଉଦ୍ୟମ ଭିତରେହିଁ ଫୁଟିଉଠେ ଏମାନଙ୍କର ରାଜନୀତିର ପାଟବ । ନା, ନା, ଏ ପ୍ରକାର ରାଜନୀତିର ଗୋଳିଆ ଘଣ୍ଟା, ପରସ୍ପର ବିରୋଧୀ ନୀତି ଆଉ ଆଦର୍ଶର ପରିପ୍ରଚାର ବିଭ୍ରାନ୍ତ କରି ଦେବ ଏକ ସରଳ ଗୋଷ୍ଠୀର ଜନମତକୁ । କିନ୍ତୁ ପେଟରେ ଓଦାକନା ଦେଇ କ’ଣ ଗୋଟାଏ ନୀତି ଓ ଆଦର୍ଶକୁ ଜାବୁଡ଼ି ଧରିହେବ ? ଭଲ ମଉକା ଆସିଛି । ସୁବର୍ଣ୍ଣ ସୁଯୋଗ । ସୁଯୋଗ ଓ ସୁଯୋଗ ନେଇ ପାରିବାର ପ୍ରସ୍ତୁତିକୁ କୁହାଯାଏ ଭାଗ୍ୟ । ନିର୍ବାଚନର ଏଇ ସୁଯୋଗ ନେଇ ନ ପାରିଲେ, ପେଶି ହେବାକୁ ପଡ଼ିବ ଅଭାବ ଅନାଟନ ଭିତରେ-। ହୁଏତ ବେଳ ଆସିବ, ଯେତେବେଳେ ବୁଭୁକ୍ଷା ଟାଣି ନେବ ପାପ ପଙ୍କିଳ ଜୀବନର ରାଜପଥ ଉପରକୁ ।

 

ଜଣେ ପ୍ରାର୍ଥୀ ଯାଚିଛନ୍ତି ନଗଦ ଦଶ ହଜାର । ଜଣେଲୋକ ଦଶ ହଜାର ଦେଇ ନିଶ୍ଚିନ୍ତଭାବରେ ବାଆର ତେଏର ହଜାର ନିଦାଭୋଟ ଲାଭକରିବା କିଛି କମ୍‌ କଥା ନୁହେଁ । କିନ୍ତୁ କାହିଁକି ସେ ଏତେ ଖର୍ଚ୍ଚକରିବାକୁ ଯାଉଛନ୍ତି ? ସମ୍ମାନ ପାଇଁ ? ଯାହାର ଆତ୍ମସମ୍ମାନବୋଧ ଏତେ ଗଭୀର, ସେ ଅର୍ଥଲୋଭରେ ପୁଣି ଦଳ ପରିବର୍ତ୍ତନ କରିପାରେ କିପରି ? ତେବେ କ’ଣ ବ୍ୟବସାୟ-?

 

ଆଉଜଣେ ନେତାଙ୍କର ଏଜେଣ୍ଟ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ଖଣ୍ଡେ ଭଲ ଚାକିରୀ ପାଉଁ-। ଚାକିରୀ ସାଙ୍ଗକୁ ମଜଦୁର ସଂଘର ସଂପାଦକତ୍ୱ । ଏକ ବିଶେଷ ସମ୍ମାନ ସହ ମାସିକ ଦୁଇଶହ ପକେଟ୍‌ମନୀ । ପ୍ରଚାର ଆରମ୍ଭ କଲେ ପ୍ରାରମ୍ଭିକ ଖର୍ଚ୍ଚପାଇଁ ନଗଦ ତିନି ହଜାର । ଏମିତି ଆହୁରି କେତେ କ’ଣ ? ଆଞ୍ଜଲୁସ୍‌ ପରି ଏକ ସାଧାରଣ ଲୋକକୁ ହାତକରିବା ପାଇଁ ଚାଲିଛି ବିଭିନ୍ନ ରାଜନୈତିକ ଦଳର ଗୁପ୍ତ ପ୍ରତିଯୋଗିତା । ନିଲାମ ଡାକ । ସିଲ୍‌ଡ଼ ଟେଣ୍ଡର । ଆଞ୍ଜଲୁସ୍‌ ଅଭିଭୂତ ହୋଇଛି । ପ୍ରଲୁବ୍‌ଧ ହୋଇଛି ଆଉ ପାଇଛି ଆମୋଦ । ବର୍ତ୍ତମାନ ସୁଦ୍ଧା ଟଳି ପଡ଼ିନି । ଦୋହଲୁଛି-

 

ଆଞ୍ଜଲୁସ୍‌କୁ ପ୍ରଭାବିତ କରିବା ପାଇଁ ମାର୍ଗାରେଟକୁବି ଧରିଛନ୍ତି । ତୋଷାମଦ କରିଛନ୍ତି-। ପ୍ରଲୁବ୍‌ଧ କରିଛନ୍ତି । ମାର୍ଗାରେଟ୍‌ କିନ୍ତୁ ଅଟଳ । ଦୃଢ଼ । ସତର୍କ କରିଦେଇଛି ସେ ଆଞ୍ଜଲୁସ୍‌କୁ ଇଞ୍ଜିନିୟର ପାଟ୍ରିକ୍‌ଠୁ ସେ ଶୁଣିଛି, ରାଜନୀତି ଆଜି ଯାହାକୁ ଉଠେଇଦିଏ ଉପରକୁ, କାଲି ପୁଣି ତଳେ କଚାଡ଼ି ଭାଙ୍ଗି ଦିଏ ହାଡ଼ । ଥରେ ପ୍ରଲୋଭନରେ ପଡ଼ିଗଲେ, ସଙ୍ଗେ ସଙ୍ଗେ ନୈତିକତାକୁ ନିର୍ମମ ହତ୍ୟା କରାଯାଏ । ଭୂଲୁଣ୍ଠିତ ହୁଏ ସମସ୍ତ ଆତ୍ମସମ୍ମାନ ଓ ସମସ୍ତ ଗୌରବ । ମାର୍ଗାରେଟ୍‌ ବାରମ୍ବାର ତାଗିଦ୍‌ କରିଦେଇଛି ଆଞ୍ଜଲୁସ୍‌କୁ । ‘‘ଦେଖ ଭାଇ, ତୁମେ ଯଦି ଥରେ ଅର୍ଥଲୋଭରେ ଶୀକାର ହୁଅ ତେବେ ଆଦିବାସୀ ସଂପ୍ରଦାୟର ନୈତିକତା ସେମାନଙ୍କର ହେବ ଉପହାସ୍ୟ । ବଡ଼ ଶସ୍ତା ହୋଇରହିବା ଆମେ ସେମାନଙ୍କ ଆଖିରେ । ସେମାନଙ୍କର ଧାରଣା ବଦ୍ଧମୂଳ ହେବ ଯେ ଟଙ୍କା ଦେଇ କ୍ରୟ କରାଯାଇପାରେ ଏମାନଙ୍କୁ । ଅଭାବ ଅନାଟନ ପାଇଁ ବିଚଳିତ ହେବା ପୁରୁଷକାର ନୁହେଁ । ତୁମେ ଜଣେ ମେକାନିକ୍‌ । ସୁଖ୍ୟାତ ମେକାନିକ୍‌ । ଏଯୁଗରେ ବିଶେଷତଃ ଏହି ଶିଳ୍ପନଗରୀରେ ଜଣେ ଯୋଗ୍ୟତାସଂପନ୍ନ ଖ୍ୟାତନାମା ମେକାନିକ୍‌ର ପେଟ ଅପୋଷା ରହେ ନାହିଁ-। ଅପ୍ରତାଶିତ ଅର୍ଥଲାଭର ସୁଯୋଗ ନେବା କେତେବେଳେ ଉଚିତ ନୁହେଁ । ସେ ଆମଜାତିର ପରମ୍ପରା ନୁହେଁ । ତା’ପରେ, ମୂଳରୁ ଆରମ୍ଭ କରି ଆଜିପର୍ଯ୍ୟନ୍ତ ମୋର ସବୁତକ ଦରମା ଗଚ୍ଛିତ ଅଛି ବ୍ୟାଙ୍କରେ । ମାସକୁ ଦୁଇଶହ ହିସାବରେ । କିଏ ଅଛି ମୋର ? କାହାପାଇଁ ଖର୍ଚ୍ଚ କରିବି ମୁଁ ଏତେଗୁଡ଼ାଏ ଟଙ୍କା ? ସବୁକିଛି ଗଛିତ ଅଛି ତୁମପାଇଁ । ତୁମ ଉପରେ ମୁଁ ବି ସଂପୂର୍ଣ୍ଣରୂପେ ନିର୍ଭର କରିବି ତ ଯେଉଁମାନେ ଆମକୁ ହୀନଚକ୍ଷୁରେ ଦେଖୁଛନ୍ତି, ଯେଉଁମାନେ ନିଜର ସ୍ୱାର୍ଥ ପାଇଁ ଆମର ଚରିତ୍ର ସଂହାରର ହୀନ ଉଦ୍ୟମ କରି, ଆଜିପର୍ଯ୍ୟନ୍ତ ସଫଳତାର ଗର୍ବରେ ଛାତିଫୁଲେଇ ଚାଲିଛନ୍ତି, ସେମାନଙ୍କୁ ଜବାବ ଦେବା ପାଇଁ ଆମେ ସମସ୍ତେ ଅପେକ୍ଷା କରିଥିଲୁ ତୁମର ମୁକ୍ତିକୁ । ତୁମେ କ’ଣ ହତାଶ କରିବ ଆମକୁ ? ଯେଉଁମାନେ ସେଦିନ ଦେଇଛନ୍ତି ତୁମକୁ ବୀରର ସମ୍ମାନ, ସେମାନଙ୍କୁ କ’ଣ ହତାଶ କରିବ ତୁମେ ? ତୁମେବି କ’ଣ ରାଜନୀତି ଭିତରେ ପଶି, ଆଗେଇ ଯାଇଥିବା ଗୋଷ୍ଠୀର ହେବ ଦଲାଲ । ମନେରଖ, ଅର୍ଥର ଅଭାବ ହେବ ନାହିଁ ତୁମର । ଫାଦାର ଡେଭିଡ଼ ଓ ଇଞ୍ଜିନିୟର ପାଟ୍ରିକ୍‌ କହୁଥିଲେ, ମହତ୍‌ କାର୍ଯ୍ୟରେ ଅର୍ଥର ଅଭାବ ବାଧା ଦେଇପାରେନା ।

 

ବହୁବାର ଆସିଛନ୍ତି କୁମାରୀ ତନେଜା ପାଟ୍ରିକଙ୍କ ବଙ୍ଗଳାକୁ । ଦୀର୍ଘ ଆଳାପ କରିଛନ୍ତି ସେ ମାର୍ଗାରେଟ ସଙ୍ଗରେ । ମାର୍ଗାରେଟ ଅନୁଭବ କରିଛି ସତେ ଯେମିତି କୁମାରୀ ତନେଜାଙ୍କୁ ଟାଣି ଆଣୁଛି ଏଇ ଶିଶୁଟି । ସେ ଲକ୍ଷ୍ୟ କରିଛି ତନେଜାଙ୍କର ବ୍ୟଗ୍ରତା । ତାଙ୍କ ହୃଦୟର ବ୍ୟାକୁଳତା-। ବଙ୍ଗଳାରେ ପହଞ୍ଚିବା ସଙ୍ଗେ ସଙ୍ଗେ କୁମାରୀ ତନେଜାଙ୍କର ଖୋଜିଲା ଖୋଜିଲା ଆଖି, ଶିଶୁଟି ବିଷୟରେ ତାଙ୍କର ବ୍ୟଗ୍ରତାପୂର୍ଣ୍ଣ ପ୍ରଶ୍ନ, ଛୁଆଟିକୁ କୋଳକୁ ଟାଣି ନେବାର ଉତ୍‌କଣ୍ଠା, କୌତୁହଳ ସୃଷ୍ଟି କରେ ମାର୍ଗାରେଟର ମନ ଭିତରେ । ମା’ ନୁହେଁ ମାର୍ଗାରେଟ; ତଥାପି ମା’ର ସ୍ନେହମମତାରେ ପରିପୂର୍ଣ୍ଣ ହୋଇଛି ତା’ର ହୃଦୟ । ଜଣେ ଅଭିଜାତ ତରୁଣୀର ଏ ସ୍ନେହ, ଏ ବ୍ୟାକୁଳତା, ବେଳେ ବେଳେ ମନରେ ତା’ର ଭରିଦିଏ ଅହେତୁକୀ ଆଶଙ୍କା । ମା’ଠୁ ବଳି ଯେ ଛୁଆଙ୍କୁ ଭଲପାଏ, ସେ ନିଶ୍ଚୟ ଡାଆଣୀ । ତା’ର ଇଚ୍ଛାହୁଏ ତନେଜାଙ୍କୁ ବଙ୍ଗଳାକୁ ଆସିବାକୁ ମନା କରିଦେବା ପାଇଁ । କିନ୍ତୁ କି ଅଧିକାର ଅଛି ତା’ର ଏ ବଙ୍ଗଳାରେ । ସେ କିଏ ? ଇଞ୍ଜିନିୟର ସାହେବ ଅବଶ୍ୟ ତାଙ୍କର ମହାନୁଭବତା, ବିଶ୍ୱାସ ଓ ଘରଚଳେଇବାର ସୁବିଧା ପାଇଁ ଅନେକକ୍ଷେତ୍ରରେ ତାଙ୍କୁ ଗୃହକର୍ତ୍ତ୍ରୀର ଅଧିକାର ଦେଇଛନ୍ତି । କିନ୍ତୁ ସେ ଜଣେ ଚାକରାଣୀ–ଆୟା । କୁମାରୀ ତନେଜା କିନ୍ତୁ ଇଞ୍ଜିନିଅରଙ୍କର ବାନ୍ଧବୀ । ମାର୍ଗାରେଟ୍‌ର ଆଖିଆଗରେ ନାଚିଯାଏ ସେ ଦିନର ଦୃଶ୍ୟ–ପଲଙ୍କରେ ଶାୟିତା ତନେଜା ଓ କାଉଚ୍ ଉପରେ ଉପବିଷ୍ଟ ଇଞ୍ଜିନିଅର । ଯେଉଁ ତନେଜାଙ୍କର ସ୍ଥାନ ଇଞ୍ଜିନିଅର ସାହେବଙ୍କର ଶଯ୍ୟାରେ; କି ସାହସରେ ମାର୍ଗାରେଟ କହିବ ତାଙ୍କୁ ପ୍ରବେଶ ନିଷେଧ ବୋଲି । ସେ ପୁଣି ଉଚ୍ଚପଦସ୍ଥ ପ୍ରଭାବଶାଳୀ ଅଫିସର ଶ୍ରୀଯୁକ୍ତ ତନେଜାଙ୍କର ଏକମାତ୍ର କନ୍ୟା ! ନା, ନା, ଏ ଅକ୍ଷମଣୀୟ ଧୃଷ୍ଟତା କରିବ ନାହିଁ ସେ ।

 

ଇଞ୍ଜିନିୟର ଯେ ଲକ୍ଷ୍ୟ କରିନାହାନ୍ତି ଏକଥା ତାନୁହେଁ । ସେ ବି ହୋଇପଡ଼ିଛନ୍ତି କୌତୁହଳୀ । ଜଣେ କୁମାରୀର ଏ ପ୍ରକାର ମାତୃସୁଲଭ ଶିଶୁ ସ୍ନେହ କାହିଁକି ? ପୁଣି ଭାବନ୍ତି–ନା, ନା, ସେଥିରେ ଅସ୍ୱାଭାବିକତା କିଛି ନାହିଁ । ପ୍ରତ୍ୟେକ ନାରୀର ସେ ଏକ ସହଜାତ ପ୍ରବୃତ୍ତି । ହୁଏତ ଏହି ଶିଶୁଟିର ପିତାମାତା କେହି ନଥିବା ଯୋଗୁଁ ସେଇ ପ୍ରବୃତ୍ତିର ସ୍ୱଚ୍ଛନ୍ଦ ପରିପ୍ରକାଶ ହୋଇଛି ଏ କ୍ଷେତ୍ରରେ । ମନୋବିଜ୍ଞାନର ଜଣେ କୃତୀଛାତ୍ରୀ ଭାବରେ, ଗବେଷଣା ମନୋବୃତ୍ତି ନେଇ ହୁଏତ ସେ ଲକ୍ଷ୍ୟ କରିଛନ୍ତି, ଏଇ ପରିତ୍ୟକ୍ତ ଶିଶୁଟିର ଭାବଭଙ୍ଗୀ ।

 

ଶ୍ରୀଯୁକ୍ତ ତନେଜା କିନ୍ତୁ ପସନ୍ଦ କଲେ ନାହିଁ ତାଙ୍କ କନ୍ୟାର ଏଇ ଆଚରଣ । ଜୀବନରେ ଥରେ ଧକ୍‌କା ଖାଇଲା ପରେବି କେମିତି ଚେତା ପଶିଲା ନାହିଁ ଝିଅର ମନରେ । ଜଣେ ଜର୍ମାନ ଇଞ୍ଜିନିୟରଙ୍କ ବଙ୍ଗଳାକୁ ଏମିତି ଭାବରେ ବାରମ୍ୱାର ଯିବାଟାକୁ ପସନ୍ଦ କରିପାରିଲେ ନାହିଁ ଶ୍ରୀଯୁକ୍ତ ତନେଜା । ଜଣେ ଆୟା ସଙ୍ଗରେ ଘଣ୍ଟା ଘଣ୍ଟା ଧରି ଆଳାପ, ଆଉ ଏକ ଅଜ୍ଞାତ, ଜାରଜ ଶିଶୁପ୍ରତି ଏ ଅହେତୁକୀ ଆକର୍ଷଣ ଓ ମମତା; ଆଭିଜାତ୍ୟକୁ କ୍ଷୁଣ୍ଣ କଲାପରି ବୋଧ ହେଲା ତାଙ୍କର । ବିଶେଷ ପ୍ରଗତିବାଦୀ ହେଲେ ମଧ୍ୟ ଅଭିଜାତ୍ୟ ଥିଲା ଶ୍ରୀଯୁକ୍ତ ତନେଜାଙ୍କର । ଥରେ ଦୁଇ ଥର ବାରଣ କଲେ ସେ । ଜୀବନରେ ପ୍ରଥମଥର ପାଇଁ ଏକମାତ୍ର କନ୍ୟାର ସ୍ୱଚ୍ଛନ୍ଦତା ବିରୁଦ୍ଧରେ ଆପତ୍ତି କରିଥିଲେ ଶ୍ରୀଯୁକ୍ତ ତନେଜା । କୁମାରୀ ତନେଜା କିନ୍ତୁ ମାନି ନଥିଲେ ବାରଣ । ବଡ଼ ବାଧିଲା ଶ୍ରୀଯୁକ୍ତ ତନେଜାଙ୍କୁ । ରୁକ୍ଷ ହେବାକୁ ପଡ଼ିଲା ତାଙ୍କୁ । ନିର୍ମମ ଆଦେଶ ଦେଲେ ସେ ଉଚ୍ଚଶିକ୍ଷିତା କନ୍ୟାକୁ । ଇଞ୍ଜିନିୟର ପାଟ୍ରିକର ବଙ୍ଗଳାକୁ ଆସିବାଟା ଅଗତ୍ୟା ବନ୍ଦ ହେଲା କୁମାରୀ ତନେଜାଙ୍କର-

 

ପିତାଙ୍କର ରୁକ୍ଷ ଆଦେଶରେ ଭାଙ୍ଗି ପଡ଼ିଲେ କୁମାରୀ ତନେଜା । ବିରାଟ ପ୍ରତିକ୍ରିୟା ହେଲା ତାଙ୍କର ମନ ଭିତରେ । ମନ ଭିତରେ ତାଙ୍କର ଦ୍ୱନ୍ଦ୍ୱର ଏକ ପ୍ରଳୟଙ୍କରୀ ଝଡ଼ । ତେବେ କ’ଣ ବାପା ତାଙ୍କୁ ସନ୍ଦେହ କରନ୍ତି ? ଘୃଣା କରନ୍ତି ? ମଣିଷ ଅପେକ୍ଷା ଆଭିଜାତ୍ୟ କ’ଣ ଶ୍ରେୟସ୍କର ? ଆଭିଜାତ୍ୟ ? କି ମୂଲ୍ୟହୀନ, ଅର୍ଥହୀନ ପରିକଳ୍ପନା ।......ସେ କ’ଣ ପ୍ରକୃତରେ ଘୃଣ୍ୟା ନୁହନ୍ତି ? କାହିଁକି ? ସ୍ୱଚ୍ଛନ୍ଦ ପ୍ରଣୟ କ’ଣ ଘୃଣ୍ୟ ? ଯୌନସଂପର୍କଦ୍ୱାରା କ’ଣ ମଣିଷର ମୂଲ୍ୟ ହ୍ରାସ ପ୍ରାପ୍ତ ହୁଏ ? କିନ୍ତୁ...ନା, ନା, ସେ କଥା ଚିନ୍ତା କରିବାକୁବି ଭୟଲାଗେ । ନାନା ଯୁକ୍ତି, ଆଦର୍ଶବାଦର କଳ୍ପନା ପରେବି କେଜାଣି କାହିଁକି । ଛାତି ଭିତରଟା ଖାଲି ଘୁଙ୍ଗାଳି ହୁଏ । ଶିଶୁଟିକୁ ଥରେ ଦେଖିବାର ଇଚ୍ଛା ଅଥୟକରେ କୁମାରୀ ତନେଜାଙ୍କୁ । କିନ୍ତୁ ଅସନ୍ତୁଷ୍ଟ ହେବ ପିତା । ମନରେ ହେବ ତାଙ୍କର ଅପ୍ରତ୍ୟାଶିତ ଦୁଃଖ । ଅଭିଜାତ୍ୟ କ୍ଷୁଣ୍ଣ ହେବ । ଭୂଲୁଣ୍ଠିତ ହେବ ସମ୍ମାନ । ଏପର୍ଯ୍ୟନ୍ତ ଫେରିଲେ ନାହିଁ ମାଲହୋତ୍ରା । ମାଲହୋତ୍ରାଙ୍କ ସହିତ ବୋଧହୁଏ ଆଉ ଅବାଧ ମିଳାମିଶା ପାଇଁ ସୁଯୋଗ ଦେବେ ନାହିଁ । ସେ ସୁଯୋଗର ଅପବ୍ୟବହାର କରିଛି ସେ । ଶିକ୍ଷାଦୀକ୍ଷା ଥାଇବି ସ୍ୱାଧୀନତାର ସଦୁପଯୋଗ କରିପାରିନି ସେ । ଶାରୀରିକ କ୍ଷୁଧାକୁ ନିୟନ୍ତ୍ରିତ କରିପାରିନି ସେ । ଆଉ ମାଲହୋତ୍ରା; କି ପ୍ରତାରଣା କରି ନଥିଲେ ଶ୍ରୀଯୁକ୍ତ ମାଲହୋତ୍ରା । ଶିକ୍ଷାଦୀକ୍ଷା ଥାଇବି ମଣିଷ କରିପାରେ ? ଆଃ, ବିଚାରୀ ଲକ୍ଷ୍ମୀ ! ତରିଗଲା ସେ । ପ୍ରତାରଣାର ବିଷଜ୍ୱାଳାରେ ଛଟପଟ ହେବାର ଦୁର୍ଭାଗ୍ୟ ନଥିଲା ତା’ର କିନ୍ତୁ ଏ କ’ଣ ପ୍ରକୃତରେ ପ୍ରତାରଣା ? ମଣିଷ ଯାହାକୁ ବିବାହ କରିବ, ତାକୁ ନିଜର ଇଚ୍ଛା, ନିଜର ରୁଚି ବିରୁଦ୍ଧରେ କ’ଣ ଭଲପାଇବାକୁ ବାଧ୍ୟ ? ଭିତରେ ଘୃଣା ଅଶ୍ରଦ୍ଧା ଆଉ ବାହାରେ ସ୍ନେହ ଏ କ’ଣ ପ୍ରତାରଣା ନୁହେଁ ? ତେବେ କ’ଣ ? ସବୁକିଛିର ମୂଳରେ ସମାଜ । କ୍ଳିଷ୍ଟ ଓ ବିକୃତ ସମାଜହିଁ ମଣିଷକୁ କରେ ଭ୍ରଷ୍ଟ–ପଥହରା–ଅପରାଧୀ ଅମଣିଷ କରି ଥୋଇ ଦିଏ ସଂସାରର ରାଜଦାଣ୍ଡରେ । ନାନା ପ୍ରକାର ପରସ୍ପର ବିରୋଧୀ ଚିନ୍ତାରେ ଭାରାକ୍ରାନ୍ତ ହେଲା ତାଙ୍କର ମସ୍ତିଷ୍କ ରହିପାରିଲା ନାହିଁ ଭାରକେନ୍ଦ୍ର ।

 

ଚାହିଁଛନ୍ତି ତ ଚାହିଁଛନ୍ତି । ନିବଦ୍ଧ ଦୃଷ୍ଟି । ନିର୍ବାକ–ନିସ୍ପନ୍ଦ । ବସିଛନ୍ତି ତ ବସିଛନ୍ତି । ଦୀର୍ଘନୀରବତା । କେହି କିଛି କହିଲେ, ଖାଲି ଜଳଜଳ ହୋଇ ଚାହିଁ ରହନ୍ତି ତା’ର ମୁହଁକୁ । ସତେ ଯେମିତି କିଛି ଶୁଭୁନାହିଁ ତାଙ୍କୁ । କେତେବେଳେ ମୁହଁରେ ହସ–କେତେବେଳେ ଓଦା ଓଦା ଆଖି–ଛଳଛଳ ଚାହାଣୀ । ଖାଇବାକୁ ବାଧ୍ୟକଲେ ଆରମ୍ଭ କରନ୍ତି ଖିଆ । କ’ଣ ଟିକିଏ ନେଉ ନେଉ ପାଟିକୁ ଅଟକିଯାଏ ହାତ । ଶୂନ୍ୟଦୃଷ୍ଟିରେ ଚାହିଁ ରହନ୍ତି ଖାଦ୍ୟସାମଗ୍ରୀଗୁଡ଼ିକୁ । ଭାଙ୍ଗିଗଲା ସ୍ୱାସ୍ଥ୍ୟ । ଅନେଇ ହେଉନି ଦେହକୁ । ଚିନ୍ତାରେ ଚିନ୍ତାରେ ସଢି ଗଲେଣି ଶ୍ରୀମତୀ ତନେଜା । କୌଣସି ଔଷଧ କାମ ଦେଉନି । ସବୁ ପ୍ରକାର ଚିକିତ୍ସା ହୋଇଛି ବ୍ୟର୍ଥ । ବିବ୍ରତ ହୋଇ ପଡ଼ିଛନ୍ତି ଶ୍ରୀଯୁକ୍ତ ତନେଜା । ସେ ଠିକ୍ ଭାବରେ ବୁଝିପାରିଛନ୍ତି, ତାଙ୍କର ରୁକ୍ଷତା ଅଲିଅଳୀ ଝିଅକୁ ବାଧିଛି । ଅନୁତାପରେ ଦଗ୍‍ଧୀଭୂତ ତାଙ୍କର ହୃଦୟ । ସମସ୍ତ ସ୍ନେହ, ମମତା ଆଉ ବାତ୍ସଲ୍ୟ ଢାଳି ଦେଇଛନ୍ତି ସେ ଏକମାତ୍ର କନ୍ୟା ଉପରେ । କିନ୍ତୁ ଫଳ କିଛି ହୋଇନି । କୌଣସି ପରିବର୍ତ୍ତନ ହୋଇପାରିନି ।

 

ପରିଶେଷରେ ଶ୍ରୀଯୁକ୍ତ ତନେଜା ଝିଅକୁ ନେଇଗଲେ ବର୍ଲିନ୍ । ବର୍ଲିନ୍‌ରେ ହେବ ଚିକିତ୍ସା-। ବର୍ଲିନ୍ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ଓ ଗବେଷଣା କରିବାର ଏକ ଚିରପୋଷିତ ଲକ୍ଷ୍ୟ ଥିଲା ତା’ର । ହୁଏତ ବର୍ଲିନ୍‌କୁ ଗଲେ କିଛି ପରିବର୍ତ୍ତନ ଆସିପାରେ ତା’ର ମାନସିକ ଅବସ୍ଥାର ।

 

ବର୍ଲିନର ପ୍ରଖ୍ୟାତନାମା ମନୋବୈଜ୍ଞାନିକ ଓ ମାନସିକବ୍ୟାଧିର ଚିକିତ୍ସକଙ୍କ ପାଖରେ ଛାଡ଼ିଦେଲେ ସେ କନ୍ୟାକୁ । ସମସ୍ତ ବୃତ୍ତାନ୍ତ ଶୁଣିସାରିଲା ପରେ, ପରୀକ୍ଷା ଓ ଗବେଷଣା ଆରମ୍ଭ କଲେ ଚିକିତ୍ସକ । ସାତ ଦିନ କାଳ କୁମାରୀ ତନେଜାଙ୍କ ହାବ, ଭାବ, ଗତିବିଧି ଢଙ୍ଗରଙ୍ଗ ବିଶେଷ ସତର୍କତାର ସହିତ ଲକ୍ଷ୍ୟ କଲାପରେ, କେତେକ ପରୀକ୍ଷା ଆରମ୍ଭ କଲାପରେ, ଚିକିତ୍ସକ ତନେଜାଙ୍କ ହାତକୁ ବଢ଼ାଇଦେଲେ ଖଣ୍ଡେ କାଗଜ । ପ୍ରେସ୍‌କ୍ରିପ୍‌ସନ୍ । ବିଶେଷ ଧ୍ୟାନ ସହକାରେ ପଢ଼ିଲେ ଶ୍ରୀଯୁକ୍ତ ତନେଜା । କୌଣସି ପ୍ରକାର ଚିକିତ୍ସାର ବ୍ୟବସ୍ଥାର ଉଲ୍ଲେଖ ନଥିଲା ସେଥିରେ । ନଥିଲା କୌଣସି ପ୍ରକାର ଔଷଧର ତାଲିକା । ଥିଲା ମାତ୍ର ଗୋଟିଏ ବାକ୍ୟ ‘‘ରୋଗୀର ଦରକାର ଗୋଟିଏ ଶିଶୁ ।’’ ଶ୍ରୀଯୁକ୍ତ ତନେଜା ଚାହିଁଲେ ଚିକିତ୍ସକଙ୍କର ମୁହଁକୁ । ହସ ହସ ମୁହଁରେ କହିଲେ ଚିକିତ୍ସକ, ‘‘ସେଇ ଔଷଧଟା ଇନ୍ଦ୍ରଜାଲପରି ଆରୋଗ୍ୟ କରିବ ଆପଣଙ୍କ କନ୍ୟାକୁ । ତେବେ ଔଷଧ ଆପଣ ବ୍ୟବହାର କରିପାରନ୍ତି କେବଳ ଆତ୍ମତୃପ୍ତି ପାଇଁ ।’’ ତା’ପରେ ଦେଲେ ଗୋଟାଏ ଔଷଧ ତାଲିକା ।

 

ଛିଡ଼ା ହୋଇ ରହିଲା ଆଞ୍ଜଲୁସ୍ । ଏକ ଦୃଷ୍ଟିରେ ଚାହିଁଥିଲା ସେ ରାସ୍ତାକଡ଼ର ଏକ ସୁଦୃଶ୍ୟ ବିରାଟ କୋଠାକୁ । ଛଳ ଛଳ ଆଖି । ମୁଷ୍ଟିବଦ୍ଧ ତା’ର ହାତ ।

 

‘‘ଆରେ ରାସ୍ତା ମଝିରେ ତୁମେ ଏମିତି ହେଉଛ କାହିଁକି ?’’

 

‘‘ଏଁ ।’’ ଚମକିପଡ଼ିଲା ଆଞ୍ଜଲୁସ୍ । ପୁଣି ଆଗେଇଲେ ସେମାନେ । ଅଟକିଗଲା ମାର୍ଗାରେଟ୍ । ଆପେ ଆପେ ରହିଗଲା ତା’ର ପାଦ । କିଏ ଯେମିତି ଛନ୍ଦି ଦେଲା ତା’ର ଗୋଡ଼ ଦି’ଟାକୁ । ଏଇ ପନ୍ଦର ଦିନ ଭିତରେ ସବୁ ନିଶ୍ଚହ୍ନ ହୋଇଗଲା ! ଏଇଠି ଥିଲା ମହୁଲବଣ । ଏଇ ମହୁଲବଣରେ ମହୁଲ ଗୋଟଉ ଗୋଟଉ, ସେ ପାଇଥିଲା ଜେକବ୍‌ର ପ୍ରଥମ ସ୍ପର୍ଶ । ପ୍ରଥମ ଯୌବନରେ ତା’ର ମନର ମଣିଷର ପହିଲି ପରଶ । ଏଇ ପାଖକୁ ଲାଗିଥିଲା ତା’ର ଶଶୁରର ରାଶିଖଳା । କେତେ ନ ଖେଳିଛି ସେ ସେଇ ରାଶିଖଳାରେ ଜେକବ ସାଙ୍ଗରେ । ପନ୍ଦର ଦିନତଳେ ସେ ଦେଖି ଯାଇଥିଲା ତା’ର ବିଗତ ପ୍ରଣୟର ତୀର୍ଥସ୍ଥାନ । ଏଇ ମାଟି ଘେନିଥିଲା ତା’ର ମଥାରେ । ପାଞ୍ଚ ମିନିଟ ଛିଡ଼ା ହୋଇଥିଲା ସେଇ ଝାମ୍ପୂରା ମହୁଲଗଛ ମୂଳରେ, ଯେଉଁଠି ଛିଡ଼ା ହୋଇ ଜେକବ୍‍ ଥରିଲା ଥରିଲା ଗଳାରେ କରିଥିଲା ପ୍ରେମର ପ୍ରଥମ ସମ୍ୱୋଧନ । ପ୍ରଥମ ଆହ୍ୱାନ । ସବୁ କିଛି ନିଶ୍ଚିହ୍ନ ହୋଇଗଲା ମାତ୍ର ପନ୍ଦରଟା ଦିନରେ । ଅବ୍ୟବହୃତ ଥିଲା ଜମି ଖଣ୍ଡିକ । ଆଜି କିନ୍ତୁ କ’ଣ ଦେଖୁଛି ସେ । ତାରି ଉପରେ ଗଢ଼ିଉଠୁଛି, କେଉଁ ଏକ ଦୂର ବେପାରୀର ଆଧୁନିକ ଧରଣର ରେଷ୍ଟୁରାଣ୍ଟ । ତିଆରି ଚାଲିଛି । କାମ ଚାଲିଛି ଦିନ ରାତି ।

 

‘‘କ’ଣ ହେଲାକି ମାର୍ଗାରେଟ୍ ?’’ ପଚାରିଲା ଜେସ୍‌ମିନ୍ ।

 

‘‘ନା, କିଛି ନୁହ ।’’

 

‘‘ତୁ ତ ଜାଣୁନା ଲୋ ଜେସ୍‌ମିନ୍ । ଏଇ ଜାଗାଟା ଥିଲା ତାଙ୍କ ଶଶୁରଙ୍କର ରାଶିଖଳା ।’’ କହିଲା ଜେଭିଅର ଗୋଟାଏ ଦୀର୍ଘନିଶ୍ୱାସ ଭିତରେ ।

 

‘‘ଦେଖିଲଣି ଆଞ୍ଜଲୁସ୍ ।’’ ଖୁବ୍ ଜୋରରେ ହଲେଇଲା ଜେଭିଅର ଆଞ୍ଜଲୁସ୍‌କୁ । ଗୋଟାଏ ଅପ୍ରତ୍ୟାଶିତ ଉତ୍ତେଜନା ଥିଲା ଜେଭିଅରର କଣ୍ଠରେ; ତା’ର ସ୍ପର୍ଶରେ । ଜେଭିଅର ଟିକିଏ ଭିନ୍ନ ଧରଣର ଲୋକ । ହଠାତ୍ ଅଭିଭୂତ ହୋଇ ପଡ଼େନା । ଉତ୍ତେଜନାର ଦୂରରେ । ଆଞ୍ଜଲୁସ୍ ଠିକ୍ ଭାବରେ ଜାଣେ ଜେଭିଅରକୁ । ଚମକି ପଡ଼ିଲା ସେ ନିଶ୍ଚୟ । ଗୋଟାଏ କିଛି ବଡ଼ ଧରଣର ଘଟଣା ଦୃଷ୍ଟି ଆକର୍ଷଣ କରିଛି ଜେଭିଅରର । ଚାହିଁଲା ସେ ଜେଭିଅରକୁ । ଓଠ କାମୁଡ଼ି ସେମିତି ଚାହିଁ ରହିଛି ଜେଭିଅର । ବଡ଼ ବଡ଼ ଆଖି । ସତେ ଯେମିତି କାହାକୁ ଗିଳି ପକେଇବ ସେ । ଆଞ୍ଜଲୁସ୍ ଥରେ ଆଖି ପକେଇଲା ଚାରିଆଡ଼େ । ଓ, ଏତେବଳକୁ ବୁଝିଲା ଆଞ୍ଜଲୁସ୍ । ସେ ବି ଟିକିଏ ଆନମନା ହୋଇ ପଡ଼ିଥିଲା ତ । ସେମାନେ ସେଦିନ ବୁଲି ବାହାରିଥିଲେ, କେତେ କ’ଣ ଅବ୍ୟବହୃତ ଜମି ରହିଛି; ଆଉ କାହାର କୋଉଠି ଅଛି ଦେଖିବା ପାଇଁ । ତା’ର ଏକ ଲମ୍ୱା ତାଲିକା ଓ ମାନଚିତ୍ର ରହିଛି ଆଞ୍ଜଲୁସ୍‌ର ହାତରେ । ତେବେ ତା’ର ନିଜ ଜମି ଉପରେ ବମ୍ୱେର ଜଣେ ବ୍ୟବସାୟୀର ବିରାଟ କୋଠା ଦେଖିଲା ପରେ ହୋଇ ପଡ଼ିଥିଲା ଭାବାଭିଭୂତ । ଏଇ ଆଗରେ ତା’ର ଶଶୁର ଜମି । ଜେଭିଅର୍‌ର ବାପର ଜାଗା । ସେଇଠି ଚାଲିଛି ନିର୍ମାଣ କାର୍ଯ୍ୟ । ଷ୍ଟିଲ କମ୍ପାନୀର ନୁହେଁ । ଜଣେ ଶିଖ ଠିକାଦାରଙ୍କର ।

 

‘‘ବିଚଳିତ ହେବାର କିଛି ନାହିଁ ଜେଭିଅର । ମୋର ଜମିରେବି ବମ୍ୱେ ବ୍ୟବସାୟୀର କୋଠା ଉଠିଛି ।’’

 

‘‘କୋଡ଼ିଏ ପଚିଶ ଦିନତଳେ କିଛି ନଥିଲା ଆଞ୍ଜଲୁସ୍ । ମଝିରେ ମଝିରେ ମୁଁ ଆସେ ଏଇ ଜମି ଦେଖିବା ପାଇଁ । ମୁଁ ମନେ ମନେ ଭାବୁଥିଲି, ଏଇଠି ଖଣ୍ଡେ ମାଟିଝାଟିର ଘର ଉଠେଇ ମୁଣ୍ଡଗୁଞ୍ଜି ଥାଆନ୍ତି । କମ୍ପାନୀ ଘର ଦେଉ ଦେଉତ ଛଅ ସାତବର୍ଷ ଲାଗିଯିବ । ପାଣିର ତ ଅସୁବିଧା ନାହିଁ । ଭଲ ବଗିଚା ଖଣ୍ଡେ କରିପାରିଥିଲେ, ବେଶ୍ ଚଳିଥାଆନ୍ତା ସଂସାର । ଓଃ ଭାଗ୍ୟରବି ବିକଟ ପରିହାସ ।’’

 

‘‘ଭାଗ୍ୟ ନୁହେଁରେ ଜେଭିଅର ଭାଗ୍ୟ ନୁହେଁ । ସବୁ ଆମରି ଦୋଷ । ଆମରି ଦୁର୍ବଳତା-।’’ କହିଲା ଆଞ୍ଜଲୁସ୍ ।

 

ଠିକ୍ ସେତିକିବେଳକୁ ପାଖଦେଇ ଚାଲିଗଲା ସର୍ଦ୍ଦାରଜୀଙ୍କର ସୁଦୃଶ୍ୟ କାର୍ । ଆଖି ପଡ଼ିଗଲା ଜେସ୍‌ମିନ୍‌ର । ଘୃଣା ଆଉ ଲଜ୍ଜାରେ ଶିହରି ଉଠିଲା ଜେସ୍‌ମିନ୍ ।

 

‘‘ଏ ସେଇ ସର୍ଦ୍ଦାରଜୀର କୋଠା ମାର୍ଗାରେଟ୍ ।’’ କହିଲା ଜେସ୍‌ମିନ୍ ମାର୍ଗାରେଟର କାନ ପାଖରେ ।

 

‘‘କ’ଣ, କ’ଣ କହିଲ ଜେସ୍‌ମିନ୍ ।’’ ଏକସଙ୍ଗରେ ପଚାରିଲେ ଆଞ୍ଜଲୁସ ଓ ଜେଭିଅର । ଦାନ୍ତ କାମୁଡ଼ିଲା ଜେଭିଅର । ନାଲ ହୋଇଗଲା ଆଞ୍ଜଲୁସର ଆଖି ।

 

‘‘ଆଉ ମାତ୍ର ଚାରୋଟି ସେକ୍ଟର ବାକି ଅଛି ଜେଭିଅର । ସେଥିପାଇଁ ନିରୂପିତ ହୋଇସାରିଛି ସ୍ଥାନ । ବାକି ଜାଗାତକ ରହିବ ପଡ଼ିଆ । ପଟ୍ଟା ଦିଆଯିବ ଜନସାଧାରଣଙ୍କୁ । ୟାଭିତରେ ଆମେ ଯଦି ଦଖଲ ନନେବା, ଆମେ ଯଦି ବେଆଇନ ଗୁପ୍ତ ହସ୍ତାନ୍ତରରେ ହସ୍ତକ୍ଷେପ ନ କରିବା, ତେବେ ସବୁ ଚାଲିଯିବ ବମ୍ୱେ, କଲିକତା, ଦିଲ୍ଲୀର ବଡ଼ ବଡ଼ ବ୍ୟବସାୟୀଙ୍କ ହାତକୁ । ଆମର ଭବିଷ୍ୟତ୍ ବଂଶଧରଙ୍କ ପାଇଁ କିଛି ନଥିବ ଆଉ । ସେମାନେ ଆମକୁ ଅଭିଶାପ ଦେବେ ଜେଭିଅର । ଖୁବ୍ ଶୀଘ୍ର ଗୋଟାଏ କିଛି କରିବାକୁ ହେବ ଆମକୁ ।’’

 

‘‘କିନ୍ତୁ ଆମର କ’ଣ ହେବ ଆଞ୍ଜଲୁସ୍ ? ଆମେ ତ କିଛି ଫେରି ପାଇବା ନାହିଁ ।’’

 

ଆଞ୍ଜଲୁସ ହସିଲା । ନିଶାଖୋର ମଣିଷର ହସ । ତା’ ଆଡ଼କୁ ଚାହିଁଲେ ଜେସମିନ ଆଉ ମାର୍ଗାରେଟ୍ ।

 

‘‘ସବୁ କିଛି କ’ଣ ଖାଲି ନିଜ ପାଇଁ କରିବାକୁ ହୁଏ ଜେଭିଅର ? ଜାତି ପାଇଁ ତ ପୁଣି କିଛି କରିବା ଦରକାର । ତେବେ ବ୍ୟସ୍ତ ହେବାର କିଛି ନାହିଁ ଜେଭିଅର । ଆମକୁ ଆଇନର ଆଶ୍ରୟ ନେବାକୁ ହେବ । ବେଆଇନ ହସ୍ତାନ୍ତର ବିରୁଦ୍ଧରେ ଆମକୁ ଅଦାଲତର ଆଶ୍ରୟ ନେବାକୁ ହେବ ।’’

 

ଦୀର୍ଘନିଶ୍ୱାସ ପକେଇଲା ଜେଭିଅର । ‘‘ଛାଡ଼, ଆଇନ ଅଦାଲତରେ ପାରିବା ନାହିଁ ଆମେ ସେମାନଙ୍କ ସଙ୍ଗରେ । ଅଯଥା କାଳକ୍ଷେପ, ଅର୍ଥବ୍ୟୟ ଆଉ କାମଧନ୍ଦା ଛାଡ଼ି ଧାଁ ଦଉଡ଼ । ଶେଷରେ ପରାଜୟ । ନ୍ୟାୟ ଲାଭ ପାଇଁ ଅର୍ଥବଳ କାହିଁ ଆମର ?’’

 

‘‘ତୁ ହୁଏତ ଠିକ୍ କଥା କହୁଛୁ ଜେଭିଅର । କିନ୍ତୁ ଆଉ କିଛି କରିବା ପୂର୍ବରୁ, ପ୍ରଥମେ ଆଇନର ଆଶ୍ରୟ ନେବାକୁ ପଡ଼ିବ ଆମକୁ । ସାମ୍ୱିଧାନିକ ପନ୍ଥା ପ୍ରଥମେ ଅବଲମ୍ୱନ କରିବା ଉଚିତ-। କାରଣ ଆମକୁ ସଂଗଠିତ ହେବାକୁ ସମୟ ଲାଗିବ । ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଓ ପନ୍ଥା ଠିକ୍ କରିବାକୁ ପଡ଼ିବ । ଏକ ନିର୍ଦ୍ଦିଷ୍ଟ ଧାରାରେ ପ୍ରସ୍ତୁତି ପାଇଁ ଆମେ ସାମ୍ୱିଧାନିକ ପନ୍ଥା ଗ୍ରହଣ କରିବା-।’’

 

ଜେଭିଅର ଖାଲି ଜଳ ଜଳ ହୋଇ ଚାହିଁ ରହିଲା ଆଞ୍ଜଲୁସକୁ । ତା’ର ଆଖିରେ ଥିଲା ଏକ ବଦ୍ଧମୂଳ ଅବିଶ୍ୱାସ । ସାମ୍ୱିଧାନିକ ପନ୍ଥାରେ ଆସ୍ଥା ନାହିଁ ତା’ର । କାଳକ୍ଷେପ କରିବାକୁ ଧୈର୍ଯ୍ୟ ନାହିଁ ତା’ର ।

 

ଶ୍ରୀଯୁକ୍ତ ତନେଜା ଆସିଛନ୍ତି ଇଞ୍ଜିନିୟର ପାଟ୍ରିକଙ୍କ ବଙ୍ଗଳାକୁ । ନୂଆ କଥା । ଶ୍ରୀଯୁକ୍ତ ତନେଜାଙ୍କର ରାଉରକେଲା ରହଣି ଭିତରେ ଏଇ ପ୍ରଥମ । ବିଶେଷ ସମ୍ମାନର ସହିତ ସ୍ୱାଗତ କରିଛନ୍ତି ଇଞ୍ଜିନିୟର ପାଟ୍ରିକ । ଚର୍ଚ୍ଚା କରୁଛି ମାର୍ଗାରେଟ୍ । ମାର୍ଗାରେଟର ପଛେ ପଛେ ଚାଲିଛି ଶିଶୁଟି । ସୁନ୍ଦର ସ୍ୱାସ୍ଥ୍ୟ । ସୁଶ୍ରୀ ତା’ର ଅଙ୍ଗର ଗଠନ । ମାର୍ଗାରେଟ ଟିକିଏ ଆଖି ଉହାଡ଼ରେ ରହିଗଲେ ମଧୁର କଣ୍ଠରେ ଡାକୁଛି–‘ଆୟୋ–ଆୟୋ ।’

 

ମୁଗ୍‌ଧ ଦୃଷ୍ଟିରେ ଚାହିଁ ରହିଛନ୍ତି ଶ୍ରୀଯୁକ୍ତ ତନେଜା । କେଜାଣି କାହିଁକି ଛୁଆଟିକୁ କୋଳକୁ ଟାଣି ନେବାକୁ ଆସୁଛି ତାଙ୍କର ଏକ ଆନ୍ତରିକ ବ୍ୟଗ୍ରତା । କିନ୍ତୁ ସେ ଅକ୍ଷୁଣ୍ଣ ରଖିବାକୁ ଚାହାନ୍ତି ତାଙ୍କର ଆଭିଜାତ୍ୟ ।

 

ନାନାପ୍ରକାର ଆଳାପ ଆଲୋଚନା ପରେ ହଠାତ୍ ଶ୍ରୀଯୁକ୍ତ ତନେଜା ପରିବର୍ତ୍ତନ କଲେ ତାଙ୍କର କଥାବାର୍ତ୍ତାର ଦିଗ ।

 

‘‘ଆପଣଙ୍କର କଣ୍ଟ୍ରାକ୍‌ଟ ପିରିଅଡ଼ ତ ଆଉ ରହିଲା ମାତ୍ର କେଇଟା ମାସ । ତା’ପରେ କ’ଣ କରିବେ ଆପଣ ?’’

 

‘‘ସ୍ୱଦେଶକୁ ଫେରିଯିବାକୁ କାହାର ଆଗ୍ରହ ନଥାଏ ଶ୍ରୀଯୁକ୍ତ ତନେଜା । ଫେରିଯିବି ମୋର ମାତୃଭୂମିକୁ । ପୁଣି ଯୋଗ ଦେବି ମୋର ପୁରୁଣା କାମରେ । ହୁଏତ ଗୋଟାଏ ଭଲ ପ୍ରମୋସନବି ମିଳିପାରେ ମୋତେ ।’’

 

‘‘ନା, ନା, ସେ ବିଷୟରେ ମୁଁ ପ୍ରଶ୍ନ କରୁ ନଥିଲି ଆପଣଙ୍କୁ ।’’ ଅଟକିଗଲେ ଶ୍ରୀଯୁକ୍ତ ତନେଜା ।

 

‘‘ତେବେ ?’’ ପଚାରିଲା ଆଖିରେ ଚାହିଁଲେ ଶ୍ରୀଯୁକ୍ତ ପାଟ୍ରିକ । ଓଠରେ ମୃଦୁ ହସ ଥିଲା ତାଙ୍କର ।

 

‘‘ମୁଁ ପଚାରୁଥିଲି ଏଇ ଛୁଆଟି ବିଷୟରେ । ୟାକୁ କ’ଣ ନେଇଯିବେ ସାଙ୍ଗରେ ?’’

 

‘‘ନା, ନା, ୟାକୁ ମୁଁ ନେବି କାହିଁକି ? ସେ ରହିବ ତା’ର ଜନ୍ମମାଟିରେ, ମାର୍ଗାରେଟ୍ ସାଙ୍ଗରେ । ତା’ର ସବୁ ସୁବିଧା କରିଦେବି ମୁଁ । ଆବଶ୍ୟକ ହେଲେ ସାହାଯ୍ୟ ପଠେଇବି ବର୍ଲିନରୁ । ସେ ମୋର ପରମ କର୍ତ୍ତବ୍ୟ ଶ୍ରୀଯୁକ୍ତ ତନେଜା ଆଉ ଶିଶୁଟିର ନ୍ୟାଯ୍ୟ ଦାବୀ । ତାକୁ ବଞ୍ଚେଇଛି ଯେତେବେଳେ, ମଣିଷପରି ବଞ୍ଚି ରହିବାର ସମସ୍ତ ସୁଯୋଗ ନିଶ୍ଚୟ ଦେବି ମୁଁ ।’’

 

‘‘ଆଉ କେହି ଯଦି ସେ ଦାୟିତ୍ୱ ବହନ କରେ, ଛୁଆଟିକୁ ତାକୁ ଦେବାରେ କ’ଣ ଆପଣଙ୍କର କିଛି ଆପତ୍ତି ଅଛି ମିଷ୍ଟର ପାଟ୍ରିକ ।’’

 

କିଛିକ୍ଷଣ ନୀରବ ରହିଲେ ଶ୍ରୀଯୁକ୍ତ ପାଟ୍ରିକ । ସେ ଠିକ୍‍ ଭାବରେ ବୁଝିପାରିଲେ ଶ୍ରୀଯୁକ୍ତ ତନେଜାଙ୍କର ଅଭିପ୍ରାୟ । ଆଉ ବୁଝିପାରିଲେ ତା’ର ମୂଳ କାରଣ ।

 

‘‘କ’ଣ କହୁଛନ୍ତି ମିଷ୍ଟର ପାଟ୍ରିକ ।’’

 

‘‘ମୋର ଆପତ୍ତିର ପ୍ରଶ୍ନ ନାହିଁ ଶ୍ରୀଯୁକ୍ତ ତନେଜା । ତେବେ, ନିଜେ ଦେଖିଲେତ, ଛୁଆଟି ମାର୍ଗାରେଟକୁ ‘ଆୟୋ’ ବୋଲି ଡାକୁଛି । ଆପଣ ଭାବୁଥିବେ, ଛୁଆଟି ଆୟା କହି ନ ପାରି କହୁଛି ‘ଆୟୋ’ । ପ୍ରକୃତରେ ତା’ ନୁହେଁ । ସାଦରୀ ଭାଷାରେ ‘ଆୟୋ’ ଶବ୍ଦର ଅର୍ଥ ମା’ । ମାର୍ଗାରେଟ ଇଚ୍ଛା ନ କଲେ ଶିଶୁଟିକୁ ଅନ୍ୟ କାହାକୁ ଦେବାର ଅଧିକାର ମୋର ନାହିଁ ।’’ ନୀରବ ରହିଲେ ଶ୍ରୀଯୁକ୍ତ ପାଟ୍ରିକ । ପୁଣି ଆରମ୍ଭ କଲେ ତାଙ୍କର କଥା । ହଠାତ୍ ଦ୍ୱିଧାବୋଧ କଲେ ଶ୍ରୀଯୁକ୍ତ ପାଟ୍ରିକ-। ଅଟକିଗଲେ ସେଥିପାଇଁ । କିଛିକ୍ଷଣ ନୀରବତା ଭିତରେ ସେ ଠିକ୍ କରିନେଲେ, ଦ୍ୱିଧାର କାରଣ କିଛି ନାହିଁ । ‘‘ଆପଣଙ୍କ ଆଗରୁ ଆସିଥିଲେ ଶ୍ରୀଯୁକ୍ତ ମାଲହୋତ୍ରା । ଯେ କୌଣସି ସର୍ତ୍ତରେ ସେ ନେବାକୁ ଚାହୁଁଥିଲେ ଶିଶୁଟିକୁ । ମାର୍ଗାରେଟର ପାଦଧରି ଅଳି କରିଥିଲେ ସେ । କିନ୍ତୁ ଶେଷପର୍ଯ୍ୟନ୍ତ ତାଙ୍କୁ ହତାଶ ହେବାକୁ ପଡ଼ିଲା । ଯେଉଁ ଶିଳ୍ପନଗରୀରେ ପୁରୁଷ ମଣିଷ ଶିଶୁକୁ ତା’ର ମା’ର କୋଳରୁ ଟାଣି ଆଣି ଛାଡ଼ି ଦେଇପାରେ ରାସ୍ତାକଡ଼ର ଅପନ୍ତରାରେ, ସେମାନଙ୍କ ହାତରେ ଛାଡ଼ି ଦିଆଯାଇ ନ ପାରେ ଗୋଟିଏ ଅସହାୟ ଶିଶୁକୁ । ମାର୍ଗାରେଟ ଚାହେଁ ଶିଶୁଟିକୁ ଦେବାକୁ ତା’ର ପ୍ରକୃତ ମା’ ହାତରେ । କିନ୍ତୁ ସେ କ’ଣ ସମ୍ଭବ ଶ୍ରୀଯୁକ୍ତ ତନେଜା ? ଏକ ପରିତ୍ୟକ୍ତ, ଉପେକ୍ଷିତ ଶିଶୁର ମା’କୁ ଆବିଷ୍କାର କରିବା ଅସମ୍ଭବ, ସଂପୂର୍ଣ୍ଣ ଅସମ୍ଭବ ଶ୍ରୀଯୁକ୍ତ ତନେଜା ।’’

 

ମଉଳିଗଲା ଶ୍ରୀଯୁକ୍ତ ତନେଜାଙ୍କର ମୁହଁ । ହତାଶ ହୋଇ ଫେରିଆସିଲେ ସେ । ତେବେ କ’ଣ ଏକମାତ୍ର କନ୍ୟା ତାଙ୍କର ଆରୋଗ୍ୟ ଲାଭ କରିବ ନାହିଁ ?

 

କୁମାରୀ ତନେଜାର ସ୍ୱନକ୍ଷତ୍ର । ବର୍ଲିନରୁ ଫେରିଲା ପରେବି କୌଣସି ପରିବର୍ତ୍ତନ ହୋଇନି କୁମାରୀ ତନେଜାଙ୍କର । ଠିକ୍ ସେମିତି । ବରଂ ଦେଖାଦେଇଛି ଆଉ କେତୋଟି ଉପସର୍ଗ-। କନ୍ୟାର ଏ ଅବସ୍ଥାରେ, ତା’ର ଜନ୍ମଦିବସ ପାଇଁ କ’ଣ ବା ଆୟୋଜନ କରାଯାଇପାରେ-। ଯାହା ପାଇଁ ଆୟୋଜନ ହୁଅନ୍ତା ସେ ତ ମୂକ–ଜଡ଼ । ତଥାପି ବିଧିରକ୍ଷା କରିବାକୁ ତ ହେବ ।

 

ନିମନ୍ତ୍ରିତ ହୋଇଛନ୍ତି ମାଲହୋତ୍ରା । ନିମନ୍ତ୍ରଣ ରକ୍ଷା କରିଛନ୍ତି ସେ । କିନ୍ତୁ କାହିଁ ମନର ସରାଗ । ମାଲହୋତ୍ରାଙ୍କ ସଙ୍ଗରେବି ଆଳାପ ନାହିଁ କୁମାରୀ ତନେଜାଙ୍କର । ତାଙ୍କୁ ଖାଲି ଚାହିଁଛନ୍ତି-। ଗଭୀର ସେ ଦୃଷ୍ଟି ଅଥଚ ଶୂନ୍ୟ । ସତେ ଯେମିତି ମୂକବଧିର ହୋଇ ପଡ଼ିଛନ୍ତି କୁମାରୀ ତନେଜା-। କିଛି ଭଲ ଲାଗୁ ନାହିଁ ମାଲହୋତ୍ରାଙ୍କୁ । ନିଜକୁ ନିଜେ ସେ ଅପରାଧୀ ମନେକରି ବିଚଳିତ, ବିବ୍ରତ ହୋଇ ପଡ଼ିଛନ୍ତି । କୁମାରୀ ତନେଜାଙ୍କ ସହିତ ଆଜିର ଏ ସାନିଧ୍ୟ ମାଲହୋତ୍ରାଙ୍କ ମନ ଭିତରେ ସୃଷ୍ଟି କରିଛି ଆଲୋଡ଼ନ । ତୋଳିଛି ଏଟ ବିରାଟ ଝଡ଼ । ମୁକ୍ତିପାଇଁ ସେ ବ୍ୟାକୁଳ । ସେ ଚାହାନ୍ତି ମୁକ୍ତବାୟୁ । ଚାହାନ୍ତି ନାହିଁ ସେ ମଣିଷର କୋଳାହଳ । ଫମ୍ପା ଆଭିଜାତ୍ୟରେ ଅତିଷ୍ଠ ହୋଇ ପଡ଼ିଛନ୍ତି ଶ୍ରୀଯୁକ୍ତ ମାଲହୋତ୍ରା । କିନ୍ତୁ ଚାଲିଯିବାର ଉପାୟ ନାହିଁ । ଭଦ୍ରତା ରକ୍ଷା କରିବାକୁ ହେବ । ପୁଣି ଉପସ୍ଥିତ ଅଫିସରଙ୍କ ନିମନ୍ତ୍ରଣ ।

 

ଆସିନାହାନ୍ତି ଶ୍ରୀଯୁକ୍ତ ପାଟ୍ରିକ । ତାଙ୍କୁବି ନିମନ୍ତ୍ରଣ କରାଯାଇଛି । ତାଙ୍କର ସମସ୍ତଙ୍କୁ । ଆସିବ ମାର୍ଗାରେଟ । ଆସିବ ସେଇ ଛୁଆଟି । ଶ୍ରୀଯୁକ୍ତ ତନେଜାଙ୍କର ସନିର୍ବନ୍ଧ ଅନୁରୋଧ କ’ଣ ଉପେକ୍ଷା କରିବେ ସେମାନେ ? ତା’ କରିବାର ଥିଲେ ତ ପାଶ୍ଚାତ୍ୟ ରୀତି ଅନୁସାରେ ଆଗରୁ ଜଣାଇଦେଇ ଥାଆନ୍ତେ । ହଠାତ୍ କିଛି ଅସୁବିଧା ହୋଇଥିଲେ, ଅନ୍ତତଃ ଫୋନ କରିଥାନ୍ତେ ଶ୍ରୀଯୁକ୍ତ ପାଟ୍ରିକ । ଘଡ଼ି ଦେଖିଲେ ଶ୍ରୀଯୁକ୍ତ ତନେଜା । ମାଲହୋତ୍ରାବି ଆଖି ପକେଇଲେ ରିଷ୍ଟଓ୍ୱାଚ୍‌ରେ । ହୋଇଗଲାଣି ତ ସମୟ । ସେମାନେ କୁଆଡ଼େ ଖୁବ୍ ସମୟାନୁବର୍ତ୍ତୀ; ଆଉ ଏଇଥିପାଇଁ ସେମାନେ ଉପହାସ କରନ୍ତି ଭାରତୀୟମାନଙ୍କୁ ।

 

‘‘ଜଣେ ଜର୍ମାନ ସାହେବ ସପରିବାର ଅପେକ୍ଷା କରୁଛନ୍ତି ଆପଣଙ୍କୁ ।’’ ଖବର ଦେଲା ଜଣେ ଚାକର ।

 

ଶ୍ରୀମାନ ଓ ଶ୍ରୀମତୀ ତନେଜା ପାଛୋଟି ଆଣିଲେ ସେମାନଙ୍କୁ । ଶ୍ରୀମତୀ ତନେଜା ମାର୍ଗାରେଟକୁ ଦେଲେ ଶ୍ରୀମତୀ ପାଟ୍ରିକର ସମ୍ମାନ । ଅପ୍ରତିଭ ହୋଇ ପଡ଼ିଲା ମାର୍ଗାରେଟ । ଲଜ୍ଜିତା ହେଲା ସେ । ଖୋଜିଲା ଖୋଜିଲା ପରି ଚାହିଁଲା ଏଣେତେଣେ । ଅପରିଚିତ ସ୍ଥାନ ଓ ଗୁଡ଼ାଏ ଅପରିଚିତ ମୁହଁ ଦେଖିବାଲାଗି ରହିଲା ଛୁଆଟି ମାର୍ଗାରେଟ ସଙ୍ଗରେ । ଭିଡ଼ି ଧରିଥିଲା ସେ ମାର୍ଗାରେଟକୁ । ତନେଜାଙ୍କୁ ଧରି ଆସିଲେ ମାଲହୋତ୍ରା । ଚମକି ପଡ଼ିଲେ ଇଞ୍ଜିନିୟର ପାଟ୍ରିକ । ଏ କ’ଣ ଦେଖୁଛନ୍ତି ସେ ? ଆଗେଇଗଲେ ସେ କୁମାରୀ ତନେଜାଙ୍କ ପାଖକୁ । କୁମାରୀ ତନେଜା ଚାହିଁଥିଲେ ଶୂନ୍ୟ ଦୃଷ୍ଟିରେ । ଦୁର୍ବଳ ତାଙ୍କର ଆଖିପତା ପାଞ୍ଚ ଛଅ ମିନିଟ ସେମିତି ଚାହିଁ ରହିବା ପରେ କୁମାରୀ ତନେଜାଙ୍କ ଓଠରେ ଫୁଟିଲା କ୍ଷୀଣ ହସର ଏକ ଅସ୍ପଷ୍ଟ ରେଖା । ସତେ ଯେମିତି ନାରୀ ହୃଦୟର ସମସ୍ତ କାରୁଣ୍ୟ ଲେସି ହୋଇଥିଲା ସେଇ ଅସ୍ପଷ୍ଟ ହସଟିରେ । ପାଖକୁ ଆସିଲା ମାର୍ଗାରେଟ, କାଖରେ ଥିଲା ଛୁଆଟି । ତନେଜା ଏକ ଦୃଷ୍ଟିରେ ଚାହିଁଥିଲେ ଛୁଆଟିକୁ । କୁମାରୀ ତନେଜାଙ୍କୁ ଭଲଭାବରେ ଚିହ୍ନେ ଛୁଆଟି । ବହୁବାର କୋଳକୁ ନେଇଛନ୍ତି ସେ । ବୋକ ଦେଇଛନ୍ତି । ଭାରି ଭଲଲାଗେ ତାକୁ କୁମାରୀ ତନେଜାଙ୍କର ବୋକ । କୁମାରୀ ତନେଜାଙ୍କ ଦେହର ଉଷୁମ ଭାରି ଭଲଲାଗେ ତାକୁ । ମାର୍ଗାରେଟର କାଖରୁ ଓହ୍ଲାଇ ପଡ଼ିଲେ ସେ । ଭିଡ଼ି ଧରିଲା କୁମାରୀ ତନେଜାଙ୍କୁ । ବିଦ୍ୟୁତର ଝଲକ ସତେ ଯେମିତି କାହାର ସ୍ୱର୍ଗୀୟ ସ୍ପର୍ଶରେ ନିମେଷକ ଭିତରେ ଉଭେଇଗଲା ଗୋଟାଏ ଦୁଃସ୍ୱପ୍ନର ଆତଙ୍କ । ହଠାତ୍ ପ୍ରକୃତିସ୍ଥ ହୋଇ ପଡ଼ିଲେ କୁମାରୀ ତନେଜା । ଛାତିରେ ଚାପି ଧରିଲେ ସେ ଛୁଆଟିକୁ । ସ୍ୱାଗତ ସମ୍ଭାଷଣ ଜଣାଇଲେ ଶ୍ରୀଯୁକ୍ତ ପାଟ୍ରିକଙ୍କୁ । ହସିଲା ହସିଲା ମୁହଁରେ ଚାହିଁଲେ ସେ ମାଲହୋତ୍ରାଙ୍କୁ । ଲଜ୍ଜାବନତ ଚାହାଣୀ । ମମତାବୋଳା କଣ୍ଠରେ ଆଳାପ କଲେ ମାର୍ଗାରେଟ ସଙ୍ଗରେ । ଶ୍ରୀମାନ ଓ ଶ୍ରୀମତୀ ତନେଜାଙ୍କ ମନରେ ଅପାର ଆନନ୍ଦ । ମୁହଁରେ ପରମ ତୃପ୍ତିର ହସ ।

 

କିଛି ବୁଝିପାରିଲେ ନାହିଁ ଶ୍ରୀଯୁକ୍ତ ପାଟ୍ରିକ । ବୁଝିପାରିଲା ନାହିଁ ମାର୍ଗାରେଟ । ଏ କ’ଣ ସ୍ୱପ୍ନ ନା ସତ୍ୟ ! କୁମାରୀ ତନେଜାଙ୍କର ହଠାତ୍ ଏ ପରିବର୍ତ୍ତନ ହେଲା କିପରି ?

 

ଭାବୁଥିଲେ ଇଞ୍ଜିନିୟର ପାଟ୍ରିକ । ତାହେଲେ କ’ଣ ଏଇ ଛୁଆଟି କୁମାରୀ ତନେଜାଙ୍କ ପାଇଁ ଏକ ଔଷଧ । ପେଟେଣ୍ଟ ମେଡ଼ିସିନ । ମ୍ୟାଜିକ କିଓର୍ ।

 

ବହୁ ସ୍ୱାକ୍ଷର ସମ୍ୱଳିତ ଚରମପତ୍ର ଦିଆଯାଇଛି ସରକାରଙ୍କୁ । କିତାଏ ଯାଇଛି ଜିଲ୍ଲାପାଳଙ୍କ ପାଖକୁ । ଆଉ କିତାଏ ହିନ୍ଦୁସ୍ଥାନ ଷ୍ଟିଲ କମ୍ପାନୀର ଜେନେରାଲ ମ୍ୟାନେଜରଙ୍କ ପାଖକୁବି ଦିଆଯାଇଛି । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମୀମାଂସା ନ ହେଲେ ବାସଚ୍ୟୂତ ଗୋଷ୍ଠୀ ଆରମ୍ଭ କରିବେ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ।

 

ନିର୍ଦ୍ଧାରିତ ସମୟର ଠିକ ପୂର୍ବଦିନ ନୂତନ ସହରାଞ୍ଚଳର ଶାସକଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଆଞ୍ଜଲୁସ୍, ଜେଭିଅର, ଜେସମିନ, ଆଉ ମାର୍ଗାରେଟ ।

 

‘‘ଆମର ନିବେଦନର କ’ଣ ବିଚାର ହେବ ନାହିଁ ହଜୁର ।’’ ପଚାରିଲା ଆଞ୍ଚଲୁସ୍ । ଗମ୍ଭୀର ଭାବରେ ଥରେ ଚାହିଁଲେ ଶାସକ ମହାଶୟ ଏଇ ଚାରିଜଣଙ୍କୁ ।

 

‘‘କି ନିବେଦନ, ତୁମ୍ଭମାନଙ୍କର ?’’

 

‘‘କମ୍ପାନୀଦ୍ୱାରା ଅବ୍ୟବହୃତ ମୋର ଜମି ହସ୍ତାନ୍ତରିତ ହୋଇଛି ବମ୍ୱେର ଜଣେ ବ୍ୟବସାୟୀଙ୍କୁ ।’’

 

‘‘ତା’ମାନେ କମ୍ପାନୀ ବ୍ୟବହାର କଲେ ତମର ଜମି ।’’

 

‘‘ନା ହଜୁର, ବମ୍ୱେର ବ୍ୟବସାୟୀ ସେଇଠି କରିବେ ଘରୋଇ ବ୍ୟବସାୟ ।’’

 

‘‘ତୁମେ କ’ଣ କରିବାକୁ ଚାହଁ ।’’

 

‘‘ମୁଁ ଚାହେଁ, ଆଖପାଖ ଅଞ୍ଚଳର ଚାଷୀମାନଙ୍କୁ ସାହାଯ୍ୟ କରିବାକୁ ଏକ ଆଧୁନିକ କୃଷି ଉପକରଣର ଦୋକାନ ।’’

 

‘‘ହଁ, ଏମାନେ କୁଆଡ଼େ ଆସିଛନ୍ତି ?’’

 

‘‘ଏ ମୋର ଭଉଣୀ ମାର୍ଗାରେଟ । ତା’ର ସ୍ୱାମୀ ଜେକବ୍‌ର ଜମିରେ ତିଆରି ଚାଲିଛି ଏକ ରେଷ୍ଟୁରାଣ୍ଟ । ଆଉ ଏ ମୋର ଶଳା ଜେଭିଅର ଓ ତା’ର ସ୍ତ୍ରୀ ଜେସମିନ । ଏମାନଙ୍କର ଜମି ପଟ୍ଟା ଦିଆଯାଇଛି ଜଣେ ପଞ୍ଜାବୀ ଠିକାଦାରଙ୍କୁ । ଏମାନେ ସମସ୍ତେ ଚାହାନ୍ତି ବ୍ୟବସାୟ କରିବାକୁ-। ଜେକବ ଜଣେ ତାଲିମପ୍ରାପ୍ତ ଉଏଲଡ଼ର ଓ ମେକାନିକ । ସେ ସ୍କୁଟର, ମୋଟର ସାଇକେଲ ଓ ମୋଟର ମରାମତି କରିବ ଓ ବିଭିନ୍ନ ପାର୍ଟ ରଖିବା ମାର୍ଗାରେଟ ରଖିବ ସିଲେଇ ଓ ବୁଣାକଳ ।’’

 

‘‘ତୁମ୍ଭେମାନେ ଆଗରୁ କାହିଁକି ନିବେଦନ କରି ନଥିଲ ?’’

 

‘‘କାରଣ ଆମେ ଜାଣି ନଥିଲୁ ଯେ କର୍ତ୍ତୃପକ୍ଷ ଆମର ଅବ୍ୟବହୃତ ଜମିକୁ ନେଇ କିଳାପୋତେଇ କରିବେ ବୋଲି ।’’

 

‘‘ଏ, ମୁହଁ ସମ୍ଭାଳି କଥା କହ ।’’

 

‘‘ଯେ କଲମ ସମ୍ଭାଳି ଆଦେଶ ଦେଇ ନ ପାରେ, ତା’ର ଏପରି ଅଭଦ୍ର ରୁକ୍ଷ ଆଦେଶ ଦେବାର ଅଧିକାର ନାହିଁ ହଜର ।’’ କହିଲା ଜେଭିଅର ।

 

‘‘ତୁମକୁ ଚାକିରୀରୁ ବରଖାସ୍ତ କରାଯିବ ।’’

 

‘‘ସେ ଅନୁଗ୍ରହଟା ପରେ ଦେଖେଇବେ ହଜୁର । ବର୍ତ୍ତମାନ ତ ଅନ୍ୟ ବିଷୟ ପାଇଁ ଆସିଛୁ ଆମେ ।’’

 

‘‘ମୁଁ ଯଦି କହେ, ତୁମର ନିବେଦନପତ୍ର ପାଇନି ବୋଲି’’

 

‘‘ଆପଣ ଏତେ ନୀଚସ୍ତରକୁ ଯିବେ ବୋଲି ବିଶ୍ୱାସ କରୁନୁ ଆମେ । ତେବେ, ଆପଣଙ୍କର ପ୍ରାପ୍ତି ସ୍ୱୀକାର ମହଜୁଦ୍ ରହିଛି ଆମ ପାଖରେ ।’’

 

ହଠାତ୍ ନରମ ପଡ଼ିଗଲେ ନଗର-ଶାସକ । ନୀରବତା ପରେ କହିଲେ, ‘‘ମୁଁ ଜାଣେ, ତୁମ୍ଭେମାନେ କେହି ବ୍ୟବସାୟ କରିବ ନାହିଁ । ଏତେ ପୁଞ୍ଜି ନାହିଁ ତମର–

 

‘‘ଓ ସେଥିପାଇଁ ବମ୍ୱେ, କଲିକତା ଆଉ ଦିଲ୍ଲୀର ବ୍ୟବସାୟୀଙ୍କ ପାଖରେ ଆରମ୍ଭ କରିଦେଲେ କିଳାପୋତେଇ । ଜଣେ ଉଚ୍ଚପଦସ୍ଥ ଶାସକ, ଆମର ଦରିଦ୍ରତାର ସୁଯୋଗ ନେଲେ । ଆଶ୍ଚର୍ଯ୍ୟ ।’’

 

ଖୁବ୍ ଉତ୍ତେଜିତ ହୋଇ ପଡ଼ିଥିଲେ ଶାସକ । କିନ୍ତୁ ହଠାତ୍ ସଂଯତ କରି ନେଲେ ନିଜକୁ-।’’ ତା’ପରେ ସେମାନେ ଶେଷ କରିଲେଣି ନିର୍ମାଣ କାର୍ଯ୍ୟ । ବର୍ତ୍ତମାନ ତ ଆଇନତଃ କିଛି କରିହେବ ନାହିଁ ।’’

 

‘‘ତାହେଲେ ବେଆଇନ ପନ୍ଥା ଗ୍ରହଣ କରିବାକୁ ଆପଣ ଆମ୍ଭମାନଙ୍କୁ ପରାମର୍ଶ ଦେଉଛନ୍ତି ? ଆଇନକୁ ଆପଣ ଆଖିମିଟିକା ମାରୁଛନ୍ତି । ଜମି ହସ୍ତାନ୍ତରିତ ହେବା ପୂର୍ବରୁ ସର୍ବସାଧାରଣରେ ବିଜ୍ଞପ୍ତି ଦେବାର ଉଚିତ ଥିଲା । ଆପଣ କିନ୍ତୁ ହସ୍ତାନ୍ତର କରିଛନ୍ତି ଗୋପନରେ । ସେମାନେ ରାତାରାତି ଆରମ୍ଭ କରିଛନ୍ତି ନିର୍ମାଣ କାର୍ଯ୍ୟ । ଆପଣଙ୍କୁ ସରକାର ପଠାଇଛନ୍ତି ମାଟିର ସନ୍ତାନର ରକ୍ଷକ ଭାବରେ । ଆପଣ କିନ୍ତୁ ସାଜିଛନ୍ତି ଭକ୍ଷକ । ଆପଣ ନିଜେ ଲଂଘନ କରିଛନ୍ତି ଆଇନ୍ । ତେଣୁ ଆମେବି ଆଇନ୍‌ଭଙ୍ଗ କରିବୁ । ଆମର ଗତିରୋଧ କରିବାର ଅଧିକାର ନାହିଁ ଆପଣଙ୍କର । ଆମେ ଆପଣଙ୍କ ପାଖରୁ କୌଣସି ସୁବିଚାର ଆଶାରେ ଆସି ନଥିଲୁ, ଆସିଥିଲୁ ଏଇକଥା ଶୁଣେଇ ଦେବା ପାଇଁ ।’’

 

‘‘ମାନେ ?’’

 

‘‘ଆପଣ ଆମର ଦରିଦ୍ରତା ଓ ସରଳତାର ସୁଯୋଗ ନେଇ, ଯେଉଁ ବେଆଇନ କରୁଛନ୍ତି, କେବଳ ଅନ୍ୟାୟଭାବରେ ବ୍ୟକ୍ତିଗତ ସ୍ୱାର୍ଥହାସଲ କରିବା ପାଇଁ, ତାକୁ ଆଉ ବରଦାସ୍ତ କରିବୁ ନାହିଁ ଆମେ । ବହୁପୂର୍ବରୁ ଆମେ ସରକାରଙ୍କୁ ଦେଇଛୁ ଚରମପତ୍ର । ଆଜି ତା’ର ଶେଷ ଦିନ । ଏପର୍ଯ୍ୟନ୍ତ କୌଣସି ଉତ୍ତର ପାଇନୁ ଆମେ । ଏ ପ୍ରକାର ଅଯୌକ୍ତିକ ଓ ଅଶୋଭନୀୟ ଉପେକ୍ଷାର ଉତ୍ତର ଦେବୁ ଆମେ । କାଲିଠୁ ଆମେ ଆରମ୍ଭ କରିବୁ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ । ସାମ୍ୱିଧାନିକ ପନ୍ଥାରେ କିଛି ହୁଏନା ହଜୁର । ନ୍ୟସ୍ତସ୍ୱାର୍ଥ ଚତୁର ଗୋଷ୍ଠୀର ସମ୍ୱିଧାନ ଆମପାଇଁ ନୁହେଁ । ସେ ସମ୍ୱିଧାନ ଆବହମାନ କାଳରୁ ସୁବିଧାରେ ଥିବା ବ୍ୟକ୍ତିର ସୁବିଧାସୁଯୋଗର ରକ୍ଷକ । ସେହି ଗୋଷ୍ଠୀର ବ୍ୟକ୍ତିସ୍ୱାତନ୍ତ୍ର୍ୟ ରକ୍ଷାକରେ ସେ ସମ୍ୱିଧାନ । ଗଣତନ୍ତ୍ରର ବ୍ୟକ୍ତି ସ୍ୱାଧୀନତା ନାମରେ ସେ ସମ୍ୱିଧାନ ଯୁଗ ଯୁଗ ଧରି ଶୋଷଣ-ପୁଷ୍ଟ ପୁଞ୍ଜିପତି ଓ ସାମନ୍ତମାନଙ୍କର ସ୍ୱତନ୍ତ୍ରତା ରକ୍ଷାକରେ-। ଆଉ ଆପଣଙ୍କର ସମାଜବାଦ ସେ ଏକ ପ୍ରହସନ । ସମାଜବାଦ ନାଁରେ ଚାଲିଛି ଏ ମାଟିରେ ସରକାରୀ ପୁଞ୍ଜିବାଦ ଆଇନ୍, ନ୍ୟାୟ ବିଚାର ଆଉ ଆପଣମାନଙ୍କର ସମ୍ୱିଧାନ, ଅବହେଳିତ ଶୋଷିତଙ୍କ ପାଇଁ ନୁହେଁ ।’’

 

‘‘ମୁଁ ବର୍ତ୍ତମାନ ଆରେଷ୍ଟ କରିବି ତୁମ୍ଭମାନଙ୍କୁ ।’’

 

ହସିଲେ ସେମାନେ । ଗୋଟାଏ ତାଚ୍ଛଲ୍ୟପୂର୍ଣ୍ଣ ହସ । ‘‘ଆମକୁ ଆରେଷ୍ଟ କଲେବି ସିଦ୍ଧାନ୍ତର କୌଣସି ପରିବର୍ତ୍ତନ ହେବ ନାହିଁ ଆମର । କାଲିଠୁ ବାସଚ୍ୟୂତ ଗୋଷ୍ଠୀ ନିଶ୍ଚୟ ଦଖଲ ନେବେ ଅବ୍ୟବହୃତ ଜମି । ବୃଥାରେ ଆପଣ ନିଜକୁ ବିପନ୍ନ କରିବେ କାହିଁକି ?’’

 

‘‘ବିପନ୍ନ ହେବି ମୁଁ ?’’

 

‘‘ନିଶ୍ଚୟ, ଆଇନଭଙ୍ଗ କରିବାର ସାମାନ୍ୟ ଧମକ ଦେଲେ ଯଦି ଆପଣ ଆମକୁ ଆରେଷ୍ଟ କରିପାରନ୍ତି, ଆପଣ ନିଜେ ଆଇନଭଙ୍ଗ କରି ବିପନ୍ନ ନହେବେ କାହିଁକି ? ସରକାର କିଛି କରିବେ ନାହିଁ ଆପଣଙ୍କୁ । ଆଇନ୍ ଓ ଶୃଙ୍ଖଳା ନାଁରେ ସରକାର ବରଂ ରକ୍ଷା କରିବେ ଆପଣଙ୍କୁ । ବୁଭୁକ୍ଷୁ ଦଳିତ ଓ ଶୋଷିତର ଜୀବନ ବିନିମୟରେ । ଆପଣଙ୍କୁ ଶାସ୍ତିଦେବ ଜନତାର ଦରବାର । ଆପଣଙ୍କୁ ବିପନ୍ନ କରିବ ବୁଭୁକ୍ଷୁର ଉନ୍ମତ୍ତ ପଟୁଆର ।

 

କ୍ରିଂ...କ୍ରିଂ...କ୍ରିଂ... ଉଠାଇଲେ ନଗରପାଳ ଫୋନର ରିସିଭରଟା । ‘‘ହଁ’ ଏପଟୁ କହୁଛନ୍ତି ଖୋଦ ନଗରପାଳ’’ ଫୋନ କରୁଥିଲେ ସରକାରଙ୍କର ଚିଫ୍ ସେକ୍ରେଟେରୀ । ‘‘ସରକାର ବାସଚ୍ୟୂତ ଆଦିବାସୀମାନଙ୍କର ଦାବୀ ସହାନୁଭୂତିର ସହିତ ବିଚାର କରିବାକୁ ଚାହାନ୍ତି । ଓଡ଼ିଶାସରକାର ବାସଚ୍ୟୂତ ଆଦିବାସୀମାନଙ୍କର ଦାବୀକୁ ଯଥାର୍ଥ ଓ ବୈଧାନିକ ବୋଲି ଗ୍ରହଣ କରିଛନ୍ତି ।’’

 

‘‘ସାର ।’’ ମଉଳି ଯାଉଥିଲା ହିନ୍ଦୁସ୍ଥାନ ଷ୍ଟିଲ୍‌ର ସହରାଞ୍ଚଳର ଶାସକକଙ୍କର ମୁହଁ ।

 

‘‘ଅତିଶୀଘ୍ର ଏଥିପାଇଁ ଏକ କମିଟି ଅନୁସନ୍ଧାନ ଆରମ୍ଭ କରିବେ । କମିଟିର ବିବରଣୀ ଓ ସୁପାରିସ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ସ୍ଥାନୀୟ ବ୍ୟକ୍ତି ଆଞ୍ଜଲୁସ୍ ଟ୍‌ପୋପ୍‌ ଓ ଜେକବ୍ ମିଞ୍ଜ ଏହି କମିଟିର ଦୁଇଜଣ ସଭ୍ୟଭାବରେ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି । ସେମାନଙ୍କୁ ଡକାଇ ସରକାରଙ୍କର ଏ ସିଦ୍ଧାନ୍ତ ଜଣାଇ ଦିଅନ୍ତୁ । ନ ହେଲେ ପରିଣାମ ପାଇଁ ଆପଣ ଦାୟୀ ରହିବେ ।’’ ‘‘ସାର ।’’ ନଗରପାଳଙ୍କର ମୁହଁକୁ ଦେଖିଲେ ଜଣାପଡ଼ୁଥିଲା ସତେ ଯେମିତି ସେ ଯୁଦ୍ଧରେ ହରାଇଛନ୍ତି ତାଙ୍କର ପ୍ରଧାନ ସେନାପତି ସହ ଏକମାତ୍ର ସୁଦୃଢ଼ ଦୁର୍ଗ ।

 

ଶନିବାରର ଏକ ବର୍ଷାମୁଖର ସନ୍ଧ୍ୟା । ଶିଳ୍ପନଗରୀରେ ବମ୍ୱେର ବ୍ୟବସାୟୀ ଶ୍ରୀଯୁକ୍ତ କାରାକ୍‌କାଙ୍କର ନୂତନ ବାସଭବନରେ ବସିଛି ଏକ ଗୁପ୍ତବୈଠକ । ବସିଛନ୍ତି ବ୍ୟବସାୟୀ କାର୍‌କା, ସର୍ଦ୍ଦାରଜୀ ଏବଂ ନୂତନ ରେଷ୍ଟୁରାଣ୍ଟ ନିର୍ମାତା ବାଜପେୟୀ ।

 

‘‘ଏଇ ଚାରିଟା ଆଦିବାସୀ ବଳିଯିବେ ଆମକୁ ?’’

 

‘‘ଚାରିଜଣ ନୁହନ୍ତି, ଏମାନଙ୍କ ପଛରେ ଅଛନ୍ତି ଶହଶହ ବାସଚ୍ୟୂତ । ପୁଣି ରହିଛି ଓଡ଼ିଶା ସରକାରଙ୍କର ସମର୍ଥନ ।’’ କହିଲେ ସର୍ଦ୍ଦାରଜୀ ।

 

ଆରେ ଧେତ ଓଡ଼ିଶାସରକାରଙ୍କର ସମର୍ଥନ । ପୁଞ୍ଜି ଖଟେଇଲେ ଏମିତି ଗୋଟିଏ ଗୋଟିଏ ସରକାରବି କିଣାଯାଇ ପାରିବ । ମନ୍ତବ୍ୟ ଦେବେ ଶ୍ରୀଯୁକ୍ତ କାର୍‌କା ।

 

‘‘ସମୟ କିନ୍ତୁ ବଦଳୁଛି ଖୁବ୍ ଦ୍ରୁତଗତିରେ । ଦେଶର ଚାରିଆଡ଼େ ଅଭାବ ଅନାଟନ ଓ ଅସନ୍ତୁଷ୍ଟିର ନିଆଁ ଜଳୁଛି । ଭୋଖିଲାର ଦଳ ଚାରିଆଡ଼େ ଉତ୍‌କ୍ଷିପ୍ତ । ସବୁ ଆଡ଼କୁ ଲକ୍ଷ୍ୟ କରି ଆଗେଇବାକୁ ହେବ ଆମକୁ । କହିଲେ’’ ଶ୍ରୀଯୁକ୍ତ ବାଜପେୟୀ । ‘‘ବର୍ତ୍ତମାନର ଯେଉଁ ଅବସ୍ଥା, ଗୋଟିଏ ଲୋକର ଅସ୍ୱାଭାବିକ ମୃତ୍ୟୁରେ ଦେଶସାରା ହୋଇଯିବ ଆନ୍ଦୋଳନ ।’’

 

‘‘ତା’ ଅବଶ୍ୟ ଠିକ୍ । ତେବେ କ’ଣ ଏମାନଙ୍କ ଭୟରେ ବ୍ୟବସାୟ କରିବା ନାହିଁ ଆମେ-। ଛାଡ଼ି ଚାଲିଯିବା ସବୁ ? ପଚାରିଲେ ଶ୍ରୀଯୁକ୍ତ କାର୍‌କା ।’’

 

‘‘ସବୁକିଛି ଛାଡ଼ି ଚାଲିଯିବାର ପ୍ରଶ୍ନ ନାହିଁ କାରାକ୍‌କାଜୀ, ତେବେ ବିଶେଷ ସତର୍କତାର ସହିତ ଆଗେଇବାକୁ ପଡ଼ିବ ।’’ କହିଲେ ବାଜପେୟୀ ।

 

‘‘ତେବେ କ’ଣ ଏଇ ଚାରିଟାକୁ ଆମେ ଏ ଦୁନିଆରୁ ମୂଳପୋଛ କରିପାରିବା ନାହିଁ ?’’ କହିଲେ ସର୍ଦ୍ଦାରଜୀ ।

 

‘‘ହଁ, ହଁ, ଅତି ଅକ୍ଳେଶରେ କରାଯାଇପାରିବ, କିନ୍ତୁ କିପରି ? ଆଉ କେଉଁଠାରେ ? ବିଶେଷ କୌଶଳ ଓ ସତର୍କତା ଦରକାର । ଯେପରି କୌଣସିପ୍ରକାର ଅନୁସନ୍ଧାନର ପ୍ରଶ୍ନ ନ ଉଠେ-।’’ କହିଲେ ଶ୍ରୀଯୁକ୍ତ ବାଜପେୟୀ ।

 

‘‘ଏଥିପାଇଁ ପୁଲିସକୁ ହାତରେ ରଖିବାକୁ ପଡ଼ିବ । ଖାଲି ସେତିକି ନୁହେଁ, ସ୍ଥାନୀୟ ଶାସକମାନଙ୍କୁବି ହାତମୁଠାରେ ନ ରଖିଲେ ହୁଏତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ନା, କ’ଣ କହୁଛନ୍ତି ସର୍ଦ୍ଦାରଜୀ ।’’ ପଚାରିଲେ ଶ୍ରୀଯୁକ୍ତ କାରାକ୍‌କା ।

 

‘‘ଆପଣ ସେ ଦାୟିତ୍ୱ ନିଅନ୍ତି; ଅସଲ କାମର ଦାୟିତ୍ୱ ନେଉଛୁ ଆମେ ।’’ କହିଲେ ସର୍ଦ୍ଦାରଜୀ ।

 

କିନ୍ତୁ ସ୍ଥାନୀୟ ଗୁଣ୍ଡାମାନଙ୍କ ଦ୍ୱାରା ହୋଇପାରିବ ନାହିଁ ଏ କାମ । ଖାଲି ଗୁଣ୍ଡାମିରେ ଚଳିବ ନାହିଁତ । ବିଶେଷ ଚତୁରତାର ସହିତ ଗୋଟାଏ କିଛି ପରିସ୍ଥିତି ସୃଷ୍ଟିକରି କାମ ଫତେ କରିବାକୁ ହେବ ।’’

 

‘‘ମୁଁ କାଲି ଯିବି କଲିକତା । ସବୁପ୍ରକାର ବ୍ୟବସ୍ଥା କରି ଆସିଲାପରେ ପୁଣିଥରେ ବସିବା ଆମେ ତିନିଦିନ ପରେ । ନା କ’ଣ କହୁଛନ୍ତି ଆପଣମାନେ ?’’

 

‘ଶୁଭସ୍ୟ ଶୀଘ୍ରଂ’–କହିଲେ ଶ୍ରୀଯୁକ୍ତ ବାଜପେୟୀ । ସପ୍ତାହକ ଭିତରେ ରଫା କରିବାକୁ ହେବ । କାରଣ କମିଟି ଅନୁସନ୍ଧାନ ଆରମ୍ଭ କଲାପରେ ଆଉ କିଛି କରିହେବ ନାହିଁ । ଯେ କେହି ଆମ୍ଭମାନଙ୍କୁ ହଠାତ୍ ସନ୍ଦେହ କରିବେ ।’’ କାରାକ୍‌କାଙ୍କର ଏହି ମନ୍ତବ୍ୟ ସମର୍ଥକ କଲେ ବାଜପେୟୀ ଏବଂ ସର୍ଦ୍ଦାରଜୀ । ବାହାରେ ମୂଷଳଧାରାରେ ବୃଷ୍ଟି ।

 

ଜଣେ ଜର୍ମାନ ବିଶେଷଜ୍ଞ ଦେଶକୁ ଫେରିଯିବା ପରେ ମାରିଅମ କାମ କରୁଥିଲା ବ୍ୟବସାୟୀ କାରାକ୍‌କାଙ୍କ ପାଖରେ । କାରାକ୍‌କା ରହୁଥିଲେ ଏକୁଟିଆ । ପିଲାପିଲି ଆସିବେ ପନ୍ଦର କୋଡ଼ିଏଦିନ ପରେ । ସେତେବେଳକୁ ଘର ତିଆରି ପୂରାପୂରି ଶେଷ ହୋଇଯାଇଥିବ । ରୋଷେଇ ବାସ ସବୁକାମ କରେ ମାରିଅମ । ରାତିବେଳା କାରାକ୍‌କା ଖାଏ ଟୋଷ୍ଟ ସିଦ୍ଧ ଅଣ୍ଡା ନ ହେଲେ କିଛି କଳିଜା, ଫଳ ଆଉ ଗରମ ଦୁଧ । ଏତକ ସଜାଡ଼ି ଦେଇ ସାତ ସାଢ଼େସାତବେଳକୁ ଫେରିଆସେ ମାରିଅମ । ତେବେ ସେଦିନ ବରାଦଥିଲା ଅନ୍ୟ ପ୍ରକାର । ମାଂସ, ମୋଗଲାଇ ପରେଠା ।

 

ତିନି ଚାରି ଜଣକୁ ହେବାଭଳି । ସବୁ ତିଆରି କରି ଠିକ ସମୟରେ ବାହାରିଥିଲା ମାରିଅମ । ଅଟକିଗଲା ବର୍ଷାଯୋଗୁଁ । ସେ ଟିକିଏ ଟେର ପାଇଗଲା ଏମାନଙ୍କର କଥାବାର୍ତ୍ତାର ।

 

ରବିବାର ସକାଳ । ଗିର୍ଜାକୁ ଆସିଥିଲା ମାର୍ଗାରେଟ । ସେ ନିଜେ ଆଣିଛି ଗାଡ଼ି । ଆଉ କେହି ଆସିନାହାନ୍ତି । ଜେସମିନ, ଜେଭିଅର, ଆଞ୍ଜଲୁସ୍ ଆସିବେ ନଅଟାବେଳକୁ ।

 

ମାରିଅମ କହିଲା ସବୁକଥା ମାର୍ଗାରେଟକୁ । ଧୀର ଗମ୍ଭୀର ହୋଇ ଛିଡ଼ା ହେଲା ମାର୍ଗାରେଟ । ଶୂନ୍ୟରେ କ୍ରୁଶ ଅଙ୍କନ କରି ପ୍ରଦିତି ଦେଲା ସେ ପ୍ରଭୁ ପରମେଶ୍ୱରଙ୍କୁ ଓ ମାତା ମେରୀଙ୍କୁ । ସଙ୍ଗେ ସଙ୍ଗେ ଗଲା ସେ ଫାଦାରଙ୍କ ପାଖକୁ । ‘‘ଫାଦାର ପ୍ରାର୍ଥନା ସଭାରେ ପାଞ୍ଚ ମିନିଟ କହିବାକୁ ସମୟ ଦିଅନ୍ତୁ ମୋତେ ।’’

 

ମାର୍ଗାରେଟ୍ କହିଲା ତା’ର ପ୍ରିୟ ସାଦରୀ ଭାଷାରେ । ସେ ଜଣାଇ ଦେଲା ବାହାରିଆ ବ୍ୟବସାୟୀମାନଙ୍କର ଚକ୍ରାନ୍ତ ପଚାଶ ଷାଠିଏଜଣ ବୀର ଜବାନଙ୍କର ସାହାଯ୍ୟଭିକ୍ଷା କଲା ସେ । ଉଚ୍ଛ୍ୱସିତ ସମର୍ଥନ ଲାଭ କଲା ସେ । ଜୋହାନ୍‌ସ ପର୍‌ଚାର ଝିଅ ଆଉ ଆଞ୍ଜଲୁସ୍‌ର ଭଉଣୀ ସେ । ଜେକବ୍‌ର ଅପୂର୍ଣ୍ଣ ଲକ୍ଷ୍ୟ ହୁଏତ ଚରିତାର୍ଥ ହେବ ମାର୍ଗାରେଟ୍‌ର ନେତୃତ୍ୱରେ ।

 

ପଚାଶଜଣ ଆଦିବାସୀ ଯୁବକ । କେତେ ଚାକିରୀ କରୁଥିଲେ ଷ୍ଟିଲ ପ୍ଲାଣ୍ଟରେ । ଆଉ କେତେକ ତାଲିମ ପାଉଛନ୍ତି ଜୁନିଅର ଆପ୍ରେଣ୍ଟିସ ଭାବରେ । ଅଧିକାଂଶ ବେକାର । ସ୍ଥାନୀୟ ଟେକ୍‌ନିକାଲ ସ୍କୁଲରୁ ପାଶ୍ କରି ବସିଛନ୍ତି ଘରେ । ଚାକିରୀ କାହିଁ ? ଆଉ କେତେଜଣ ତିନି ଚାରିଥର ପରୀକ୍ଷା ଦେବାପରେବି ସଫଳତା ଲାଭ ନ କରି ରହିଛନ୍ତି ରାଉରକେଲାରେ ଧନ୍ଦା ଅନ୍ୱେଷଣରେ । କୌଣସି ପ୍ରକାର ଉପାର୍ଜନ ନ କରି କେବଳ ଯେ ଅନ୍ନ ଧ୍ୱଂସ କରୁଛନ୍ତି ତା’ ନୁହେଁ-। ସେମିତି ବସି ରହିବା ଜାତି ଏ ନୁହେଁ ! ଧନ୍ଦା ଯୋଗେଇ ଦେବା ପାଇଁ ଧାରଣା, ସତ୍ୟାଗ୍ରହ, ଅନଶନ କରିବା ଭଳି ରାଜନୈତିକ ଚେତନା ଏପର୍ଯନ୍ତ ଆସି ନାହିଁ ଏମାନଙ୍କ ଭିତରେ-। ଧନ୍ଦା ପାଇଁ ସରକାରଙ୍କ ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି କରି ଜାତୀୟସମସ୍ୟା ସୃଷ୍ଟି କରିବା ଭଳି ଦୁରନ୍ତ ଆୟୋଜନ ନାହିଁ ଏମାନଙ୍କର । ଯେ କୌଣସି ପ୍ରକାର କାମ କରି ଅନ୍ତତଃ ଦିନକର ଖୋରାକଟା ଉପାର୍ଜନ କରୁଛନ୍ତି । ଫଳମୂଳରେବି ଚଳିଯାଏ ଦିନ । ଭାତମାଂସ ହେଲେବି ଚଳେ । ସମଭାବ । କାମକୁ ଘୃଣା ନାହିଁ ଏମାନଙ୍କର । ଦାୟିକ ପରିଶ୍ରମରେ ନାହିଁ ଆତ୍ମଗ୍ଳାନି । ବଡ଼କାମ କରିବାବାଲାର ନାହିଁ ଅପର ପ୍ରତି ଅନାଦର । କାମ ତ କାମ । ବଞ୍ଚି ରହିବାର ଉପାୟ । ସେଥିରେ ବଡ଼ ସାନ ଗୋଟାଏ କ’ଣ ? ଶିକ୍ଷିତର ନାହିଁ ଆତ୍ମଶ୍ଳାଘା । ମାର୍ଗାରେଟର ଅନୁରୋଧ ରକ୍ଷା କରିଛନ୍ତି । ଆରମ୍ଭ ହୋଇଛି ଆଲୋଚନା । ଆଞ୍ଜଲୁସ୍, ଜେଭିଅର, ଜେସ୍‌ମିନ, ମାର୍ଗାରେଟ ଆଉ ଯୁବମଣ୍ଡଳୀ । ଆଞ୍ଜଲୁସ୍ ପ୍ରାଞ୍ଜଳ ଭାବରେ କହିଛି ସବୁକଥା । ସେ କହିଛି କାରାକ୍‌କା, ସର୍ଦ୍ଦାରଜୀ ଓ ବାଜପେୟୀର ଚକ୍ରାନ୍ତ ।

 

ତାତି ଉଠିଛି ଯୁବମଣ୍ଡଳୀ । ଚାଲ, ବର୍ତ୍ତମାନ ଚାଲ । ସେମାନେ କିଛି କରିବା ପୂର୍ବରୁ ମୂଳପୋଛ କରିଦେବା ସେମାନଙ୍କୁ । ରାତି ଭିତରେ ସବୁ ଶେଷ । ନିର୍ମମ ହତ୍ୟା । ଟିକି ଟିକି କରି କାଟି ଫୋପାଡ଼ି ଦେବା କୋଇଲିର ଚଳନ୍ତା ସୁଅରେ । ତେଜି ଉଠିଛି ଆଦିମ ସ୍ୱଭାବ...ଯୁଦ୍ଧ... ହତ୍ୟା ।

 

ଆଞ୍ଜଲୁସ ନୀରବ । ମୁଖମଣ୍ଡଳରେ ଗାମ୍ଭୀର୍ଯ୍ୟ ସୁସ୍ପଷ୍ଟ । ସେମାନେ ତେବେ ଆଗେଇଲେ କ’ଣ ? ଏଇତ ଆଦିମ ସ୍ୱଭାବ । ଫେରିଗଲା ତା’ର ମନ ଦୂର ଅତୀତକୁ, ଯେତେବେଳେ ତା’ର ଜାତି ଥିଲା ପ୍ରକୃତିର ଶାନ୍ତକୋଳରେ । ଯେତେବେଳେ ତା’ର ସଂପର୍କ ନଥିଲା ବାହାର ଦୁନିଆ ସହିତ । ....କେହି ଆଘାତ କଲେ ଦଳବଦ୍ଧ ହୋଇ ଦେଉଥିଲା ପ୍ରତିଆଘାତ-। କେହି ସ୍ୱାର୍ଥରେ ଆଘାତ କଲେ ଆକ୍ରମଣ କରି, କରିଦେଉଥିଲା ନିଶ୍ଚିହ୍ନ । ଆଗନ୍ତୁକ, ଅତିଥି ଥିଲା ଦେବତା । ସବୁ କିଛିର ବିନିମୟରେ କରୁଥିଲା ତା’ର ଯତ୍ନ-ସେବା-ପରିତୃପ୍ତି । ଏଇ ଆତିଥେୟତା ଥିଲା ଏ ଜାତିର ମୌଳିକ ବିଶେଷତ୍ୱ । କିନ୍ତୁ ସବୁ କିଛିର ପରିସମାପ୍ତି ହୁଏ ଯଦି ଅତିଥି ଆରମ୍ଭ କରନ୍ତି ଉପହାସ । ସେବା, ଯତ୍ନ ଓ ସ୍ୱଚ୍ଛନ୍ଦ ମେଳାପର ସୁଯୋଗ ନେଇ ଯଦି ଆଗନ୍ତୁକ ପୋଷଣ କରନ୍ତି ବ୍ୟଭିଚାର ଭାବ, ତେବେ ସବୁ ଶେଷ । ଆଉ ଫେରିବାକୁ ମିଳେନା ସୁଯୋଗ । ତୀକ୍ଷ୍‍ଣଶର ଓ ଫାର୍‌ସାର ସ୍ପର୍ଶରେ ନିଭିଯାଏ ଜୀବନଦୀପ ଅନନ୍ତ ସବୁଜିମା ଭିତରେ । ଆଜି କୌପିନ ନାହିଁ–ନାହିଁ ଅଧା ଫୁଙ୍ଗୁଳା ଦେହ । ସମବେତ ସମସ୍ତଙ୍କର ଦେହରେ ଆଧୁନିକ ପୋଷାକ । ଆଦିମ ଦେହରେ ଆଧୁନିକ ପୋଷାକ–ଶିଳ୍ପନଗରୀରେ ସଭ୍ୟତାର ମାପକାଠି । ସମବେତ ସମସ୍ତଙ୍କର ଶିକ୍ଷାଦୀକ୍ଷା ଅଛି । ପାଦ ଦେଇଛନ୍ତି ସଭ୍ୟତାର ପ୍ରଶସ୍ତ ଜାତୀୟ ପଥରେ । ନାହିଁ ସେହି ଦୂର ଅତୀତର ଉନ୍ମୁକ୍ତ ଛନ୍ଦହୀନ ଜୀବନ । ଧର୍ମୋପଦେଶ ଓ ଏକ ଉନ୍ନତ ଜୀବନ-ଦର୍ଶନ, ଆଦିମ ମନ ଭିତରେ ଜାଗ୍ରତ୍ କରିଛି ବିବେକ ପୁରୁଷକୁ । ତଥାପିବି ଛପି ରହିଛି ସେହି ଯୁଦ୍ଧ ପ୍ରବୃତ୍ତି-ରହିଛି ହତ୍ୟାର ଲାଳସା–ରହିଯାଇଛି । ଦରକାର ପଡ଼ିଲେ ରକ୍ତର ଖେଳ ଖେଳିବାର ଅଜବ ନିଶା । ....ଯେ ଟଙ୍କାଟିଏ ଚୋରିକଲା, ତା’ପାଇଁ ଆଉ ଗୋଟିଏ ଥୋଇଦିଅ । ଯେ ଗୋଟିଏ ଗାଲରେ ଆଘାତ କଲା, ତାକୁ ଦେଖାଇଦିଅ ଆର ଗାଲ । କାହିଁ ? ଏ ଭାବ ତ କାହାରି ମନରେ ଉଙ୍କି ମାରିଲା ନାହିଁ । ହୁଃ, ଯେଉଁମାଟିରେ ପ୍ରଭୁ ଶୁଣାଇଥିଲେ ଏଇ ବାଣୀ; ସେଇ ମାଟି ତ ହିଂସାର ରକ୍ତରେ ଆର୍ଦ୍ର ହୋଇଛି ବାରମ୍ୱାର । ସେଇ ମାଟିରେତ ଯୁଦ୍ଧ ଆଉ ନିର୍ମମ ହତ୍ୟାର ନଗ୍ନଲୀଳା । ଯେଉଁଠି ଉଠିଛି ସଭ୍ୟତାର ତାଜ୍ ସେଇଠି ସମାନ୍ତରାଳ ଭାବରେ ବିଭୀଷିକାର ମିନାର । ଯେଉଁ ମାଟିରୁ ଜନ୍ମିଛି ନୂଆ ନୂଆ ଜୀବନ ଦର୍ଶନ, ଯେଉଁ ଦେଶର ପାଣି ପବନରେ ଉଧେଇଛି ମଣିଷକୁ ମଣିଷପରି ବଞ୍ଚେଇ ରଖିବାର ଚିନ୍ତା ଓ ଉପାୟ; ସେଇଠି ଜନ୍ମଲାଭ କରୁଛି ମଣିଷକୁ ପୃଥିବୀପୃଷ୍ଠରୁ ନିଶ୍ଚିହ୍ନ କରିବାର ନୂଆ ନୂଆ ପଦ୍ଧତି । ସବୁ କିଛି ମୂଳରେ ଅଛି ନିଜକୁ ବଡ଼ କରିବାର ଅହେତୁକୀ ଅଭିମାନ । ଅଛି ଉଗ୍ର ଜାତୀୟବାଦ । ଅପରକୁ ଶାସନ କରିବାର ପ୍ରବୃତ୍ତି ଆଉ ପ୍ରଭୁତ୍ୱ ଜାହିର କରିବାର ଲାଳସା । ଗୋଟାଏ ଉତ୍ତେଜନା, ଗୋଟାଏ ଗୋଟାଏ ଖିଆଲର ବଶବର୍ତ୍ତୀ ହୋଇ ମଣିଷ ଯୁଦ୍ଧ କରିଛି ମଣିଷ ବିରୁଦ୍ଧରେ । ମଣିଷ ମାରିଛି ମଣିଷକୁ । ମନେପଡ଼ିଲା ତା’ର ସେଦିନର ବଜାରର ଘଟଣା । ଓଃ ଗୋଟାଏ ପାହାରରେ ଛଟପଟ ହୋଇ ତଳେ ପଡ଼ିଗଲା ଲୋକଟା ! କି ରକ୍ତ ! ମଣିଷର ରକ୍ତ ମଣିଷକୁ କରେ ଉନ୍ମତ୍ତ । ତେବେ କ’ଣ ଲୋକଟା ମରିଗଲା ତାରି ଆଘାତରେ । ଆଉ ଏଇ ନିର୍ମମ ହତ୍ୟା ପାଇଁ ସେ ପାଇଲା ବୀରର ସମ୍ମାନ ! ଖଣ୍ଡେ ଜମିପାଇଁ, କେତେବଖରା ଘରପାଇଁ, ବ୍ୟବସାୟ ବାଣିଜ୍ୟ କରି ଅଜସ୍ର ଅର୍ଥ ଉପାର୍ଜନ ପାଇଁ ହତ୍ୟା କରାଯିବ ତିନୋଟି ମଣିଷକୁ ? ଶିକ୍ଷା, ସଭ୍ୟତା, ଅର୍ଥ ସମ୍ପତ୍ତି, ପୋଷାକ ପରିଚ୍ଛେଦରେ ଗର୍ବିତ ସଂପ୍ରଦାୟ ସଙ୍ଗରେ କାନ୍ଧରେ କାନ୍ଧ ମିଳାଇ ଶିଳ୍ପନଗରୀର ପ୍ରଶସ୍ତ ରାଜଦଣ୍ଡରେ ଛାତି ଫୁଲେଇ ଚାଲିବା ପାଇଁ ହତ୍ୟାର ଆଶ୍ରୟ ନେବାକୁ ପଡ଼ିବ ? କିନ୍ତୁ...କିନ୍ତୁ...ଅତ୍ୟାଚାର ଶୋଷକକୁ ନିର୍ମୂଳ ନ କଲେ କ’ଣ ଦଳିତ, ଶୋଷିତର ପାଟିକୁ ଆହାର ଆସିପାରିବ ? ଆସିବ ଅଣ୍ଟାକୁ କନା ? ଦୁନିଆ ଦରବାରରେ ଜାହିର ହୋଇପାରିବ ତା’ର ମଣିଷପଣିଆ ? ସମସ୍ତଙ୍କୁ ସମାନ କରିବାକୁ ହେଲେ କ’ଣ ରକ୍ତାକ୍ତ ଶ୍ରେଣୀ ସଂଘର୍ଷ ଅବଶ୍ୟମ୍ଭାବୀ ? ଆଉ ଏଇ ସଂଗ୍ରାମ ପାଇଁ ଅସ୍ତ୍ରଧାରଣ ନ କରିବା କ’ଣ କାପୁରୁଷତା ? ୟାର ବିପରୀତ ଚିନ୍ତା କ’ଣ ପ୍ରତିକ୍ରିୟାଶୀଳ ମନୋବୃତ୍ତି ? ଆଖି ବୁଜି ଭାବୁଛି ଆଞ୍ଜଲୁସ୍ ।

 

ଜେଭିଅର୍ ହଲେଇଲା ଆଞ୍ଜଲୁସ୍‌କୁ । ‘‘କ’ଣ କହୁଚ ତୁମେ ?’’

 

‘‘ଏମାନଙ୍କର ଖିଆପିଆର ବ୍ୟବସ୍ଥା କିଛି କରିବା ନାହିଁ ଜେଭିଅର ? ବହୁତବେଳ ହେଲାଣି ଯେ ।’’ କହିଲା ଆଞ୍ଜଲୁସ୍ ।

 

‘‘ରନ୍ଧାବଢ଼ା ତ ହୋଇନି କିଛି ।’’ କହିଲା ଜେସ୍‌ମିନ୍ ।

 

ଆଞ୍ଜଲୁସ୍ ଡାକିଲା ଚାରି ପାଞ୍ଚ ଜଣ ଯୁବକଙ୍କୁ । ‘‘ଖିଆପିଆର ବ୍ୟବସ୍ଥାଟା ହୋଟେଲ୍‌ରେ କରାଗଲେ କ’ଣ କିଛି ଆପତ୍ତି ଅଛି ଆପଣମାନଙ୍କର ?’’

 

‘‘ନା, ନା, ସେତ ବରଂ ସୁବିଧା ।’’

 

‘‘ତେବେ ଖିଆପିଆଟା ବଢ଼ିଗଲେ ଗୋଟାଏ କିଛି ସିଦ୍ଧାନ୍ତ କରିବା ଆମେ । ଆମ ଆଗରେ ଗୁରୁକର୍ତ୍ତବ୍ୟ । ବିରାଟ ଦାୟିତ୍ୱ । ଉତ୍ତେଜନାର ବଶବର୍ତ୍ତୀ ହୋଇ ଗୋଟାଏ କିଛି କରିବାଟା ଉଚିତ ହେବ ନାହିଁ । ତଦ୍ଦ୍ୱାରା ଅନେକ ସମୟରେ ସିଦ୍ଧ ହୁଏ ନାହିଁ ମୂଳଉଦ୍ଦେଶ୍ୟ । ଅପରନ୍ତୁ ଅଯଥା ବିପଦ ବରଣ କରିବାକୁ ପଡ଼େ । ଆବହମାନକାଳରୁ ସୁବିଧାରେ ଥିବା ଏକ ଚତୁରଗୋଷ୍ଠୀ ବିରୁଦ୍ଧରେ ସଂଗ୍ରାମ ପାଇଁ ଚିନ୍ତା ଦରକାର । ଦରକାର ଏକ ସୁଚିନ୍ତିତ କାର୍ଯ୍ୟସୂଚି ।’’

 

‘‘ଜେଭିଅର୍, ଆମେ ତେବେ କ’ଣ ତିନୋଟି ମଣିଷକୁ ହତ୍ୟା କରିବା ?’’

 

‘‘ତୁମେ କ’ଣ ପୁଞ୍ଜିପତି, ବ୍ୟଭିଚାରୀ ଶୋଷକଙ୍କୁ ମଣିଷ ବୋଲି କୁହ ?’’ କହିଲା ଜେଭିଅର । ‘‘କିନ୍ତୁ ବିରାଟ ପ୍ରତିକ୍ରିୟା ହେବ ଜେଭିଅର୍ । ହତ୍ୟା କେବେ ଲୁଚି ରହେନା । ହୁଏତ ତା’ପରେ ଆରମ୍ଭ ହୋଇଯିବ ଅପ୍ରତ୍ୟାଶିତ ଭାବରେ ହତ୍ୟାକାଣ୍ଡ–ସାଂପ୍ରଦାୟିକ ହତ୍ୟାକାଣ୍ଡ ।’’ ‘‘ହେଉ, ଆମେ ତ ଆମନ୍ତ୍ରଣ କରୁଛୁ । ବ୍ୟଗ୍ର ବ୍ୟାକୁଳ ହୋଇ ରହିଛୁ ସେଇ ସୁଦିନର ଅପେକ୍ଷାରେ-।’’ ଜେଭିଅର ବଡ଼ ଉତ୍ତେଜିତ ହୋଇ ପଡ଼ିଥିଲା । ‘‘ନା, ନା, ଜେଭିଅର, ତୁ ବଡ଼ ଉତ୍ତେଜିତ ହୋଇ ପଡ଼ୁଛୁ । ତଦ୍ଦ୍ୱାରା ଆମର ଉଦ୍ଦେଶ୍ୟ ସିଦ୍ଧ ହେବନାହିଁ ।’’

 

‘‘ତାହେଲେ, ଏଇ ବିଦେଶୀମାନେ ଆସ୍ଥାନ ଜମେଇ ବସିବେ ଆମରି ଭିଟାମାଟିରେ, ଆଉ ଆମେ ସବୁଦିନ ପାଇଁ ପଡ଼ି ରହିଥିବା ହୀନ କାଙ୍ଗାଳ ହୋଇ ?’’ ‘‘ଜେଭିଅର’’, ଦୀର୍ଘନିଶ୍ୱାସ ମାରିଲା ଆଞ୍ଜଲୁସ୍ । ‘‘ଆରେ ତୁ କାହାକୁ କହୁଛୁ ଦେଶୀ, କାହାକୁ କହୁଛୁ ବିଦେଶୀ ? ଏଇ ଜର୍ମାନ୍, ଆଉ ଆମର ପାଦ୍ରୀମାନେ ବିଦେଶୀ । ଆମ ନିଜ ଦେଶର ଲୋକ ବିଦେଶୀ ହେବେ କିମିତି ? ଆମେ ଯଦି ଜର୍ମାନ୍, ଇଂଲଣ୍ଡ, ଆମେରିକା, ପୋଲାଣ୍ଡ, ହଲାଣ୍ଡ ପ୍ରଭୃତି ଦେଶର ପାଦ୍ରୀ ଓ ଶିଳ୍ପବିଶେଷଜ୍ଞଙ୍କୁ ଆପଣାର କରିପାରୁଥେଇଁ, ତେବେ ଆମ ନିଜ ଦେଶର ଲୋକଙ୍କୁ ନ ପାରିବା କାହିଁକି ? ଆମେ ଏଇ ଜର୍ମାନ ଓ ବିଦେଶୀ ପାଦ୍ରୀମାନଙ୍କର ପୁଞ୍ଜି ନେଇ ବାହାରିଛେ ବଡ଼ ହେବା ପାଇଁ । ଏଇ ବିଦେଶୀ ପୁଞ୍ଜି ଆମେ ଖଟଉଛେ, ଦେଶୀ ଲୋକଙ୍କୁ ନିର୍ମୂଳ କରିବା ପାଇଁ । ବିଦେଶୀ ପୁଞ୍ଜି ଖଟେଇ ଆମେ ସୃଷ୍ଟି କରିବାକୁ ଯାଉଛେ, ଏଇ ମାଟି, ଏଇ ପବନରେ ଭେଦର ଭାବ । ଜାତିକୁ ଭାଗ ଭାଗ କରିବାର ବିହନ ବୁଣିବାକୁ ଯାଉଛେ ।’’

 

‘‘ତାହେଲେ କ’ଣ ଆମେ ଏ ସାହାଯ୍ୟ ଓ ପୁଞ୍ଜିକୁ ଫେରସ୍ତ ଦେଇ ଚାଲିଯିବା କୋଇଲି ସେପଟର ବଣ ଭିତରକୁ ?’’ କହିଲା ଜେଭିଅର । କଣ୍ଠରେ ତା’ର ବ୍ୟଙ୍ଗର ଭଙ୍ଗୀ ।

 

ହସିଲା ଆଞ୍ଜଲୁସ୍ । ‘‘ଆରେ ନା, ସେ ସୌଭାଗ୍ୟ ଆଉ ନାହିଁ ଆମର । ଆମେ ଆଉ ଫେରିପାରିବା ନାହିଁ ପ୍ରକୃତିର ଶାନ୍ତିମୟ କୋଳକୁ । ଆମେ ଆଜି ବିଷକଣ୍ଠ । ବୈଷୟିକ ଜୀବନର ବିଷପାନ କରିସାରିଲେଣି ଆମେ । ସେ କାଦମ୍ୱରୀପାନ କରି ଆମେ ଓହ୍ଲାଇ ପଡ଼ିବା ପ୍ରତିଯୋଗିତାର ପ୍ରଶସ୍ତ କ୍ଷେତ୍ରକୁ । ପୁଞ୍ଜି ଖଟେଇ ଉଠିବାକୁ ଚେଷ୍ଟା କରିବା । ଆମର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନକୁ ଯୁଗୋପଯୋଗୀ କରିବା । ସେଥିପାଇଁ କରିବା ଆମେ ଦୁରନ୍ତ ଆୟୋଜନ । ବୈଷୟିକ ଜୀବନର କାଦମ୍ବରୀ ଆମକୁ ଅସ୍ଥିର କରି ଦେବ ଜେଭିଅର । ଆମେ ଆଉ ଫେରିପାରିବା ନାହିଁ କୋଇଲିର ସେପଟକୁ । ଆମେ ଆଉ ପାଇପାରିବା ନାହିଁ ସେ ଆଦିମ ସମସ୍ୟାହୀନ ଜୀବନର ଅମୃତ । ଆଜିର ଜୀବନ ଆମର ସମସ୍ୟା ବହୁଳ । ଏଇ ସମସ୍ୟା ସମାଧାନ ପାଇଁ ଆମକୁ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିବ ।’’

 

‘‘କିନ୍ତୁ ଏକ ଚତୁର ଦକ୍ଷ, ଆସ୍ଥାନ ଜମାଇ ବସିଥିବା ସଂପ୍ରଦାୟ ସଙ୍ଗରେ ଆମେ କ’ଣ ପ୍ରତିଯୋଗିତା କରିପାରିବା ? ସେ ସୁଯୋଗ ସେମାନେ ଦେବେ ଆମକୁ ? ଏଇ ଦେଖୁଛ ପରା, ଆମକୁ ଦୁନିଆରୁ ମୂଳପୋଛ କରିବା ପାଇଁ ଚାଲିଛି ଗୁପ୍ତ ପ୍ରଯତ୍ନ ।’’

 

‘‘କିନ୍ତୁ... ... ନୀରବ ରହିଲା ଆଞ୍ଜଲୁସ୍ ।’’

 

‘‘କିଛି କହିଲ ନାହିଁ ଯେ, ଆମକୁ ଶୀଘ୍ର ଗୋଟାଏ କିଛି କରିବାକୁ ହେବ । ପ୍ରଥମେ ନିଜକୁ ବଞ୍ଚେଇବା ଦରକାର ।’’

 

ଆଞ୍ଜଲୁସ୍ ଚାହିଁଲା ଜେଭିଅର୍‌ର ମୁହଁକୁ । ‘‘ତେବେ କ’ଣ ଆମର ଏଇ ଭିଟାମାଟିରେ ଆଉ କାହାର ସ୍ଥାନ ନାହିଁ ? ବାହାରୁ ଆସିଥିବା ଲୋକଙ୍କୁ ଆମେ ରଖେଇ ଦେବା ନାହିଁ ଏଇଠି ?’’ ଧୀରେ ଧୀରେ ରହି ରହି ପଚାରିଲା ଆଞ୍ଜଲୁସ୍ ।

 

‘‘ତୁମେ ଭୁଲ ବୁଝୁଛ ଆଞ୍ଜଲୁସ୍ । ଏଇଠି ତୁମର ବିଚାର ବିଭ୍ରାଟ । ତୁମେ କଥାଟାକୁ ଏତେ ସଂକୀର୍ଣ୍ଣ ଭାବରେ ବିଚାର କରୁଛ କାହିଁକି ?’’

 

‘‘ମାନେ ?’’

 

‘‘ଏକ ସଂକୀର୍ଣ୍ଣ ଗୋଷ୍ଠୀଗତଭାବ ନେଇ ଆମେ ଆଜିର ପ୍ରସ୍ତାବ କରୁନୁ । ଏ ଦୁନିଆରେ ବର୍ତ୍ତମାନ ଦୁଇଟି ଜାତି । ଗୋଟିଏ ହେଲା ଆବହମାନକାଳରୁ ସବୁପ୍ରକାର ସୁବିଧାରେ ଥିବା ମଣିଷଜାତି । ଆଉ ଗୋଟିଏ ହେଲା ବଞ୍ଚିତ, ଶୋଷିତ, ଭୋଖିଲା ମଣିଷଜାତି । ଆମେ ବଞ୍ଚିତ, ଶୋଷିତ ଓ ଅବହେଳିତର ପ୍ରତିନିଧି–ପ୍ରତୀକ । ଆମର ଅଭିଯାନ ସୁବିଧାବାଦୀ, ଶୋଷକ, ପୁଞ୍ଜିବାଦୀ ବିରୁଦ୍ଧରେ ଅଭିଯାନ । ଅଭିଯାନ ଏକସଙ୍ଗରେ ସାରା ପୃଥିବୀରେ ହୋଇପାରେନା ଆଞ୍ଜଲୁସ୍ । ଆରମ୍ଭ ହୁଏ ଏକ ନିଦ୍ଦସ୍ତ ଅଞ୍ଚଳରୁ । ଏକ ନିର୍ଦ୍ଦିଷ୍ଟ ସମସ୍ୟାରୁ । ପ୍ରାରମ୍ଭିକ ଅବସ୍ଥାରେ ରହିଯାଇଥାଏ ସେଇଠି ଗୋଟାଏ ଆଞ୍ଚଳିକତାର ବୋଳ । କ୍ରମେ କ୍ରମେ ବଦଳିଯାଏ ତା’ର ରୂପ । ଆଞ୍ଚଳିକତାର ବୋଳ ଖସିପଡ଼େ, ଯେତେବେଳେ ବିପ୍ଳବ ଆଗେଇଚାଲେ ଏକ ପ୍ରାନ୍ତରୁ ଅପର ପ୍ରାନ୍ତକୁ । ସେଥିପାଇଁ ଚିନ୍ତା କରିବାକୁ ପଡ଼େନା ।’’

 

‘‘କିନ୍ତୁ ଶୋଷିତ, ବୁଭୁକ୍ଷୁର ଏହି ଅଭିଯାନକୁ ଚତୁର, କୁଟିଳ, ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଦେବେ ଭିନ୍ନ ରୂପ । ଲୋକଚକ୍ଷୁରେ ଅତି ହୀନ ଘୃଣ୍ୟ ଭାବରେ କରିବେ ତା’ର ଉପସ୍ଥାପନ । ନୁହେଁ ? ସେ ସୁବିଧା ଆମେ ଦେବା ନାହିଁ ସେମାନଙ୍କୁ ଜେଭିଅର–ସେ ସୁବିଧା ଆମେ ଦେବା ନାହିଁ ସେମାନଙ୍କୁ । କ’ଣ କହୁଛୁ ଜେଭିଅର......ସେମାନଙ୍କୁ ହତ୍ୟା ନ କରି ବରଂ କରାଯାଉ ଜୀବନମୃତ...ନିଖୁଣ ଦେହ ଆଉ ସୁସ୍ଥ ମନ ଭିତରେ ସେମାନଙ୍କୁ କରାଯାଉ ଅଥର୍ବ...ପଙ୍ଗୁ । ଚିରଦିନ ପାଇଁ ଶୋଷଣର ନିଶା ଛଡ଼େଇ ଦିଆଯାଉ....ହତ୍ୟା ଅପେକ୍ଷା ସେ କ’ଣ ଶ୍ରେୟସ୍କର ନୁହେଁ । ଜେଭିଅର ?’’

 

ଶିହରି ଉଠିଛି ମାର୍ଗାରେଟର ଦେହ ଆଉ ମନ । ବଡ଼ ହେବା ପାଇଁ, ନିଜକୁ ଅନ୍ୟର ସମକକ୍ଷ କରିବା ପାଇଁ ରକ୍ତାକ୍ତ ସଂଗ୍ରାମ ? ହତ୍ୟା ! ସେ ବହୁବାର ଶୁଣିଛି ଜର୍ମାନ ଇଞ୍ଜିନିୟର ପେଟ୍ରିକଙ୍କ ମୁହଁରୁ । ନିଜକୁ ଖୁବ ବଡ଼ ଓ ଅନ୍ୟର ସମକକ୍ଷ କରିବାର ତୁରନ୍ତ ଅଭିପ୍ରାୟ ନେଇ ବାରମ୍ୱାର ଯୁଦ୍ଧ ଓ ହତ୍ୟାର ଆଶ୍ରୟ ନେଇ କିପରି ବାରମ୍ୱାର ସେ ଜାତି ଖଣ୍ଡ ବିଖଣ୍ଡିତ ହୋଇଛି । ବାରମ୍ୱାର ପୃଥିବୀ ଦରବାରରେ ନତମସ୍ତକ ହୋଇ ଛିଡ଼ା ହେବାକୁ ପଡ଼ିଛି । ଆଉ କିଛି କ’ଣ ଉପାୟ ନାହିଁ ? ସେମାନଙ୍କ ଜୀବିତ ଅବସ୍ଥାରେ କ’ଣ ଜୟ କରାଯାଇପାରିବ ନାହିଁ ?

 

ଜେସ୍‌ମିନ୍‌ର ମନରେ ଉତ୍ତେଜନା । ବ୍ୟଗ୍ରତା । ସେ ଚାହେଁ ପ୍ରତିଶୋଧ । ନିଜ ହାତରେ ସେ ନିର୍ମମ ଆଘାତ ଦେବ ସେଇ ଲଂପଟ ସର୍ଦ୍ଦାରଜୀକୁ । ବିଳମ୍ୱ ବଡ଼ ଅସହ୍ୟବୋଧ ହେଉଛି । ଏମିତି ସମୟରେ ତା’ର ସ୍ୱାମୀଙ୍କର ଦ୍ୱିଧାବ୍ୟଞ୍ଜକ ଭାବାବେଗ ମୋଟେ ଭଲଲାଗୁ ନାହିଁ ତାକୁ ।

 

ଜେଭିଅର୍‌ର ମନରେ ଭାବାନ୍ତର । ଆଞ୍ଜଲୁସ୍‌ର ପ୍ରତିଟି କଥା ଗଭୀର ଭାବରେ ସ୍ପର୍ଶ କରିଛି ତା‘ର ମନକୁ । ଉତ୍ତେଜନା–ଖିଆଲ–ହଠାତ୍ ବଡ଼ ହେବାର ମୋହ–ଅନ୍ୟ ଆଗରେ ନିଜର ମଣିଷପଣିଆ ସାବୁତ କରିବାର ମଦାନ୍ଧତା...ସବୁ ପୁରୁଣାରୀତି । ଅତିପୁରୁଣା । ମଣିଷମନର ଆଦିମ ପ୍ରବୃତ୍ତି । ସବୁ ପୁଞ୍ଜିବାଦୀ, ସାମନ୍ତବାଦୀ ପରିକଳ୍ପନା । କିନ୍ତୁ ନ୍ୟସ୍ତସ୍ୱାର୍ଥ ସୁବିଧାବାଦୀ ଦଳ ପରାଭୂତ ହେବେ କିପରି ? ...ଧାରଣା ? ସତ୍ୟାଗ୍ରହ ? ବିକ୍ଷୋଭ ପ୍ରଦର୍ଶନ ? ଧେତ୍ । ସବୁ ପୁରୁଣାରୀତି–ପ୍ରାଚୀନ ପନ୍ଥା । ଦେହସୁହା ହୋଇଗଲାଣି ସୁବିଧାରେ ଥିବା ଗୋଷ୍ଠୀର । ତେବେ କ’ଣ ଶାନ୍ତିପୂର୍ଣ୍ଣଭାବରେ ବସ୍, ଟ୍ରକ ଆଉ ଟ୍ରେନ୍‌ରେ ଅଗ୍ନିସଂଯୋଗ ? ଶାନ୍ତିପୂର୍ଣ୍ଣଭାବରେ କୋଠାବାଡ଼ି ଓ ମୂଲ୍ୟବାନ ସଂପତ୍ତିର ବିପର୍ଯ୍ୟସ ? ଧ୍ୱଂସସାଧନ ? ଏ ତ କାପୁରୁଷତା । ଔଷଧ ରାଗରେ ଗିନା କାମୁଡ଼ା ରୀତି । ନିର୍ବୋଧତା–ଭୀରୁତା । ଜାତୀୟସଂପତ୍ତି ନଷ୍ଟ କରି ଦରିଦ୍ରତର ହେବା ଅପେକ୍ଷା ବରଂ ପ୍ରତ୍ୟେକ୍ଷ ଆକ୍ରମଣ–ସଂଗ୍ରାମ ସହସ୍ରଗୁଣରେ ଶ୍ରେୟସ୍କର । କିନ୍ତୁ ହତ୍ୟା–ସଂଗ୍ରାମ ଆଉ ରକ୍ତର ଖେଳ ବର୍ବରତା–ଚରମ ବର୍ବରତା । ତେବେ ଉପାୟ ?

 

ଦୀର୍ଘ ବ୍ୟବଧାନ ପରେ ଫେରୁଥିଲେ ଫାଦର ଡେଭିଡ଼୍ ମିସନ୍‌କୁ । ବିମାନ ଅବତରଣ କେନ୍ଦ୍ରରୁ ସେ ଆସୁଥିଲେ ତାଙ୍କର ବହୁପୁରୁଣା ମଡ଼େଲ ଗାଡ଼ି ଖଣ୍ଡିକରେ । ତାଙ୍କ ସାଙ୍ଗରେ ଥିଲେ ଜଣେ ସାମ୍ୱାଦିକ । ବମ୍ୱେରୁ ଆସିଛନ୍ତି ସେ । ସ୍ୱଚକ୍ଷୁରେ ଦେଖିବା ବିରାଟ ଶିଳ୍ପନଗରୀ । ସ୍ଥାନୀୟ ବାସିନ୍ଦାଙ୍କ ଉପରେ ଏହି ଶିଳ୍ପାନୁଷ୍ଠାନର ପ୍ରଭାବ ଲକ୍ଷ୍ୟ କରିବେ । ଅନୁଧ୍ୟାନ କରିବେ ନୂଆହୋଇ ଗଢ଼ିଉଠୁଥିବା ଶିଳ୍ପନଗରୀର ମହାଭାରତୀୟ ଜୀବନ–ଏହାର ଆନ୍ତର୍ଜାତିକ ଜୀବନଧାରା ।

 

ଦଳବଦ୍ଧ ହୋଇ ଫେରୁଥିଲେ ମାର୍ଗାରେଟ ଓ ଆଞ୍ଜଲୁସ୍‌ର ଦଳ ହୋଟେଲରୁ । ସନ୍ଦେହ ହେଲା ଫାଦାର ଡେଭିଡ଼ଙ୍କର । କୁଆଡ଼େ ଚାଲିଛି ଏ ପଟୁଆର ? ବଡ଼ ମେଳିଆ ଏ ଜାତି । ହଠାତ୍ ମେଳି-ହଠାତ ବିପ୍ଳବ । ଗାଡ଼ି ଅଟକେଇଲେ ଫାଦାର ଡେଭିଡ଼ । ସେ କଥାବାର୍ତ୍ତା କରୁଥିଲେ ସାଦରୀ ଭାଷାରେ । ସଙ୍ଗେ ସଙ୍ଗେ ସେ ବୁଝିପାରିଲେ ସେମାନଙ୍କର ଉଦ୍ଦେଶ୍ୟ । ବିବ୍ରତ ହୋଇପଡ଼ିଲେ ଫାଦାର ଡେଭିଡ଼୍ । ବିଳମ୍ୱ ପାଇଁ ସମ୍ୱାଦିକଙ୍କ ନିକଟରେ କ୍ଷମାଭିକ୍ଷା କରି, ଗାଡ଼ିରୁ ଓହ୍ଲୋଇ ଆସିଲେ ରାସ୍ତାକଡ଼କୁ । ଡାକିଲେ ଆଞ୍ଜଲୁସ୍, ଜେଭିଅର ଓ ମାର୍ଗାରେଟ୍‌କୁ । ‘‘ଅତୀତ ଘଟଣାବଳୀରୁ ଆମର ବହୁତ କିଛି ଶିଖିବାର ଅଛି ଆଞ୍ଜଲୁସ୍ । ଇତିହାସହିଁ ମଣିଷର ଉତ୍ତେଜନାକୁ ଠିକ୍‌ ଭାବରେ ନିୟନ୍ତ୍ରଣ କରିପାରେ ।’’

 

‘‘ଇତିହାସରୁ ଉପଯୁକ୍ତ ଶିକ୍ଷା ଲାଭ କରିପାରିଲେ, ଲକ୍ଷ୍ୟ ପଥରେ ଠିକ୍ ଭାବରେ ଯାଇହୁଏ । ଲକ୍ଷ୍ୟ ହାସଲ କରିହୁଏ । ସମସ୍ୟାପୂର୍ଣ୍ଣ ଜୀବନ ପଥର ଛକରେ, ଇତିହାସହିଁ ପ୍ରକୃତ ପଥରେ ଚାଲିବାକୁ ଦିଏ ଉପଯୁକ୍ତ ନିର୍ଦ୍ଦେଶ ।’’

 

ଆଞ୍ଜଲୁସ୍, ଜେଭିଅର ଓ ମାର୍ଗାରେଟ୍, ବୋକାଙ୍କ ପରି ଚାହିଁଥିଲେ ଫାଦାର ଡେଭିଡ଼୍‌ଙ୍କ ମୁହଁକୁ । କ’ଣ କହୁଛନ୍ତି ଫାଦର ? ବିନ୍ଦୁବିସର୍ଗ କିଛି ବୁଝିପାରିଲେ ନାହିଁ ସେମାନେ ଫାଦର ଡେଭିଡ଼୍‌ଙ୍କ କଥାରୁ ।

 

ଫାଦର ଡେଭିଡ଼୍ କହିଲେ ଇଂଲଣ୍ଡର ରାଜା ଜନ୍‌ଙ୍କ କଥା । ‘‘ବିନା ରକ୍ତପାତରେ, ବିନା ଉତ୍ତେଜନାରେ ଇଂଲଣ୍ଡର ମୁଷ୍ଟିମେୟ ପ୍ରଜା ରାଜା ଜନ୍‌ଙ୍କର ଅଖଣ୍ଡ କ୍ଷମତାକୁ କଲେ ଖର୍ବ । ପ୍ରଜାଙ୍କର ଚାପରେ ନିଜେ ହାତକାଟି ଲେଖିଦେଲେ ରାଜା ଜନ୍ । ପ୍ରଜାଙ୍କର ଦାବୀପତ୍ରରେ ସ୍ୱାକ୍ଷାର କରିବାକୁ ହେଲା ତାଙ୍କୁ । ଇତିହାସର ଏହି ପନ୍ଥା କ’ଣ ଶିକ୍ଷଣୀୟ ନୁହେଁ ଆଞ୍ଜଲୁସ୍ ? କ’ଣ କହୁଛୁ ଜେଭିଅର ?

 

ବହୁ କଳ୍ପନାଜଳ୍ପନା ପରେ, ଗଠିତ ହେଲା ଗୋଟିଏ ସଂଘ ଆଦିମ ସେନା । ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ସଂଗ୍ରାମ, ଆଦିମ ସେନାର ଲକ୍ଷ୍ୟ । ଆପାତତଃ ସ୍ଥାନୀୟ ଆଦିବାସୀମାନଙ୍କର ସମସ୍ୟାର ସମାଧାନରେ ବ୍ରତୀ ହେବା ଆଦିମସେନା । ସଂଘର ରହିବ ଦୁଇଟି ଶାଖା । ଗୋଟିକର ସମସ୍ତ କାର୍ଯ୍ୟକଳାପ କେନ୍ଦ୍ରୀଭୂତ ହେବ ଶିଳ୍ପନଗରୀରେ । ପ୍ରଧାନ ଲକ୍ଷ୍ୟ, ଅବ୍ୟବହୃତ ଜମିର ପୁନରୁଦ୍ଧାର ଓ ବେଆଇନ ଭାବରେ ହସ୍ତାନ୍ତରିତ ଜାଗାଜମି ସମ୍ବନ୍ଧରେ କାର୍ଯ୍ୟନୁଷ୍ଠାନ । ଅପର ଶାଖାଟିର କାର୍ଯ୍ୟକ୍ଷେତ୍ର ଶିଳ୍ପନଗରୀର ନିକଟବର୍ତ୍ତୀ ଗ୍ରାମାଞ୍ଚଳ । ଗ୍ରାମାଞ୍ଚଳରେ ନୂତନ କୃଷିପଦ୍ଧତିର ପ୍ରବର୍ତ୍ତନଦ୍ୱାରା ଆର୍ଥିକ ପ୍ରଗତି ସାଧନା । ଶିଳ୍ପନଗରୀର ଶ୍ରମିକମାନଙ୍କର ଆବଶ୍ୟକୀୟ ସମସ୍ତ ଖାଦ୍ୟଦ୍ରବ୍ୟ ଯେପରି ସ୍ଥାନୀୟ ଚାଷୀର ଜମିରୁ ଆସିପାରିବ ତା’ର ବ୍ୟାପକ ବ୍ୟବସ୍ଥା ।

 

କୌଣସି ଗୋଟିଏ ଆଦର୍ଶ ନୀତି ବା କର୍ମପନ୍ଥାକୁ ଅନ୍ଧଭାବରେ ଅନୁସରଣ କରିବ ନାହିଁ ଆଦିମ ସେନା । ବାସ୍ତବ ଦୃଷ୍ଟିକୋଣରୁହିଁ ସମସ୍ୟାଗୁଡ଼ିକର ବିଚାର ଓ ସମାଧାନ ହେବ । କୌଣସି ରାଜନୈତିକ ଦଳ ବା ସ୍ଥାନୀୟ ମଜଦୂର ସଂଘ ସହିତ ଆଦିମ ସେନାର ପ୍ରତ୍ୟକ୍ଷ ବା ପରୋକ୍ଷ ସଂପର୍କ ରହିବନାହିଁ ।

 

ଆଦିବାସୀ, ବିଶେଷତଃ ଆଦିବାସୀ ତରୁଣୀମାନଙ୍କର ଚରିତ୍ର ସଂହାରର ହୀନ ଉଦ୍ୟମକୁ ମୂଳୋତ୍ପାଟିତ କରାହେବ । ଆଗେଇ ଯାଇଥିବା ଗୋଷ୍ଠୀର ଭ୍ରମାତ୍ମକ ଓ ଉଦ୍ଦେଶ୍ୟମୂଳକ ଧାରଣାକୁ ନିର୍ମୂଳ କରାଯିବ ଓ ଆବଶ୍ୟକ ହେଲେ ସେମାନଙ୍କୁ ଉପଯୁକ୍ତ ଶିକ୍ଷାଦେବାର ବ୍ୟବସ୍ଥା କରାହେବ । ବେକାର ଆଦିବାସୀ ଅର୍ଥାତ୍ ବୈଷୟିକ ଓ ସାଧାରଣ ଯୋଗ୍ୟତା ଥାଇ ସୁଦ୍ଧା ଯେଉଁମାନଙ୍କର ଉପଯୁକ୍ତ କର୍ମସଂସ୍ଥାନ ହୋଇପାରିନି ସେମାନଙ୍କର ଆଶୁ କର୍ମସଂସ୍ଥାନ ପାଇଁ ଏକ ସ୍ୱତନ୍ତ୍ର ସଂସ୍ଥା ମାଧ୍ୟମରେ ଉଦ୍ୟମ ଓ ସଂଗ୍ରାମ କରାହେବ ।

 

ପରିବର୍ତ୍ତିତ ପରିସ୍ଥିତି ସହିତ ଆଦିବାସୀଙ୍କୁ ସଂପୃକ୍ତ ରଖିବା ପାଇଁ ଓ ନୂତନଯୁଗର ନୂତନ ବାର୍ତ୍ତା ଆଦିସନ୍ତାନଙ୍କ ପାଖରେ ପହଞ୍ଚାଇ ଦେବା ପାଇଁ ଏକ ସାପ୍ତାହିକପତ୍ର ପ୍ରକାଶର ତୁରନ୍ତ ବ୍ୟବସ୍ଥା ହେବ । ସାଦରୀଭାଷା–ଓଡ଼ିଆ ଓ ଦେବନାଗରୀ ଲିପିରେ ମୁଦ୍ରିତ ହେବ ଆଦିମସେନାର ମୁଖପତ୍ର । ଏହାର ଏକ ସ୍ୱତନ୍ତ୍ର ଇଂରାଜୀ ସଂସ୍କରଣ ପାଇଁ ମଧ୍ୟ ଚେଷ୍ଟା କରାଯିବ ।

 

ଏ ସବୁର ଆଲୋଚନା ସଙ୍ଗେସଙ୍ଗେ କାରାକ୍‌କା, ବାଜପେୟୀ ଓ ସର୍ଦ୍ଦାରଜୀ ପ୍ରଭୃତି ବ୍ୟବସାୟୀଙ୍କର ଷଡ଼ଯନ୍ତ୍ର ବିରୁଦ୍ଧରେ ଅଭିଯାନର ପନ୍ଥା ଗୁପ୍ତ ବୈଠକରେ ସ୍ଥିରୀକୃତ ହେଲାପରେ ଆରମ୍ଭ ହେଲା ସମବେତ ପ୍ରାର୍ଥନା । ପ୍ରାର୍ଥନାପରେ ପ୍ରଭୁ ପରମେଶ୍ୱର ଓ ମାତା ମେରୀଙ୍କ ନାମରେ ସଂଘ ପ୍ରତି ଅନୁଗତ ରହିବା ପାଇଁ ପ୍ରତ୍ୟେକ ସଭ୍ୟ ଶପଥଗ୍ରହଣ କଲେ ।

 

ମାର୍ଗାରେଟ୍‌ର ଯତ୍ନରେ ସାମାନ୍ୟ ଜଳଯୋଗର ବ୍ୟବସ୍ଥା କରାଯାଇଥିଲା । ହାଣ୍ଡିଆ, କଶାମାଂସ, କେକ୍ ଆଉ ଟୋଷ୍ଟ । ନିଷ୍ଠାପର କାଥୋଲିକ୍ ରୀତିରେ ଖାଦ୍ୟଲାଭ ପାଇଁ ପ୍ରଭୁଙ୍କୁ କୃତଜ୍ଞତା ଜ୍ଞାପନ କରି ଓ ପ୍ରଭୁଙ୍କୁ ସମର୍ପଣ କରି, ଆରମ୍ଭ କଲେ ପାନଭୋଜନର ପର୍ବ । ତା’ପରେ ମିଳିତ ନୃତ୍ୟ । ସଭା ସାଙ୍ଗହେଲା ।

 

ରାତି ପ୍ରାୟ ବାଆରଟାବେଳକୁ ବିଦାୟ ନେଲେ ଇଞ୍ଜିନିୟର ପେଟ୍ରିକ୍ । ଛୁଆଟିକୁ ନେଇ ମାର୍ଗାରେଟ୍‍ବି ବସିଲା ଗାଡ଼ିରେ ।

 

ଟା ଟା ମମି, ଟା ଟା’–ହସିଲା ହସିଲା ମୁହଁରେ ଛୁଆଟି କୁମାରୀ ତନେଜାଙ୍କ ଆଡ଼କୁ ଚାହିଁ କହିଲା । ସତେ ଯେମିତି ବହୁଯୁଗର ପୁଞ୍ଜିଭୂତ ମମତା ବୋଳା ହୋଇଥିଲା ତା’ର ସେଇ ଦୋରଟି କଥା କେତେପଦରେ । ଟିକି ହାତରେ ତା’ର ହଲେଇଲା ଟିକି ରୁମାଲ ଖଣ୍ଡିଏ ।

 

କୁମାରୀ ତନେଜା ଚାହିଁ ରହିଥିଲେ ଏକ ଦୃଷ୍ଟିରେ । ଗାଡ଼ି ଚାଲିଗଲା । ରହିଗଲା ଦୃଷ୍ଟିର ଅନ୍ତରାଳରେ । କୁମାରୀ ତନେଜା ଛିଡ଼ା ହୋଇ ରହିଲେ ।

 

‘‘ଏଥର ଘରକୁ ଚାଲ୍ ମା’ । ମୃଦୁ ସ୍ପର୍ଶ ଦେଲେ ଶ୍ରୀମତୀ ତନେଜା । କୌଣସି ଉତ୍ତର ନାହିଁ ।’’

 

‘‘ମା’ଟା ପରା, ଆଉ କେତେ ଛିଡ଼ା ହେବୁ । ସେମାନେ ପୁଣି କାଲି ଆସିବେ ଯେ ।’’ ନିରୁତ୍ତର ହୋଇ ଛିଡ଼ା ହୋଇଥିଲେ କୁମାରୀ ତନେଜା ।

 

ପୁଣି କ’ଣ ହେଲା ? ବେଶ୍ ପ୍ରକୃତିସ୍ଥ ହୋଇଯାଇଥିଲା ତା’ ପାଖକୁ ଆସିଲେ ଶ୍ରୀଯୁକ୍ତ ତନେଜା । ‘‘ଚାଲ୍ ମା’, ଏଥର ବିଶ୍ରାମ କରିବା । ରାତି ବହୁତ ହେଲାଣି ଯେ ।’’

 

ଗୋଟିଏ ଦୀର୍ଘନିଶ୍ୱାସ ମାରିଲେ କୁମାରୀ ତନେଜା । ଓଃ, କି ଗଭୀର ସେ ଦୀର୍ଘନିଶ୍ୱାସ-

 

‘‘ଆ, ମା’, ସୁନାଟା ପରା, ଆ । ମୁଁ ତୋତେ ନେଇଯିବି କାଲି ତା’ ପାଖକୁ, ଆ ।’’

 

କଇଁ କଇଁ ହୋଇ କାନ୍ଦିଲେ କୁମାରୀ ତନେଜା । ଢଳି ପଡ଼ିଲେ ବାପାଙ୍କ ଛାତି ଉପରେ ।

 

ଆଖିରେ ନିଦ ନାହିଁ ଶ୍ରୀଯୁକ୍ତ ତନେଜାଙ୍କର । ଉଦ୍‌ବେଳ ତାଙ୍କର ପିତୃହୃଦୟ । ସେ ଆଜି ମର୍ମେ ମର୍ମେ ଅନୁଭବ କରୁଛନ୍ତି ନିଜ କନ୍ୟାର ମାତୃହୃଦୟର ହାହାକାର । ସେ ଠିକ୍‌ ଭାବରେ ବୁଝିପାରିଛନ୍ତି ପ୍ରକୃତରେ ଏଇ ପରିତ୍ୟକ୍ତ ଶିଶୁଟି କିଏ ? ଯେ କୌଣସିମତେ ଉଦ୍ଧାର କରିବାକୁ ହେବ ଶିଶୁଟିକୁ । ଆଉ ସହି ପାରିବେ ନାହିଁ ତାଙ୍କର ଏକମାତ୍ର କନ୍ୟାର ଆତ୍ମାର କକର୍ଥନା । ମାର୍ଗାରେଟ୍ ଫେରସ୍ତ ଦେବ ଛୁଆଟିକୁ କେବଳ ତା’ର ପ୍ରକୃତ ମା’କୁ । କୁମାରୀ ତନେଜା ତା’ର ମା’-। କୁମାରୀ କନ୍ୟାର ପୁଣି ପୁତ୍ରସନ୍ତାନ ? କୁମାରୀର ମାତୃତ୍ୱପ୍ରାପ୍ତି ! ସେ ପୁଣି ଶ୍ରୀଯୁକ୍ତ ତନେଜାଙ୍କର କନ୍ୟା ! ଓଃ, ଲୋକସମାଜରେ ମୁହଁ ଦେଖେଇବେ କେମିତି ? କ୍ରମେ ଉଦ୍‌ଘାଟିତ ହେବ ସବୁ ରହସ୍ୟ । ଏ ଆଭିଜାତ୍ୟ, ଏ ଆତ୍ମାଭିମାନର ଅନ୍ତରାଳରେ ଲୁଚି ରହିଥିବା ପଶୁର ରୂପ ପଦାରେ ପଡ଼ିଯିବ । ମୂଲ୍ୟବାନ, ଅର୍ଥହୀନ ଏକ ଉଚ୍ଚାଭିଳାଷ ଚରିତାର୍ଥ କରିବାକୁ, ନିର୍ମଳ, ନିଷ୍ପାପ ଓ ସ୍ୱର୍ଗୀୟ ଜୀବନ ପୁଷ୍ପକୁ ଧ୍ୱଂସ କରିବାର ବ୍ୟର୍ଥ ପ୍ରୟାସ ଆସିଯିବ ଦୁନିଆର ଆଲୋକକୁ । ସେତେବେଳର ପରିସ୍ଥିତି ସମ୍ଭାଳି ହେବତ ?

 

ନା...ନା, ପାପର ପ୍ରାୟଶ୍ଚିତ୍ତ ଦରକାର । ସଂଶୋଧନର ଏ ଅପୂର୍ବ ସୁଯୋଗ ହରେଇବା ଉଚିତ ନୁହେଁ । ସେ ନିଜେ ଯିବେ ଝିଅ ସାଙ୍ଗରେ । ନେଇ ଆସିବେ ଛୁଆଟିକୁ । ମାଲହୋତ୍ରାକୁବି ନେବେ ? ନାଃ, କିଛି ଦରକାର ନାହିଁ । ଜାଣିବା ସଙ୍ଗେ ସଙ୍ଗେ ଚାଲି ଆସିବ ସେ ନିଜେ । ତା’ପରେ...? ସେ ବିଷୟ ବର୍ତ୍ତମାନ ଚିନ୍ତା କଲେ ସବୁ କିଛି ଗୋଳମାଳିଆ ଧରିଯିବ । ସେ କଥାର ବିଚାର ପରେ । ଅବସ୍ଥା ଦେଖି କରାହେବ ବ୍ୟବସ୍ଥା । ଏ ଦେଶର ମାଟିରେ ତ ଏ ପରମ୍ପରାର ଅଭାବ ନାହିଁ । ଶକୁନ୍ତଳା ଦୁଷ୍ମନ୍ତ, ଚିତ୍ରାଙ୍ଗଦା ଫାଲ୍‌ଗୁନୀ ଆଉ ସେମାନଙ୍କର ପ୍ରଣୟ-ଫୁଲ ଭରତ-ଭବ୍ରୂବାହନ । କାହାର ସାହସ ଅଛି ଶ୍ରୀଯୁକ୍ତ ତନେଜାର ଉଚ୍ଚଶିକ୍ଷିତ ଆଧୁନିକା କନ୍ୟା ବିରୁଦ୍ଧରେ ମୁହଁ ଖୋଲି କୁତ୍ସାରଟନା କରିବାକୁ ? କରନ୍ତୁ; ସେ ବରଂ ସହ୍ୟ କରାଯାଇପାରେ, କିନ୍ତୁ ଏ ଜ୍ୱାଳା ସହି ହେବ ନାହିଁ ଆଉ । ଆଭିଜାତ୍ୟ ? ଆତ୍ମସମ୍ମାନ ? ...ବୃଥା ଅହଙ୍କାର । ଅର୍ଥହୀନ ଅଭିମାନ । ଛଳନାପୂର୍ଣ୍ଣ ଜୀବନର ବର୍ହିପ୍ରକାଶ–ଅଭିବ୍ୟକ୍ତି ନିଜର ଦୁର୍ବଳତାକୁ ଘୋଡ଼ାଇ ରଖିବାକୁ ମଣିଷ ଦେଖାଏ ତା’ର ଆଭିଜାତ୍ୟ । ନିଜର ପାପ, ନିଜ ଭିତରର ରାକ୍ଷସକୁ ଲୋକସମାଜର ଉହାଡ଼ରେ ଗୋପନୀୟ ରଖିବାକୁ ସେ ଦେଖାଏ ତା’ର ପୌଢ଼ୀ-ଆତ୍ମସମ୍ମାନ । ଯାଉ, ଜଳିପୋଡ଼ି ଯାଉ ସେ ଅର୍ଥହୀନ, ଛଳନାପୂର୍ଣ୍ଣ ଆଭିଜାତ୍ୟ–ମୂଲ୍ୟହୀନ ଆତ୍ମଶ୍ଳାଘା । କିନ୍ତୁ ସେ ଆଉ ଜାଳିପୋଡ଼ି ଦେବେନି ଏକମାତ୍ର କନ୍ୟାର କୋମଳ ହୃଦୟ–କୁସୁମ କୋମଳ ମାତୃହୃଦୟ ।

 

‘‘ଶ୍ରୀଯୁକ୍ତ ତନେଜା ଆପଣଙ୍କର ଅପେକ୍ଷାରେ ।’’ ଖବର ଦେଲା ବଗିଚାର ମାଳୀ । ଆଶ୍ଚର୍ଯ୍ୟ ହେଲେ ଶ୍ରୀଯକ୍ତ ପାଟ୍ରିକ୍ । ଶ୍ରୀଯୁକ୍ତ ତନେଜା ଖୁବ୍ ବିଳମ୍ୱରେ ଶଯ୍ୟାତ୍ୟାଗ କରନ୍ତି, ଏକଥା ଛୋଟ ବଡ଼ ସମସ୍ତେ ଜାଣନ୍ତି । ଆଠଟା ପୂର୍ବରୁ ସେ କଦାପି ଶଯ୍ୟାତ୍ୟାଗ କରନ୍ତି ନାହିଁ । ଅଥଚ...-? ତେବେ କ’ଣ କାଲି ରାତିରେ ମୋଟେ ନିଦ ହୋଇନି ଶ୍ରୀଯୁକ୍ତ ତନେଜାଙ୍କର ? ସେମିତି କିଛି ବିଶେଷ ଅସୁବିଧା ହୋଇନି ତ ? ବଡ଼ ବ୍ୟସ୍ତ ହୋଇ ବାହାରି ପାଟ୍ରିକ ଆସିଲେ ଶ୍ରୀଯୁକ୍ତ ।’’

 

‘‘ସୁପ୍ରଭାତ, ଶ୍ରୀଯୁକ୍ତ ତନେଜା ।’’

 

‘‘ସୁପ୍ରଭାତ ଶ୍ରୀଯୁକ୍ତ ପାଟ୍ରିକ ।’’

 

‘‘ଭିତରକୁ ଆସନ୍ତୁ ଶ୍ରୀଯୁକ୍ତ ତନେଜା ।’’ ପାଟ୍ରିକ୍ ଦେଖିଲେ ପଛ ସିଟରେ ବସିଛନ୍ତି କୁମାରୀ ତନେଜା । ‘‘ମୁଁ ବଡ଼ ଦୁଃଖିତ ଶ୍ରୀଯୁକ୍ତ ତନେଜା, ମୁଁ ଲକ୍ଷ୍ୟ କରିପାରି ନଥିଲି କୁମାରୀ ତନେଜାଙ୍କୁ । ସୁପ୍ରଭାତ, କୁମାରୀ ତନେଜା । ଆସନ୍ତୁ ଭିତରକୁ ।’’ ଗାଡ଼ିରେ ଦରଜା ଖୋଲିଦେଲେ ପାଟ୍ରିକ୍ ।

 

‘‘ଆ ମା’, ତୋର ଔଷଧଟା ମୁଁ ଦିଏଁ ତୋତେ ।’’

 

ଶ୍ରୀଯୁକ୍ତ ପାଟ୍ରିକ୍ ଖବର ଦେଲେ ମାର୍ଗାରେଟକୁ । ଆସିଲା ମାର୍ଗାରେଟ । ସାଙ୍ଗରେ ଥିଲା ଛୁଆଟି । କୁମାରୀ ତନେଜାଙ୍କୁ ଦେଖିବା ସଙ୍ଗେ ସଙ୍ଗେ ଆନନ୍ଦରେ ନାଚି ଉଠିଲା ଛୁଆଟି । ‘‘ଗୁଦ୍ ମନିଂ ମମି, ଗୁଦ୍ ମନିଂ ।’’ ତନେଜା କୁଣ୍ଢାଇ ପକେଇଲା ଛୁଆକୁ । ମୁଗ୍‌ଧ ଦୃଷ୍ଟିରେ ଚାହିଁଥିଲେ ଇଞ୍ଜିନିୟର ପାଟ୍ରିକ୍ ଆଉ ଶ୍ରୀଯୁକ୍ତ ତନେଜା ।

 

‘‘ନା, ନା, ମିଷ୍ଟର ପାଟ୍ରିକ । ମୋର ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ମୁଁ ଜଳସ୍ପର୍ଶବି କରିବି ନାହିଁ ଆଜି ।’’ କହିଲେ ଶ୍ରୀଯୁକ୍ତ ତନେଜା । କଣ୍ଠରେ ଥିଲା ଆବେଗ ଓ ଅନୁନୟ-। ସ୍ତମ୍ଭୀଭୂତ ହେଲେ ଶ୍ରୀଯୁକ୍ତ ପାଟ୍ରିକ୍ । ସତେ ଯେମିତି ଆଦେଶ ଅପେକ୍ଷାରେ ଚାହିଁ ରହିଲେ ସେ ଶ୍ରୀଯୁକ୍ତ ତନେଜାଙ୍କର ମୁହଁକୁ ।

 

‘‘ମିଷ୍ଟର ପାଟ୍ରିକ; ମୋ ଝିଅ କ’ଣ ଆପଣଙ୍କର କିଛି ନୁହେଁ ? ମୋ ତୁଳନାରେ ଅବଶ୍ୟ ଆପଣ ବୟସରେ ଯଥେଷ୍ଟ ସାନ । ଝିଅ ହୋଇ ନ ପାରେ, ସେ କ’ଣ ଆପଣଙ୍କର ଭଉଣୀ ନୁହେଁ-? ତା’ପାଇଁ ଆପଣ କ’ଣ କିଛି କରିପାରିବେ ନାହିଁ ? ଓଃ କ’ଣ ହେଇଗଲାଣି ଝିଅଟା ! ଆପଣ କ’ଣ ଏମିତି ନୀରବ ଦର୍ଶକ ହୋଇ ରହିପାରିବେ ?’’ ତନେଜାଙ୍କର ଆଖି ଛଳଛଳ । କଣ୍ଠରେ ଆତୁର ନିବେଦନ ।

 

ପ୍ରତିପତ୍ତିଶାଳୀ, ଅଭିମାନୀ ଶ୍ରୀଯୁକ୍ତ ତନେଜାଙ୍କର ଦୃପ୍ତକଣ୍ଠରେ ଅନୁନୟ । ବ୍ୟାକୁଳତା-। ଅନୁକମ୍ପାରେ ସଜଳ ହେଲା ପାଟ୍ରିକ୍‌ଙ୍କର ନୀଳ ଚକ୍ଷୁ ।

 

‘‘ମୋତେ ବିଶ୍ୱାସ କରନ୍ତୁ ଶ୍ରୀଯୁକ୍ତ ତନେଜା । ମୁଁ କୁମାରୀ ତନେଜାଙ୍କ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ।’’

 

ନୂତନ ଆଶାର ଆଲୋକରେ ଉଜ୍ଜ୍ୱଳ ହେଲା ତନେଜାଙ୍କର ସଜଳ ଚକ୍ଷୁ ।

 

‘‘କହନ୍ତୁ, ମୁଁ କ’ଣ କରିପାରେ କୁମାରୀ ତନେଜାଙ୍କ ପାଇଁ ।’’

 

‘‘ମିଷ୍ଟର ପାଟ୍ରିକ୍ ।’’ ଅଟକିଗଲେ ଶ୍ରୀଯୁକ୍ତ ତନେଜା । ବାଷ୍ପରୁଦ୍ଧ ହେଲା ତାଙ୍କର କଣ୍ଠ ।

 

ଆପଣ ବଡ଼ ଅଭିଭୂତ ହୋଇ ପଡ଼ିଛନ୍ତି ଶ୍ରୀଯୁକ୍ତ ତନେଜା । ଆପଣ ବିଶ୍ୱାସ କରନ୍ତୁ ମୋତେ । କହନ୍ତୁ......। ଚାହିଁ ରହିଲେ ଶ୍ରୀଯୁକ୍ତ ପାଟ୍ରିକ୍ ତନେଜାଙ୍କ ମୁହଁକୁ । ସେ ଜାଣନ୍ତି, ଶ୍ରୀଯୁକ୍ତ ତନେଜା କ’ଣ କହିବେ ତାଙ୍କୁ । ତଥାପି ଅପେକ୍ଷମାନ ତାଙ୍କର ଦୃଷ୍ଟି ।

 

‘‘ମିଷ୍ଟର ପାଟ୍ରିକ୍, ଆପଣ କ’ଣ ଜାଣିନାହାନ୍ତି ଏଇ ପରିତ୍ୟକ୍ତ ଶିଶୁର ପ୍ରକୃତ ମା’ କିଏ-?’’

 

‘‘ମୁଁ ଜାଣେ ଶ୍ରୀଯୁକ୍ତ ତନେଜା । ମୁଁ ଆମୂଳଚୂଳ ସମସ୍ତ ଘଟଣା ଜାଣେ । ମୋତେ ଚେଷ୍ଟା କରି ଜାଣିବାକୁ ହେଇଛି ସବୁ । କିନ୍ତୁ.....ଦରକାର ପଡ଼ୁଥିଲା ଏକ ସାମାନ୍ୟ ସ୍ୱୀକାରୋକ୍ତି । କନଫେସନ୍ । ଜଣେ କାଥୋଲିକ୍ ଭାବରେ, ଏମିତି ଏକ ସ୍ୱୀକାରୋକ୍ତି ଆଶା କରିବା ଏକ ସ୍ୱାଭାବିକ କଥା ଶ୍ରୀଯୁକ୍ତ ତନେଜା । ଏ ଆପଣଙ୍କର ଆଇନ ଓ ବିଚାର ବିଭାଗୀୟ ସ୍ୱୀକାରୋକ୍ତି ନୁହେଁ ଶ୍ରୀଯୁକ୍ତ ତନେଜା । ମୁଁ ଦରକାର କରୁଥିଲି ଗୋଟାଏ ଅନୁତପ୍ତ ଆତ୍ମାର ସ୍ୱୀକାରୋକ୍ତି ।’’

 

‘‘ଆପଣ କ’ଣ ମୋର କନ୍ୟାର ‘ସ୍ୱୀକାର’ ଆବଶ୍ୟକ କରୁଛନ୍ତି ଶ୍ରୀଯୁକ୍ତ ପାଟ୍ରିକ୍ ?’’

 

‘‘ନା, ନା, ଶ୍ରୀଯୁକ୍ତ ତନେଜା । ଥାଉ, ଦରକାର ନାହିଁ ଆଉ କିଛି । ତେବେ....।’’

 

‘‘ଆଉ ତେବେ କ’ଣ ଶ୍ରୀଯୁକ୍ତ ପାଟ୍ରିକ ?’’

 

‘‘ହଠାତ୍ ମାର୍ଗାରେଟକୁ ଛାଡ଼ି ଛୁଆଟା ରହିପାରିବ ନା ନାହିଁ; ସେଇକଥା ଭାବୁଛି ମୁଁ-। ଆପଣ ଯଦି କିଛି ଆପତ୍ତି କରିବେ ନାହିଁ; ତେବେ କୁମାରୀ ତନେଜା ବରଂ ବେଳେ ବେଳେ ଆସି ରହନ୍ତୁ ଏଇଠି ଛୁଆସାଙ୍ଗରେ । ଛୁଆଟା ତାଙ୍କ ସାଙ୍ଗରେ ଆରେଇଗଲା ପରେ.....ହୁଏତ ଖୁବ୍ ଶୀଘ୍ର ଆରେଇଯିବ ଛୁଆଟା । ରକ୍ତର ଆକର୍ଷଣ, ରକ୍ତର ମୋହ ବଡ଼ ଟାଣୁଆ ଶ୍ରୀଯୁକ୍ତ ତନେଜା । ବ୍ଲଡ଼ ଇଜ ଥିକର ଦ୍ୟାନ ଓ୍ୱାଟର ।’’

 

‘‘ମୋର ଆଉ କୌଣସି ଆପତ୍ତି ନାହିଁ ଶ୍ରୀଯୁକ୍ତ ପାଟ୍ରିକ୍ । ମୁଁ ଚାହେଁ ଏକମାତ୍ର କନ୍ୟାର ସୁଖ ଓ ଶାନ୍ତି । ସେ ଏଇଠି କିଛିଦିନ ରହିଗଲେବି ମୋର କିଛି ଆପତ୍ତିର ପ୍ରଶ୍ନ ନାହିଁ ଶ୍ରୀଯୁକ୍ତ ପାଟ୍ରିକ୍ । ଭାଇ ପାଖରେ ରହିବ ଭଉଣୀ, ଗଢ଼ିବା ପାଇଁ ତା’ର ଭବିଷ୍ୟତ ଜୀବନ । ଏଥିରେ ଆଉ ଆପତ୍ତି କରିବି କାହିଁକି ? ଶ୍ରୀଯୁକ୍ତ ତନେଜାଙ୍କର ଛାତିରେ କୋହ–ଆଖିରେ ଲୁହ । ପାଟ୍ରିକ୍‌ଙ୍କ ମନରେ ସତେ ଯେମିତି ଐନ୍ଦ୍ରଜାଲିକ ପ୍ରକ୍ରିୟା । ସତେ ଯେମିତି ଗୋଟାଏ ଅଦୃଶ୍ୟ ଶକ୍ତିର ଇଙ୍ଗିତରେ ପରସ୍ପରକୁ ବାନ୍ଧି ପକେଇଲେ ବାହୁର ନିବିଡ଼ ବନ୍ଧନରେ । ଗୋରା ପିଠିରେ କଳାହାତର ନିବିଡ଼ତା–କଳାଦେହରେ ଗୋରାଦେହର ଉଷୁମ ମାନବିକତାର ଅନିର୍ବଚନୀୟ ଉଷ୍ମତାରେ ବିହ୍ୱଳ ଦୁଇଟି ଆତ୍ମା ।

 

ବମ୍ୱେ ବ୍ୟବସାୟୀ କାରାକ୍‌କାଙ୍କର ବାସଭବନରେ ବସିଛି ଗୁପ୍ତ ବୈଠକ । ସର୍ଦ୍ଦାରଜୀ ଫେରିଆସିଛନ୍ତି କଲିକତାରୁ । ଆଜିର ଗୁପ୍ତ ଆଲୋଚନା ପରେ, ଆରମ୍ଭ ହେବ କାର୍ଯ୍ୟାନୁଷ୍ଠାନ । ନିମନ୍ତ୍ରିତ ହୋଇଛନ୍ତି ନଗରଶାସକ । ତାଙ୍କରବି ସ୍ୱାର୍ଥ ଜଡ଼ିତ ଏଇ ଷଡ଼ଯନ୍ତ୍ରରେ । ଚାଲିଛି ଗୁପ୍ତ ଆଲୋଚନା ।

 

ଠକ୍–ଠକ୍–ଠକ୍–କିଏ ଜଣେ ଆଘାତ ଦେଲା କବାଟରେ । ଚମକି ପଡ଼ିଲେ ଚାରିଜଣ-। ଚାହିଁଲେ ପରସ୍ପରକୁ । ଠକ୍...ଠକ୍...ଠକ୍ । ସର୍ଦ୍ଦାରଜୀ ଖୋଲି ଦେଲେ କବାଟ । ଏକସଙ୍ଗରେ ଧସେଇ ପଶି ଆସିଲେ ପ୍ରାୟ ତିରିଶ ଜଣ ଲୋକ । ସବା ଆଗରେ ଥିଲେ ମାର୍ଗାରେଟ ଓ ଜେସ୍‌ମିନ୍ ।

 

ତଟସ୍ଥ ହୋଇ ଛିଡ଼ା ହୋଇଥିଲେ ଚାରିଜଣ ଗଣ୍ୟମାନ୍ୟ ବ୍ୟକ୍ତି ନଗରଶାସକ, କାରାକ୍‌କା, ବାଜପେୟୀ ଓ ସର୍ଦ୍ଦାରଜୀ । କୌଣସି ପ୍ରକାର ଆକ୍ରମଣର ପ୍ରତିରୋଧ ପାଇଁ ପ୍ରସ୍ତୁତ ନଥିଲେ ସେମାନେ । ଅପ୍ରତ୍ୟାଶିତ ଭାବରେ ବଳିଷ୍ଠ ଓ ତେଜୀୟାନ ଆଦିବାସୀଯୁବକ ଓ ଦୁଇଟି ଯୁବତୀଙ୍କୁ ଦେଖି ବୁଦ୍ଧି ହଜିଗଲା ସେମାନଙ୍କର । ସେମିତି ଛିଡ଼ା ହୋଇରହିଲେ–ନିର୍ବାକ, ନିସ୍ତବ୍‌ଧ । ସର୍ଦ୍ଦାରଜୀଙ୍କ ହୃଦୟରେ କମ୍ପନ । ତେବେ କ’ଣ ଜେସ୍‌ମିନ୍ ଆସିଛି ତା’ର ଜାତିଭାଇଙ୍କ ସଙ୍ଗରେ ପ୍ରତିଶୋଧ ପାଇଁ ? ଏମିତି ବିତିଗଲା ପାଞ୍ଚ ଦଶ ମିନିଟ । ଏକ ବ୍ୟଗ୍ରତାପୂର୍ଣ୍ଣ ନୀରବତା ଭିତରେ; ଶିକାରୀ ବାଘକୁ ଓ ବାଘ ଶିକାରୀକୁ ଛକିଲା ପରି ।

 

‘‘ତୁମ୍ଭେମାନେ ବିନା ଅନୁମତିରେ ମୋ ଘର ଭିତରକୁ ପଶିଚ କାହିଁକି ? କି ଦରକାର ତୁମର ? ଯାଅ, ଚାଲିଯାଅ । ନ ହେଲେ ବାଧ୍ୟ ହୋଇ ପୁଲିସକୁ ଖବର ଦେବି ।’’ କହିଲେ ଶ୍ରୀଯୁକ୍ତ କାରାକ୍‌କା ।

 

‘‘ଅବଶ୍ୟ ଆପଣ ଚେଷ୍ଟା କଲେବି ସେକଥା କରିପାରିବେ ନାହିଁ । ତା’ର ସମସ୍ତ ବ୍ୟବସ୍ଥା ଆମେ କରିସାରିଛୁ ଆଗରୁ ।’’ କହିଲା ଖାଲଖୋ–ଜଣେ ଆଦିବାସୀ ଯୁବକ ।

 

‘‘ଆମେ ଆସିଛୁ ଏକ ମହତ୍ ଉଦ୍ଦେଶ୍ୟ ନେଇ ।’’ ଅଳ୍ପ ହସି କହିଲା ମାର୍ଗାରେଟ୍ ।

 

‘‘ମାନେ ?’’ ଏକସଙ୍ଗରେ ପଚାରିଲେ କାରାକ୍‌କା ସର୍ଦ୍ଦାରଜୀ ଓ ବାଜପେୟୀ । ଧୀର, ଗମ୍ଭୀର ହୋଇ ବସି ପଡ଼ିଥିଲେ ନଗରଶାସକ ।

 

‘‘ଆପଣମାନଙ୍କର ଶ୍ରମ ଲାଘବ କରିବା ପାଇଁ, ଆମେ ଆସିଛୁ ଆପଣମାନଙ୍କ ପାଖକୁ । ଗତଶନିବାର ସନ୍ଧ୍ୟାରେ ଆପଣମାନେ ଠିକ୍ କରିଥିଲେ, ଆମ ଚାରି ଜଣକୁ ହତ୍ୟା କରିବା ପାଇଁ । ତା’ପରେ ସର୍ଦ୍ଦାରଜୀ ଯାଇଥିଲେ କଲିକତା, ସୁଦକ୍ଷ ଗୁଣ୍ଡା ବ୍ୟବସ୍ଥା କରିବା ପାଇଁ । ଫେରିଲେ କାଲି ସନ୍ଧ୍ୟାରେ । ଆଜିର ଏଇ ଗୁପ୍ତବୈଠକ ପରେ, କାଲିଠୁ ଆରମ୍ଭ ହେବ ହତ୍ୟାର ଉଦ୍ୟମ । ଏତେ କଷ୍ଟ କାହିଁକି କରିବେ ? ଆମେ ତ ଆସିଛୁ–ବର୍ତ୍ତମାନ ହତ୍ୟା କରନ୍ତୁ । ବେଶ୍ ସୁବିଧାରେ ଆଉ ବିନାବାଧାରେ, ଆଗେଇଯିବେ ଆପଣମାନେ ।’’ କହିଲା ମାର୍ଗାରେଟ୍ । କୌଣସି ପ୍ରକାର ଉତ୍ତେଜନା ବା ଅସ୍ୱାଭାବିକତା ନଥିଲା ତା’ର ପ୍ରକାଶ ଭଙ୍ଗୀରେ ।

 

‘‘ଏମାନଙ୍କ ସଙ୍ଗରେ ସ୍ୱୟଂ ନଗରଶାସକ । ବଡ଼ ଆଶ୍ଚର୍ଯ୍ୟ ଯୋଗାଯୋଗ ତ !’’ ପଚାରିଲା ଖାଲଖୋ । ନଗରଶାସକ ଚାହିଁଲେ ତା’ ଆଡ଼କୁ ।

 

ଦୀର୍ଘକାୟ ବଳିଷ୍ଠ ଆଦିବାସୀ ଯୁବକ । ଏଇ ଅଜଣା ଆଶଙ୍କାରେ ଶିହରି ଉଠିଲା ତାଙ୍କର ଛାତି । ତଥାପି ଚାହାଣୀରେ ତାଙ୍କର ଫୁଟିଉଠୁଥିଲା ରୁଦ୍ଧ କ୍ରୋଧ ।

 

‘‘କମିଶନର ଅନୁସନ୍ଧାନ ପରେ ସବୁ କଥା ପଦାରେ ପଡ଼ିଯିବ ତ ! ନିଜକୁ ରକ୍ଷାକରିବା ପାଇଁ ନଗରଶାସକବି ସୁଯୋଗ ନେଉଛନ୍ତି ଏକ ହୀନ ଚକ୍ରାନ୍ତର । ଏଇ ସାଧାରଣ କଥାଟା ବୁଝିପାରୁନୁ ତୁ । ବୋକା ଆଦିବାସୀ ତ ! ନୁହେଁ କି ହଜୁର ?’’ କହିଲା ଟପ୍‌ନୋ ଆଉ ଜଣେ ସୁଗଠିତ ବଳିଷ୍ଠ ଆଦିବାସୀ ଯୁବକ ।

 

ସର୍ଦ୍ଦାରଜୀ ଏକ ଦୃଷ୍ଟିରେ ଚାହିଁଥିଲେ ଜେସ୍‌ମିନ୍‌କୁ । ସାମାନ୍ୟ ହସିଲା ଜେସ୍‌ମିନ୍ ।

 

‘‘ମୁଣ୍ଡର ଆଘାତଟା ବୋଧହୁଏ ଆଉ ନଥିବ ସର୍ଦ୍ଦାରଜୀ !’’ ତା’ପରେ ନଗରଶାସକଙ୍କୁ ଲକ୍ଷ୍ୟକରି କହିଗଲା ଜେସ୍‌ମିନ୍ ଅତୀତର ସେହି ଲଜ୍ଜାକର ଘଟଣା ବର୍ଣ୍ଣନା । ଶେଷ କରି କହିଲା, ‘‘ଆଉ, ଘଟଣାଚକ୍ରରେ ମୋରି ବାପଭାଇଙ୍କ ଜମିରେ ସେହି ସର୍ଦ୍ଦାରଜୀ ଆଜି ତୋଳୁଛି କୋଠା, ଆପଣଙ୍କର ମେହେରବାନିରେ ।’’ ଲଜ୍ଜା ଆଉ ଅପମାନରେ ମୁହଁ ପୋତି ହୋଇଗଲା ସର୍ଦ୍ଦାରଜୀଙ୍କର ।

 

‘‘ଏମାନଙ୍କୁ କ’ଣ ଶାସ୍ତି ଦରକାର ନାହିଁ ହଜୁର ?’’ ପଚାରିଲା ମାର୍ଗାରେଟ୍ ।

 

‘‘କିନ୍ତୁ ତୁ ଗୁହାରୀ କରୁଛୁ, ଯାହାକୁ ମୁଁ ଜୁଆଁଇ କରିଛି ତାହାକୁ । ଯେ ଶାସ୍ତି ଦେବା ଲୋକ, ସେ ତାଙ୍କରି ଦଳଭୁକ୍ତ ହୋଇ ଶାସ୍ତି ଦେବାକୁ ବସିଛନ୍ତି ଆମକୁ ।’’–କହିଲା ଟପ୍‌ନୋ ।

 

‘‘ଆଉ ଆମେ ନିଜେ ଚାଲିଆସିଛୁ, ମୁଣ୍ଡପାତି ବହିନେବାକୁ ସେ ଶାସ୍ତି ।’’ କହିଲା ମାର୍ଗାରେଟ୍ ।

 

‘‘ଆଉ ତେବେ ବିଳମ୍ୱ କରୁଛନ୍ତି କାହିଁକି ? ଆରମ୍ଭ କରନ୍ତୁ । ଡାକନ୍ତୁ ଆପଣଙ୍କର କଲକତୀ ଗୁଣ୍ଡାମାନଙ୍କୁ । ସେମାନେବି ତ ମହଜୁଦ ଅଛନ୍ତି ଏଇ ତଳକୋଠରୀରେ । ସର୍ଦ୍ଦାରଜୀ, ବାହାର କରନ୍ତୁ ଆପଣଙ୍କର ଲୋଡ଼େଡ଼୍ ରିଭଲଭର୍ ।’’ କହିଲା ଜେସ୍‌ମିନ୍ । ଅବିଚଳିତ ତା’ର କଣ୍ଠ-

 

ପୁଣି ଏକ ନୀରବତା ।

 

ନୀରବତା ଭଙ୍ଗ କରି କହିଲେ ନଗରଶାସକ, ‘‘କିନ୍ତୁ ତୁମ୍ଭମାନଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ହେଉଛି ବୋଲି କହିଲା କିଏ ? କି ପ୍ରମାଣ ଅଛି ତା’ର ?’’

 

ଓଃ, ଜଣେ ଦକ୍ଷଶାସକ ଓ ବିଜ୍ଞ ବିଚାରପତି ଭାବରେ ଜେରା ଆରମ୍ଭ କରିଛନ୍ତି ଆପଣ-? ମୁଁ ବି ରାଞ୍ଚି ବିଶ୍ୱବିଦ୍ୟାଳୟର ଆଇନଛାତ୍ର ହଜୁର । ସବୁକିଛିର ଚାକ୍ଷୁସ, ପ୍ରତ୍ୟେକ୍ଷ ପ୍ରମାଣ ରହିଛି; କିନ୍ତୁ ସେ ପ୍ରମାଣର ଆବଶ୍ୟକତା ନାହିଁ ଆଜିର ଦରବାରରେ ଏବଂ ଦୁଃଖର ସହିତ ଜଣାଇଦେବାକୁ ହେଉଛି ଯେ, ଆଜିର ଏ ଦରବାରରେ ବର୍ତ୍ତମାନ ପାଇଁ ଆପଣ ଜଣେ ଅପରାଧୀ–ଆସାମୀ; ବିଚାରକ ନୁହନ୍ତି । ନୁହନ୍ତି ଶାସକ । ଅବଶ୍ୟ ଆପଣମାନେ ଆମର ଦାବୀ ଗ୍ରହଣ କରିନେଲେ, ଆପଣଙ୍କୁ ତତ୍‌କ୍ଷଣାତ୍ ଶାସକ ଓ ବିଚାରକର ସମ୍ମାନ ଦେବୁ ଆମ୍ଭେମାନେ । ଆପଣମାନେ ଏଇଠି ବର୍ତ୍ତମାନ ଆମ୍ଭମାନଙ୍କୁ ହତ୍ୟାକରି ବାଟ ସଫା କରନ୍ତୁ ଆପଣମାନଙ୍କର; ଅଥବା ବନ୍ଧୁଭାବରେ, ସହୋଦର ଭାଇ ଭାବରେ ଗ୍ରହଣ କରନ୍ତୁ ଆମର ଦାବୀପତ୍ର । ପରମ ଆନନ୍ଦରେ ମାନିନିଅନ୍ତୁ ବଡ଼ଭାଇର ନିର୍ଦ୍ଦେଶ । ସ୍ୱାକ୍ଷର କରନ୍ତୁ ଚୁକ୍ତିପତ୍ରରେ । ନଗରଶାସକଙ୍କର ଉପସ୍ଥିତିଟା ବାସ୍ତବିକ ଆମ ପକ୍ଷରେ ଏକ ଆଶୀର୍ବାଦ ହେବ, ଯଦି ଆପଣମାନେ ଗ୍ରହଣ କରିନିଅନ୍ତି ଏ ଦାବୀପତ୍ର ।’’ କହିଲା ଟପ୍‌ନୋ ।

 

ମାର୍ଗାରେଟ୍ ବଢ଼ାଇଦେଲା ଚୁକ୍ତିପତ୍ର । ତିନି ଜଣଙ୍କ ହାତକୁ ତିନୋଟି । ଆଉ ଗୋଟିଏ ନଗରଶାସକଙ୍କୁ ।

 

‘‘ସବୁକିଛିର ସମାଧାନ ହୋଇଯିବ ହଜୁର, ଏତିକିରେ । ଶାନ୍ତିପୂର୍ଣ୍ଣ, ସହାବସ୍ଥାନ । ସହଯୋଗ । ତିନୋଟିଯାକ କୋଠା ହେବ ମୂଳ ଜମିମାଲିକ ଓ ବର୍ତ୍ତମାନର ମାଲିକଙ୍କର ଇଜ୍‌ମାଇଲ ସମ୍ପତ୍ତି । ଆମକୁ ଅଂଶୀଦାର ଭାବରେ ଗ୍ରହଣ କରିନେବାକୁ ହେବ । ମୁଣ୍ଡ ଗୁଞ୍ଜିବାକୁ ଜାଗା ଛାଡ଼ି ଦେବାକୁ ହେବ । ପୈତୃକ ସମ୍ପତ୍ତିର ମାଲିକାନା ସ୍ୱତୃରୁ ବଡ଼ଭାଇକୁ ଉଚ୍ଛେଦ କରାଯାଇପାରିବ ନାହିଁ । ସେ ଉଦ୍ୟମ କଲେ ବଡ଼ଭାଇ ଉଦ୍ଧତ, ଉଚ୍ଛୃଙ୍ଖଳ ସାନଭାଇର କାନମୋଡ଼ି ସଜାଡ଼ି ଦେବାକୁ ବାଧ୍ୟ ହେବ । ଧରିତ୍ରୀର ଆଦିସନ୍ତାନ ଆମେ–ବଡ଼ଭାଇ; ଆଉ, କାରାକ୍‌କା, ବାଜପେୟୀ ଓ ସର୍ଦ୍ଦାରଜୀ, ଏମାନେ ସାନପୁଅ । ଆମର ସାନଭାଇ । ବୟସ ଓ ଧନ ଏମାନଙ୍କୁ ପଥଭ୍ରଷ୍ଟ କରିଛି । ଆମେ ସଜାଡ଼ି ଦେବାକୁ ଆସିଛୁ । କ’ଣ ଗ୍ରହଣୀୟ ଏ ଚୁକ୍ତି ?’’–ପଚାରିଲା ମାର୍ଗାରେଟ୍ ।

 

କାରାକ୍‍କାର ମୁହଁରେ ଆଶ୍ୱସ୍ତି ଓ ପରିତୃପ୍ତିର ହସ । ହାତଯୋଡ଼ି ଭାଇ ବୋଲି ସମ୍ୱୋଧନ କଲେ ବାଜପେୟୀ, ଉଚ୍ଛ୍ୱସିତ କଣ୍ଠରେ । ‘‘ତୁ କ’ଣ ମୋତେ କ୍ଷମାକରିବୁ ନାହିଁ ଭଉଣୀ-?’’ ହାତ ଧରିଲେ ସର୍ଦ୍ଦାରଜୀ ଜେସ୍‌ମିନର ।

 

‘‘କାହିଁ ଆଞ୍ଜଲୁସ୍‌ ଆଉ ଜେଭିଅରକୁ ତ ଦେଖି ନାହିଁ ତୁମ୍ଭମାନଙ୍କ ଭିତରେ ?’’ ପଚାରିଲେ ନଗରଶାସକ । ହସିଲା ମାର୍ଗାରେଟ୍‌ । ‘‘ନା, ହଜୁର ! ସେମାନେ କମିଶନର ସଭ୍ୟତା ତେଣୁ ସିଧାସଳଖ ଭାବରେ ଏ ଅଭିଯାନ ସହିତ ସଂପୃକ୍ତ ନୁହନ୍ତି ସେମାନେ; ସେମାନେ ଅଛନ୍ତି ବାହାରେ । ବିଶେଷ ସତର୍କତାର ସହିତ ସେ ଲକ୍ଷ୍ୟ କରୁଛନ୍ତି ଘଟଣାର ଗତିବିଧି ।’’

 

‘‘ଓଃ ।’’ ହସିଲେ ନଗରଶାସକ । ବଡ଼ ନିଖୁଣ ତୁମ୍ଭମାନଙ୍କର କର୍ମଯୋଜନା । ବୁଦ୍ଧିର ଲଢ଼େଇରେ ଜିଣିପାରିଛ ତୁମେ ମାର୍ଗାରେଟ୍‌ । ତେବେ ବର୍ତ୍ତମାନ ସେମାନଙ୍କୁ ତ ଖବର ଦିଆଯାଇପାରେ ।’’ ଆଞ୍ଜଲୁସ୍‌ ଓ ଜେଭିଅର, କାରାକ୍‌କାଙ୍କ ବାସଭବନର ହତା ବାହାରେ ଅପେକ୍ଷା କରୁଥିଲେ କୋଡ଼ିଏ ପଚିଶଜଣ ଆଦିମ ସେନାଙ୍କ ସହ ।

 

ଆଞ୍ଜଲୁସ୍‌, ଜେଭିଅର, ଖାଲଖୋ, ଟପ୍‌ନୋ, ମାର୍ଗାରେଟ୍‌, ଜେସ୍‌ମିନ ଓ ଅନ୍ୟାନ୍ୟ ଆଦିବାସୀ ଯୁବକଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହେଲା ଚୁକ୍ତିପତ୍ର । ହାତ ମିଳେଇଲେ ସମସ୍ତେ । ହାତ ମିଳେଇଲେ ନଗରଶାସକ ଆଦିବାସୀ ଯୁବକଙ୍କ ସଙ୍ଗରେ ।

 

‘‘ପ୍ରତ୍ୟେକ ପ୍ରାନ୍ତରେ ବର୍ତ୍ତମାନ ଏମିତି ସେନା ସବୁ ଗଠିତ ହେଉଛି । କିନ୍ତୁ ସେମାନେ ବଡ଼ ସଂକୀର୍ଣ୍ଣ । ଅରାଜକତା ସୃଷ୍ଟି ସେମାନଙ୍କର ପ୍ରଧାନ ଲକ୍ଷ୍ୟ । ଆପଣମାନଙ୍କର ପନ୍ଥା ଓ ପ୍ରଶସ୍ତ ଉଦାରମାନ ବାସ୍ତବିକ ପ୍ରଶଂସନୀୟ । ଆପଣମାନେ ମୋତେ କିଣି ନେଇଛନ୍ତି । ମୁଁ ଲକ୍ଷ୍ୟ କରିଛି ଆପମାନଙ୍କର ଗତିବିଧି ଓ କାର୍ଯ୍ୟକଳାପ । ମୁଗ୍‌ଧ ହୋଇଛି । ଚମକୃତ ହୋଇଛି । ସଫଳ ହେଉ ଆପଣମାନଙ୍କର ଲକ୍ଷ୍ୟ ।

 

‘‘ତିନୋଟି ସାନଭାଇର ଅନୁରୋଧ ରକ୍ଷା କରି ଆପଣମାନେ ସମସ୍ତେ, ଏଇଠି ରାତ୍ରିଭୋଜନର ନିମନ୍ତ୍ରଣ ରକ୍ଷା କଲେ ବିଶେଷ କୃତଜ୍ଞ ହେବୁ ଆମ୍ଭେମାନେ ।’’ ପାନ, ଭୋଜନ, ମିଳିତ ନୃତ୍ୟ ଓ ସାଦରୀ ଭାଷାର ଉଦ୍ଦାମ ସଂଗୀତରେ ପରିସମାପ୍ତ ହେଲା ସେଦିନର କାର୍ଯ୍ୟକ୍ରମ ।

 

ସତେ କେତେ ବିରାଟ; ପ୍ରଶସ୍ତ ହୃଦୟ ଏ ଜାତିର । ଭାବୁଥିଲେ ନଗରଶାସକ । ଏମାନଙ୍କୁ ପ୍ରବଞ୍ଚିତ କରିବା, ଶୋଷଣ କରିବା ମହାପାପ–ଅନ୍ୟାୟର ଚରମ । ଠିକ୍‌ ଭାବରେ ନିୟନ୍ତ୍ରଣ କରିପାରିଲେ, ଏଇ ବଳିଷ୍ଠ ଜାତିହିଁ ରକ୍ଷା କରିପାରିବ ଏ ଦେଶକୁ ବର୍ତ୍ତମାନର ଜଟିଳ ପରିସ୍ଥିତିରେ । ଏଇ ବଳିଷ୍ଠ ନିର୍ମଳ ଚରିତ୍ର, ସାଧୁସମାଜହିଁ ହେବ ଏ ଜାତିର ପରମ ସମ୍ପଦ–ଏ ଜାତିର ରକ୍ଷା କବଚ-ସ୍ତମ୍ଭ ।

 

ଅପ୍ରତ୍ୟାଶିତ ଭାବରେ ରୋମ୍‌ରୁ ଆହ୍ୱାନ ଆସିଲା । ଫେରିଯିବାକୁ ହେବ ଫାଦାର ଡେଭିଡ଼୍‌ଙ୍କୁ । ଏ ଅଞ୍ଚଳରେ ସେ କଟେଇଛନ୍ତି ପ୍ରାୟ ଅର୍ଦ୍ଧଶତାବ୍ଦୀ । ଦୀର୍ଘ ଅବସ୍ଥାନ ଫଳରେ ଏଇ ଦେଶ, ଏଇ ମାଟି ପ୍ରତି ଆସିଯାଇଛି ତାଙ୍କର ଏକ ମୋହ–ଆକର୍ଷଣ । ଏଇ ମାଟିରେ ସେ ହୁଏତ କରିଥାଆନ୍ତେ ତାଙ୍କର ଶେଷ ଶୟନ । ଏଇ ପବନରେ ହଜିଥାଆନ୍ତା ତାଙ୍କର ଶେଷ ନିଶ୍ୱାସ । ଏହାହିଁ ଥିଲା ତାଙ୍କର ଶେଷ ଇଚ୍ଛା । କେଉଁ ସ୍ଥାନରେ ତାଙ୍କୁ କବର ଦିଆଯିବ, ସେ କଥା ମଧ୍ୟ ସେ ନିର୍ଦ୍ଦିଷ୍ଟ ଭାବରେ କହିସାରିଥିଲେ ତାଙ୍କର ସହକର୍ମୀମାନଙ୍କୁ । ଏଇ ମାଟିର ସରଳ, କଳା ଲୋକଙ୍କୁ ଭାରି ସ୍ନେହ କରୁଥିଲେ ଫାଦାର ଡେଭିଡ଼୍‌ । ଈଶ୍ୱରଙ୍କର ଏଇ ଅବହେଳିତ ସନ୍ତାନଙ୍କର ସେବାରେ ଆନନ୍ଦଲାଭ କରୁଥିଲେ ସେ । ଏମାନଙ୍କର ଭକ୍ତି ଓ ବିଶ୍ୱାସରେ ଜୀବନସାରା ହୋଇଥିଲେ ସେ ଅଭିଭୂତ । ଈଶ୍ୱରଙ୍କ ରାଜ୍ୟର ଏଇ ଅମୃତ-ସନ୍ତାନମାନଙ୍କ ସଙ୍ଗରେ, ଏଇ ପାଣି ପବନରେ ମିଶି ରହିବ ତାଙ୍କର ଆତ୍ମା–ଏ ଆଶା ସଫଳ ହୋଇପାରିଲା ନାହିଁ ଫାଦାର ଡେଭିଡ଼୍‌ଙ୍କର । ଫେରିଯିବାକୁ ହେବ ତାଙ୍କୁ । ଅମାନ୍ୟ କରିପାରିବେ ନାହିଁ ସେ ମହାମାନ୍ୟ ପୋପଙ୍କର ଆଦେଶ ।

 

ଲଣ୍ଡନର ଜଣେ ଲର୍ଡ଼, ବ୍ରିମିଂହାମର ଦୁଇଜଣ ବିଶିଷ୍ଠ ବ୍ୟବସାୟୀ, ଚିକାଗୋ ଓ ନିଉୟର୍କର ଦୁଇଜଣ ଶିଳ୍ପପତି ଥିଲେ ଫାଦର ଡେଭିଡ଼୍‌ଙ୍କର ଡୋନର । ପୃଥିବୀର ଅନୁନ୍ନତ ଅଞ୍ଚଳରେ, ବିଶେଷତଃ ଅନୁନ୍ନତ କାଥୋଲିକ୍‌ମାନଙ୍କର ଶିକ୍ଷାର ଅଗ୍ରଗତି ପାଇଁ ଏମାନେ ଅଜସ୍ର ଅର୍ଥଦାନ କରନ୍ତି । କେବଳ ଫାଦର ଡେଭିଡ଼୍‌ ନୁହନ୍ତି, ଇଂଲଣ୍ଡ ଓ ଆମେରିକାର ମିସନାରୀମାନଙ୍କର ଏମିତି ଅନେକ ସ୍ଥାୟୀ ଡୋନର ଅଛନ୍ତି, ଯେଉଁମାନେ ନିୟମିତଭାବରେ ହଜାର ହଜାର ଟଙ୍କା ଦାନ କରନ୍ତି; ପୃଥିବୀର ଅନୁନ୍ନତ ମାନବ ସଂପ୍ରଦାୟର ଉନ୍ନତି ପାଇଁ । ନିକଟ-ଅତୀତରେ ଫାଦର ଡେଭିଡ଼ ତାଙ୍କର ପୃଷ୍ଠପୋଷାକମାନଙ୍କ ପାଖରୁ ଦାନସୂତ୍ରରେ ଲାଭ କରିଥିଲେ ଲକ୍ଷାଧିକ ଟଙ୍କା । ସେହି ଅର୍ଥ ବିନିଯୋଗରେ ସେ ନିର୍ମାଣ କରାଇଥିଲେ ଏକ ସୁରମ୍ୟ ଦ୍ୱିତଳ ଅଟ୍ଟାଳିକା । ଗୋଟିଏ ସିନିଅର କେମ୍ୱ୍ରିଜ ବିଦ୍ୟାଳୟ ପ୍ରତିଷ୍ଠା କରିବା ଥିଲା ତାଙ୍କର ଉଦ୍ଦେଶ୍ୟ । ଇଂରାଜୀ ଶିକ୍ଷାର ପ୍ରସାର ସଙ୍ଗେ ସଙ୍ଗେ, ଏକ ଆତ୍ମନିର୍ଭରଶୀଳ ଅନୁଷ୍ଠାନ ଭାବରେ ତା’ର ସ୍ଥାୟିତ୍ୱ ଅପ୍ରତିହତ ରହିବ ବୋଲି ତାଙ୍କର ବିଶ୍ୱାସ ଥିଲା । ଜୋହାନ୍‌ସର ନାମାନୁସାରେ ଏହି ଅନୁଷ୍ଠାନକୁ ନାମିତ କରିବାକୁ ପ୍ରସ୍ତାବ ଥିଲା ତାଙ୍କର ଏବଂ ସେ ପ୍ରସ୍ତାବ ମଧ୍ୟ ସମର୍ଥିତ ହୋଇସାରିଥିଲା ବିଶପ୍‌ଙ୍କଦ୍ୱାରା ।

 

ହଠାତ୍‌ ଭାବାନ୍ତର ହେଲା ଫାଦାର ଡେଭିଡ଼୍‌ଙ୍କର । ମତ ପରିବର୍ତ୍ତନ କଲେ ସେ । ସିନିଅର କେମ୍ୱ୍ରିଜ ସ୍କୁଲ ସେ କରିବାକୁ ଯାଉଛନ୍ତି କାହା ପାଇଁ ? କେଉଁମାନେ ପଢ଼ିବେ ସେ ଅନୁଷ୍ଠାନରେ ? ପ୍ରକୃତରେ କ’ଣ ସେମିତି ଏକ ଅନୁଷ୍ଠାନ ପ୍ରତିଷ୍ଠାଦ୍ୱାରା ତାଙ୍କର ପୃଷ୍ଠପୋଷକ ବଦାନ୍ୟ ବ୍ୟକ୍ତିଙ୍କର ଉଦ୍ଦେଶ୍ୟ ଚରିତାର୍ଥ ହେବ ? ସେ ଅନୁଷ୍ଠାନରେ କ’ଣ ଦରିଦ୍ର ଆଦିବାସୀ କାଥୋଲିକ୍‌ ପିଲାମାନେ ପଢ଼ିପାରିବେ ? ତେବେ କ’ଣ କରିବେ ? ଆଉ ମାତ୍ର ସପ୍ତାହକ ପରେ ତାଙ୍କୁ ରୋମ ଯାତ୍ରା କରିବାକୁ ହେବ ।

 

ବହୁ ଚିନ୍ତା ପରେ ସେ କୋଠାଟିକୁ ଦାନ କଲେ ନବପ୍ରତିଷ୍ଠିତ ଆଦିମ ସେନାକୁ । ସେଇଠି ରହିବ ଆଦିମ ସେନାର କାର୍ଯ୍ୟାଳୟ ଏବଂ ଆଦିମ ସେନାର ପ୍ରସ୍ତାବିତ ମୁଖପତ୍ର ମଧ୍ୟ ପ୍ରକାଶିତ ହେବ ସେଇଠି । ଫାଦାର ଡେଭିଡ଼ଙ୍କର ପ୍ରଗାଢ଼ ଉଦ୍ୟମ, ଆର୍ଥିକ ସାହାଯ୍ୟ ଓ ଇଞ୍ଜିନିୟର ପାଟ୍ରିକ୍‌ ଓ ତାଙ୍କର ଜର୍ମାନ ସହକର୍ମୀଗଣଙ୍କର ସାହାଯ୍ୟ-ସହଯୋଗ ଫଳରେ ମାତ୍ର ସପ୍ତାହକ ମଧ୍ୟରେ ସଂପୂର୍ଣ୍ଣ ହୋଇଗଲା ସମସ୍ତ କାମ । ଶ୍ରୀଯୁକ୍ତ ପାଟ୍ରିକଙ୍କର ମଧ୍ୟ ସଂପୂର୍ଣ୍ଣ ହୋଇଛି କାର୍ଯ୍ୟକାଳ । ସ୍ୱଦେଶ ଫେରିଯିବାକୁ ତାଙ୍କୁବି ମିଳିଯାଇଛି ନିର୍ଦ୍ଦେଶ । ସେଥିପାଇଁ ସେ ବି ଲାଗିପଡ଼ିଥିଲେ ମନପ୍ରାଣ ଦେଇ ଆଦିମ ସେନାର ଏକ ମହାନ୍‌ ଲକ୍ଷ୍ୟକୁ ବାସ୍ତବରୂପ ଦେବା ପାଇଁ-। ଆଲିଆସ୍‌ ଟପ୍‌ନୋଙ୍କ ସମ୍ପାଦକରରେ ପ୍ରକାଶଲାଭ କରିବ ଆଦିମ ସେନାର ମୁଖପତ୍ର–‘ଶଙ୍ଖଧ୍ୱନି-।’

 

ଆଜି ଉଦ୍‌ଘାଟନ ଦିବସ । ଅତି ଆଧୁନିକ ଧରଣର ସ୍ୱୟଂଚାଳିତ ଛାପାକଳ । ନିଖୁଣ ପ୍ରିଣ୍ଟିଂ । ‘ଶଙ୍ଖଧ୍ୱନି’ର ପ୍ରଥମ ସଂଖ୍ୟାର ମୁଦ୍ରଣବି ସୁନ୍ଦର ଭାବରେ ସମ୍ପାଦିତ ହୋଇଛି । ଏକକାଳୀନ ତିନୋଟି ସଂସ୍କରଣ । ସଦରୀ ଭାଷାରେ ପ୍ରକାଶିତ ‘ଶଙ୍ଖଧ୍ୱନି’ର ଓଡ଼ିଆ ଲିପିର ସଂସ୍କରଣ; ଏହି ଦେବନାଗରୀ ଲିପିର ସଂସ୍କରଣ ଏବଂ ଆଉ ଏକ ସ୍ୱତନ୍ତ୍ର ଇଂରାଜୀ ସଂସ୍କରଣ ଉତ୍ସବକୁ ମୁଖ୍ୟ ଅତିଥିଭାବରେ ନିୟନ୍ତ୍ରିତ ହୋଇଛନ୍ତି ଫାଦର ଡେଭିଡ଼୍‌ ଓ ଇଞ୍ଜିନିୟର ପାଟ୍ରିକ୍‌ । ଉଦ୍‌ଘାଟନ କରିବେ ନଗରଶାସକ । ମୁଖ୍ୟବକ୍ତା ଭାବରେ ନିମନ୍ତ୍ରିତ ହୋଇଛନ୍ତି ବମ୍ୱେର ଜଣେ ବିଶିଷ୍ଟ ସାମ୍ୱାଦିକ । ଅବଶ୍ୟ ସେ ବର୍ତ୍ତମାନ ଅବସ୍ଥାନ କରୁଛନ୍ତି ଶିଳ୍ପନଗରୀରେ । ଏହି ବିରାଟ ଶିଳ୍ପାୟତନର ପ୍ରଭାବ ଏବଂ ଶିଳ୍ପନଗରୀର ସାମାଜିକ ଓ ନୈତିକ ଜୀବନ ସମ୍ୱନ୍ଧରେ ପ୍ରତ୍ୟକ୍ଷ ଜ୍ଞାନ ଓ ଅଭିଜ୍ଞତା ଲାଭ ଉଦ୍ଦେଶ୍ୟରେ ସେ କିଛିକାଳ ହେଲା ଅବସ୍ଥାନ କରୁଛନ୍ତି ଏହି ଜଗତ୍‌ବିଖ୍ୟାତ ଶିଳ୍ପନଗରୀରେ । ଆନ୍ତର୍ଜାତିକ ପ୍ରସିଦ୍ଧି ଓ ପ୍ରସାର ଥିବା ଏକ ଇଂରାଜୀ ସାପ୍ତାହିକର ସେ ହେଉଛନ୍ତି ସ୍ୱନାମଧନ୍ୟ ସମ୍ପାଦକ । ଅତୀତରେ ତାଙ୍କରି ଲେଖନୀ-ନିଃସୂତ ଏକ ଟିପ୍‌ପଣୀ ସୃଷ୍ଟି କରିଥିଲା ଆନ୍ତର୍ଜାତିକ ପ୍ରତିକ୍ରିୟା । ଦୁଇଟି ସଂପ୍ରଦାୟର ନୈତିକତା ସମ୍ୱନ୍ଧରେ ଏହି ସମ୍ପାଦକଙ୍କ । ମନ୍ତବ୍ୟ ସୃଷ୍ଟି କରିଥିଲା ସନ୍ଦେହ । ଆଙ୍କିଥିଲା ବିରାଟ ଏକ ପ୍ରଶ୍ନବାଚୀ । ସେ ଆଜିର ଉତ୍ସବର ମୁଖ୍ୟବକ୍ତା । ଉଦ୍‌ଘାଟନପର୍ବ ପରେ ଆରମ୍ଭ ହେବ ବିଦାୟ ସମ୍ୱର୍ଦ୍ଧନା । କାଲି ସକାଳୁ ବିଦାୟ ନେବେ ଫାଦର ଡେଭିଡ଼୍‌ ଓ ଇଞ୍ଜିନିୟର ପାଟ୍ରିକ । ଜଣେ ଯିବେ ରୋମ ଓ ଆଉ ଜଣେ ବର୍ଲିନ । ସ୍ୱତନ୍ତ୍ର ବିମାନଯୋଗେ ଯାତ୍ରା । ସବୁକିଛିର ବ୍ୟବସ୍ଥା ସରିଛି । ଅନ୍ୟାନ୍ୟ ବହୁ ନିମନ୍ତ୍ରିତଙ୍କ ମଧ୍ୟରେ ସ୍ଥାନୀୟ ସାମ୍ୱାଦିକ, ବ୍ୟବସାୟୀ କାରାକ୍‌କା, ବାଜପେୟୀ, ସର୍ଦ୍ଦାରଜୀ ଶ୍ରୀଯୁକ୍ତ ମାଲହୋତ୍ରା ଓ କୁମାରୀ ତନେଜାଙ୍କ ନାମ ବିଶେଷ ଉଲ୍ଲେଖଯୋଗ୍ୟ । କୁମାରୀ ତନେଜାଙ୍କ କୋଳରେ ବସିଥିଲା ଛୁଆଟିଏ । ସୌନ୍ଦର୍ଯ୍ୟବର୍ଦ୍ଧନ କରୁଥିଲା ତାଙ୍କର । ତାଙ୍କ ପାଖକୁ ଲାଗି ବସିଥିଲା ଆୟା ମାର୍ଗାରେଟ୍‌ । ମାର୍ଗାରେଟ୍‌କୁ ଲାଗି ବସିଥିଲେ ଶ୍ରୀଯୁକ୍ତ ମାଲହୋତ୍ରା ଓ ଶ୍ରୀମତୀ ତନେଜା । ଆଦିମ ସେନାର ସଭ୍ୟଗଣଙ୍କ ପ୍ରଯତ୍ନର ସମବେତ ହୋଇଥିଲେ ସହସ୍ରାଧିକ ଆଦିବାସୀ । ଉଦ୍‍ଘାଟନ ଓ ବିଦାୟ ସମ୍ବର୍ଦ୍ଧନାର ପାରମ୍ପରିକ ରୀତିର ଆରମ୍ଭ ହେଲା ଭାଷଣ । ବିଶେଷ କିଛି କହିପାରିଲେ ନାହିଁ ଫାଦାର ଡେଭିଡ଼୍‍ । ବାଷ୍ପରୁଦ୍ଧ ହେଲା ତାଙ୍କର କଣ୍ଠ । ତେବେ ପ୍ରଖ୍ୟାତନାମା ଲେଖକ ଫାଦାର ଡେଭିଡ଼୍‍ ଲିପିବଦ୍ଧ କରିଛନ୍ତି ତାଙ୍କର ଦୀର୍ଘ ପଚାଶବର୍ଷର ଅଭିଜ୍ଞତା । ଆଦିସେନାର ମୁଖପତ୍ର ‘ଶଙ୍ଖଧ୍ୱନି’ରେ ଧାରାବାହିକଭାବେ ପ୍ରକାଶ ପାଇବ ତାଙ୍କର ଅନୁଭୂତି । ଅଭିଭୂତ ହୋଇ ପଡ଼ିଥିଲେ ଇଞ୍ଜିନିୟର ପାଟ୍ରିକ । କି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ! କେବଳ ଲୌକିକତା ନୁହେଁ । ଗଭୀର ଆନ୍ତରିକତାରେ ସରସ । ମାନବିକତାର ସମ୍ବେଦନଶୀଳ ସ୍ପର୍ଶରେ କୋମଳ-ଉଜ୍ଜ୍ୱଳ । ସେ ବି କହିପାରିଲେ ନାହିଁ ବିଶେଷ କିଛି । ଭାବାକୁଳ ପାଟ୍ରିକ ରୁମାଲ୍‌ରେ ଲୁହ ପୋଛି ପୋଛି ଆସନ ଗ୍ରହଣ କଲେ । ଏହି ଅଞ୍ଚଳର ଉପେକ୍ଷିତ ଆଦିବାସୀମାନଙ୍କର କୃଷିର ବୈପ୍ଳବିକ ପରିବର୍ତ୍ତନ ପାଇଁ ଆବଶ୍ୟକ ସମସ୍ତ ଉପକରଣର ଆଶୁ ବ୍ୟବସ୍ଥା ପାଇଁ ପ୍ରତିଶ୍ରୁତି ଦେଲେ ଇଞ୍ଜିନିୟର ପାଟ୍ରିକ୍‌ ଏବଂ ଏଥିପାଇଁ ଅବିଳମ୍ୱେ ଶ୍ରୀଯୁକ୍ତ କାରାକ୍‌କା ଓ ଆଞ୍ଜଲୁସ ବା ଜେଭିଅରକୁ ବର୍ଲିନ ଯାତ୍ରା ପାଇଁ ଅନୁରୋଧ କରିଥିଲେ ।

 

ପରିଶେଷରେ ବମ୍ୱେର ପ୍ରଖ୍ୟାତ ସାମ୍ୱାଦିକଙ୍କର ଭାଷଣ । ଇସ୍ପାତ ନଗରୀରେ ଅବସ୍ଥାନ, ସ୍ଥାନୀୟ ସମସ୍ତ ଅନୁଷ୍ଠାନ ସହିତ ପ୍ରତ୍ୟକ୍ଷ ସଂପର୍କ ସ୍ଥାପନ, ଫାଦାର ଡେଭିଡ଼୍‌ଙ୍କ ପରି ଜଣେ ନିରପେକ୍ଷ ଜ୍ଞାନୀ; ସୁଲେଖକଙ୍କର ସାହଚର୍ଯ୍ୟ, ଗବେଷଣା, ଅନୁସନ୍ଧାନ, ଅନୁଧ୍ୟାନ ପରେ ସାମ୍ୱାଦିକ ଠିକ୍‌ ଭାବରେ ବୁଝିପାରିଛନ୍ତି ସମସ୍ତ ସମସ୍ୟା ଓ ଘଟଣା । ଇଞ୍ଜିନିଅର ପାଟ୍ରିକ୍‌ଙ୍କ ସହିତ ତାଙ୍କର ପ୍ରଥମ ପରିଚୟ ଓ ଆଳାପ ପରେ, ସାମ୍ୱାଦିକଙ୍କୁ ସେ ଉପହାର ଦେଇଥିଲେ ଗୋଟିଏ ଆଲ୍‌ବମ୍‌ । ଶିଳ୍ପନଗରୀରେ ଦୀର୍ଘ ଅବସ୍ଥାନ ମଧ୍ୟରେ ସେ ଉଠେଇଛନ୍ତି ବହୁଚିତ୍ତାର୍ଷକ ଫଟୋ । ଗୁଡ଼ିଏ ସଂଗ୍ରହ କରିଛନ୍ତି ଅନ୍ୟମାନଙ୍କ ପାଖରୁ । ସବୁଗୁଡ଼ିକ ଧାରାବାହିକ ଓ ଶୃଙ୍ଖଳିତ ଭାବରେ ସନ୍ନିବେଶିତ ହୋଇଥିଲା ସେହି ଆଲ୍‌ବମ୍‌ର । ସ୍ଥାନୀୟ ବିଭିନ୍ନ କ୍ଲବ, ସାଂସ୍କୃତିକ ଅନୁଷ୍ଠାନ, ପାର୍ଟି, କାର୍ଯ୍ୟକ୍ରମର ଫଟୋ ସନ୍ନିବେସିତ ହୋଇଥିଲା ସେଥିରେ । କିରାଣୀ, ଅଫିସର, ଇଞ୍ଜିନିୟର, ଶ୍ରମିକମାନଙ୍କର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ବିଭାଗର ଫଟୋ । ସଭା, ସମିତି, ଶୋଭାଯାତ୍ରା, ପର୍ବପର୍ବାଣିର ବିଭିନ୍ନ ଦିଗର ନିଖୁଣ ଆଲେଖ୍ୟ ସାଙ୍ଗକୁ ରହିଥିଲା ସେଇ ଆଲ୍‌ବମ୍‌ରେ, ଶୀତକାକରରେ ଶିଳ୍ପନଗରୀର ପ୍ରଶସ୍ତ ବଡ଼ଦାଣ୍ଡର ଫୁଟଫାଥ୍‍ରେ କ୍ଳାନ୍ତ ଅବସନ୍ନ ଦେହ ଲୋଟେଇ ଦେଇଥିବା ଶହ ଶହ ଅର୍ଦ୍ଧନଗ୍ନ ବୁଭୁକ୍ଷୁର ଫଟୋ । ଥିଲା ସେଇଠି ଶିଳ୍ପନଗରୀର ଜାତୀୟପଥରେ ବାସଚ୍ୟୁତ ଆଦିବାସୀ ରିକ୍‌ସାବାଲା; ଆଧୁନିକ ତରୁଣ-ତରୁଣୀର ଗତିବିଧି ଓ ଭାବଭଙ୍ଗୀ । ପ୍ରମୋଦଉଦ୍ୟାନ ବା ଶିଳ୍ପନଗରୀର ନନ୍ଦନକାନନରେ ତରୁଣ ତରୁଣୀଙ୍କର ଆଧୁନିକତାର ଆଲେଖ୍ୟ ଖୁବ୍‌ ଯତ୍ନ ସହକାରେ ସନ୍ନିହିତ କରିଥିଲେ ଶ୍ରୀଯୁକ୍ତ ପାଟ୍ରିକ୍‌ ତାଙ୍କର ସେଇ ଆଲବମ୍‌ଟିରେ । ଆଉ ଠିକ୍‌ ସେଗୁଡ଼ିକ ସାଙ୍ଗକୁ ଯୋଡ଼ି ରଖିଥିଲେ ଇଞ୍ଜିନିୟର ପାଟ୍ରିକ୍‌, ସ୍ଥାନୀୟ ଓ ଆଖପାଖର ଆଦିବାସୀ ଧାଂଡ଼ା ଧାଂଡ଼ିମାନଙ୍କର ଜୀବନର ଚିତ୍ରପଟ । ଅର୍ଥନୈତିକ, ସାମାଜିକ ନୈତିକ ଓ ସାଂସ୍କୃତିକ ଜୀବନ ଉପରେ ଏହି ଶିଳ୍ପାନୁଷ୍ଠାନର ପ୍ରଭାବ ସମ୍ୱନ୍ଧରେ ଗବେଷଣା ପାଇଁ ଯଥେଷ୍ଟ ସାହାଯ୍ୟ କରିଥିବା ସାମ୍ୱାଦିକ ମହୋଦୟଙ୍କୁ, ଇଞ୍ଜିନିୟର ପାଟ୍ରିକଙ୍କର ଏହି ଅମୂଲ୍ୟ ଆଲବମ୍‌ ।

 

ସାମ୍ୱାଦିକ ମହୋଦୟ, ଅତୀତରେ ତାଙ୍କର ‘ସାପ୍ତାହିକ’ରେ ପ୍ରକାଶିତ ସମ୍ପାଦକୀୟ ଟିପ୍‌ପଣୀ ପାଇଁ ଗଭୀର ଦୁଃଖପ୍ରକାଶ ସଙ୍ଗେ ସଙ୍ଗେ କ୍ଷମାପ୍ରାର୍ଥନା କରିଛନ୍ତି । ସାମ୍ୱାଦିକତା ମାଧ୍ୟମରେ ସ୍ଥାନୀୟ ଆଦିବାସୀମାନଙ୍କର ସମସ୍ୟାର ସମାଧାନ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ପ୍ରକାର ଉଦ୍ୟର କରିବାକୁ ଦେଇଛନ୍ତି ପ୍ରତିଶ୍ରୁତି । ଶିଳ୍ପାନୁଷ୍ଠାନର ପ୍ରଭାବ ସମ୍ୱନ୍ଧରେ ତାଙ୍କର ଗବେଷଣା ହୁଏତ ତାଙ୍କର ନିଜ ପତ୍ରିକାରେ ପ୍ରକାଶ କରି ବହୁମାତ୍ରାରେ ତା’ର ପ୍ରସାର ବଢ଼ାଇ ଥାଆନ୍ତେ । ତାହାହିଁ ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ।

 

ତେବେ ସେ ମତ ପରିବର୍ତ୍ତନ କରିଛନ୍ତି । ତାଙ୍କର ସେଇ ଲେଖାଗୁଡ଼ିକ ଓ ଇଞ୍ଜିନିୟର ପାଟ୍ରିକ୍‌ଙ୍କ ଆଲ୍‌ବମ୍‌ର କେତେଗୁଡ଼ିଏ ବିଶେଷ ଚିତ୍ତାକର୍ଷକ ଫଟୋ, ଧାରାବାହିକ ଭାବରେ ‘ଶଙ୍ଖଧ୍ୱନି’ରେ ପ୍ରକାଶନ ପାଇଁ ସେ ଘୋଷଣା କରିଛନ୍ତି । ପରିଶେଷରେ ସ୍ଥାନୀୟ ସମ୍ୱାଦଦତାମାନଙ୍କୁ ଏକ ଚେତାବନୀ ଶୁଣାଇ ‘ଶଙ୍ଖଧ୍ୱନି’ର ସଫଳତା କାମନା କରିବା ସଙ୍ଗେ ସଙ୍ଗେ ବ୍ୟକ୍ତିଗତ ଆକ୍ରୋଶ ଏବଂ ଗୋଷ୍ଠୀଗତ ଓ ଆଞ୍ଚଳିକ ସଂକୀର୍ଣ୍ଣତାର ଅଗ୍ନିଶିଖା ଯେପରି ଶଙ୍ଖଧ୍ୱନିରେ ପ୍ରଜ୍ଜ୍ୱଳିତ ନ ହୁଏ, ସେଥିପାଇଁ ବିଶେଷ ସତର୍କତା ଅବଲମ୍ୱନ କରିବାକୁ ଉପଦେଶ ଦେଇ ଆସନ ଗ୍ରହଣ କରିଥିଲେ ।

 

ଧନ୍ୟବାଦ ଅର୍ପଣ, କୃତଜ୍ଞତା ଜ୍ଞାପନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ । ଲୋକନୃତ୍ୟ, ଆଦିବାସୀ ତରୁଣ-ତରୁଣୀଙ୍କର ମିଳିତ ନୃତ୍ୟ ଓ ସାଦରୀ ଭାଷାର ମନୋରମ ସଙ୍ଗୀତ ପରେ ଉଦ୍‌ଯାପିତ ହେଲା ଉତ୍ସବ ।

 

ଇସ୍ପାତନଗରୀରେ ଇଞ୍ଜିନିୟର୍‌ ପାଟ୍ରିକଙ୍କର ଶେଷରାତ୍ର । ବିଦାୟ ରଜନୀ । ବିତିସାରିଛି ସାରା ରାତି ମାର୍ଗାରେଟ୍‌ ସହିତ ଆଳାପରେ । ଗମ୍ଭୀର, ମିତଭାଷୀ ପାଟ୍ରିକ ଆଜି ମୁଖର । ମୃତଦାର ପାଟ୍ରିକ୍‌ ଆଜି କହି ଚାଲିଛନ୍ତି ତାଙ୍କର ବିଚ୍ଛେଦକାତର ହୃଦୟର ଅକୁହା କଥା । ମାର୍ଗାରେଟ୍‌ ଖାଲି ଶୁଣିଛି । କ’ଣ କହିବ ସେ ଇଞ୍ଜିନିୟର ପାଟ୍ରିକ୍‌ଙ୍କୁ । ଭାଷା କାହିଁ ତା’ର ? ମୃତଦାର ପାଟ୍ରିକ୍‌ ମୁହଁରୁ ସେ ଯେତିକି ଶୁଣିଛି, ତାଙ୍କର ଦରଦ ସେତିକି ମନେପଡ଼ିଛି ତା’ର ଅତୀତ ଜୀବନର ପ୍ରତିଟି ଘଟଣା-। ବାପ-ମା-ସ୍ୱାମୀ-ଭାଇ, ପାଖ ପଡ଼ିଶା ଆଉ ଶିଳ୍ପନଗରୀର ଆଧୁନିକ ସଭ୍ୟ ସମାଜ ସବୁ ମନେପଡ଼ିଛି ତା’ର । ମନେପଡ଼ିଛି ଇଞ୍ଜିନିୟର ପାଟ୍ରିକ୍‌ଙ୍କ ସହିତ ତା’ର ପ୍ରଥମ ସାକ୍ଷାତ-ପରିଚୟ-ସାନିଧ୍ୟ-ସାହଚର୍ଯ୍ୟ-ଆଳାପ ସବୁ କିଛି । ଘୁଙ୍ଗାଳି ହେଉଛି ତା’ର ଛାତି ଭିତରଟା । କେଉଁ ଏକ ଭିଣାଳୀର ଗୋଟାଏ ଅତି ରୁକ୍ଷ କର୍କଶ ଅଦେଖା ହାତ ସତେ ଯେମିତି ଟିକିଟିକି କରି ଭିଣି ପକାଉଛି ମାର୍ଗାରେଟ୍‌ର ଛାତି ଭିତରଟାକୁ । ଇଞ୍ଜିନିୟର ପାଟ୍ରିକ୍‌ ଚାଲିଯିବେ; ଆଉ ଫେରିବେ ନାହିଁ-। ରାତିଟା ପାହିଗଲେ ସେ ଚାଲିଯିବେ ତାଙ୍କ ଦେଶକୁ । ଓଃ, ରାତିଟା ଆଉ ନ ପାହାନ୍ତା କି ! ଯୁଗ ଯୁଗ ଧରି ରହିଥାଆନ୍ତା କି ଏଇ ରାତିଟା ! ମିଳେଇ ଯାଆନ୍ତା କି ଏଇ ରାତିଟା ପରିଶେଷରେ ଅନନ୍ତ କାଳଗର୍ଭରେ, ବକ୍ଷରେ ଧରି ଦୁଇଟି ଶ୍ରାନ୍ତ ପଥିକ ପାଟ୍ରିକ୍‌ ଓ ମାର୍ଗାରେଟ୍‌କୁ ।

 

ଆୟା ମାର୍ଗାରେଟ୍‌ ଓ ଇଞ୍ଜିନିୟର ପାଟ୍ରିକ୍‌ । ଗୋଟିଏ ଘରେ ବିତି ଯାଇଛି ଅଗଣିତ ରାତି । କେତେ କେତେ ନୀରବ ନିର୍ଜନ ମୁହୂର୍ତ୍ତ । ଅଗଣିତ ଗୋପନ ବିଜନବେଳା । ବହୁବାର କାଟିଛି ସ୍ପର୍ଶର ଲାଳସା । ଦୁଇଟି ହୃଦୟରେ ଆସିଛି ପରସ୍ପରକୁ ନିବିଡ଼ ବନ୍ଧନରେ ବାନ୍ଧି ରଖିବାର ଆକୁଳ ଆବେଗ । ଅଦେଖା ହାତର ବାରଣ ସୃଷ୍ଟି କରିଛି ବ୍ୟବଧାନ । ଦୂରେଇ ଯାଇଛନ୍ତି । ମଣିଷ ମନର ସହଜାତ ପ୍ରବୃତ୍ତି ଦେହର ଆଦିମ ବାସନାର ହା-ହୁତାଶର ଜ୍ୱାଳାକୁ ଉପଶମ କରିଛନ୍ତି ସେମାନେ ବାତ୍ସଲ୍ୟ ମମତାର ସ୍ୱର୍ଗୀୟ ପ୍ରଲେପରେ । ବାନ୍ଧିରଖିବାର ଲାଳସାକୁ ଚରିତାର୍ଥ କରିଛନ୍ତି ଶିଶୁଟିକୁ କୋଳକୁ ନେଇ । ଅଜସ୍ର ଚୁମ୍ୱନରେ ଶିଶୁଟିକୁ ବ୍ୟସ୍ତ ଚକିତ କରି ପରିତୃପ୍ତ କରିଛନ୍ତି ଛାତି ତଳର ଛପିଲା ବାସନା । ଆଜି ଶେଷ ରାତ୍ରି । ଶିଶୁଟି ବର୍ତ୍ତମାନ କୁମାରୀ ତନେଜା ମାଲହୋତ୍ରା ଓ ଶ୍ରୀମତୀ ତନେଜା ପାଖରେ । ବିଦାୟ ସମ୍ୱର୍ଦ୍ଧନାର ପରେ ପରେହିଁ ତନେଜା ମାଲହୋତ୍ରା ଓ ଶ୍ରୀମତୀ ତନେଜା ନେଇ ଯାଇଛନ୍ତି ତାଙ୍କ ପାଖକୁ । ବଡ଼ ଛିନ୍ନ ଛଡ଼ା ବୋଧ ହେଉଛି ମାର୍ଗାରେଟ୍‌କୁ-। ତଥାପି...ଢଳି ପଡ଼ିନି ମାର୍ଗାରେଟ୍‌ ନିଝୁମ୍‌ ରାତିରେ ଇଞ୍ଜିନିୟର ପାଟ୍ରିକ୍‌ଙ୍କ ଛାତିରେ-। ହୃଦୟର ଉଦ୍ଦାମ ଉତ୍ତେଜନା, ଗଭୀର ଆକର୍ଷଣ ଓ ମମତାର ଅଜେୟ ପ୍ରଭାବରେ ଅଭିଭୂତ ହୋଇ ଏହି ବିଜନ ଗୋପନ ବେଳାରେବି ପାଟ୍ରିକ୍‌ ଟାଣି ଟାଣି ନାହାନ୍ତି ମାର୍ଗାରେଟ୍‌କୁ ନିଜ କୋଳକୁ । ସାନିଧ୍ୟ ଓ ସାହଚର୍ଯ୍ୟ ଭିତରେବି ସତେ ଯେମିତି ରହିଯାଇଥିଲା ଗୋଟାଏ ବିରାଟ ବ୍ୟବଧାନ । କିଏ ଜାଣେ, ଭବିଷ୍ୟତର ନୀରବ ନିଃସଙ୍ଗ ମୁହୂର୍ତ୍ତରେ ଜାଳିପୋଡ଼ି ଦେବା ପାଇଁ ନା ଏଇ ସଂଯତ ଶିହରଣରେ ନିର୍ମଳ ଆନନ୍ଦରେ ରସାପ୍ଳୁତ ହେବା ପାଇଁ ।

 

ଇଞ୍ଜିନିୟର ପାଟ୍ରିକ୍‌ ଓ ଫାଦର ଡେଭିଡ଼୍‌ଙ୍କୁ ଶେଷ ବିଦାୟ ଦେବା ପାଇଁ ଆସିଛି ମାର୍ଗାରେଟ୍‌ । ଆସିଛନ୍ତି ଆଦିମ ସେନାର ସମସ୍ତ ସଭ୍ୟା । ଫାଦର ଡେଭିଡ଼ଙ୍କୁ ତାଙ୍କ ଗାଡ଼ିରେ ଆଣିଛି ଜେଭିଅର୍‌ । ଆଞ୍ଜଲୁସ୍‌ ଆଣିଛି ପାଟ୍ରିକ୍‌ଙ୍କୁ । ଗାଡ଼ି ଦୁଇଖଣ୍ଡ ରହିଯିବ ଏଇଠି । ଡେଭିଡ଼୍‌ ଦାନ କରିଛନ୍ତି ଗାଡ଼ି ଖଣ୍ଡିକ ଆଦିମ ସେନାକୁ । ପାଟ୍ରିକ୍‌ ଗାଡ଼ି ସମେତ ତାଙ୍କର ସମସ୍ତ ସଞ୍ଚୟ, ଆସବାବପତ୍ର ଛାଡ଼ି ଯାଇଛନ୍ତି ମାର୍ଗାରେଟ୍‌ ପାଇଁ । ସମସ୍ତେ ରୁଣ୍ଡ ହୋଇଛନ୍ତି ବିମାନଘାଟୀରେ । ଶେଷ ବିଦାୟ ଦେବେ ଫାଦର ଡେଭିଡ଼୍‌ ଆଉ ଇଞ୍ଜିନିୟର ପାଟ୍ରିକଙ୍କୁ । ଆସିଗଲାଣି ଶେଷ ସମୟ-। ଆଉ ମାତ୍ର କୋଡ଼ିଏ ମିନିଟ୍‌ ।

 

ପାଟ୍ରିକ୍‌ ଚାହିଁଲେ ଚାରିଆଡ଼େ । ଖୋଜିଲା ଖୋଜିଲା ଆଖି । ‘‘ମାର୍ଗାରେଟ୍‌, ମିଷ୍ଟର ମାଲହୋତ୍ରା, ମିସ୍‌ ତନେଜା ବନାମ ମିସେସ୍‌ ମାଲହୋତ୍ରା ଓ ମାଷ୍ଟର ମାଲହୋତ୍ରା କାହାନ୍ତି ? ମୁଁ ତୋତେ କହିନି ବୋଧହୁଏ, ସେମାନେବି ଯିବେ ମୋ ସଙ୍ଗରେ ଶିଶୁପୁତ୍ରକୁ ସଙ୍ଗରେ ଧରି । ସେମାନଙ୍କର ବର୍ଲିନଯାତ୍ରା ପାଇଁ ବହୁ ଆଗରୁ ବ୍ୟବସ୍ଥା କରାହୋଇଛି ମାର୍ଗାରେଟ୍‌ । ସେମାନେ ବର୍ଲିନରେ ରହିବେ ଅଧ୍ୟୟନ ଓ ଗବେଷଣା କରିବା ପାଇଁ । କିନ୍ତୁ କାହିଁ, ସେମାନଙ୍କର ଦେଖା ନାହିଁ ଯେ !’’ ଠିକ୍‌ ସେତିକି ବେଳକୁ ପହଞ୍ଚିଲା ଶ୍ରୀଯୁକ୍ତ ତନେଜାଙ୍କର ଗାଡ଼ି । ‘‘ଆପଣମାନେ ବଡ଼ ଦୀର୍ଘଜୀବୀ ମିଷ୍ଟର ଆଣ୍ଡ୍‌ ସିସେସ୍‌ ମାଲହୋତ୍ରା । ଏଇ ତ ଆପଣମାନଙ୍କର ନାମ ସ୍ମରଣ କରୁଥିଲି ମାର୍ଗାରେଟ୍‌ ଆଗରେ ।’’ ଲାଜରେ ଝାଉଁଳି ପଡ଼ିଲେ କୁମାରୀ ତନେଜା । ‘‘ଆୟୋ’’ ଆୟୋ, କହି ଧାଇଁ ଆସିଲା ଛୁଆଟା ମାର୍ଗାରେଟ୍‌ ପାଖକୁ । ଭିଡ଼ି ଧରିଲା ମାର୍ଗାରେଟ୍‌ ଛୁଆଟିକୁ । ରକ୍ତସମ୍ପର୍କ ତା’ର ନାହିଁ ଏଇ ଶିଶୁଟି ସଙ୍ଗରେ, ତଥାପି କି ଗଭୀର ସେ ଆକର୍ଷଣ । ଗର୍ଭରେ ଧାରଣ କରିନି ସେ ଏଇ ଶିଶୁକୁ; ତଥାପି ଥିଲା ତା’ର ମାତୃହୃଦୟର ସମସ୍ତ ଆବେଗ–ସମସ୍ତ ଆକୁଳତା ।

 

ଶେଷ ବିଦାୟ ନେଲେ ଇଞ୍ଜିନିୟର ପାଟ୍ରିକ । ଆଉ ସମ୍ଭାଳି ପାରିଲେ ନାହିଁ କୋହ । ଆଖିରେ ଅଶ୍ରୁର ପ୍ଳାବନ । ଜୀବନରେ ପ୍ରଥମ ଓ ଶେଷଥର ପାଇଁ ମାର୍ଗାରେଟ୍‌ର ଅଶ୍ରୁ ପ୍ଳାବିତ ଗଣ୍ଡରେ ସେ ଆଙ୍କିଦେଲେ ଚୁମ୍ୱନ । ବିଦାୟ ଚୁମ୍ବନ । କୁଣ୍ଢେଇ ପକେଇଲେ କୁମାରୀ ତନେଜା ମାର୍ଗାରେଟ୍‌କୁ । ‘‘ଟା ଟା ଆୟୋ ଟା ଟା’’–କାନ୍ଦିଲା କାନ୍ଦିଲା କହିଲା ଛୁଆଟି । ଶୂନ୍ୟରେ କ୍ରୁଶ ଅଙ୍କନ କରି ସମବେତ ସମସ୍ତେ ଆଦିସନ୍ତାନଙ୍କୁ ଆଶୀର୍ବାଦ ଦେଲେ ଫାଦାର ଡେଭିଡ଼୍‌ ।

 

ରାଉରକେଲା ମାଟିକୁ ଶେଷ ଅଶ୍ଳେଷ ଦେଇ ଉପରକୁ ଉଠିଲା ଇଞ୍ଜିନିୟର ପାଟ୍ରିକ ଓ ଫାଦାର ଡେଭିଡ଼୍‌ଙ୍କର ସ୍ୱତନ୍ତ୍ର ବିମାନ । ଶିଳ୍ପନଗରୀର ଧୂମାୟିତ ଆକାଶ ପରିଭ୍ରମଣ କରି କ୍ରମେ ଉଠିଲା ନୀଳ ଆକାଶକୁ । କାରଖାନାର ଉଷ୍ଣ ସ୍ପର୍ଶରେ ଶିଳ୍ପନଗରୀର ରୁକ୍ଷ ପାହାଡ଼ର ଖୁବ୍‌ ଉପରକୁ-। କ୍ରମେ ଅଦୃଶ୍ୟ ହୋଇଗଲା ସ୍ୱତନ୍ତ୍ର ବିମାନ ।

 

ସେମିତି ଛିଡ଼ାହୋଇଥିଲା ମାର୍ଗାରେଟ୍‌ । ଆୟୋ ନୁହେଁ । ସେ ଭାଗ୍ୟ ତା’ର ନାହିଁ ? ଆୟା ମାର୍ଗାରେଟ୍‌ । ଅର୍ଦ୍ଧାଙ୍ଗିନୀ, ସହଧର୍ମ୍ମିଣୀ ନୁହେଁ–ଜଣେ ମୃତଦାରର ଅସ୍ଥାୟୀ ସଂସାରର କର୍ତ୍ତୀ-। ଇଞ୍ଜିନିୟର ପାଟ୍ରିକ ତାଙ୍କର ସବୁ କିଛି ମାର୍ଗାରେଟ୍‌ ପାଇଁ ଛାଡ଼ିଯାଇ, ସତେ ଯେମିତି ନେଇ ଯାଇଛନ୍ତି ସବୁ କିଛି । ନାରୀଜୀବନର ସରସତା, ମାତୃହୃଦୟର ବିଶାଳତା ସବୁ କିଛି ଆଜି ଯେମିତି ଶୂନ୍ୟ । ବିଳପି ଉଠିଲା ତା’ର ଅନ୍ତରର ମହାଶୂନ୍ୟତା ।

 

ସେମିତି ଛିଡ଼ା ହୋଇଥିଲା ମାର୍ଗାରେଟ୍‌ । ଜୀବନର ପୁଞ୍ଜୀଭୂତ ବ୍ୟର୍ଥତାର ଦୁର୍ବହ ବୋଝ ନେଇ ସତେ ଯେମିତି ଉଭା ହୋଇଥିଲା ବିମାନଘାଟିର ନିର୍ଜନ ପ୍ରାନ୍ତରେ କେଉଁ ଅଜ୍ଞାତ ବକ୍ଷ କୋଣାର୍କ-ଶିଳ୍ପୀର କୃଷ୍ଣ ପ୍ରସ୍ତରର ଏକ ଅଶ୍ରୁଳ ନିଖୁଣ ମୂର୍ତ୍ତି ।

Image